ଭାସ୍କର ପରିଛା

ଆତ୍ମଜୀବନୀ ଲେଖିବା ଏକ ବିପଜ୍ଜନକ କାର୍ଯ୍ୟ। ଆଉ ଯଦି ଜୀବନିକାର ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ଓ ଜଣେ ନିରୋଳା ସାଧକ ହୋଇଥାନ୍ତି ତାଙ୍କ ଠାରୁ ଆସିଥିବା ଜୀବନୀଟି ଆହୁରି ଅଧିକ ବିପଦସଙ୍କୁଳ ହେବାକୁ ବାଧ୍ୟ।

କମଳାକାନ୍ତ ମହାପାତ୍ରଙ୍କ ଆତ୍ମଜୀବନୀ ‘ଜନମରୁ ମରଣ’ ନିଃସନ୍ଦେହରେ ଏହି ‘ବିପଜ୍ଜନକ’ ଶ୍ରେଣୀର, କାରଣ ଲେଖକ ନିଜ ଜୀବନର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଘଟଣାକୁ ଲୁଚେଇନାହାନ୍ତି କି କୌଣସି କଥାକୁ ଛାଡିନାହାନ୍ତି। ଆତ୍ମକଥା ଯଦି ଜଣେ ବ୍ୟକ୍ତିର ଅନୁଭବିତ ଜୀବନର ବାସ୍ତବ ତଥା ଯଥାର୍ଥ ଚିତ୍ରଣ ହୁଏ,ଆଲୋଚ୍ୟ ଆତ୍ମକଥାଟି ସେ ଦୃଷ୍ଟିରୁ ଏକ ବିରାଟ ସଫଳତା।

ଆତ୍ମକଥାର ପ୍ରତିଟି ଭାଗ ମଣିଷର ଜିଜୀବୀଷା ତଥା ପ୍ରତିଟି ଶବ୍ଦ ତାର କର୍ମ ଓ କ୍ରିୟା-କଳାପ ସହିତ ଯୋଡ଼ି ହୋଇ ରହିଥାଏ। ଆତ୍ମନିରୀକ୍ଷଣ, ଆତ୍ମପରୀକ୍ଷଣ, ଆତ୍ମବିଶ୍ଳେଷଣ, ଆତ୍ମାଭିବ୍ୟକ୍ତି ଏ ସବୁର ପରିପ୍ରକାଶ ଆତ୍ମଜୀବନୀରେ ଘଟିଥାଏ। ତେବେ ଆତ୍ମକଥାରେ ‘ସତ୍ୟ’ର ସ୍ୱତନ୍ତ୍ର ସ୍ଥାନ ଓ ମହତ୍ତ୍ୱ ଥାଏ।

କୁହାଯାଏ, ଯଦି ଆତ୍ମକଥନରେ ସତ ନ ରହିଲା ତାହାକୁ ଉତ୍କୃଷ୍ଟ ଆତ୍ମଜୀବନୀ କୁହାଯାଇପାରିବ ନାହିଁ। ଆତ୍ମଜୀବନୀ ଯେଉଁମାନେ ଲେଖନ୍ତି ସେଥିରେ ନିଜସ୍ୱ ଶୈଳୀ ଓ ଭାଷାର ପ୍ରୟୋଗ ହୋଇଥାଏ ଏବଂ ଏଥିରେ ବିତେଇଥିବା ଜୀବନର ଘଟଣା ଗୁଡ଼ିକ ନିଜସ୍ୱ ଶବ୍ଦର ମାଧ୍ୟମ ଦେଇ ଉତୁରି ଆସିଥାନ୍ତି।

