ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ପାଇଁ ଓଡ଼ିଶାରେ ସଙ୍ଗଠନ ସଜାଡ଼ିବା ଉପରେ ଫୋକସ୍ ଦେବେ ଅମିତ ଶାହ।

ଜୁଲାଇ ପହିଲାରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଗସ୍ତ ବେଳେ ଶାହ କୌଣସି ସମାବେଶରେ ଯୋଗଦେବେ ନାହିଁ, ସେ ବିଜେପିର ତୃଣମୂଳ ସ୍ତରର କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ।

ଶାହ ୧ରେ ଭୁବନେଶ୍ୱରରେ ପହଞ୍ଚିବେ। ସେହିଦିନ ସେ ୩ଟି ଲୋକସଭା ନିର୍ବାଚନ ମଣ୍ଡଳୀର ୨୧ଟି ବିଧାନସଭାର ପଞ୍ଚାୟତ ପ୍ରତିନିଧିଙ୍କୁ ଭେଟିବେ। ସଙ୍ଗଠନ ମଜଭୁତ ସମ୍ପର୍କରେ ମନ୍ତ୍ର ଫୁଙ୍କିବେ।

ଅମିତ ଶାହ ଜାଣି ସାରିଲେଣି ଯେ ଓଡ଼ିଶାରେ ବିଜେପି ସଙ୍ଗଠନ ମଜଭୁତ ନାହିଁ। ଓଡ଼ିଶାର ଶାସନ ଗାଦି ଅକ୍ତିଆର କରିବାକୁ ହେଲେ ତୃଣମୂଳ ସ୍ତରର ସଙ୍ଗଠନକୁ ସଜାଡ଼ିବାକୁ ପଡ଼ିବ। ଏଣୁ ସଙ୍ଗଠନ ସଜାଡ଼ିବା କାମରେ ଶାହ ଭୁବନେଶ୍ୱର ଆସୁଛନ୍ତି।

ଗତ ଏପ୍ରିଲ ମାସରେ ଶାହ କଳାହାଣ୍ଡି ଏବଂ ବଲାଙ୍ଗିର ଗସ୍ତରେ ଆସିଥିଲେ। ସେଠାରେ ସାଧାରଣ ସଭାରେ ଉଦବୋଧନ ଦେବା ସହ ଦଳୀୟ କର୍ମକର୍ତ୍ତାଙ୍କୁ ମନ୍ତ୍ର ଫୁଙ୍କିଥିଲେ। ସେପ୍ଟେମ୍ବର ଗସ୍ତ ବେଳେ ମିଶନ-୧୨୦କୁ ନେଇ ଯେଉଁ ଟାସ୍କ ଦେଇଥିଲେ ତାର ହିସାବ ମାଗିଥିଲେ।

ଜୁଲାଇ ପହିଲାରେ ବି ଶାହ ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେବେ। ସେପ୍ଟେମ୍ବର ମାସରେ ଶାହ ମିଶନ-୧୨୦କୁ ନେଇ ଅଙ୍କ କଷିଥିଲେ। ବିଜେପି ଓଡ଼ିଶାରେ କେମିତି ୧୨୦ରୁ ଅଧିକ ପଦ୍ମ ଫୁଟାଇବ ସେନେଇ ଦଳର କର୍ମୀ ଓ ନେତାଙ୍କୁ ଗୁପ୍ତ ମନ୍ତ୍ରଣା ଦେଇଥିଲେ। ଏବେ ସେ କାମ କେତେଦୂର ଆଗେଇଛି ସେନେଇ ଟିକିନିଖି ହିସାବ ନେବେ ବୋଲି ଚର୍ଚ୍ଚା ହେଉଛି।

ଏହାସହ ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ କର୍ମକର୍ତ୍ତାଙ୍କୁ ନୂଆ ଟାସ୍କ ଶାହ ଦେଇପାରନ୍ତି ବୋଲି ବିଜେପି ମହଲରେ ଆଲୋଚନା ହେଉଛି।

Comment