ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଗୁହାରୀ ଶୁଣୁ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଜନ୍ତରମନ୍ତରରୁ ମୁକ୍ତିକାନ୍ତଙ୍କୁ ପୋଲିସ ଉଠାଇବା ପରେ ସେ ରାମଲୀଳା ମଇଦାନରେ ଅନଶନରେ ବସିଛନ୍ତି।

ପ୍ରଧାନମନ୍ତ୍ରୀ ନଭେଟିଲେ ଓଡ଼ିଶା ଫେରିବି ନାହିଁ। ଏମିତି ଜିଦ୍ ଧରିଛନ୍ତି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ। ନୂଆଦିଲ୍ଲୀର ଜନ୍ତରମନ୍ତରରେ ଅନଶନ କରୁଥିବା ମୁକ୍ତିକାନ୍ତଙ୍କୁ ପୋଲିସ ଉଠାଇଦେବା ପରେ ତାଙ୍କ ମନରେ ଆହୁରି ଜିଦ୍ ବଢ଼ି ଯାଇଛି। ରାମଲୀଳା ମଇଦାନରେ ଅନଶନରେ ବସିଛନ୍ତି ମୁକ୍ତିକାନ୍ତ।

ମୋଦିଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇଦେବା ପାଇଁ ରାଉରକେଲାରୁ ଦିଲ୍ଲୀ ଚାଲି ଚାଲି ଆସିଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପ୍ରଧାନମନ୍ତ୍ରୀ ନିରାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ମୁକ୍ତିକାନ୍ତ ଚିଠି ଲେଖିଥିଲେ ମଧ୍ୟ କୌଣସି ଉତ୍ତର ଆସିନାହିଁ। ଦିନ ଗଡ଼ୁଥିବାରୁ ମୁକ୍ତିକାନ୍ତଙ୍କ ମନରେ ଜିଦ୍ ବଢ଼ିଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ମୁକ୍ତିକାନ୍ତ ଦିଲ୍ଲୀରେ ଅନଶନ ଆରମ୍ଭ କରିଛନ୍ତି।

୨୦୧୫ରେ ମୋଦି ରାଉରକେଲା ଆସିଥିଲେ। ଆଇଜିଏଚ୍‌ ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଏବଂ ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ପୋଲ କରିବା ପାଇଁ ମୋଦି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମୋଦି ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନଥିବାରୁ ମୁକ୍ତିକାଲ ଗତ ଏପ୍ରିଲ ୧୬ରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିଥିଲେ।

ଦିଲ୍ଲୀରେ ପହଞ୍ଚି ମୁକ୍ତିକାନ୍ତ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟିଥିଲେ। ହେଲେ ଜୁଏଲ ତାଙ୍କୁ ନିରାଶ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିବା ପାଇଁ ସମୟ ଦିଅନ୍ତୁ ବୋଲି ମୁକ୍ତିକାନ୍ତ ଚଠି ଲେଖିଥିଲେ।

ମୁକ୍ତିକାନ୍ତଙ୍କ ଅନଶନକୁ ନେଇ ଓଡ଼ିଶାରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ। କଂଗ୍ରେସ ମୁକ୍ତିକାନ୍ତଙ୍କ ଆନ୍ଦୋଳନକୁ ସମର୍ଥନ କରିଛି। ବରିଷ୍ଠ ନେତା ନରସିଂହ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏବଂ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

“ଗରିବ ଓଡ଼ିଶା କଥା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ସମୟ ନାହିଁ। ମୋଦି କେବେ ଓଡ଼ିଶାବାସୀଙ୍କ କଥା ଶୁଣନ୍ତି। ଏହାର ପ୍ରମାଣ ହେଉଛନ୍ତି ରାଉରକେଲାର ଯୁବକ ମୁକ୍ତିକନ୍ତ ବିଶ୍ୱାଳ। ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାତ୍ରା କରିଥିଲେ ମଧ୍ୟ ତାଙ୍କୁ ସମୟ ନଦେବା ଦୁର୍ଭାଗ୍ୟଜନକ”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

“ନରସିଂହମିଶ୍ରଙ୍କ ମନ୍ତବ୍ୟ ହାସ୍ୟାସ୍ପଦ। ରାଜ୍ୟବାସୀଙ୍କୁ ସବୁବେଳେ ବିଭ୍ରାନ୍ତ କରୁଛି କଂଗ୍ରେସ। ରାଉରକେଲା ଆଇଜିଏଚ୍ ସୁପରସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହୋଇଛି। ୨୦୧୮ ଶେଷ ସୁଦ୍ଧା ନିର୍ମାଣ ଶେଷ ହେବ। ବ୍ରାହ୍ମଣୀ ନଦୀରେ ସେତୁ ନିର୍ମାଣ ମଧ୍ୟ ଆରମ୍ଭ ହୋଇଛି”, କହିଛନ୍ତି ବିଜେପି ଉପ-ସଭାପତି ସମୀର ମହାନ୍ତି।

LEAVE A REPLY

Please enter your comment!
Please enter your name here