ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯଲିଉଡରେ ଦର୍ଶକଙ୍କ ମନ ମୋହିଥିବା ଅଭିନେତା ସୋମେଶ ମହାନ୍ତିଙ୍କ ଯାତ୍ରା ଜୀବନ ବିଷୟରେ ଆସନ୍ତୁ ଜାଣିବା...

କିଛିବର୍ଷ ତଳେ ଦୂରଦର୍ଶନରେ ଏକ ମେଗା ଧାରାବାହିକ ପ୍ରସାରିତ ହେଉଥିଲା। ଏହାର ଟାଇଟଲ୍ ଥିଲା ‘ସୁନା କଳସ’। ଏଥିରେ ନାୟକ ଭୂମିକାରେ ଅଭିନୟ କରି ରାତାରାତି ଟେଲିଷ୍ଟାର୍ ବନିଥିଲେ ସୋମେଶ୍ ମହାନ୍ତି।

‘ସୁନାକଳସ’ରେ କାମ କରୁଥିବା ସମୟରେ ସୋମେଶକୁ ବିଗ୍‌ ଏଫଏମ୍ (୯୨.୭)ରେ ଆରଜେ ହେବାର ସୁଯୋଗ ମିଳିଥିଲା। ସେହି କମ୍ପାନିର ନିୟମ ଅନୁଯାୟୀ ତାଙ୍କୁ କିଛିବର୍ଷ ଅଭିନୟରୁ ଦୂରେଇ ରହିବାକୁ ପଡ଼ିଲା। ସେ ଆରଜେ ଭାବେ ମଧ୍ୟ ବେଶ୍ ସଫଳ ହୋଇଥିଲେ।

ଆରଜେ ହେବାର କିଛିବର୍ଷ ପରେ ସୋମେଶ ପୁଣି ଫେରିଥିଲେ ଅଭିନୟ କ୍ଷେତ୍ରକୁ। ସେ ‘ଆଇଲାରେ ଓଡ଼ିଆ ପୁଅ’ ଓ ‘କିଏ ସେ ଡାକୁଛି କୋଉଠି ମତେ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିଲେ।

ଅଭିନେତା ସୋମେଶଙ୍କ ଅଭିନୀତ ଅନ୍ୟ କେତେକ ଟେଲି ସିରିଆଲ୍ ହେଲା ‘ପଣତକାନି’, ‘ତୁଳସୀ’, ‘ଏ ଗପ ମଲାଜହ୍ନର’, ‘ଉଆଁସୀ କନ୍ୟା’ ଏବଂ ‘ଛଅ ମାଣ ଆଠଗୁଣ୍ଠ’ ଆଦି।

ମଞ୍ଚ, ଟେଲିଭିଜନ୍, ଏଫ୍ଏମ୍ ଏବଂ ସିନେମା ଭଳି ଭିଭିନ୍ନ ମନୋରଞ୍ଜନ ପ୍ଲାଟଫର୍ମରେ କାମ କରିବା ପରେ ସୋମେଶ ଚିନ୍ତା କଲେ ଆଉ ଏକ ମିଡିଅମ୍ ବାକି ରହିଛି। ତାହା ହେଲା ଯାତ୍ରା। ସେ ଭାବୁଥିଲେ ଯଦି ଯାତ୍ରାରେ ଅଭିନେତା ହେବାର ସୁଯୋଗ ମିଳନ୍ତା, ତେବେ ସେଠାକାର ଅଭିଜ୍ଞତା ବି ହାସଲ କରିବେ।

ତାଙ୍କର ଏହି ଇଚ୍ଛା ଟାଣି ଆଣିଥିଲା ଯଲିଉଡକୁ। ତାଙ୍କୁ ଇଷ୍ଟର୍ଣ୍ଣ ଅପେରାରେ ପ୍ରଥମେ ଅଭିନେତା ହେବାର ସୁଯୋଗ ମିଳିଥିଲା। ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ମଳୟ ମିଶ୍ର ସୋମେଶଙ୍କୁ ଯାତ୍ରାରେ ଯୋଗ ଦେବା ଲାଗି ପ୍ରସ୍ତାବ ଦେଇଥିଲେ। ସୋମେଶ ମଧ୍ୟ ରାଜି ହୋଇଥିଲେ ଏବଂ ଇଷ୍ଟର୍ଣ୍ଣ ରେଡରେ ଯୋଗ ଦେଇଥିଲେ।

