ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାରେ ଡଙ୍ଗାବୁଡ଼ିରେ ୬ଜଣଙ୍କ ଜୀବନ ଗଲାପରେ ସରକାରଙ୍କ ମୁଣ୍ଡରେ ବୁଦ୍ଧି ପଶିଲା। ଡଙ୍ଗାରେ ଯାତ୍ରୀଙ୍କ ସୁରକ୍ଷା ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ସରକାର।

ଏଣିକି ଚିଲିକାକୁ ଡଙ୍ଗାରେ ଗଲେ ଲାଇଫ ଜ୍ୟାକେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ପର୍ଯ୍ୟଟକମାନେ ଲାଇଫ ଜ୍ୟାକେଟ ବିନା ଡଙ୍ଗା ଉପରେ ଚଢ଼ି ପାରିବେ ନାହିଁ। ଡଙ୍ଗାର ଗତିବିଧି ଅନୁଧ୍ୟାନ ପାଇଁ ଜିପିଏସ ଲାଗିବ। ପ୍ରତ୍ୟେକ ଡ଼ଙ୍ଗାରେ ଅଗ୍ନି ନିର୍ବାପକ ଯନ୍ତ୍ର ଓ ଲାଇଫ ବୟ ରହିବେ। ସେ ଲାଇଫ ଜ୍ୟାକେଟ ପିନ୍ଧିବା ପାଇଁ ଯାତ୍ରୀଙ୍କୁ ତାଗିଦ କରିବେ। ନିୟମ ଉଂଲଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି।

ଶନିବାରଠାରୁ ଚିଲିକାରେ ଏହି ଆଇନ ଲାଗୁ ହେବ କରାଯିବା ନେଇ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଚିଲିକା ଡଙ୍ଗାବୁଡ଼ି ଘଟଣା ସମ୍ପର୍କରେ ମତ ରଖି ମନ୍ତ୍ରୀ କହିଛନ୍ତି, “ସେଦିନ ପ୍ରବଳ ପବନ ବହିବା ସହ ଡଙ୍ଗାର ସ୍ଥିତି ମଧ୍ୟ ଭଲ ନଥିଲା, ପାଣି ଗଳୁଥିଲା। ଫଳରେ ଦୁର୍ଘଟଣା ଘଟିଥିଲା”।

୧୭ ତାରିଖରେ ଚିଲିକାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ୧୬ ଜଣ ଯାତ୍ରୀଙ୍କୁ ନେଇ କାଳିଜାଈରୁ ବାଲୁଗାଁ ଫେରୁଥିବା ଦେଶୀ ଡଙ୍ଗାଟି ବର୍ଷା ପବନରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଫଳରେ ୧୬ ଜଣ ଯାତ୍ରୀ ବୁଡ଼ି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଏଥିରେ ୬ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା।

ନୂଆ ନିୟମ କ’ଣ ରହିଛି ଜାଣନ୍ତୁ

  • ଏଣିକି ଡଙ୍ଗାର ଗତିବିଧି ଅନୁଧ୍ୟାନ ପାଇଁ ଜିପିଏସ ଲାଗିବ।
  • ଲାଇଫ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ।
  • ପର୍ଯ୍ୟଟକମାନେ ଲାଇଫ ଜ୍ୟାକେଟ ବିନା ଡଙ୍ଗା ଉପରେ ଚଢ଼ିବା ମନା।
  • ପ୍ରତ୍ୟେକ ଡ଼ଙ୍ଗାରେ ଅଗ୍ନି ନିର୍ବାପକ ଯନ୍ତ୍ର ଓ ଲାଇଫ ବୟ ରହିବେ।
  • ନିୟମ ଉଂଲଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
  • କେବଳ ଲାଇସେନ୍ସଧାରୀମାନେ ହିଁ ବୋଟ ଚଳାଇବେ।
  • ପ୍ରତ୍ୟେକ ଡ଼ଙ୍ଗାରେ ଡଷ୍ଟବିନ୍ ସହ ପାଣି ବ୍ୟବସ୍ଥା ରହିବ।
  • ବୋଟ ଗୁଡ଼ିକ ନିର୍ଦ୍ଦିଷ୍ଟ ମାପରେ ହୋଇଛି ନାହିଁ ଯାଞ୍ଚ୍ କରାଯିବ।

Comment