ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରତ୍ନ କମ୍ପାନି ନାଲକୋ ପକ୍ଷରୁ ପ୍ରସ୍ତୁତ ସ୍ୱଚ୍ଛ ଭାରତ ସମ୍ପର୍କିତ ଏକ ହିନ୍ଦୀ ମ୍ୟୁଜିକ ଭିଡିଓ ଇନ୍ଦୋରଠାରେ ଉନ୍ମୋଚିତ ହୋଇଛି। ଏହାକୁ କେନ୍ଦ୍ର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉନ୍ମୋଚନ କରିଛନ୍ତି।

‘ସ୍ୱଚ୍ଛ ଭାରତ କେ ଲିୟେ ଏକ ଆହ୍ୱାନ’ ଶୀର୍ଷକ ଏହି ଭିଡିଓଟି କେନ୍ଦ୍ର ଖଣି ମନ୍ତ୍ରାଳୟର ହିନ୍ଦୀ ପରାମର୍ଶଦାତା କମିଟିର ବୈଠକ ଅବସରରେ ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନାଲକୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏବଂ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ନରେନ୍ଦ୍ର ସିଂ ତୋମାର କହିଛନ୍ତି,”ନାଲକୋ ସ୍ୱଚ୍ଛ ଭାରତ ଅଭିଯାନରେ ଏକ ସକ୍ରିୟ ସହଭାଗୀ ଭାବେ ଯୋଗ ଦେଇଥିବାରୁ ଆନନ୍ଦର ବିଷୟ। ଏହି ମ୍ୟୁଜିକ ଭିଡିଓ ଦ୍ୱାରା ଲୋକେ ଅଧିକ ସଚେତନ ହେବେ।”

ନାଲକୋ ଉଭୟ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛି।

ନାଲକୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି, “ନାଲକୋ ସବୁବେଳେ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇଆସିଛି। ଏହି ମ୍ୟୁଜିକ ଭିଡିଓ ଦ୍ୱାରା ନାଲକୋ ସମଗ୍ର ଦେଶରେ ଚାଲୁଥିବା ସ୍ୱଚ୍ଛତା ଅଭିଯାନର ପ୍ରଚାରରେ ଅଂଶଗ୍ରହଣ କରିପାରିଛି।”

Comment