ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି-ପିଡିପି ମେଣ୍ଟ ଭାଙ୍ଗିବା ପରେ ଜାମ୍ମୁ-କାଶ୍ମୀରରେ ରାଜନୀତିକ ଚିତ୍ର କ’ଣ ହେବ ତାକୁନେଇ ଚର୍ଚ୍ଚା ବଢ଼ିଛି।

ଜାମ୍ମୁ-କାଶ୍ମୀରରେ ପିଡିପି ସହିତ ମେଣ୍ଟ ଭାଙ୍ଗିଛି ବିଜେପି। ସରକାର ଗଠନ ବେଳେ ପିଡିପି ସହ ଯେଉଁ ସର୍ତ୍ତ ବିଜେପି ରଖିଥିଲା ତାହା ପୂରଣ ହୋଇ ନଥିବାରୁ ପିଡିପିଠାରୁ ବିଜେପି ସମ୍ପର୍କ ତୁଟାଇଛି।

ଜାମ୍ମୁ-କାଶ୍ମୀର ବିଧାନସଭାରେ ପିଡିପିର ସଂଖ୍ୟା ଗରିଷ୍ଠତା କମିଥିବାରୁ ମେହବୁବା ମୁଫ୍‌ତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମେହବୁବାଙ୍କ ଇସ୍ତଫା ପରେ ଜାମ୍ମୁ-କାଶ୍ମୀରରେ କିଏ ସରକାର ଗଢ଼ିବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

୮୭ ଆସନ ବିଶିଷ୍ଟ ଜାମ୍ମୁ-କାଶ୍ମୀର ବିଧାନସଭାରେ ପିଡିପିର ୨୮ ଜଣ ବିଧାୟକ ଥିବା ବେଳେ ବିଜେପିର ୨୫ ଜଣ ବିଧାୟକ ଥିଲେ। ନ୍ୟାସନାଲ କନଫରେନ୍ସର ୧୫ ଜଣ ବିଧାୟକ ରହିଥିବା ବେଳେ କଂଗ୍ରେସର ବିଧାୟକ ସଂଖ୍ୟା ହେଉଛି ୧୨। ଆଉ ୭ଟି ଆସନରେ ସ୍ବାଧୀନ ଏବଂ ଅନ୍ୟ ଦଳର ବିଧାୟକ ଜିତିଥିଲେ।

ଜାମ୍ମୁ-କାଶ୍ମୀରରେ ସରକାର ଗଠନ ପାଇଁ ୪୪ ଜଣ ବିଧାୟକଙ୍କର ସମର୍ଥନ ଆବଶ୍ୟକ। ହେଲେ ବର୍ତ୍ତମାନ ପରିସ୍ଥିତି ଯାହା କୌଣସି ଦଳ ପାଖରେ ୪୪ ବିଧାୟକଙ୍କର ସମର୍ଥନ ନାହିଁ। ଏଣୁ ସରକାର କିଏ ଗଢ଼ିବ ତାକୁନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

କ’ଣ ହେବ ପଲିଟିକାଲ ସିନାରିଓ

-ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି ଯେ ସରକାର ଗଠନ କରିବା ପାଇଁ ପିଡିପି-ନ୍ୟାସନାଲ କନଫରେନ୍ସ-କଂଗ୍ରେସ ହାତ ମିଳାଇ ପାରନ୍ତି। କିନ୍ତୁ ବର୍ତ୍ତମାନ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନଥିବା କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି।

-ମେଣ୍ଟ ପାଇଁ ଯଦି କଂଗ୍ରେସ ରାଜି ନହୁଏ ତାହାଲେ ପିଡିପି, ନ୍ୟାସନାଲ କନଫରେନ୍ସ ଏବଂ ଅନ୍ୟ ଦଳର ବିଧାୟକମାନଙ୍କ ସମର୍ଥନରେ ସରକାର ଗଠନ କରିପାରେ।

-ଯଦି କୌଣସି ପିଡିପି ସହ ମେଣ୍ଟ କରିବାକୁ ରାଜି ନହୁଅନ୍ତି ତାହାଲେ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଜ୍ୟପାଳ ସୁପାରିଶ କରିପାରନ୍ତି।

Comment