ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪୫ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଯୋଗ ଦିବସର ସଫଳତା ବଖାଣିଛନ୍ତି। ଯୋଗ ଦିବସକୁ ସାରା ବିଶ୍ୱ ଆପଣାଇଥିବା ମୋଦି କହିଛନ୍ତି।

“ନିକଟରେ ଶେଷ ହୋଇଥିବା ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଏକାଠି ହୋଇଥିଲା। ୟୁରୋପ ପାର୍ଲାମେଣ୍ଟରୁ ଜାତିସଂଘ ମୁଖ୍ୟାଳୟ ଏବଂ ନ୍ୟୁୟର୍କରୁ ଜାପାନ ପର୍ଯ୍ୟନ୍ତ ସବୁଠି ଉତ୍ସାହ ଏବଂ ଉଦ୍ଦୀପନାର ସହ ଲୋକେ ଯୋଗ ଦିବସରେ ସାମିଲ ହୋଇଥିଲେ। ଏହା ଭାରତ ପାଇଁ ଶୁଭ ସଙ୍କେତ। ଯୋଗ ଦିବସ ଏକ ସ୍ୱାସ୍ଥ୍ୟ ବିପ୍ଲବ ସୃଷ୍ଟି କରିଛି। ଏହି ଅଭିଯାନ ଆଗକୁ ଜାରି ରହିବ ଏବଂ ଅଧିକରୁ ଅଧିକ ଲୋକ ଏଥିରେ ଯୋଡ଼ି ହେବେ ବୋଲି ଆଶା ରହିଛି”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମନ୍‌ କି ବାତ୍ କାର୍ଯ୍ୟକ୍ରମରେ ମୋଦି କ୍ରିକେଟ ଖେଳକୁ ସ୍ଥାନ ଦେଇଥିଲେ। ନିକଟରେ ବେଙ୍ଗାଳୁରୁରେ ଭାରତ ଓ ଆଫ୍‌ଗାନିସ୍ତାନ ମଧ୍ୟରେ ହୋଇଥିବା ଐତିହାସିକ ଟେଷ୍ଟ ମ୍ୟାଚକୁ ନେଇ ପ୍ରଧାନମନ୍ତ୍ରୀ ଉଭୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନର ମିଷ୍ଟ୍ରି ସ୍ପିନର ରାଶିଦ ଖାନ୍‌ଙ୍କ ପ୍ରଦର୍ଶନକୁ ମୋଦି ପ୍ରଶଂସା କରିଥିଲେ।

ଖେଳ ଅପେକ୍ଷା ଖେଳୁଆଡ଼ ମନୋବୃତ୍ତି ରହିଲେ ଦେଶ ଦେଶ ମଧ୍ୟରେ ଭ୍ରାତୃତ୍ୱଭାବ ବଜାୟ ରହିବ ବୋଲି ମୋଦି କହିଛନ୍ତି।

ସେହିପରି ଜିଏସ୍‌ଟି ଲାଗୁ ହେବାର ଏକ ବର୍ଷ ପୂରିଥିବାରୁ ମୋଦି ଦେଶବାସୀଙ୍କର ସ୍ୱପ୍ନ ସାକାର ହୋଇଛି ବୋଲି କହିଥିଲେ। ଜିଏସ୍‌ଟି ସଫଳତାର ଶ୍ରେୟ ରାଜ୍ୟସରକାରମାନଙ୍କୁ ଦେଇଛନ୍ତି ମୋଦି।

ମୋଦି କହିଛନ୍ତି ଯେ ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଦେଶରେ ୧୭ଟି ଭିନ୍ନ ପ୍ରକାରର ଟ୍ୟାକ୍ସ ଲାଗୁ ହେଉଥିଲା। କିନ୍ତୁ ବର୍ତ୍ତମାନ ଗୋଟିଏ ପ୍ରକାରର ଟ୍ୟାକ୍ସ ଦେଶରେ ଲାଗୁ ହୋଇଛି। ଜିଏସ୍‌ଟି ବ୍ୟବସ୍ଥା ଲାଗୁ ହେବା ପରେ ଦେଶର ବିଭିନ୍ନ ସମସ୍ୟା ଦୂର ହୋଇଛି। ଦେଶବାସୀଙ୍କୁ ବହୁ ସୁବିଧା ମିଳିପାରୁଛି।

Comment