ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆ ଏବେ ଆଉ ଓଡ଼ିଶା ସରକାରଙ୍କ ପାଇଁ ସାଧାରଣ ମାଧ୍ୟମ ହୋଇ ରହିନାହିଁ। ବିଳମ୍ବରେ ହେଲେ ମଧ୍ୟ ଫେସବୁକ, ଟୁଇଟର ଆଦିକୁ ପୂର୍ବ ଅପେକ୍ଷା ଏବେ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ସରକାର ଚେତେଇଛନ୍ତି। ଏନେଇ ଆଜି ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ପାଖକୁ ଚିଠି ଲେଖାଯାଇଛି।

ସୋସିଆଲ ମିଡିଆରେ ଯେଉଁସବୁ ଆପତ୍ତି ଅଭିଯୋଗ ଆସୁଛି ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଏହି ଚିଠିରେ କୁହାଯାଇଛି।

ଜଣେ ଅଧିକାରୀ କହିଛନ୍ତି ପ୍ରତିଦିନ ସରକାରଙ୍କ ପାଖକୁ ବିଭିନ୍ନ ପ୍ରସଙ୍ଗରେ ଶହ ଶହ ଅଭିଯୋଗ ଆସୁଛି। ସରକାର ଏଗୁଡ଼ିକୁ ସମ୍ପୃକ୍ତ ଅଧିକାରୀଙ୍କ ପାଖକୁ ପଠାଇଦେଉଛନ୍ତି ସତ ହେଲେ କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ଅଭିଯୋଗଗୁଡ଼ିକ ଜମା ହୋଇ ପଡ଼ିରହୁଛି।

ଜିଲ୍ଲା ସ୍ତରରେ ଏଡିଏମ, ତହସିଲଦାର ଓ ସବ-କଲେକ୍ଟରଙ୍କ ପାଖକୁ ପ୍ରାୟତଃ ଅଭିଯୋଗ ସବୁ ପଠାଇଦିଆଯାଇଥାଏ।

ଜିଲ୍ଲାପାଳମାନଙ୍କୁ ଲେଖାଯାଇଥିବା ଚିଠିରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ସଚିବ ଚନ୍ଦ୍ରଶେଖର କୁମାର କହିଛନ୍ତି ଯେ ଯେଉଁସବୁ ଅଭିଯୋଗ ବିଭିନ୍ନ ଅଫିସରଙ୍କ ପାଖକୁ ପଠାଯାଉଛି ସେଥିପ୍ରତି ସେମାନେ ଗୁରୁତ୍ୱ ଆରୋପ କରୁନାହାନ୍ତି। ଫଳରେ ଅଭିଯୋଗଗୁଡ଼ିକ ପଡ଼ିରହୁଛି।

ଅଧିକାରୀମାନେ ଅଭିଯୋଗର ସମାଧାନ କରୁ ନଥିବାରୁ ଅଭିଯୋଗକାରୀ ସୋସିଆଲ ମିଡିଆରେ ତାହାକୁ ‘ଫ୍ଲାଗ’ କରୁଛନ୍ତି ଯାହା ଫଳରେ ସରକାରଙ୍କୁ ଲଜ୍ଜିତ ହେବାକୁ ପଡ଼ୁଛି।

ଦୈନନ୍ଦିନ ଜୀବନରେ ସୋସିଆଲ ମିଡିଆର ଓଜନ ବୃଦ୍ଧି ପାଉଥିବା ବେଳେ ତଳ ସ୍ତରରେ ସରକାରୀ ଅଫିସରମାନେ ଏହାକୁ ଗୁରୁତ୍ୱ ନ ଦେବା ଯୋଗୁଁ ଏହା ଏକ ଭୀଷଣ ସଙ୍କଟ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଯେଉଁ ଅଭିଯୋଗ ଆସୁଛି ତାହାର ଶୀଘ୍ର ସମାଧାନ କରିବା ସହ ଏନେଇ ଯଥାଶୀଘ୍ର ସରକାରଙ୍କୁ ଜଣାଇବା ପାଇଁ ଉକ୍ତ ଚିଠିରେ କୁହାଯାଇଛି।

Comment