ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶ ବିଦେଶର ନାମୀ ଦାମୀ ଖେଳାଳିଙ୍କ ଜର୍ସି ସଂଗ୍ରହ ମାୟାରେ ମାତିଛନ୍ତି ରାଜଧାନୀର ଡାକ୍ତରୀ ଛାତ୍ର ସମ୍ପୂର୍ଣ୍ଣ ରଥ।

କିଛି ଭିନ୍ନ କରିବା ଏବଂ ନିଜକୁ ନିଆରା ଭାବେ ପରିଚିତ କରିବାର ଇଛା ସମସ୍ତଙ୍କ ମନରେ ରହିଛି। ହେଲେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ନିଜ ନିଶାକୁ ଏକ ସ୍ୱତନ୍ତ୍ର ପରିଚୟ  ଦେବାଲାଗି ନିଷ୍ଠାର ସହ ପ୍ରୟାସ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସମ୍ପୂର୍ଣ୍ଣ ରଥ। ନିଜ ନାଁର ସାର୍ଥକତାକୁ ସେ ବଜାୟ ରଖିଛନ୍ତି।

ସମ୍ପୂର୍ଣ୍ଣ ରଥ। ବୟସ ୨୧। ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାଙ୍କ ଘର। ନାଁ ଯେମିତି ନିଆରା ତାଙ୍କ ସ୍ୱପ୍ନ ମଧ୍ୟ ସେମିତି ନିଆରା। ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ସେ ଡାକ୍ତରୀ ପାଠ ପଢ଼ୁଛନ୍ତି। ଜଣେ ଭଲ ଡେଣ୍ଟିଷ୍ଟ ହେବାର ଲକ୍ଷ୍ୟ ରଖିଥିବା ସମ୍ପୂର୍ଣ୍ଣ କିନ୍ତୁ ଏବେ ନିଆରା ନିଶାରେ ମାତିଛନ୍ତି। ଦେଶ ବିଦେଶର ନାମୀ ଦାମୀ ଖେଳାଳିଙ୍କର ଜର୍ସି ସଂଗ୍ରହ କରି ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି।

ବ୍ୟାଡମିଣ୍ଟନ କୁଇନ୍ ସାଇନା ନେହେହ୍ୱାଲ, କ୍ରିକେଟର ଦୀପ ଦାସଗୁପ୍ତା ଏବଂ ହକି ଖେଳାଳି ଗୁରକୀରତ ସିଂଙ୍କ ଜର୍ସି ସଂଗ୍ରହ କରି ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ଫୁଟବଲ୍, ହକି, କବାଡ଼ି, ଅଲମ୍ପିକ୍ ଭଳି ଖେଳର ବେଶ୍ ଲୋକପ୍ରିୟ ଖେଳାଳିମାନଙ୍କର ଜର୍ସି ସଂଗ୍ରହ କରିବାରେ ସେ ସକ୍ଷମ ହୋଇଛନ୍ତି।

“୧୭ ବର୍ଷରୁ ମୁଁ ସଂଗ୍ରହ କରିବା ଆରମ୍ଭ କରିଥିଲି। ୫ ବର୍ଷ ମଧ୍ୟରେ ୧୫୦ରୁ ଅଧିକ ଜର୍ସି ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ହକି ଖେଳାଳି ଅରନ ଜଲେସ୍କିଙ୍କ ଜର୍ସି ମୁଁ ପ୍ରଥମେ ସଂଗ୍ରହ କରିଥିଲି। ମୋ ପରିବାର ଏବଂ ସାଙ୍ଗସାଥି ମୋତେ ଏଦିଗରେ ସହଯୋଗ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି”, କହିଛନ୍ତି ସମ୍ପୂର୍ଣ୍ଣ ରଥ।

ସମ୍ପୂର୍ଣ୍ଣ ୩୦ରୁ ଅଧିକ ବିଦେଶୀ ଖେଳାଳିମାନଙ୍କର ଜର୍ସି ସଂଗ୍ରହ କରିଛନ୍ତି। ଯେତେବେଳେ କୌଣସି କ୍ରୀଡ଼ା ପ୍ରତିଯୋଗିତା ଭୁବନେଶ୍ୱରରେ ହୋଇଥାଏ  ସେତେବେଳେ ସେ ଖେଳାଳିମାନଙ୍କଠାରୁ  ଜର୍ସି ସଂଗ୍ରହ କରିଥାନ୍ତି। ସମ୍ପୂର୍ଣ୍ଣଙ୍କର ଏହି ଆଗ୍ରହକୁ ଦେଖି ଖେଳାଳୀମାନେ ଖୁସିରେ ନିଜର ଜର୍ସି ଦେଇଥାନ୍ତି।

“ମୁଁ ଖେଳକୁ ଭଲ ପାଉଥିବାରୁ ଖେଳାଳିମାନଙ୍କର ଜର୍ସି ସଂଗ୍ରହ କରିବାର ଇଛା ମୋ’ ମନରେ ଅନେକ ଦିନରୁ ରହିଥିଲା। ଏହି ସୁଯୋଗ ମୋତେ ପ୍ରଥମେ କଳିଙ୍ଗ ଷ୍ଟାଡିୟମରେ ମିଳିଥିଲା। ଯେଉଁଠି ଖେଳ ସଂଗଠିତ ହୁଏ ମୁଁ ଷ୍ଟାଡିୟମ ଏବଂ ସେ ରହୁଥବା ହୋଟେଲକୁ ଯାଇ ଖେଳାଳିମାନଙ୍କୁ ସାକ୍ଷାତ କରିଥାଏ। ଜର୍ସି ପାଇଁ ସେମାନଙ୍କୁ ଅନୁରୋଧ କରେ। ଫ୍ରି ସମୟରେ ଖେଳାଳିମାନଙ୍କ ସହ ଚାଟ୍ କରେ ଏବଂ ଅନୁରୋଧ କରେ ନିଜ ଜର୍ସି ଦେବା ପାଇଁ। ବହୁବାର ନିରାଶ ମଧ୍ୟ ହୋଇଛି। ହେଲେ ମୁଁ ଭାଙ୍ଗି ପଡ଼ିନଥିଲି”, କହିଛନ୍ତି ସମ୍ପୂର୍ଣ୍ଣ।

ଜର୍ସି ସହ ଅଟୋଗ୍ରାଫଯୁକ୍ତ କ୍ୟାପ ଏବଂ ବ୍ୟାଟ୍ ମଧ୍ୟ ସେ ସଂଗ୍ରହ କରିଛନ୍ତି ସମ୍ପୂର୍ଣ୍ଣ। ସେ ଭବିଷ୍ୟତରେ ଏକ ସଂଗ୍ରହାଳୟ କରିବାର ଯୋଜନା ରଖିଛନ୍ତି। କ୍ରିକେଟର ରାହୁଲ ଦ୍ରାବିଡଙ୍କ ଜର୍ସି ସଂଗ୍ରହ କରିବା ତାଙ୍କର ଆଗାମୀ ଲକ୍ଷ୍ୟ ବୋଲି ସମ୍ପୂର୍ଣ୍ଣ କହିଛନ୍ତି।

ରିପୋର୍ଟ: ମୋନାଲିସା ମିଶ୍ର

Comment