ଚନ୍ଦ୍ରଶେଖର ରଥ

Lord Jagannath ବିଶିଷ୍ଟ ଲେଖକ ଚନ୍ଦ୍ରଶେଖର ରଥଙ୍କ କାଳଜୟୀ ସୃଷ୍ଟିରଥସପ୍ତକ ଏକ ରସୋତୀର୍ଣ୍ଣ ଅଧ୍ୟାୟ – ‘ହୋ ଭଗତେ’

ଆସିବା ହେଉ। ପାଦ ପଖାଳି ବିଜେ ହେବା ହେଉ। ଏ, ସେଇ ବଡ଼ଦାଣ୍ଡ, ଭଗତେ, ଏଇଠି ଆଖି ତୋଳି ଚାହିଁବା ହେଉ।

ବିଶୁଦ୍ଧ ଶ୍ରୀଫଳ ପରି ଘନରସରେ ପରିପୂର୍ଣ୍ଣ ସେ ଯେଉଁ ଖର୍ବକାୟ ଝାଳସରସର ମଣିଷଟି, ଅରୁଣ ଖମ୍ବ ତଳକୁ ଗଳବସ୍ତ୍ର ହୋଇ ବାହୁ ପ୍ରସାରି ଠିଆ ହୋଇଛନ୍ତି, ଯାହାଙ୍କ ଆଖିରୁ ଛଳଛଳ ଅଶ୍ରୁ ଅନବରତ ଝରି ଯାଉଛି, ସେ ହେଉଛନ୍ତି ଦାସ ପ୍ରଧାନ ଦାସିଆ ବାଉରି। ଭାବ ଗଦ୍‌ଗଦ ବିହ୍ୱଳ ଅବସ୍ଥାରେ ସେ ଫେରି ଚାରିଆଡକୁ ଚାହୁଁଛନ୍ତି। ତାଙ୍କ ଓଠ ଥରଥର, ହାତ ଥରଥର ପାଦ ଥରଥର। ଫୁଟିଲା କଦମ୍ବ ପରି ଦେହସାରା କଣ୍ଟକିତ।

“ଏଡେ ବଡ଼ ଦେଉଳର ଏଡେ ବଡ଼ ଠାକୁର! ତୁମ ବାଇଶି ପାହାଚ ଚଢ଼ି ଯିବାକୁ ତ’ ବଳ ନାହିଁ ପ୍ରଭୁ! ଅଯୋଗ୍ୟ ଅଛବର ହୁବ କାହିଁ, ସେ ପବିତ୍ର ପଥରକୁ ମାରା କରିଦେବ? ଏ ବଡ଼ଦାଣ୍ଡ ମୋ ସ୍ୱର୍ଗ। ସୁଦାମାର ଖୁଦଖିଆ ଠାକୁର! ଶବରୀର କୋଳିଖିଆ ଠାକୁର! ଏ ନଡ଼ିଆଟି କ’ଣ ତୁମ ମନ ଲାଖି ନଜିର ହେବ କି? ଏ ଅଛବ ହାତରୁ କ’ଣ ଘେନାହେବ ଏ ଶ୍ରୀଫଳ?’’

ଅଶ୍ରୁ, ଅଭିମାନ, ସମର୍ପଣର ତରଳ ଅମୃତାୟିତ ନୈବେଦ୍ୟରୂପୀ ସେ ମହାପୁରୁଷ ବିହ୍ୱଳ ହୋଇ ଦଶ ଦିଗକୁ ଚାହୁଁଛନ୍ତି। ଖୋଜୁଛନ୍ତି ସେ ମହାଶୂନ୍ୟକୁ, କେଉଁଠୁ ଅବା ସୁବିଶାଳ ଭୂଜ ନଇଁ ଆସୁଥିବ ପରା! ସେ ଭାବଭୂମିରେ କାଳ ନାହିଁ, ବସ୍ତୁ ନାହିଁ। ଆଖିକୁ ଅଦୃଶ୍ୟ ସେ ରାଜ୍ୟ, ହୋ ଭଗତେ, ମାତ୍ର ସେ ଭାବକୁ ପ୍ରକଟ!!

ସାତ ଲହଡା ମଠରୁ ସୁସଞ୍ଚ ତୁଳସୀ ମଞ୍ଜରୀଗୁଡ଼ିଏ ଆଞ୍ଜୁଳାରେ ଧରି ସେ ଯେଉଁ ସରଳ, ପ୍ରଶାନ୍ତ ଶୁଚିମନ୍ତ ପୁରୁଷ ଆସୁଛନ୍ତି, ଯାହାଙ୍କର ଆଖିଗୁଡ଼ିକ ପଦ୍ମ ପାଖୁଡ଼ା ପରି ଢଳଢ଼ଳ, ଯେହୁ ପିନ୍ଧିଛନ୍ତି ଶୁକଳ ଅମ୍ଳାନ, ତୁଳସୀ ଚନ୍ଦନରେ ଯେହୁ ମହମହ ବାସୁଛନ୍ତି, ନବାକ୍ଷରୀ ଛନ୍ଦ ପରି ଯାହାଙ୍କ ବିଗ୍ରହ ମନୋରମ, ସେ ମହାତମା ହେଉଛନ୍ତି ଭାଗବତପୁରୁଷ ଜଗନ୍ନାଥ ଦାସ ଜ୍ଞାନଭକ୍ତିର ଗଙ୍ଗାସାଗର ସଙ୍ଗମ ହେଉଛନ୍ତି ତୀର୍ଥରାଜ ଏହାଙ୍କୁ ନମସ୍କାର!

ହୋ ଭଗତେ, ତମକୁ ନମସ୍କାର। ଦାସେ ଭେଟୁଛନ୍ତି ଦାସିଆଙ୍କୁ। ଚମକି ପଡ଼ୁଛନ୍ତି। ଗମ୍ଭୀରୀରୁ କେବେ ବିଜେ ହେଲେ ପ୍ରଭୁ? କାହିଁ ଛତିଶା ନିଯୋଗ, କାହିଁ ମର୍ଦ୍ଦଳ କାହାଳୀ? ଏଇତ’ ସେ ଅନାଦି ପରମକାରଣ। ଦାସିଆଙ୍କ ଆଖିରେ ତୁଳସୀମଣ୍ଡିତ ଠାକୁର ଉଭା ହୋଇଯାଉଛନ୍ତି। ଦେଉଳରୁ ଓହ୍ଲେଇ ଆସିଛନ୍ତି ଅଛବଙ୍କ ଦିଅଁ। ଚମକିଯାଉଛି ନୀଳାଚଳ ସେ ଆଚମ୍ବିତ ଦେବମୁହୂର୍ତ୍ତରେ। କୋଳାକୋଳି ହୋଇ ଏକାକାର ହୋଇଯାଉଛନ୍ତି ଦୁଇ ଜଣ!