ଆତ୍ମଜୀବନୀରେ କଦାପି ଦାର୍ଶନିକତ୍ୱର ସ୍ଥାନ ନଥାଏ କି ନିଜ ସମ୍ପର୍କରେ ଅଯଥା ଗୁଡ଼ିଏ ପ୍ରଶଂସା ନଥାଏ। କମଳାକାନ୍ତ ମହାପାତ୍ର ନିଜେ ଏ କଥା କହିଛନ୍ତି ଗ୍ରନ୍ଥର ଆରମ୍ଭରେ: ‘ବ୍ୟକ୍ତିଗତ ସ୍ତରରେ ମୁଁ ଜଣେ ଆଦର୍ଶ ଚରିତ୍ର ଆଦୌ ନୁହେଁ;ମୋର ଅନ୍ୟୁନ ଦେଢ଼ ହଜାର ବଦଗୁଣ ଅଛି। ମୋ’ଠୁ କାହାର କିଛି ଶିଖିବାର ନାହିଁ, ମୋର କାହାରିକୁ କିଛି ଶିଖାଇବାର ନାହିଁ। ତେଣୁ ମୋ କାହାଣୀ ପଢ଼ି କାହାକୁ କ୍ଲାନ୍ତ, ବିରକ୍ତ, ଉତ୍ପୀଡ଼ିତ ହେବାକୁ ପଡ଼ିବ ନାହିଁ।’ ଓଡ଼ିଶାରେ ଆତ୍ମଜୀବନୀ ଲେଖାର ଯେ ଏକ ସମୃଦ୍ଧ ଇତିହାସ ଅଛି ଏ କଥା କୁହାଯାଇପାରିବ ନାହିଁ।

ଏହାର ଦୁଇଟି କାରଣ ହୋଇପାରେ। ହୁଏତ ଜୀବନୀ ଲେଖିବାକୁ ଲେଖକ ସାହସ ସଞ୍ଚୟ କରି ପାରନ୍ତି ନାହିଁ ଅଥବା ଜୀବନୀ ଲେଖିବା ପାଇଁ ଯଥେଷ୍ଟ ଉପାଦାନ ନଥାଏ। ସୌଭାଗ୍ୟବଶତଃ କମଳାକାନ୍ତ ମହାପାତ୍ରଙ୍କର ଏହି ଦୁଇଟି ଯାକ ଅଛି। ସେ ସାହସୀ ବି ଓ ତାଙ୍କ ସମଗ୍ର ଜୀବନଟି ଘଟଣା ଏବଂ ଉପାଦାନରେ ଭରା। ଏଣୁ ତାଙ୍କ ଆତ୍ମକଥନକୁ ଏକ ଉଲ୍ଲେଖଯୋଗ୍ୟ କୃତି ବୋଲି କୁହାଯିବାରେ ଆଦୌ କୁଣ୍ଠାବୋଧ ନାହିଁ।

ଅନେକ ଦିନର ବ୍ୟବଧାନ ପରେ ଓଡ଼ିଆ ସାହିତ୍ୟରେ ଏଭଳି ଏକ ଆତ୍ମକଥା ସଂଯୋଜିତ ହୋଇପାରିଲା ତାହା ନିଶ୍ଚିତ ଭାବରେ ଆଶ୍ୱାସନାର ବିଷୟ। କଟକରେ ଜନ୍ମ ଓ ଚାକିରୀ ସରିବା ପରେ ପୁଣି ସେଇଠିକି ଫେରିବା ଭିତରେ ଯେଉଁ ୬୭ବର୍ଷର ଅଭିଜ୍ଞତାକୁ ଲେଖକ ଗୋଟି ଗୋଟି କରି ଥୋଇଛନ୍ତି ତାହା କେବଳ ପଢ଼ିବାର ବିଷୟ ନୁହେଁ, ଆହରଣ କରିବାର ବିଷୟ ମଧ୍ୟ।

ଆତ୍ମଜୀବନୀଟି ପଢ଼ିଲେ ଲାଗିବ ସତେ ଯେମିତି ନିଜେ ଆପଣ ସେହି ସବୁ ଘଟଣାର ଭୁକ୍ତଭୋଗୀ। ଏଥିରେ ସାହିତ୍ୟ ଅଛି, ଭୂଗୋଳ ଅଛି, ମନସ୍ତତ୍ତ୍ୱ ଅଛି, ଜଣେ ପ୍ରଶାସକର କଥା ଅଛି, ଦାମ୍ପତ୍ୟ ଜୀବନର ଭାଷା ଅଛି।ଅଛି ମଧ୍ୟ ମଣିଷର ଦରଦୀ ହୃଦୟର କଥା।

ଆୟକର ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ରହିବା ଭିତରେ କମଳାକାନ୍ତ ମହାପାତ୍ର ଚାକିରୀ ଜୀବନଟିକୁ ପ୍ରତିକୂଳ ସ୍ରୋତ ଦେଇ ଅତିବାହିତ କରିଛନ୍ତି ଓ ସେଥିଭିତରୁ କିଛି ଅସ୍ୱାଭାବିକ ଘଟଣାବଳୀର ଉପସ୍ଥାପନାରୁ ଦେଶରେ ଅମଲାତନ୍ତ୍ରର ଗତିବିଧି ସମ୍ପର୍କରେ ପାଠକ ଯଥେଷ୍ଟ ଧାରଣା କରିପାରିବେ।

