ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ମୁହାଁମୁହିଁ ହୋଇଛନ୍ତି ଓକିଲ-ପୋଲିସ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପୁଣି ଉଠିଛି। ସମ୍ବଲପୁର ବାର୍‌ ଆସୋସିଏସନ ପକ୍ଷରୁ ଏହି ଦାବିକୁ ନେଇ ଆଜି ଆନ୍ଦୋଳନ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି। ସମ୍ବଲପୁର ଚର୍ଚ୍ଚ ଛକରେ ପୋଲିସ-ଓକିଲ ମୁହାଁମୁହିଁ ହୋଇଛନ୍ତି।

ତିନି ଦିନ ତଳେ ସମ୍ବଲପୁର ବାର୍‌ ଆସୋସିଏସନରେ ଏକ ପ୍ରସ୍ତାବ ପାସ୍ ହୋଇଥିଲା। କୌଣସି କେନ୍ଦ୍ର କିମ୍ବା ରାଜ୍ୟ ମନ୍ତ୍ରୀଙ୍କୁ ସମ୍ବଲପୁରରେ ପୂରାଇ ଦିଆଯିବ ନାହିଁ ବୋଲି ଏହି ପ୍ରସ୍ତାବରେ ଉଲ୍ଲେଖ ରହିଥିଲା। ତେବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ସମ୍ବଲପୁର ଆସିଥିଲେ।

ଅର୍ଥମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତକୁ ଆଇନଜୀବୀମାନେ ବିରୋଧ କରିଥିଲେ। ମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ପାଇଁ ପ୍ରାୟ ଶହେରୁ ଅଧିକ ଆଇନଜୀବୀ ରାଜରାସ୍ତାକୁ ଓହ୍ଲାଇଥିଲେ। ଚର୍ଚ୍ଚ ଛକରେ ଆନ୍ଦୋଳନରତ ଆଇନଜୀବୀମାନଙ୍କୁ ପୋଲିସ ଅଟକାଇଥିଲା। ଫଳରେ ଆଇନଜୀବୀ ଏବଂ ପୋଲିସ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଆଇନଜୀବୀମାନଙ୍କୁ ପୋଲିସ ଗିରଫ କରିଥିଲା।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି। ୨୦୧୬ରେ ପଶ୍ଚିମ ଓଡ଼ିଶାର ଆଇନଜୀବୀମାନେ ଓଡ଼ିଶା ହାଇକୋର୍ଟ ଏବଂ ନୂଆଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରିଥିଲେ। ହେଲେ ସରକାର ଏଦିଗରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

Comment