‘ତୁ ମାୟାପୁରୁଷ ଶ୍ରୀହରି, ମୋତେ ମୋହିଲୁ ଛଦ୍ମକରି। ହେ ପତିତପାବନ, ହେ ଦରିଦ୍ର ଦାମୋଦର ମିତ, ହେ ଅନନ୍ତ ବାସୁଦେବ।’’ ଦାସଙ୍କ ଭାଗବତ କଣ୍ଠରେ ଅଖଣ୍ଡ କୀର୍ତ୍ତନ ଝରି ପଡ଼ୁଛି। ଝରିପଡ଼ୁଛି ଅଛଡ଼ା ତୁଳସୀମଞ୍ଜରୀ ଦାସିଆଙ୍କ ପଦଯୁଗଳରେ!

“ମୋତେ ଛୁଅଁନା, ଛୁଅଁନା ଠାକୁର! ମୁଁ ଅଛବ! ଛୁଇଁଲେ ତୁମର ମହାସ୍ନାହାନ ହେବ। ତୁମେ ମୋତେ ଆଉ ଭଣ୍ଡୁଛ କାହିଁକି/ ତୁମେ ହିଁ ତ ଜଗନ୍ନାଥ। ଦାସ ବୋଲି ଛଦ୍ରମ କରୁଛ ସିନା। ମୁଁ ସିନା ବାସାନୁଦାସ ଦାସିଆ ବାଉରି! ଏ ଶ୍ରୀଫଳଟି ମୋର ସର୍ବସ୍ୱ ଠାକୁର! ଏ ନଡ଼ିଆଟି ମୋ ପଞ୍ଚପ୍ରାଣ! ଘେନା ହେଉ ଏ ଦରିଦ୍ରର ନୈବେଦ୍ୟ। ମୁଁ କି ଜାଣେ ଭୋଗରାଗ, ପୂଜା ଆରାଧନ! ମୁଁ ଅଜ୍ଞାନ, ଅଛବ! ମୋତେ ଛୁଅଁନା ବଡ଼ଦେଉଳିଆ ଦିଅଁ। ଛୁଇଁଲ ଯଦି, ଆଉ ଛାଡ଼ି ଯାଅନାହିଁ, କହୁଛି! ଛାଡ଼ିଗଲେ ମୁଁ ମରିଯିବିଟି।’’ ଭାବରସରେ କୋଳାକୋଳି, ଭାବଭୂମିରେ ମିଳାମିଳି; ଅପୂର୍ବ, ଅଦ୍ଭୂତ ଏ ମିଳନ, ହୋ, ଭଗତେ!

ତେଣେ, ଚାହଁ ଭଗତେ! କାଶୀ ମିଶ୍ରଙ୍କ ଉଆସ ଆଡ଼ୁ ଗୋଳଚହଳ ପାଖେଇ ଆସୁଛି। ଦୁଇବାହୁ ଊର୍ଦ୍ଧ୍ୱକୁ ତୋଳି ସାତ୍ତ୍ୱିକ ବିକାରରେ ଉନ୍ମତ୍ତ-ପ୍ରାୟ କେଶବାସ ଅସମ୍ଭାଳ ହୋଇ, ଶ୍ୱେତ କଳଭ ପରି ଳୀଳାୟିତ ଭଙ୍ଗୀରେ ଝୁଲିଝୁଲି ଯେ ଅବତରଣ କରୁଛନ୍ତି, ଯାହାଙ୍କ ଶ୍ରୀଅଙ୍ଗରୁ ପଦ୍ମକେଶରର ଗନ୍ଧ ବାହାରୁଛି, ସେ ହେଉଛନ୍ତି ଯୁଗପୁରୁଷ ଗୌରାଙ୍ଗ। ଧରଣୀ ମଣ୍ଡିଲା ପ୍ରାୟେ ଆସି ଉଭା ହେଉଛନ୍ତି ଅରୁଣ ଖମ୍ବ ପାରୁଶରେ। ଆଶ୍ରୁ, ପୁଲକ, ସ୍ୱେଦରେ ଦେବବିଗ୍ରହ ଶୋଭାବନ୍ତ ଦିଶୁଛନ୍ତି। କୃଷ୍ଣ ନାମ କେହି ଉଚ୍ଚାରଣ କରନାହିଁ ଭଗତେ, ଶୁଣିଲେ ପ୍ରଭୁ ମୂର୍ଚ୍ଛାଯିବେ। ପ୍ରେମର ରସଘନ ବିଗ୍ରହ ଛୁଇଁଦେଲେ, ପାଷାଣ ତରଳିଯିବ। ଦ୍ରବୀଭୂତ ହେବ ନୀଳାଚଳ। ବାହୁ ପ୍ରସାରି ସେ ଖୋଜୁଛନ୍ତି ଆନ ଏକ ପ୍ରେମର ପ୍ରତିମାକୁ; କୋଳାଗ୍ରତ କରୁଛନ୍ତି ‘ଅତିବଡ଼ି’। ତାଙ୍କୁ ଘେରି ବିହ୍ୱଳ ହୋଇନାଚୁଛନ୍ତି ଭକ୍ତଗଣ। ଗଜମୋତିର ହାର ପିନ୍ଧି ପାଟମୁକୁଟଭୂଷିତ ସେ ଦିବ୍ୟପୁରୁଷ ହେଉଛନ୍ତି ରାୟ ରାମାନନ୍ଦ। ତାଙ୍କ ପାଖକୁ ଲାଗି ନୃତ୍ୟ କରୁଛନ୍ତି ନିତ୍ୟାନନ୍ଦ। ତାଙ୍କର ଝୀନ ଉତ୍ତରୀ ମସୃଣ ଭୁଜଦଣ୍ଡରୁ ଖସିପଡ଼ୁଛି। ଚହଟିଯାଉଛି ମୃଗମଦର ଗନ୍ଧ।

ସାତଶପଞ୍ଚାଶ କୋଶ ଦୂରରେ ଥିଲା ପ୍ରାୟ, ନିଜକୁ ହୀନ ଯବନ ବୋଲି ମଣିଲା ପ୍ରାୟ, ଗଙ୍ଗାଜଳ ପରି ବଡ଼ଦାଣ୍ଡ ରେଣୁ ମୁଣ୍ଡରେ ସିଞ୍ଚି ସିଞ୍ଚି, ସରୁଗାମୁଛାଟିଏ ବେକରେ ପକାଇ ଶୀର୍ଣ୍ଣକାୟ ସେ ଯେଉଁ ଜଣକ କାନ୍ଦ କାନ୍ଦ ହୋଇ କରଛଡା ଦେଇ ଠିଆହେଇଛନ୍ତି, ସେ ତେମନ୍ତ ନୁହନ୍ତି ହୋ ଭଗତେ! ସେ ହେଉଛନ୍ତି ପ୍ରଭୁଙ୍କ ଅଙ୍ଗଲାଗୀ ଭକ୍ତଶିରୋମଣି ମହାତ୍ମା ସାଲବେଗ