ଚାକିରୀ ଜୀବନରେ ଯେଉଁ ସବୁ ମେଟ୍ରୋ ସହରରେ ରହିଆସିଛନ୍ତି ତାର ବିଭିନ୍ନତାକୁ ମଧ୍ୟ ଠାଏ ଠାଏ ଯୋଡିଛନ୍ତି ସେ।ସେହି ସବୁ ଅଧ୍ୟାୟ ପଢ଼ିବା ବେଳେ ପାଠକକୁ ପରିଭ୍ରମଣର ଆନନ୍ଦ ମଧ୍ୟ ମିଳିବ। ‘ଜନମରୁ ମରଣ’ ହଜିଲା ଦିନର ଆଲେଖ କେବଳ ନୁହେଁ ଏଥିରେ ଲେଖକଙ୍କ ଜୀବନର ବହୁ ଦିଗ ଉନ୍ମୋଚିତ ହୋଇଛି।କେବଳ ଜୀବନୀ ଦୃଷ୍ଟିରୁ ଏହାକୁ ବିଚାର ନ କରି ଏଥିରେ ଥିବା ସମସାମୟିକତା କୁ ମଧ୍ୟ ବିଚାରକୁ ନେବା ଆବଶ୍ୟକ। ମନକୁ ଛୁଇଁଲା ଭଳି ଭାଷା ଓ ଆତ୍ମକଥା କହିବାରେ ଯେଉଁ ଆନନ୍ଦ ତାହାର ସ୍ପଷ୍ଟ ପରିପ୍ରକାଶ ଘଟିଛି ଏହି ଆତ୍ମଜୀବନୀରେ।

ଜୀବନୀ ପୁସ୍ତକରେ ଥିବା କମଳାକାନ୍ତଙ୍କ ଶୈଶବ, କୈଶୋର ଓ ଯୁବକତ୍ୱର କାହାଣୀ ଏକଦମ ନିଆରା। କଟକ ସହର ଓ ସେତେବେଳର ପରିବେଶ ତଥା ପିଲାବେଳେ ଯେଉଁସବୁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ସେ ଆସିଛନ୍ତି ସେହି ସବୁ ବିବରଣୀ ପଢିବାକୁ ଅତ୍ୟନ୍ତ ରୋମାଞ୍ଚକର।

‘ରେଭେନ୍ସା କଲେଜରେ ଅଧ୍ୟାପନା’ ଶୀର୍ଷକ ଅଧ୍ୟାୟରେ ସେ ଯେଉଁ କେତୋଟି ଘଟଣାର ଉଲ୍ଲେଖ ସେ କରିଛନ୍ତି ସେଥିରୁ କମଳାକାନ୍ତଙ୍କ ସାହସିକତା ଓ ଦାମ୍ଭିକତାର ପରିଚୟ ମିଳେ। ତିନୋଟି ଭାଗରେ ବିଭକ୍ତ ଓ ବିଷୟ ସଜ୍ଜାରେ ଖୁବ୍ ଉନ୍ମୁକ୍ତ ‘ଜନମରୁ ମରଣ’ ୩୮୦ପୃଷ୍ଠାର ଏକ ଜବରଦସ୍ତ ଆତ୍ମକାହାଣୀ। ଏହା କେବଳ ଜଣେ ସାହିତ୍ୟିକର ଆତ୍ମଲିପି ନୁହେଁ,ଜଣେ ନିରହଙ୍କାରୀ ମଣିଷର ସ୍ଵୀକାରୋକ୍ତି ମଧ୍ୟ।

ଜନମରୁ ମରଣ ଆତ୍ମଜୀବନୀ ଲେ: କମଳାକାନ୍ତ ମହାପାତ୍ର

ଧଉଳି ବୁକ୍ସ- ୮୧୮/୨୫୦୨ 

ଗୋବିନ୍ଦେଶ୍ଵର ରୋଡ଼, ଓଲଡ଼ ଟାଉନ

ଭୁବନେଶ୍ୱର ୭୫୧୦୦୨

ମୂଲ୍ୟ ୬୫୦ଟଙ୍କା 

Comment