ଇତିମଧ୍ୟରେ ସୋମେଶଙ୍କୁ ଦର୍ଶକ ‘ଚୁପଚାପ୍ ରାତି ଟୁପ୍‌ଟାପ୍ କଥା’, ‘ଆସିଛି ମଙ୍ଗଳ ଗ୍ରହର ଝିଅ’, ‘କଲଗାର୍ଲ’ ଓ ‘ବାସନ୍ତୀର ଚିଠି ମୁଖ୍ୟମନ୍ତ୍ରୀଙ୍କୁ’ ଆଦି ଯାତ୍ରା ନାଟକରେ ନାୟକ ଭୂମିକାରେ ଖୁବ୍ ପସନ୍ଦ କରିଛନ୍ତି।

ଯାତ୍ରାରେ ଦର୍ଶକମାନଙ୍କ ପ୍ରତିକ୍ରିୟା ପାଇବା ପରେ ମତେ ଖୁବ୍ ଖୁସି ଲାଗିଥିଲା। ଏହି କାରଣରୁ ଯାତ୍ରା ମୋତେ ଭଲ ଲାଗିଲା ବୋଲି କହନ୍ତି ସୋମେଶ ମହାନ୍ତି।

ବେଶ୍ କେତୋଟି ଯାତ୍ରା ନାଟକରେ ଅଭିନୟ କରି ଦର୍ଶକଙ୍କ କରତାଳି ଓ ସମୀକ୍ଷକଙ୍କ ପ୍ରଶଂସା ପାଇବା ପରେ ସେ ନିଜକୁ ଯଲିଉଡରେ ଜଣେ ସଫଳ ଅଭିନେତା ବୋଲି ମନେକରନ୍ତି ସୋମେଶ ମହାନ୍ତି।

ଗୋଟିଏ ସମୟରେ ଗୋଟିଏ କାମ କରିବାରେ ବିଶ୍ୱାସ କରନ୍ତି ସୋମେଶ। ସେଥିପାଇଁ ଯାତ୍ରାରେ ଅଭିନୟ କରୁଥିବା ସମୟରେ ସିନେମା ଓ ସିରିଆଲର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେ।

ସୋମେଶ ନିଜର ପାରିଶ୍ରମିକକୁ ନେଇ ସନ୍ତୁଷ୍ଟ। ସିନେମା ହେଉ ବା ସିରିଆଲ୍, ଯାତ୍ରା ହେଉ ବା ଥିଏଟର ସବୁଠି ଭଲ କାମ କରିବା ଲକ୍ଷ୍ୟରେ ଥାଆନ୍ତି ସେ। ଏଣୁ ପାରିଶ୍ରମିକକୁ ଗୁରୁତ୍ୱ ଦେଇନଥା’ନ୍ତି ସୋମେଶ।

ଓଡ଼ିଶାରେ ଚଳଚ୍ଚିତ୍ର ପ୍ରତି ଦର୍ଶକମାନଙ୍କର ଆଗ୍ରହ କମୁଛି ବୋଲି ମତ ଦିଅନ୍ତି ସୋମେଶ। ଅନ୍ୟପକ୍ଷରେ ଯାତ୍ରାପ୍ରତି ଲୋକଙ୍କର ଯେଉଁ ଆଗ୍ରହ ଥିଲା, ତାହା ଆଜି ବି ଅତୁଟ ରହିଛି ବୋଲି ମତପ୍ରକାଶ କରନ୍ତି ସୋମେଶ। ଓଡ଼ିଶାରେ ଯାତ୍ରା ମଞ୍ଚ ବନ୍ଦ ହେବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଯାତ୍ରାଜଗତକୁ ସରକାରଙ୍କ ପ୍ରୋତ୍ସାହନ ମିଳିବା ଉଚିତ ବୋଲି ସୋମେଶଙ୍କ ମତ।

Comment