କର୍ପୂର ମାଳଟିଏ ପ୍ରଭୁଙ୍କ ଭୂଜଦଣ୍ଡରେ ମଣ୍ଡିଦେବାକୁ ଇଚ୍ଛା। ଅଣ୍ଟିଭିତରୁ କାଢ଼ୁଛନ୍ତି ମାଣିକ୍ୟର ଝରାଝୁମ୍ପା, କାଢ଼ୁଛନ୍ତି ସରୁ ସରୁ ସୁସଞ୍ଚ ଦୟଣାର ମାଳ। ଅରୁଣ ଖମ୍ବ ପାଖରେ ଆଡ଼ଘସା ଦେଇ ଠିଆହେଉଛନ୍ତି। ଲୁହରେ ଝରିଯାଉଛି ପ୍ରାଣର ନିବେଦନ। ସନ୍ତାପିତ ଜୀବନର ବହୁ ଆର୍ତ୍ତ ବିକଳ ମୁହୂର୍ତ୍ତର ପଦ୍ମଗୁଡ଼ିକ ତାଙ୍କୁ ଘେରି ରହିଛନ୍ତି। ସେ ଆତୁର ହୋଇ ଅପେକ୍ଷା କରିଛନ୍ତି ଏ ନୀଳ ପର୍ବତର ମତୁଆଲା ହାତୀକୁ। ପଦ୍ମବନର ବ୍ୟୁହ ଭେଦିବାକୁ ସେ କେମିତି ଅବଲୀଳାକ୍ରମେ ମନ୍ଥି ଆସିବ, ସେ ବିପୁଳ ବିକ୍ରମ ଦେଖିବାକୁ ଅପେକ୍ଷା କରିଛନ୍ତି। ସେ କୁଆଡେ ଜାତିରେ ଯବନ ହୋ ଭଗତ! ଏ ବିମଳ ମୁକ୍ତାଫଳ ପରି ଝଟକୁଥିବା ବିଶୁଦ୍ଧ ଆତ୍ମା କୁଆଡ଼େ ଯବନ! ଭକ୍ତଙ୍କ ଭାବଭୂମିରେ ତାଙ୍କୁ ସାଉଁଟି ନେଉଛନ୍ତି ଗୌରାଙ୍ଗ-କୋଳେଇ ନେଉଛନ୍ତି ଜଗନ୍ନାଥ। ଆମେ ସମସ୍ତେ ଜାତିରେ ଯବନ, ହୋ ଉକ୍ତ ଚୂଡ଼ାମଣି, ଆମ୍ଭକୁ ଶ୍ରୀରଙ୍ଗାଚରଣ ଦେଖାଅ।

Rath Yatra, Puri, Odishaଗେରୁଆ ଠେକା ଭିଡି, ଗେରୁଆ ଗାମୁଛାଟିଏ ବେହରଣ ପକେଇ କଳା ମଚ୍‌ମଚ୍‌ ବୁକୁ ଉପରକୁ ଦରପାଚିଲା ଦାଢ଼ି ଲମ୍ବେଇଦେଇ ଯଷ୍ଟି ଖଣ୍ଡିଏ ହାତରେ ଧରି ସେ ଯେଉଁ ବାଙ୍ଗରା ମଣିଷଟି ଥଙ୍ଗେଇଲା ପରି ବାଟ ବାରିବାରି ଆସୁଛନ୍ତି, ତାଙ୍କୁ ଛାମୁଛାଡ୍ କରି ଦଣ୍ଡବତ ହୁଅ ଭଗତେ। ପ୍ରାଣୀଙ୍କ ଅପ୍ରମିତ ଆରତ ସହି ନପାରି, ନିଜକୁ ନର୍କରେ ବିସର୍ଜି ଦେବାକୁ ଏ କାରୁଣିକ ସନ୍ଥକବି ଭୀମ ଭୋଇ ବାହୁ ତୋଳି ବ୍ରହ୍ମ ନିରଞ୍ଜନଙ୍କୁ ଡାକୁଛନ୍ତି। ଡାକୁଛନ୍ତି ଠାକୁରଙ୍କ ଆଖି ତୋଳି ଚାହିଁଦେବାକୁ, କେମିତି ଏ ଅକଳନୀୟ ଯାତନାର ସମୁଦ୍ର ନୀଳାଚଳ ଦେହରେ ଲହଡ଼ି ଭାଙ୍ଗୁଛି। ଭକ୍ତ ଡାକୁଛନ୍ତି ନିରଞ୍ଜନ ପୁରୁଷଙ୍କୁ ଏ ଯନ୍ତ୍ରଣାରୁ ଉଦ୍ଧାର କରିବାକୁ। ସେ ଅନ୍ଧ ନୁହନ୍ତି  ଭଗତେ, ସେ ହିଁ ଏ ଅନ୍ଧ ଜଗତର ଅନ୍ୟତମ ଚକ୍ଷୁଷ୍ମାନ୍ ମହାପୁରୁଷ।

ସେ ଦେଖୁଛନ୍ତି ଅସୁମାରି ସୂର୍ଯ୍ୟଙ୍କ ସମାହାର ସତ୍ୟକୁ। ସେ କନ୍ଧ ବୋଲାନ୍ତି ସତ, ହେଲେ ଏ କବିକୁଳଚାନ୍ଦଙ୍କୁ ସେ କାଳିଆ ଠାକୁରଙ୍କ ଜ୍ଞାତି କହିଲେ ଉଣାକଥା ହେବ କି? ସାରୂପ୍ୟ ଦେଖି ବୁଝିବା ହେଉ ଭଗତେ! ୟାଙ୍କୁ କୁଆଡ଼େ ଶ୍ରୀମନ୍ଦିର ବାରଣ ହୋଇଥିଲା। ତାଙ୍କ ଠାକୁରଙ୍କ ସିଂହଦ୍ୱାର ଉପରେ କୁଆଡ଼େ ତାଙ୍କୁ ନିର୍ଯାତନା ମିଳିଥିଲା। ଛାମୁଛାଡ଼ ହୋଇଯାଅ ଭଗତେ, ଏ ନିତ୍ୟନୀଳାଚଳବିହାରୀ ଜ୍ଞାତି ପରିବାରଙ୍କ ଆଗରେ ଠିଆ ହେବାକୁ ଆମେ ଅବା କିଏ?

ସେ ଯେଉଁ ମହିମାନ୍ୱିତ ଯୋଗସିଦ୍ଧି ପୁରୁଷମାନେ ଗମ୍ଭୀର ମୁଦ୍ରାରେ ଏ ଆଡକୁ ପାଖେଇ ଆସୁଛନ୍ତି ସେମାନେ ହେଉଛନ୍ତି ଜ୍ଞାନଗୁରୁ ଅଚ୍ୟୁତ, ଯଶୋବନ୍ତ ଏବଂ ଅନନ୍ତ। ତାଙ୍କୁ ଘେରି ରହିଛନ୍ତି ଅଗଣିତ ଭକ୍ତ। ପିଣ୍ଡବ୍ରହ୍ମାଣ୍ଡର ରହସ୍ୟ ତାଙ୍କୁ ଜଣା। ଶୂନ୍ୟପୁରୁଷ ନିରଞ୍ଜନଙ୍କୁ ସେ ପ୍ରତ୍ୟକ୍ଷ କରିଛନ୍ତି, ଭଗତେ। ଆଡ ହୋଇଯାଅ, ସେ ବିଜେ ହେବେ!

