ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବେଆଇନ୍ ଘରକୁ ଏଣିକି ଅନୁମୋଦନ ଦେବେ ସରକାର
  • ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ଲାଗୁ ହେଲା ‘ସର୍ବକ୍ଷମା’
  • ବେଆଇନ୍ ଘରକୁ ଅନୁମୋଦନ କରିବା ପାଇଁ ଜରିମାନା ଦେବେ ଘର ମାଲିକ
  • ସ୍କୋୟର ମିଟର ହିସାବରେ ଦେବାକୁ ପଡ଼ିବ ଜରିମାନା

ସହରାଞ୍ଚଳରେ ବିନା ଅନୁମୋଦନରେ ନିର୍ମାଣ ହୋଇଥିବା ଗୃହକୁ ଅନୁମୋଦନ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ସର୍ବକ୍ଷମା’ ଯୋଜନା। ଏହି ଯୋଜନା ୯ଟି ଉନ୍ନୟନ କର୍ତ୍ତୃପକ୍ଷ ପାଇଁ ଲାଗୁ କରାଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦନ ହୋଇ ନଥିବା ଗୃହକୁ ଅନୁମୋଦନ ଦେବାରେ ଏହି ଯୋଜନା ସାହାଯ୍ୟ କରିବ। ନୋଟିସ ଜାରି ପୂର୍ବରୁ ନିର୍ମାଣ ହୋଇଥିବା ଗୃହ ଏହି ଯୋଜନାରେ ସାମିଲ ହେବ। ଏଥିପାଇଁ ଘର ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ସ୍କୋୟାର ମିଟର ହିସାବରେ ଏହି ଜରିମାନା ଟଙ୍କା ଦେବାକୁ ପଡ଼ିବ। ଉଭୟ ରେସିଡେନ୍ସିଆଲ ଏବଂ ନନ୍‌ରେସିଡେନ୍ସିଆଲ ପାଇଁ ସରକାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି।

ମହାନଗର ନିଗମ ଅଞ୍ଚଳରେ ନିର୍ମାଣ ହେଉଥିବା ଘର ପାଇଁ ଘର ମାଲିକ ୧୦, ୫୦୦ ଟଙ୍କା(ରେସିଡେନ୍ସିଆଲ), ୧୭,୫୦୦ ଟଙ୍କା (ନନ୍‌ରେସିଡେନ୍ସିଆଲ) ଦେବାକୁ ପଡ଼ିବ। ସେହିପରି ମ୍ୟୁନସିପାଲିଟି ଅଞ୍ଚଳରେ ନିର୍ମାଣ ହେଉଥିବା ଘର ପାଇଁ ୮ ହଜାର (ରେସିଡେନ୍ସିଆଲ), ୧୫ ହଜାର ଟଙ୍କା (ନନ୍‌ରେସିଡେନ୍ସିଆଲ) ଦେବାକୁ ପଡ଼ିବ।

ଏନଏସି ଅଞ୍ଚଳ ପାଇଁ ୬ ହଜାର (ରେସିଡେନ୍ସିଆଲ) ଏବଂ ୧୩ ହଜାର ଟଙ୍କା (ନନ୍‌ରେସିଡେନ୍ସିଆଲ) ଦେବାକୁ ପଡ଼ିବ।

ଏହି ଯୋଜନାରେ ସମସ୍ତ ନିର୍ମାଣ କାର୍ଯ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପରିସୀମା ଭିତରେ ହେବ।

ନିରଞ୍ଜନ ପୁଜାରୀ କହିଛନ୍ତି, “ସହରାଞ୍ଚଳରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ନିର୍ମାଣ ହୋଇଥିବା ଘରକୁ ଅନୁମୋଦନ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ବେଆଇନ ଘରଗୁଡ଼ିକୁ ଅନୁମୋଦନ କରାଯିବ। ଏଥିପାଇଁ ଆଜିଠାରୁ ୬ ମାସ ଭିତରେ ଘର ମାଲିକମାନେ ନିର୍ଦ୍ଦିଷ୍ଟ ଫର୍ମରେ ଆବେଦନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିପାରିବେ।”

