ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବୁଧବାର ବି ମୁଣ୍ଡଫଟା ଖରା
  • ୪୦ ଡିଗ୍ରୀ ତଳକୁ ଖସୁନି ତାପମାତ୍ରା
  • ବଢ଼ୁଛି ଅଂଶୁଘାତ ମୃତ୍ୟୁ ସଂଖ୍ୟା
  • ଆହୁରି ଦୁଇଦିନ ପ୍ରବଳ ଖରା

ଗଲା ସପ୍ତାହେ ହେଲା ମୁଣ୍ଡଫଟା ଖରାରେ ସିଝୁଛି ଓଡ଼ିଶା। ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସୁନି। ରାଜ୍ୟର ପ୍ରମୁଖ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି।

ବୁଧବାର ଦିନ ୮ଟି ସହରର ତାପମାତ୍ରା ଥିଲା ୪୦ ଡିଗ୍ରୀ ଉପରେ। ଭୁବନେଶ୍ୱରର ତାପମାତ୍ରା ୩୯.୬ ଡିଗ୍ରୀ ରହିଥିବା ବେଳେ କଟକର ତାପମାତ୍ରା ରହିଥିଲା ୩୯ ଡିଗ୍ରୀ। ଅନଗୁଳରେ ୪୧.୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦା ୪୦ ଡିଗ୍ରୀ ତାପମାତ୍ରାରେ ସିଝିଛି।

ତାତି ବଢ଼ୁଥିବା ବେଳେ ଅଂଶୁଘାତ ମୃତ୍ୟୁ ମଧ୍ୟ ରାଜ୍ୟରେ ବୃଦ୍ଧି ପାଇଥିବା ଜଣାପଡ଼ିଛି। ବର୍ତ୍ତମାନସୁଦ୍ଧା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅଫିସକୁ ୪୫ଟି ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଛି। ସେଥିମଧ୍ୟରୁ ୭ଟି ଅଂଶୁଘାତ ଜନିତ ମୃତ୍ୟୁ ସ୍ପଷ୍ଟ ହୋଇଥିବା ଡେପୁଟି ସ୍ପେଶାଲ ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

ଆଉ ୩୮ଟି ଅଭିଯୋଗର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦୁଇଦିନ ଯାଏଁ ତାତିରୁ ନିସ୍ତାର ନାହିଁ। ମୌସୁମୀ ସକ୍ରିୟ ନହେବା ଯାଏଁ ପ୍ରବଳ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗତ ଦୁଇଦିନ ହେଲା କାଳବୈଶାଖୀ ଯୋଗୁଁ ଲୋକେ ଆଶ୍ୱସ୍ତ ଅନୁଭବ କରିଛନ୍ତି।

Comment