ହାତରେ ଚମ୍ପାମାଳଟିଏ ଧରି ଶୁକଳ ଉତ୍ତରୀରେ ଆବୃତ୍ତ, ଚନ୍ଦନଚର୍ଚ୍ଚିତ ହୋଇ ରସରାଜଙ୍କ ଦର୍ଶନରେ ବିହ୍ୱଳ- ଅନ୍ତର ସେ ରସିକ-କବି ହେଉଛନ୍ତି କବିସୂର୍ଯ୍ୟ। ଭାବ ଛଳ ଛଳ ଆଖିରେ ତାଙ୍କର ପରିହାସର ଛଟା। ମଧୁର ଉର୍ତ୍ସନା କଲାବେଳେ ସେ ଆମକୁ ଛଳିଦିଅନ୍ତି ଭଗତେ। ମାତ୍ର ସିଂହାସନ ଉପରେ ତାଙ୍କ ଆରାଧ୍ୟ ବସି ଟହଟହ ହସୁଥିବା ସେ ଦେଖୁଥାନ୍ତି। ମଜ୍ଜିଥାନ୍ତି ଅପୂର୍ବ ରସରେ। ସଂଗୀତର ମଧୁର ଛନ୍ଦରେ ଯେତେ ଗାଳି ଦେଲେ ମଧ୍ୟ ବଡ଼ଲୋକଙ୍କୁ ସୁହାଉଥିବ ପରା!

ତୁଣ୍ଡରେ ସିନା ଛଳ ବାକ୍ୟ, ଆଖିରେ କିନ୍ତୁ ଲୁହ, ପ୍ରାଣରେ ଆବେଗ- ଇଛା, ସେ ଚମ୍ପାମାଳଟିକୁ ଠାକୁରଙ୍କ ମାଜଣା ବଢ଼ିବା ଉତ୍ତାରେ ଚୂଳ ଉପରେ ଖଞ୍ଜି ଦିଅନ୍ତେ। କରଯୋଡ଼ ହୋଇ ଶ୍ରୀଛାମୁରେ କହନ୍ତେ, “ଭଲ ମନ୍ଦକୁ ମୋର ଅବା କିବା ଆୟତ୍ତ, ସାଆନ୍ତେ, ସବୁ ତୁମ ଇଚ୍ଛା ସିନା! ଏଣିକି ରଖ ଅଥବା ନରଖ, ମୋର ଏକମାତ୍ର ଗତି ସେଇ ପତିତପାବନବାନା।’’

ସେ ଯିଏ ଆସୁଛନ୍ତି, ତାଙ୍କ ଦେହରେ ଖଣ୍ଡିଏ ବୋଲି ଧୋବ ବେହରଣ, ବେକରେ ତୁଳସୀର କଣ୍ଠି, କପାଳରେ ବୈଷ୍ଣବର ଚିତା, ତାଙ୍କ ଦେହସାରା କଦମ୍ବ ପରି ଟାଙ୍କୁରି ଉଠୁଛି, ଯମୁନା ପରି ଉଲ୍ଲସି, ଉଛୁଳି ଉଠୁଛନ୍ତି ମଞ୍ଜରୀ- ଭାବରେ- ସେ ତଦ୍‌ଗତ କବି ଗୋପାଳକୃଷ୍ଣ। ହାତରେ ଲୁଚେଇ ଧରିଛନ୍ତି ଖଣ୍ଡିଏ ମଲ୍ଲୀମାଳ। ଫୁଟିଆସୁଥିବା ଫୁଲ ଦାଉ ଦାଉ ହୀରା ପଗଡ଼ ପରି ଶୋଭାପାଉଛନ୍ତି। ବାସ ଚହଟିଯାଉଛି ବଡ଼ଦାଣ୍ଡରୁ ବୈକୁଣ୍ଠଯାଏ। ତାଙ୍କର ଥରିଲା ଥରିଲା ଓଠ ଉପରକୁ ଲୁହର ଧାର ନଇଁଆସୁଛି। ସେଥିରେ ପଖାଳି ହୋଇ ଅସ୍ପୁଟ ସ୍ୱର ଶୁଭୁଛି, “ମଲ୍ଲୀମାଳ ଶ୍ୟାମକୁ ଦେବି, ମନ ତୋଷିବି।’’ ଏ ଘନିଷ୍ଠ ବ୍ୟାପାରରେ ସେ କାନେଇଲା ପରି ଚମକିଲା ପରି, ଛାନିଆ ହେଲାପରି ଚାରିଆଡକୁ ଚାହୁଁଛନ୍ତି, କାଳେ କିଶୋରୀ କଣ୍ଠରେ ତାଙ୍କୁ କେହି ‘ଦାସୀ’ ବୋଲି ଡାକିଦେବେ ପରା।

Rath Yatra, Puri, Odishaକମ୍ବୁ, କଟକରେ ନୀଳାଦ୍ରି ସିଂହଙ୍କୁ ନିଉଛାଳି ହେବା ପାଇଁ ମଣିମାଣିକ୍ୟଖଚିତ ବିଚିତ୍ର କିରୀଟ କୁଣ୍ଡଳ, ଗଜମୁକ୍ତାର ଚାପସରି ଧରି ସମ୍ରାଟ ଭଳି, ସେ ଯେ ବିଜେ ହେଉଛନ୍ତି ସେ ହେଲେ ଅପୂର୍ବ ପଣ୍ଡିତ- କବି ରାଜର୍ଷି ଉପେନ୍ଦ୍ର। ଚନ୍ଦନ ଲାଗି ବେଳେ ଯୁଥିପୁଷ୍ପର ଧଣ୍ଡାମାଳ ଭେଟିଦେବେ କୋଟି-ବ୍ରହ୍ମାଣ୍ଡ ସୁନ୍ଦରଙ୍କୁ। ତାଙ୍କ ପାଖକୁ ଅଭିମନ୍ୟୁ! ଭକ୍ତ-ଚିନ୍ତାମଣି ତାଙ୍କ ପାଇଁ ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରିଦିଅନ୍ତି। ତାଙ୍କ ଆଖି ଉପରେ ଖେଳା କରନ୍ତି ରାଧାମାଧବ। ହୋ; ବିଦଗ୍‌ଧ ଭଗତେ, ନିଉଛାଳି ହୁଅ ଏ ବୈଷ୍ଣବ ମହାପୁରୁଷଙ୍କୁ। ତାଙ୍କ ପାଖକୁ ରସଘନ ବିଗ୍ରହଙ୍କ ଚରିତ ସୁରଧୁନୀ ଯାହାଙ୍କ ପାଇଁ କଲ୍ଲୋଳିତ ହେଉଛନ୍ତି, ଯାହାଙ୍କ ରୂପ ସ୍ନିଗ୍‌ଧ, ଶୀତଳ କହ୍ଲାର ଫୁଲଟିଏ ପରି ସଦ୍ୟସ୍ନାତ – ସେ ହେଉଛନ୍ତି ଭାବସଂପଦର ଅଧୀଶ୍ୱର କବି ଦୀନକୃଷ୍ଣ। ଅସଂଖ୍ୟ ଭାବାକୁ ଭକ୍ତଙ୍କୁ ଅଶ୍ରୁ ଅଭିଷେକରେ ରାଜତିଳକ ଦେଇ ଦୈନନ୍ଦିନ ଯେ ରାଜା କରୁଛନ୍ତି, ସେ ନିଜେ କୁଆଡ଼େ ଦାନ ଦରିଦ୍ର, ହୋ ଭଗତେ। ଏ ବିଚିତ୍ର ଲୀଳାକୁ ପ୍ରଣିପାତ ହୁଅ। ଏ ଭାବବିନୋଦିଆ କବିକୁଳଙ୍କୁ ପ୍ରଣିପାତ ଦିଅ।

