ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅନଫିନିସଡ୍ ମେମୋୟାର୍‌ ମାଧ୍ୟମରେ ନିଜ ଜୀବନର ଅନେକ ଅକୁହା କଥା ସେୟାର କରିବାକୁ ଯାଉଛନ୍ତି ଦେଶୀଗାର୍ଲ୍‌ ପ୍ରିୟଙ୍କା ଚୋପ୍ରା

ବିଶ୍ୱସୁନ୍ଦରୀ ପ୍ରିୟଙ୍କା ଏବେ ଗୋଟାପଣେ ହଲିଉଡ୍ ନାୟିକା ବନିଗଲେଣି। ‘ମେରିକୋମ୍’ ଓ ‘ବର୍ଫି’ ଭଳି ଭିନ୍ନସ୍ଵାଦର ଚଳଚ୍ଚିତ୍ରରେ ଅଭିନୟ କରି ଭାରତୀୟ ଦର୍ଶକଙ୍କ ମନ ମୋହିବା ପରେ ପ୍ରିୟଙ୍କା ହଲିଉଡ୍ ମୁହାଁ ହୋଇଥିଲେ।

ଆମେରିକୀୟ ଟିଭି ଧାରାବାହିକ ‘କ୍ଵାଣ୍ଟିକୋ’ରେ ଅଭିନୟ କରି ସେ ରାତାରାତି ସେଠିକାର ଦର୍ଶକଙ୍କର ମନ ମୋହିନେଇଥିଲେ। ‘କ୍ଵାଣ୍ଟିକୋ’ରେ ତାଙ୍କ ଅଭିନୟ ପାଇଁ ଦୁଇଥର ଲଗାତାର ପିପୁଲ୍ସ ଚଏସ ଆୱାର୍ଡ ମଧ୍ୟ ପାଇଥିଲେ ପ୍ରିୟଙ୍କା। ‘ବେଓ୍ୱାଚ୍‍’ ସିରିଜରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା ହଲିଉଡର ବଡ଼ ପରଦାରେ।

ଏବେ ସେ ‘କ୍ଵାଣ୍ଟିକୋ’ର ତୃତୀୟ ତଥା ଶେଷ ସିଜିନରେ ବ୍ୟସ୍ତ ଅଛନ୍ତି। ଏହାପରେ ଅଲି ଅବାସ୍‌ ଜାଫରଙ୍କ ସିନେମା ‘ଭାରତ’ରେ ଅଭିନୟ କରିବା ପାଇଁ ନିଜ ଦେଶକୁ ଫେରୁଛନ୍ତି ପ୍ରିୟଙ୍କା। ‘ଭାରତ’ ସିନେମାରେ ସଲମାନଙ୍କ ସହ ନଜର ଆସିବେ ପ୍ରିୟଙ୍କା ଚୋପ୍ରା।

ପ୍ରିୟଙ୍କା ସାଧାରଣତଃ ତାଙ୍କ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହାନ୍ତି। କାହା ସହ ନିଜ ବ୍ୟକ୍ତିଗତ କଥାକୁ ସେୟାର କରିବାକୁ ଚାହାନ୍ତିନି ସେ। ନିଜ ଧୂନରେ ବଞ୍ଚିବାକୁ ପସନ୍ଦ କରନ୍ତି ଏ ସୁନ୍ଦରୀ ନାୟିକାଜଣକ।

ଜାଣି ଖୁସିହେବେ ପ୍ରିୟଙ୍କା ଖୁବ୍ ଶୀଘ୍ର ତାଙ୍କର ଏ ଅଭ୍ୟାସ ସହ ସାଲିସ କରିବାକୁ ଯାଉଛନ୍ତି। ‘ଅନଫିନିସଡ୍’ ନାମକ ଏକ ବହିରେ ସେ ତାଙ୍କ ଜୀବନର ଅନେକ ଅକୁହା କଥାକୁ କହିବାକୁ ଯାଉଛନ୍ତି।

ପ୍ରବନ୍ଧ, କାହାଣୀ ଓ ନିଜ ନିଖୁଣ ଅନୁଶୀଳନ ମାଧ୍ୟମରେ ସେ ନିଜକୁ ଖୋଲିଦେଇଛନ୍ତି ପାଠକଙ୍କ ନିକଟରେ। ଏ ବହିଟି ୟୁନାଇଟେଡ୍ ଷ୍ଟେଟର ବାଲାଣ୍ଟାଇନ୍ ବୁକ୍ସ ଏବଂ ୟୁକେର ମାଇକେଲ୍ ଜୋସେଫ୍ ତରଫରୁ ଖୁବ୍ ଶୀଘ୍ର ପ୍ରକାଶ ପାଇବ। ୨୦୧୯ରେ ଏହି ବହି ପହଞ୍ଚିବ ପାଠକମାନଙ୍କ ପାଖରେ।

“ଏହି ବହିର ଲେଖାଗୁଡ଼ିକ ମହିଳାଙ୍କୁ ବେଶ୍‌ ପ୍ରଭାବିତ କରିବ। ଖାସ୍‌ କରି ସେହି ମହିଳାମାନଙ୍କ ପାଇଁ ଏ ବହି, ଯେଉଁମାନେ ଜୀବନରେ କିଛି କରିଦେଖାଇବାକୁ ଚାହାନ୍ତି। ମୁଁ ମୋ ଜୀବନରେ ଯାହାକିଛି କରିବାକୁ ଚାହିଁଛି, ତାହା କରିଦେଖାଇଛି। ଯଦି ମୁଁ କରିପାରିଲି, ତାହେଲେ ଯେକେହି ବି ନିଶ୍ଚୟ କରିପାରିବ”, କହିଛନ୍ତି ପ୍ରିୟଙ୍କା।

ପ୍ରିୟଙ୍କା କହିଛନ୍ତି, “ମୁଁ ସବୁବେଳେ ବହି ଲେଖବାକୁ ଚାହୁଁଥିଲି। କିନ୍ତୁ ଲେଖିବା ପୂର୍ବରୁ ବହୁତ କିଛି କରିବାକୁ ଚାହୁଁଥିଲି, ଜୀବନ ଜୀଇଁବାକୁ ଚାହୁଥିଲି, ଅନେକ କିଛି ହାସଲ କରିବାକୁ ଚାହୁଁଥିଲି ଓ ସେଇ ଅନୁଭବକୁ ବାଣ୍ଟିବାକୁ ଇଚ୍ଛା ରଖିଥିଲି। ତେବେ ପରେ ଅନୁଭବ କଲି ନିଜ ମନର କଥା କହିବା ପାଇଁ ସବୁ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା କିଛି ଦରକାର ନାହିଁ। ଜୀବନର ଅନେକ ବଡ଼ ବଡ଼ ଶିକ୍ଷା ଏହି ଜୀବନ ଯାତ୍ରା ସମୟରେ ହିଁ ମିଳିଥାଏ”।

୨୦୦୨ ମସିହାରେ ମିସ୍ ଓ୍ୱାର୍ଲଡ ଟାଇଟଲ୍ ଜିତିବା ପରେ ୧୭ ବର୍ଷିୟା ପ୍ରିୟଙ୍କା ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ୧୮ ବର୍ଷର ଏହି ଯାତ୍ରାର ଅନେକ ସ୍ମୃତି ଆଉ ଅନୁଭୁତି ରହିଛି ଏହି ବହିରେ।

Comment