ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଆଜିଠାରୁ ଚିଲିକା ଡଙ୍ଗାବୁଡ଼ି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବନ୍ଦର ଏବଂ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ ବିଭାଗର ୭ ଜଣିଆ ଟିମ୍ ଜେଟିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ନିର୍ଦ୍ଦେଶାଳୟର ନିର୍ବାହୀ ଯନ୍ତ୍ରୀ ତଦନ୍ତ ଆରମ୍ଭ ନହେଉଣୁ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ଆଜି ଶେଷ ହୋଇଯାଇଥିବା ପରି ମନେହେଉଛି।

ଡଙ୍ଗା କେଉଁ ପରିସ୍ଥିତିରେ ବୁଡ଼ିଲା, ଡଙ୍ଗାର ଲାଇସେନ୍ସ ଠିକ୍ ଥିଲା କି ନାହିଁ, ଲାଇଫ୍ ଜ୍ୟାକେଟ୍ ମହଜୁଦ ଥିଲା କି ନାହିଁ ତାହା ତଦନ୍ତ ନକରି ଯନ୍ତ୍ରୀ ଦୈବୀ ଦୁର୍ବିପାକକୁ ଦାୟୀ କରି ହାତଝାଡ଼ି ଦେଇଛନ୍ତି।

ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ରାଉଳ କହିଛନ୍ତି, “ଡଙ୍ଗାରେ କୌଣସି ତ୍ରୁଟି ନଥିଲା। କାଳବୈଶାଖୀ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି। ବର୍ଷାପବନରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ିଯାଇଥିଲା ଏବଂ ଲୋକଙ୍କର ଜୀବନ ଚାଲିଗଲା।”

ନିର୍ବାହୀ ଯନ୍ତ୍ରୀ ତଦନ୍ତ ଆରମ୍ଭରୁ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ସେଥିରେ ପ୍ରଶାସନ କିମ୍ବା ସରକାରଙ୍କ କୌଣସି ଦୋଷତ୍ରୁଟି ନଥିବା ଭଳି ମନେହେଉଛି। ସବୁ ଦୋଷ ପ୍ରାକୃତିକ ଦୁର୍ବିପାକ ଏବଂ ଯାତ୍ରୀଙ୍କ ମୁଣ୍ଡରେ ଲଦି ଦେଇ ଯାଞ୍ଚକାରୀ ଟିମ୍ ତଦନ୍ତ ଶେଷ କରିବାକୁ ବସିଛନ୍ତି।

ସରକାର ଯେଉଁ ତଦନ୍ତ ଆଦେଶ ଦେଇଛନ୍ତି ତାହା ଆଗକୁ କେଉଁ ମୋଡ଼ ନେବ ତାହା ଏବେଠାରୁ ସ୍ପଷ୍ଟ ଜଣାପଡ଼ିଲାଣି। ଡଙ୍ଗାବୁଡ଼ିକୁ ନେଇ ଲାଗିଥିବା ହୋ ହଲ୍ଲା ଥଣ୍ଡା ପଡ଼ିଯିବା ପରେ ତଦନ୍ତ ବି ଥଣ୍ଡା ପଡ଼ିଯିବା ଭଳି ମନେହେଉଛି।

ଚିଲିକାରେ ୨୦୧୬ରେ ଡଙ୍ଗାବୁଡ଼ି ଘଟଣା ଘଟିଥିଲେ ମଧ୍ୟ ଯାତ୍ରୀମାନଙ୍କର ସୁରକ୍ଷା ପ୍ରତି କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଯଦି ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଥାନ୍ତା ତାହାଲେ ପୁଣି ଦୁର୍ଘଟଣା ଘଟି ନଥାନ୍ତା।

ଏହି ଟିମ୍ ଆଜି ଡଙ୍ଗାର ଫିଟ୍‌ନେସ ଯାଞ୍ଚ କରିବା ସହ କାଗଜପତ୍ର ଯାଞ୍ଚ କରିଛନ୍ତି। ଏପଟେ ମୃତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯାଇଥିବା ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

୧୭ ତାରିଖରେ ଚିଲିକାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ୧୬ ଜଣ ଯାତ୍ରୀଙ୍କୁ ନେଇ କାଳିଜାଈରୁ ବାଲୁଗାଁ ଫେରୁଥିବା ଦେଶୀ ଡଙ୍ଗାଟି ବର୍ଷା ପବନରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଫଳରେ ୧୬ ଜଣ ଯାତ୍ରୀ ବୁଡ଼ି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ୬ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା।

Comment