ବଳିଷ୍ଠ ଯୋଦ୍ଧାପରି ତ୍ରିକଚ୍ଛ ପିନ୍ଧି ପ୍ରକାଣ୍ଡ ଜୁଡ଼ା ପକାଇ ଯେ ଅପ୍ରତିହତ ପଲାସି ଆସୁଛନ୍ତି, ଯାହାଙ୍କ ନିର୍ଭୀକ କପାଳ ଉପରେ ଗୋଳା ସିନ୍ଦୁର ଟୋପା ଦାଉଦାଉ ଜଳୁଛି, ଝଙ୍କଡରୁ ପୁରସ୍ତମ ଯେ ସ୍ୱଛନ୍ଦ ଗତି କରିପାରନ୍ତି, ସେ ହେଉଛନ୍ତି ଶୁଦ୍ରମୁନି ସାରଳା। ତାଙ୍କ କାବ୍ୟପ୍ରବାହର ଗଙ୍ଗା ଅବାଧ ଅବତରଣ କଲାବେଳେ ଶିଳ ଶାଳ ଛିଣ୍ଡିଯିବେ। କାହାର ଶକ୍ତି ଅଛି ତାଙ୍କୁ ଅବରୋଧ କରିବ? ଭାଷା, ଭାବ, ଇତିହାସ, ପୁରାଣ, କାହାରି ଶକ୍ତି ନାହିଁ ଏହାକୁ ଆୟତ୍ତ କରି ରଖିବାକୁ। ସେ ଆସିଛନ୍ତି ନୀଳେନ୍ଦ୍ରି ଦର୍ଶନ ପାଇଁ। ନମସ୍କାର ହୋଇ ଆଡହୋଇଯାଅ ଭଗତେ! ନହେଲେ ଏ ମତ୍ତମାତଙ୍ଗ ଚକଟି ଚାଲିଯିବା କିଛି ବିଚିତ୍ର ନୁହେଁ।

ବଡ଼ଦାଣ୍ଡଟିକୁ ଅକସ୍ମାତ ମଳୟ ସଂଚାରରେ ସୁରଭିତ କରି, ଲବଙ୍ଗଲତିକାର କୁଞ୍ଜଗୁଡ଼ିକୁ କୋକିଳକୂଜିତ କରି ସେ ଯେଉଁ ସ୍ନିଗ୍ଧମଧୁର ରସସ୍ନାତ ଲଲିତ କବି ସ୍ଥିରତଡାଗର ହଂସପରି ଭାସି ଆସୁଛନ୍ତି, ସେ ହେଲେ ଗୋସ୍ୱାମୀ ଜୟଦେବ ରସରାଜଙ୍କୁ ସ୍ୱରସରେ ମୁଗ୍ଧ ବିଭୋର କରିପାରିଲା ଭଳି ଆଉ କେହି ନାହାନ୍ତି ଭଗତେ! ସମସ୍ତେ ଆଡହୋଇଯାଅ! ଥମିଯାଅ! ଓଳିଗି ହୋଇ ତୁନି ପଡ଼ିଯାଅ; ନହେଲେ ମଧୁର ଛନ୍ଦରେ ବିଭଙ୍ଗ ଆସିଯିବ ପହୁଡ଼ ବେଳେ ଲକ୍ଷ୍ମୀଙ୍କ ପ୍ରିୟ ଛଡ଼ାମାଳ ମାଳତୀ ପରି ଗୋବିନ୍ଦଗୀତରୁ ଛନ୍ଦରସ ଆସ୍ୱାଦନ କଲେ ଯୋଗେଶ୍ୱରଙ୍କୁ ପହୁଡ଼ ଲାଗି ହେବ ନାହିଁ

ଉତ୍ତର ଆକାଶ ସାରା ହାଲୋଳମୟ। ସେଇ ଦିଗରୁ ମହାତ୍ମାମାନେ ଅବତରଣ କରୁଛନ୍ତି, ଦେଖିବା ହେଉ, ଭଗତେ! ପିଙ୍ଗଳ ଜଟାମଣ୍ଡିତ ଆୟତ-ନେତ୍ରଧାରୀ, ବିଶାଳ-ବୋଦ୍ଧା ବ୍ୟାସଦେବ ଆସୁଛନ୍ତି, ପ୍ରଣିପାତ ହୁଅ। ଆସୁଛନ୍ତି ଶ୍ମଶୃଳ, ଅଶୃଳ, ପରମ କାରୁଣିକ ଋଷି ବାଲମିକ, ପ୍ରଣିପାତ ହୁଅ। ଆସୁଛନ୍ତି ଅତ୍ରି, ଅଙ୍ଗିରସ, ବଶିଷ୍ଠ ଏବଂ ଭୃଗୁ; ଶୁକ, ପରାଶର ଓ ସନତ୍ କୁମାର, ଯାଜ୍ଞବଳ୍‌କ୍ୟ ଏବଂ ଦୀର୍ଘତମା-ସାଷ୍ଟାଙ୍ଗ ଦଣ୍ଡବତ ହୋଇଯାଅ। ହିମାଳୟ ଶୁଭ୍ରଚୂଡ଼ା ଉପରୁ ଅଗଣିତ ଭାସ୍ୱର ପୁରୁଷମାନେ ଓହ୍ଲେଇ ଆସୁଛନ୍ତି!! ‘ଆସ ହେ ପିତୃଲୋକେ। ଆଲୁଏ ଆସି ଆଲୁଏ ଯାଅ’। ଆଲୋକିତ କରି ଏ ପୃଥିବୀକୁ! ଏମାନଙ୍କ ଆଲୁଅରେ ସ୍ନାହାନ କରି ପକାଅ ହୋ ଭଗତେ, ଧୋଇହୋଇଯାଅ।

ନିକଟତମ ପିତୃପୁରୁଷ ଛାଇ ଭଳି ଆମ ଗହଣରେ ପଶିଆସିଛନ୍ତି। ହେଇ ସେ ଜଣକ ଯାହାଙ୍କର ଆଖିଯୋଡ଼ିକ ଗ୍ରହ ନକ୍ଷତ୍ର ରାଜ୍ୟରେ ବିଚରଣ କରି କରି କ୍ଲାନ୍ତ; ରୋଗାକ୍ରାନ୍ତ ଶରୀରଟି ତପଃକ୍ଲିଷ୍ଟ, ଶୀର୍ଣ୍ଣ, ଯାହାଙ୍କର ଏକମାତ୍ର ଧେୟ ନୀଳାଚଳନିବାସୀ, ଜଗଦାନନ୍ଦକନ୍ଦ; ସେ ହେଉଛନ୍ତି ପଠାଣି ସାଆନ୍ତେ। ହାତେ ଉଞ୍ଚ ବେକ ଉପରକୁ ଆମ୍ବଟାକୁଆ ପରି ଥୋଡ଼ି, ଠାପୁଆ ଗାଲ, ଆଉ ସେ ଟାହୁଲିଆ ଆମୋଦିଆ ଆଖିଯୋଡ଼ିକୁ ଚିହ୍ନିବା ହେଉ ଭଗତେ! ସେ ହେଲେ ବ୍ୟାସକବି ଫକୀରମୋହନ!

