ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁଗାୟିକା ସୋହିନୀ ମିଶ୍ର ଏବେ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍ଫିଲ୍ମର ଗୀତ ତୋ ନୂଆ ସାୟରି…’ ପାଇଁ ଚର୍ଚ୍ଚାରେ ଅଛନ୍ତି ଆସନ୍ତୁ ଜାଣିବା ସୋହିନୀଙ୍କ ସମ୍ପର୍କରେ

ଓଡ଼ିଆ ସିନେମା ସୁନ୍ଦରଗଡ଼ର ସଲମାନ୍ ଖାନର ‘ତୋ ନୂଆ ସାୟରି…’ ହେଉ, ହିରୋ ନମ୍ବର ୱାନ୍ ସିନେମାର ‘କାଞ୍ଚିରେ କାଞ୍ଚିରେ…’ ହେଉ ବା ପିଲାଟି ବିଗିଡ଼ିଗଲାର ‘ଏ କି ନିଶା ଲାଗେ…’ ଅବା ଭାଇନା, କ’ଣ କଲା ସେ ଫିଲ୍ମର ‘ତୁ ମୋର ବିଏଫ୍…’ ଗୀତ ହେଉ, ଏସବୁରେ ଜଣେ ଗାୟିକା ନିଜ କଣ୍ଠର ଯାଦୁରେ ଶ୍ରୋତାଙ୍କୁ ମତୁଆଲା କରିଛନ୍ତି।

ଏହି ଗାୟିକାଙ୍କ ନାଁ ହେଲା ସୋହିନୀ ମିଶ୍ର। ସୋହିନୀ ଇତିମଧ୍ୟରେ ୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦ ପଟ ଗାୟିକା ଭାବେ ଅନେକ  ଗୀତରେ କଣ୍ଠଦାନ କରିସାରିଲେଣି। ଖାଲି ସେତିକି ନୁହେଁ, ତାଙ୍କର କେତେକ ମ୍ୟୁଜିକ୍ ଭିଡିଓ ମଧ୍ୟ ୟୁଟ୍ୟୁବ୍‌ରେ ଧୂମ୍ ମଚାଇଛି। ତାଙ୍କର ସୋଲୋ ହିନ୍ଦୀ ଆଲବମ୍ ମଧ୍ୟ ଶ୍ରୋତାଙ୍କ ମନ ମୋହିଛି।

ସମ୍ପ୍ରତି ସୋହିନୀ ମୁମ୍ବାଇରେ ରହି ନିଜର ସଙ୍ଗୀତ କ୍ୟାରିଅର୍ ଆଗେଇ ନେଉଛନ୍ତି। ହେଲେ ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ରହିଛି ଅହେତୁକ ଆକର୍ଷଣ। ସୋହିନୀ ମିଶ୍ର ପ୍ରଖ୍ୟାତ ବଲିଉଡ ସଙ୍ଗୀତଜ୍ଞ ହିମେଶ ରେଶାମିୟାଙ୍କ ମ୍ୟୁଜିକ୍ ଟ୍ରୁପ୍‌ରେ ବି ସାମିଲ ହୋଇ ବେଶ୍ ନାଁ କରିଛନ୍ତି।

ସୋହିନୀଙ୍କ ଜନ୍ମ ତାରିଖ ହେଲା ଅଗଷ୍ଟ ୯ ତାରିଖ। ତାଙ୍କ ପିତା ଅନନ୍ତ ଚରଣ ମିଶ୍ର ଓ ମାତା ପ୍ରମିଳା ମିଶ୍ର ଉଭୟେ କଣ୍ଠଶିଳ୍ପୀ। ପିତାମାତାଙ୍କ ଗୁଣସୂତ୍ରରେ ସଙ୍ଗୀତ ମିଳିଛି ସୋହିନୀ ମିଶ୍ରଙ୍କୁ।

ସୁଗାୟିକା ସୋହିନୀ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ହିଁ ତାଙ୍କ ସଙ୍ଗୀତ ପ୍ରତିଭା ସମ୍ପର୍କରେ ଜାଣିପାରିଲେ ବାପାମାଆ। ସୋହିନୀଙ୍କ ପିତାମାତା ଏକ ଗୀତ ପ୍ରଥମ ‘ଆଷାଢ଼ ବରଷାରେ ଭିଜି…’ର ରିଆଜ୍ କରୁଥିଲେ। ସେହି ସମୟରେ ସୋହିନୀ ଜାଣିପାରିଲେ ଯେ ସେ ଦୁହେଁ ଗୀତ ଠିକ୍ ଭାବେ ଗାଉନାହାନ୍ତି। ସେ ଭୁଲ୍ ସୁଧାରି କେମିତି ଗାଇବା ଉଚିତ, ତାହା ଗାଇ ଶୁଣାଇଥିଲେ।

