ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ସପ୍ତାହରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନ ଔରଙ୍ଗଜେବଙ୍କ ପରିବାରକୁ ଭେଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ। 

ଜାମ୍ମୁ ଓ କାଶ୍ମୀରର ପୁଂଛରେ ସହିଦ ହୋଇଥିବା ଭାରତୀୟ ଯବାନ ଔରଙ୍ଗ୍‌ଜେବ୍‌ଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।

ବୁଧବାରଦିନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଜାମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ପୁଂଛରେ ଥିବା ସହିଦଙ୍କ ଘରକୁ ଯାଇଥିଲେ।

ସୀତାରମଣ ଔରଙ୍ଗ୍‌ଜେବ୍‌ଙ୍କ ଘରେ ପହଞ୍ଚି ପରିବାରର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। “ଔରଙ୍ଗଜେବଙ୍କ ପାଇଁ ସାରାଦେଶ ଗର୍ବିତ। ଦେଶ ପାଇଁ ତାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ”, କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ।

ଭାରତୀୟ ସେନାର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଜାମ୍ମୁ ଓ କାଶ୍ମୀରର ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସୀତାରମଣ ସହ ଔରଙ୍ଗଜେବଙ୍କୁ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ। ଏଭଳି ଜଘନ୍ୟ ଅପରାଧୀଙ୍କର ଉପଯୁକ୍ତ ବିଚାର କରାଯିବ ବୋଲି ଔରଙ୍ଗ୍‌ଜେବ୍‌ଙ୍କ ପରିବାରର ସଦସ୍ୟମାନଙ୍କୁ ଆଶ୍ଵାସନା ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ।

ଗତ ସପ୍ତାହରେ ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ପୁଲୱାମା ନିକଟରୁ ଅପହରଣ ପରେ ଅତି ନିର୍ମମ ଭାବେ ଗୁଳି ମାରି ହତ୍ୟା କରିଥିଲେ। ଜୁନ ୧୪ରେ ଗୁସୁ ଗାଁରେ ଔରଙ୍ଗଜେବଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର କରାଯାଇଥିଲା।

ହିଜ୍‌ବୁଲ୍‌ ମୁଜାହିଦୀନ୍‌ ଆତଙ୍କବାଦୀ ସମୀର ଟାଇଗର୍‌ ଏନ୍‌କାଉଣ୍ଟର୍‌ରେ ଔରଙ୍ଗଜେବ୍‌ ସମ୍ପୃକ୍ତ ଥିଲେ। ଆଇଏସ୍‌ଆଇ ଔରଙ୍ଗ୍‌ଜେବ୍‌ଙ୍କୁ ହତ୍ୟା କରି ଥାଇପାରନ୍ତି ବୋଲି ଗୁଇନ୍ଦା କହୁଛି।

ଶନିବାରଦିନ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁଂଛଠାରେ ସମାଧି ଦିଆଯାଇଛି। ତାଙ୍କ ଅନ୍ତିମ କାର୍ଯ୍ୟରେ ଶହ ଶହ ଲୋକ ଯୋଗ ଦେଇଥିଲେ।

Comment