ଆର ଜଣକ ଚିଲିକା ଚନ୍ଦ୍ରଭାଗା ପରିକ୍ରମା କରି ଫେରିଛନ୍ତି। ଶୀର୍ଣ୍ଣ ବପୁ ତାଙ୍କର ପାଷାଣ ପିହିତ ହୋଇ ସୁଦ୍ଧ ଭିନ୍ନ ଉପାଦାନରେ ଗଢ଼ା ହୋଇଥିବାରୁ ସେ କବିବର ଯୁଗନ୍ଧର ଅଟନ୍ତି। ତାଙ୍କ ପାଖକୁ ଫୁଟିଲା ପଦ୍ମପରି ବିକଶୁଛନ୍ତି ଦରିଦ୍ରତାପଙ୍କ ଭିତରୁ ସ୍ୱଭାବ କବି ଗଙ୍ଗାଧର। ସେ ଯେଉଁ ଖର୍ବ ମଣିଷଟି ଲୁହରେ ବୁକୁ ତିନ୍ତାଇ ଛଳଛଳ ଆଖିରେ ବଡ଼ଦାଣ୍ଡସାରା ଖୋଜି ଯାଉଛନ୍ତି, ବ୍ରାହ୍ମଣୀର ଆଷାଢ଼ ବନ୍ୟାରେ ପୁତ୍ରଦାରା ହରାଇଥିବା କୌଣସି ମୁକ ଅନାଥଟିକୁ, ଯେ ଆନ ଦୁଃଖରେ ଅଶ୍ରୁବନ୍ୟାରେ ଗାଧୋଉଛନ୍ତି, ନାରାୟଣଙ୍କୁ ନେତାରୂପେ ମାନିଥିବା ସେ କାନ୍ଦୁରା ମଣିଷଟି ହେଉଛନ୍ତି ପୁଣ୍ୟଶ୍ଳୋକ ଉତ୍କଳମଣି।

ଶୁଭ୍ର ପଗଡ଼ିମଣ୍ଡିତ ହୋଇ ସେ ଯେଉଁ ଶାଣିତ ଚରିତ୍ରଟି ଝଟକୁଛନ୍ତି, ଦୁଃଖରେ- ଅଭିମାନରେ, ଖୋଜୁଛନ୍ତି ମାଆକୁ, ଡାକୁଛନ୍ତି ଭାଇକୁ – ପାଇଲେ ତୋଳିନେଇଯାଆନ୍ତେ ପରା – ସେ ହେଉଛନ୍ତି ମଧୁସୁଦନ ଦାସ। ଏମାନଙ୍କ ଆଖିରେ ଥରେ ଏ ବଡ଼ଦାଣ୍ଡର ଏମୁଣ୍ଡରୁ ସେ ମୁଣ୍ଡଯାଏଁ ଚାହିଁଯାଅ ଭଗତେ। ଝାଳ, ଧୂଳି ଏବଂ ଜୁଡ଼ବୁଡ଼ୁ ଏ ସହସ୍ର ଲବଣାକ୍ତ ଭକ୍ତ ପରିବାରକୁ ଚାହିଁଯାଅ। ଯୁଗଯୁଗ ଧରି ଏଇମାନେ ହିଁ ଆସିଥିଲେ – ଏବେ ଏଇମାନେ ଆସିଛନ୍ତି। ଏହା ଉତ୍ତାରୁ ଯୁଗ ଯୁଗ ଧରି ଏଇମାନେ ହିଁ ଆସୁଥିବେ। ଏଇମାନଙ୍କୁ ସେ ଉଠାଉଥାଏ ଏବଂ ପକାଉଥାଏ। ଏଇମାନଙ୍କ ପାଇଁ ପହଣ୍ଡି ବିଜୟ ଏମାନଙ୍କ ପାଇଁ ଘୋଷଯାତ୍ରା। ଏମାନଙ୍କ ପଦରଜ ଆମ୍ଭଙ୍କୁ ଦିଅ ଭଗତେ, ଜୀବନ କୃତାର୍ଥ କରିବୁ।

Puri Sri Jagannath Templeଦକ୍ଷିଣ ଦିଶାକୁ ଏବେ ଚାହିଁବା ହୁଅନ୍ତୁ ଭଗତେ! ହୋମାଗ୍ନି ପରି ପୀତାଦ୍ଭ ଦୀପ୍ତି ଭିତରେ ଆସୁଛନ୍ତି ଯୁଗପୁରୁଷ ଆଚାର୍ଯ୍ୟମାନେ। ପ୍ରସନ୍ନ ଗମ୍ଭୀର ମୁଦ୍ରାରେ ଦଣ୍ଡ ଧାରଣ କରି ଅରୁଣବର୍ଣ୍ଣର ଉତ୍ତରୀ ଭିତରେ ବିଶୁଦ୍ଧ କାଞ୍ଚନ ପରି ଯେ ଝଟକୁଛନ୍ତି, ସେ ହେଉଛନ୍ତି ଷଣ୍ମତ-ସଂସ୍ଥାପକ ମହାମତି ଆଚାର୍ଯ୍ୟ ଶଙ୍କର। ତାଙ୍କ ପାଖକୁ ନିର୍ଧୂମ ଅଗ୍ନି ପରି ରାମାନୁଜ, ନିମ୍ବାର୍କ, ମାଧ୍ୱ ବଲ୍ଲଭ। ଜ୍ଞାନ-ସୁରଧୁନୀର ଶାଖାୟିତ ଅସଂଖ୍ୟ ସ୍ରୋତ। ଆସୁଛନ୍ତି ଦୀପ୍ତିମନ୍ତ ଦୟାନନ୍ଦ ସରସ୍ୱତୀ ଏବଂ ଶାୟଣାଚାର୍ଯ୍ୟଙ୍କ ଗହଣରେ ୟାସ୍କ, ମମ୍ମଟ ଓ ପାଣିନୀ। ଆସୁଛନ୍ତି ପ୍ରଭାବନ୍ତ କବିକୁଳ କବିର, ସୁରଦାସ ଏବଂ ଜ୍ଞାନେଶ୍ୱର। ଆସୁଛନ୍ତି ବିଶୁଦ୍ଧାଭକ୍ତିରୂପିଣୀ ମୀରା ଏବଂ ମାନସହଂସ କବି ଗୋସ୍ୱାମୀ ତୁଳସୀ ଦାସ। ଏମାନେ ସମସ୍ତେ ଏକେ ଏକେ ତୀର୍ଥ- ସମୁଦ୍ର ହୋ ଭଗତେ, ତାଙ୍କୁ ପ୍ରଣିପାତ ହୁଅ। ଆସୁଛନ୍ତି ଯୁଗାବତାରୀ ଜ୍ଞାନଗୁରୁମାନେ। ଦୃପ୍ତସିଂହପରି ସେ ଅଖଣ୍ଡ ସନ୍ୟାସୀ ହେଉଛନ୍ତି ସ୍ୱାମୀଜୀ। ତାଙ୍କ ପାଖକୁ ସହଜ ସମାଧି-ସିଦ୍ଧ ମହାପୁରୁଷ ଭଗବାନ୍ ରାମକୃଷ୍ଣ। କନକକାନ୍ତ ସେ ଯୁଗପୁରୁଷ ହେଉଛନ୍ତି ମହାଯୋଗୀ ଶ୍ରୀଅରବିନ୍ଦ। ଏମାନଙ୍କ ଶରଣ ପଶିଯାଅ ଭଗତେ! ଏମାନେ ଶରଣ-ପଞ୍ଜର ପରମାଶ୍ରୟ ଗୁରୁକୁଳ। ଏମାନଙ୍କ କୃପାବିନା ଭାସିଯିବା ହୋ ଭଗତେ! ଏଇମାନେ ମନକଲେ କୂଳରେ ଲଗାଇ ଦେଇ ପାରନ୍ତି।