ଏହି ଘଟଣାରୁ ବାପାମାଆ ଜାଣିପାରିଲେ ଯେ ସୋହିନୀଙ୍କର ସଙ୍ଗୀତ ପ୍ରତି ଆକର୍ଷଣ ରହିଛି। କଟକର ତୁଳସୀପୁର ସରସ୍ୱତୀ ଶିଶୁ ମନ୍ଦିରରେ ସୋହିନୀଙ୍କର ସଙ୍ଗୀତ ଶିକ୍ଷା ଅୟମାରମ୍ଭ ଘଟିଥିଲା। ସେଠାରେ ଗୁରୁ ବିଶ୍ୱନାଥ ମିଶ୍ରଙ୍କଠାରୁ ସଙ୍ଗୀତ ଶିକ୍ଷା ପାଇଥିଲେ ସୋହିନୀ।

ସୋହିନୀ ଏହାପରେ ଗୁରୁ ପଣ୍ଡିତ ଜେଭିଏସ ରାଓଙ୍କଠାରୁ କ୍ଲାସିକାଲ୍ ମ୍ୟୁଜିକ୍ ଶିଖିଥିଲେ। ତା’ପରେ ସୁଗାୟିକା ସୋହିନୀ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କଠାରୁ ହିନ୍ଦୁସ୍ତାନ କ୍ଲାସିକାଲ୍ ଶିଖିଛନ୍ତି। ଏତଦ୍ ବ୍ୟତୀତ କୋଲକାତାର ଗୁରୁ ଗୌତମ ଘୋଷାଲଙ୍କ ପାଖରେ ଭଏସ୍ କଲଚର୍ ବି କହିଛନ୍ତି ସୁଗାୟିକା ସୋହିନୀ। ସେ ପ୍ରଥମେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ଆମରି ସ୍ୱର’ (ଇଟିଭି)ରେ ଅଂଶଗ୍ରହଣ କରିଥିଲେ। ତା’ପରେ ସୋନି ଟିଭିରେ ପ୍ରସାରିତ ‘ଇଣ୍ଡିଆନ୍ ଆଇଡଲ୍‌’ରେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ।

ସୋହିନୀ ମାତ୍ର କୋଡିଏ ବର୍ଷ ବୟସରେ ଆକାଶବାଣୀ କଟକର ଆର୍ଟିଷ୍ଟ ହୋଇଥିଲେ। ଠିକ୍ ସେହିପରି ୨୩ ବର୍ଷ ବୟସରେ ଜାତୀୟ ମ୍ୟୁଜିକ୍ ଫ୍ଲାଟଫର୍ମ ଇଣ୍ଡିଆନ୍ ଆଇଡଲ୍‌ରେ ଟପ୍ ସିକ୍ସ ପ୍ରତିଯୋଗୀ ହେବାର ଗୌରବ ଅର୍ଜନ କରିଥିଲେ। ତାଙ୍କୁ ସଙ୍ଗୀତକାର ପ୍ରେମ୍ ଆନନ୍ଦ ଓଡ଼ିଆ ସିନେମା ‘ପ୍ରେମ୍ ୱେଡ୍‌ସପ୍ରିୟା’ରେ ବ୍ରେକ୍ ଦେଇଥିଲେ। ଏଥିରେ ଥିବା କ୍ଲାସିକାଲ୍ ଗୀତ ‘ଜୀବନ ତୃଷ୍ଣା ହେଲେ ପ୍ରେମ ମରିଚିକା…’ରେ କଣ୍ଠଦାନ କରିଥିଲେ ସୋହିନୀ।

ଏହାପରେ ସୋହିନୀ ଆଉ ପଛକୁ ଫେରି ଚାହିଁନାହାନ୍ତି। ପରେପରେ ସେ ‘ଥୁକୁଲ୍’, ‘ରୁଦ୍ର’, ‘ଡାହାବାଳୁଙ୍ଗା’, ‘ଟାର୍ଗେଟ୍’, ‘ରୁମକୁ ଝୁମାନା’, ‘କ’ଣ କଲା ସେ’, ‘ପିଲାଟା ବିଗିଡ଼ିଗଲା’, ‘ହିରୋ ନମ୍ବର ୱାନ୍’ ଏବଂ ‘ସୁନ୍ଦରଗଡ଼ ସଲମାନ୍ ଖାନ୍’ ସମେତ ୩୦ରୁ ଅଧିକ ଓଡ଼ିଆ ସିନେମାରେ ପ୍ରଚ୍ଛଦପଟ୍ଟ ଗାୟିକା ହେବାର ସୁଯୋଗ ପାଇଛନ୍ତି।

ସୋହିନୀଙ୍କ କଣ୍ଠସ୍ୱରରେ ଭିନ୍ନତା ବି ଅଛି। ପ୍ରାୟ ଚାରି ବର୍ଷ ଧରି ଜଣେ କଣ୍ଠଶିଳ୍ପୀ ଭାବେ ମୁମ୍ବାଇରେ କ୍ୟାରିଅର୍ କରିଛନ୍ତି ସେ। ସୋହିନୀଙ୍କ ସଙ୍ଗୀତ ଯାତ୍ରା ଅବ୍ୟାହତ ରହିଛି।

Comment