ଘର ମାଲିକମାନେ ଏନଓସି, ଅଗ୍ନି ନିର୍ବାପକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି।

୩୦୦ ବର୍ଗମିଟର ପ୍ଲଟକୁ ଅନୁମୋଦନ କରିବା ପାଇଁ ପଡୋଶୀଙ୍କ ଏନଓସି ନଥିଲେ ରାଜ୍ୟ ସରକାର ଏହାକୁ ବିଚାରକୁ ନେବେ।

୨୦୦୭ରେ ସର୍ବକ୍ଷମା ଯୋଜନା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷରେ ଲାଗୁ କରାଯାଇଥିଲା। ଆଜି ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ ୯ଟି ଉନ୍ନୟନ କର୍ତ୍ତୃପକ୍ଷକୁ ସାମିଲ କରାଯାଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନଗୁଳୁ-ମୁଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ ପାଇଁ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଯେଉଁ ଉଚ୍ଚ ବା ଅନୁଚ୍ଚ ଅଟ୍ଟାଳିକାର ପ୍ଲଟ ସାଇଜ ୩୦୦ ବର୍ଗମିଟର ଭିତରେ ହୋଇଥିବ ସେଥିରେ କ୍ରାଉଣ୍ଡ କଭରେଜ ୧୦୦ ପ୍ରତିଶତ ହେଲେ ଦ଼େୟ ପୈଠ କରି ନିୟମିତ କରାଯାଇ ପାରିବ। ବାସସ୍ଥାନ ଭିତ୍ତିକ ଗୃହ(ଉଚ୍ଚ ଅଟ୍ଟାଳିକା ନୁହେଁ) ୩୦୦ ବର୍ଗମିଟରରୁ ଅଧିକ ହୋଇଥିବ ଏବଂ ଗ୍ରାଉଣ୍ଡ କଭରେଜ ୭୫ ପ୍ରତିଶତ ପର୍ଯ୍ୟନ୍ତ ଥିବ ସେକ୍ଷେତ୍ରରେ ସେଟ୍‌ବ୍ୟାକ୍ ଏବଂ ପାର୍କିଂ ନିୟମାବଳୀକୁ କୋହଳ କରାଯାଇପାରିବ।

ରାଜ୍ୟ ସରକାର ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ଏହି ନିୟମ ଲାଗୁ କରିବା ପରେ ଅନୁମୋଦନ ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଘର ମାଲିକମାନେ ଆଶ୍ୱସ୍ତ ହୋଇଛନ୍ତି। ସରକାରଙ୍କ ଏହି ଯୋଜନାକୁ ସ୍ୱାଗତ କରିଛନ୍ତି। ହେଲେ ଏହି ଯୋଜନା ଯେମିତି ଆଗାମୀ ଦିନରେ ବିପଦର କାରଣ ନପାଲଟେ ଏଥିପ୍ରତି ସରକାର ସଜାଗ ରହିବା ଉଚିତ୍।

ନିର୍ମାଣ ବେଳେ କୌଣସି ବ୍ୟକ୍ତି ନିୟମ କାନୁନକୁ ମାନନ୍ତି ନାହିଁ। ମନଇଚ୍ଛା ନିର୍ମାଣ କରିଥାନ୍ତି। ଯଦି ସରକାର ଏସବୁକୁ ମାଫ୍ କରିଦେବେ ତାହାଲେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ଅସୁବିଧାକୁ ମଧ୍ୟ ସରକାର ସାମ୍ନା କରିବାକୁ ପ୍ରସ୍ତୁତ ରହୁନ୍ତୁ ବୋଲି ବୁଦ୍ଧିଜୀବୀମହଲରେ ଆଲୋଚନା ହେଉଛି।

Comment