ହେଇ, ପୂର୍ବଦିଗରେ ସମସ୍ତ ଦେବତା ସୂର୍ଯ୍ୟଙ୍କୁ ଆଡକରି ଉଠି ଆସୁଛନ୍ତି। ସେ ହିରଣ୍ମୟ ଜ୍ୟୋତିପୁରୁଷ ହେଉଛନ୍ତି ଇନ୍ଦ୍ରଦେବ। ତାଙ୍କ ଗହଣରେ ଅଗ୍ନି, ବରୁଣ, କୁବେର ଏବଂ ମରୁତ୍‌ଗଣ ଶୋଭମାନ ଦିଶୁଛନ୍ତି। ଦୂରରୁ ଦୁନ୍ଦୁଭିର ଗୁରୁ ନିନାଦରେ ମାଙ୍ଗଳିକ ଶୁଭିଯାଉଛି। ଏକଦା ଯକ୍ଷ ରୂପରେ ଯେ ସେମାନଙ୍କୁ ଧର୍ମଶାସିତ କରିଥିଲେ ସେଇ ଅବ୍ୟକ୍ତଙ୍କ ଦର୍ଶନ ପାଇଁ ଏମାନେ ଆସିଛନ୍ତି। ଶହ ଶହ ସୂର୍ଯ୍ୟ ଏକାଠି ଉଦିତ ହେବାର ଏ ଅପରୂପ ଶୋଭାକୁ ନମସ୍କାର ହୁଅ ଭଗତେ।

ହିମାଦ୍ରି ପରି ବିପୁଳ ବିଶଦ ଶୋଭାମୟ ପରମ ପବିତ୍ର ଦେବାଧିବେଦ ଆସିଛନ୍ତି ଶିବଗଣଙ୍କ ଗହଣରେ। ବିଶୁଦ୍ଧ ଅରୁଣାଭା ବିକୀର୍ଣ୍ଣ କରି ବେଦମାତାଙ୍କୁ ବକ୍ଷରେ ଧାରଣ କରି ଉଦିତ ହୋଇଛନ୍ତି ବ୍ରହ୍ମା। ସାମଗାନର କମ୍ପନରେ ସୃଷ୍ଟି ହୋଇଯାଉଛି ଅସଂଖ୍ୟ ତାରକା, କୁସୁମିତ ହୋଇଉଠୁଛି ସ୍ୱର୍ଗଭୂମି। ଉଜ୍ଜ୍ୱଳ ତାମଳ ଶୋଭାରେ ଯେଉଁଠି ସୁବର୍ଣ୍ଣ କେୟୂର କିରୀଟର ଦୀପ୍ତି ସଂଯୁକ୍ତ ହୋଇ ଦଶଦିଗ ଭାସ୍ୱର ହୋଇଉଠୁଛି ସେ ହେଉଛନ୍ତି ପ୍ରଥମ ଆଦିତ୍ୟ ବିଷ୍ଣୁ। ଉଦ୍ଭାସିତ ହୋଇଛନ୍ତି ହଂସବାହିନୀ ସରସ୍ୱତୀ, କନକବର୍ଣ୍ଣା ଜଗଜ୍ଜନନୀ ଉମା ଏବଂ ସ୍ମିଗ୍ଧ ସୁଷମାମୟୀ ମହାଲକ୍ଷ୍ମୀ। ଏ ଅପୂର୍ବ ଦେବସମାଗମରେ ବିହ୍ୱଳ, ବିମୂଢ଼ ଚିତ୍ତବୃତ୍ତିକୁ ଧାରଣ କରିବାକୁ ଗୁରୁସ୍ମରଣ କର ଭଗତେ, ନ ହେଲେ ଏଠି ଅସ୍ମିତା ହଜିଯିବ। ବିଲୁପ୍ତ ହୋଇଯିବ ସତ୍ତାବିନ୍ଦୁ। ଗୁରୁଙ୍କୁ ପ୍ରଣିପାତ ହୁଅ ଭଗତେ, ଏ ମହନୀୟ, ଅକଳ୍ପନୀୟ, ଦୃଶ୍ୟକୁ ସସମ୍ଭ୍ରମେ ପ୍ରଣିପାତ ହୁଅ।

Rath Yatra, Puri, Odishaବୁଲିଚାହଁ ଭଗତେ! ଏ ହେଉଛି ପଶ୍ଚିମଦିଶା। ବୀଣା ତୁମ୍ବୁରୁ ଛନ୍ଦରେ ନାଚି ନାଚି ଆସୁଛନ୍ତି ଗନ୍ଧର୍ବକୁଳ, ସିଦ୍ଧ ସାଧକ, ଯକ୍ଷ, ରକ୍ଷ ଓ କିନ୍ନର। ଉନ୍ନତ ମଣିଚୂଡ଼ ଫଣା ତୋଳି ଇନ୍ଦ୍ରନୀଳ ମଣିହାର କଣ୍ଠରେ ଧାରଣ କରି ଆସୁଛନ୍ତି ବଳଶାଳୀ ପନ୍ନଗରାଜାମାନେ। ବରଦମୁଦ୍ରାରେ ଜଗତକଲ୍ୟାଣକାରୀ ମହୌଷଧିମାନେ ଆସୁଛନ୍ତି। ତାଙ୍କ ପଶ୍ଚାତରେ ମହେନ୍ଦ୍ର, ବିନ୍ଧ୍ୟାଚଳ, ହିମାଦ୍ରି ଆଦି ମହା ମହା ପର୍ବତରାଜମାନେ ତୁଷାର କିରୀଟ ଶୋଭା ଧାରଣ କରି ମନ୍ଥର ବିନମ୍ର ଗତିରେ ଆସୁଛନ୍ତି। ଆସୁଛନ୍ତି ସିନ୍ଧୁ ଆଦି ସରିତପତିମାନେ। ଆସୁଛନ୍ତି ମହୋଦଧିଙ୍କ ଗହଣରେ ଲବଣ ସାଗର, କ୍ଷୀରସାଗର ଏବଂ ପ୍ରଶାନ୍ତ ଗମ୍ଭୀର ମହାସାଗରମାନେ। ଦୂରଦୂରାନ୍ତର ଶୂନ୍ୟାନ୍ତରରୁ ଆସୁଛନ୍ତି ଜ୍ୟୋତିଶ୍ଚକ୍ରର ଗ୍ରହଗଣ, ତାରକା, ନକ୍ଷତ୍ରପୁଞ୍ଜ, ଧୂମିଳ ନିହାରିକାମଣ୍ଡଳ। ସମସ୍ତଙ୍କ ପଶ୍ଚାତରେ ସେ ଯେଉଁ ଘନନୀଳ ବିପୁଳ ମହାବ୍ୟାପ୍ତି ବିରାଜମାନ କରିଛନ୍ତି ସେ ହେଉଛନ୍ତି ଅନନ୍ତ। ସମସ୍ତ ଦିଗଚକ୍ରକୁ ବେଢ଼ିରହିଛି ତାଙ୍କର ଅପରିମେୟ କୁଣ୍ଡଳୀ। ତାଙ୍କର ନିଃଶ୍ୱାସ-ପ୍ରଶ୍ୱାସରେ ଏ ଦୃଶ୍ୟମାନ ଜଗତ ଆସେ ଏବଂ ଯାଏ। ଏଠି କାହାକୁ ପ୍ରାଣିପାତ ହେବ ଭଗତେ: କେଉଁଠି ପ୍ରଣିପାତ ହେବ? କରିଯୋଡିବାକୁ ବେଳ କାହିଁ, ବଳ କାହିଁ? ନମଃ ପୁରସ୍ତାଦଥ ପୃଷ୍ଠତସ୍ଥେ, ନମସ୍ତୁତେ ସର୍ବତ ଏବ ସର୍ବ।

ବଡଦାଣ୍ଡ ଉପରେ ବିମୂଢ଼ ହୋଇ ଉତ୍ତାନ ପଡ଼ିଯିବା ପରେ ଯାହା ଦିଶୁଚି ତାହା ମହାକାଳଙ୍କର ଭବିତବ୍ୟ ବିନ୍ଦୁ ସେ ଯେ ପ୍ରଭାମୟ ମେଘଖଣ୍ଡ ପୁଞ୍ଜିଭୂତ ନକ୍ଷତ୍ରପରି ବିରାଜମାନ କରିଛନ୍ତି ସେମାନେ ହେଉଛନ୍ତି ଆମ୍ଭମାନଙ୍କର ଉତ୍ତରପୁରୁଷ: ନୂତନ ଯୁଗର ଅପ୍ରକଟ ବିଭବ ତାଙ୍କ ଉପରକୁ ଆହୁରି ଜ୍ୟୋତିଷ୍ମାନ ରାଜ୍ୟ ଏବଂ ତଦୁର୍ଦ୍ଧ୍ୱରେ କେବଳ ଏକ ଅଖଣ୍ଡ ଅବର୍ଣ୍ଣନୀୟ ଜ୍ୟୋତି ଆମର ଅପସାରଣ ପରେ ଜ୍ୟୋତି ବିନ୍ଦୁଗୁଡ଼ିକ ବଡଦାଣ୍ଡକୁ ଓହ୍ଲେଇ ଆସିବେ ଜ୍ୟୋତିର୍ମୟ ହେବ ପୃଥିବୀ ଅବତରଣ କରିବ ଊର୍ଦ୍ଧ୍ୱ ଭୂମିରୁ ଆଲୋକର ଅଳକାନନ୍ଦା!

ହେ ମୋର ପରାଭୂତ ସ୍ନାୟୁମଣ୍ଡଳ। ଆଉ କିଛି ସମୟ ଏ ବସ୍ତୁ ତୋରଣକୁ ତୋଳିଧର। ଶିଥିଳ ଅଙ୍ଗଗୁଡ଼ିକରେ ମନ୍ଦୀଭୂତ ରକ୍ତପ୍ରବାହ, ଆଉ କିଛି କାଳ ପ୍ରବାହିତ ହୁଅ। ନଇଁ ଆସୁଥିବା ଘନ ତମିସ୍ରାର ପଲକଯୋଡ଼ିକୁ ତୋଳିଧର ଭଗତେ, ଏ ଚକ୍ଷୁଗୋଲକକୁ କିଛି ଜ୍ୟୋତି ଦାନକର। ମୁଁ ଦେଖେ ସେ କଲ୍ୟାଣତମ ପୁରୁଷଙ୍କର ରୂପ! ମୁଁ ଦେଖିପାରୁଛି ଦାସ ପ୍ରଧାନକୁ, ହାତରେ ପାଟ ଡୋର ଧରି ଠିଆ ହୋଇଛନ୍ତି। ଭୀମ, ସାଲବେଗ ତୋଳି ଧରିଛନ୍ତି ବାହୁଯୁଗଳ। ମଲ୍ଲୀମାଳ ମଣ୍ଡି ଦେଉଛନ୍ତି ଗୋପାଳକୃଷ୍ଣ। ବେଢି ରହିଛନ୍ତି ଚିହ୍ନା ଚିହ୍ନା ଅନେକ ଭକ୍ତ। ଦେଶଦେଶାନ୍ତରରୁ ଆଗତ, କାଳ-କାଳାନ୍ତରରୁ ସମାଗତ ଅକଳନୀୟ ଭକ୍ତସମୁଦ୍ର ଆନ୍ଦୋଳିତ ହେଉଛି। ଆନ୍ଦୋଳିତ ହେଉଛି ଅନ୍ତରୀକ୍ଷ, ଦ୍ୟାବା ଏବଂ ପୃଥିବୀ।

ମୁହୂର୍ତ୍ତକରେ ମୋତେ କହିଦିଅ, ଭଗତେ, ଏ ବିଶାଳ ମନ୍ଥନର କେନ୍ଦ୍ରରେ ସେ କିଏ? ସେ କ’ଣ ସେଇ? ସେଇ ବିସ୍ମୟ? ଦୟାକର ଭଗତେ, ‘ହଁ’ ବୋଲି କହ ନାହିଁ ସମୁଦ୍ରରେ ବୁଡିଯିବି। ‘ନା’ ବୋଲି କହନାହିଁ ଭଗତେ, ନିର୍ବାତ ଶୂନ୍ୟରେ ଛାତି ଫାଟିଯିବ। ତୁନି ପଡ଼ିଯାଅ ଭଗତେ-ତୁନି ପଡ଼ିଯାଅ-ତୁନି ପଡ଼ିଯାଅ!!

କଥାକାର, ଚିନ୍ତାନାୟକ ଓ ଦାର୍ଶନିକ – ପ୍ରଫେସର ଚନ୍ଦ୍ରଶେଖର ରଥ
କଥାକାର, ଚିନ୍ତାନାୟକ ଓ ଦାର୍ଶନିକ – ପ୍ରଫେସର ଚନ୍ଦ୍ରଶେଖର ରଥ

(ସୌଜନ୍ୟ – ଚନ୍ଦ୍ରଶେଖର ୭୦)

Comment