ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଯାବତୀୟ ଅବ୍ୟବସ୍ଥାକୁ ନେଇ ଯେଉଁ ଚର୍ବିତଚର୍ବଣ ଏବେ ଚାଲିଛି ଓ ସୁପ୍ରିମକୋର୍ଟ ଗୋଟିକ ପରେ ଗୋଟିଏ ଯେଉଁ ନିର୍ଦ୍ଦେଶ ଦେଇଚାଲିଛନ୍ତି ତା’ ପଛରେ ରହିଛି ଏକ ଜନସ୍ୱାର୍ଥ ମାମଲା। ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ଜଣେ ମହିଳା। ତାଙ୍କ ନାଁ ହେଉଛି ମୃଣାଳିନୀ ପାଢ଼ୀ।

ଜୁନ ୮ ତାରିଖରେ ସୁପ୍ରିମକୋର୍ଟରେ ପିଆଇଏଲ କରିଥିଲେ କଟକର ମୃଣାଳିନୀ ପାଢ଼ୀ। ଏହି ପିଆଇଏଲ୍‌କୁ ଆଧାର କରି ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜାଣନ୍ତୁ କିଏ ଏହି ମୃଣାଳିନୀ?

ମୃଣାଳିନୀ ହେଉଛନ୍ତି ଓଡ଼ିଶା ହାଇକୋର୍ଟରେ ଜଣେ ପ୍ରତିଷ୍ଠିତ ଆଇନଜୀବୀ। ପୂର୍ବରୁ ସେ ରାଜ୍ୟ ଉପଭୋକ୍ତା କମିଶନର ସଦସ୍ୟ ଥିଲେ। ସ୍ଥାୟୀ ଲୋକ ଅଦାଲତର ସେ ଅଧ୍ୟକ୍ଷା ମଧ୍ୟ ରହି ଆସିଛନ୍ତି। ଏହି ଦୁଇଟି ପଦବୀରେ ରହିବା ଭିତରେ ସେ ଜନସ୍ୱାର୍ଥ ପାଇଁ ଲଢ଼ି ଆସିଛନ୍ତି ଓ ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଆଇନ ମଞ୍ଚରେ ସ୍ୱର ଉତ୍ତୋଳନ କରିଛନ୍ତି।

ଚାଷୀ, ଅନାଥ ଶିଶୁ,ନିର୍ମାଣ ଶ୍ରମିକ,ବିଭିନ୍ନ ଅଧିକାରରୁ ବଞ୍ଚିତ ଗୋଷ୍ଠୀ, ଜେଲ ଅନ୍ତେବାସୀ, ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଓ ଭିନ୍ନକ୍ଷମଙ୍କ ପାଇଁ ସେ ଲଢ଼ି ଆସିଛନ୍ତି।

ବିଗତ ୨୫ ବର୍ଷ ଧରି ସ୍ୱତନ୍ତ୍ର ଶିଶୁଙ୍କ ପାଇଁ ସେ ରେଡକ୍ରସ ସେଣ୍ଟର ଚଳାଇ ଆସିଛନ୍ତି। ଭିନ୍ନକ୍ଷମ ଶିଶୁଙ୍କୁ ନେଇ ଏକ ନାଟକ ମଣ୍ଡଳୀ ମଧ୍ୟ ସେ ଗଠନ କରିଛନ୍ତି। ଏହି ଗ୍ରୁପ ବିଭିନ୍ନ ସମୟରେ ବିଭିନ୍ନ ଦେଶରେ ନାଟକ ପରିବେଷଣ କରିଥାନ୍ତି।

ଆଇନ ଓ ଜନସେବା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି। ଶ୍ରୀମତୀ ପାଢ଼ୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ଗଣିତ ଓ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ। ଦିଲ୍ଲୀରେ କନଭେଣ୍ଟ ଅଫ ଯେସସ୍ ଆଣ୍ଡ ମେରିରେ ହାଇସ୍କୁଲ ଶିକ୍ଷା ଲାଭ କରିଥିଲେ।

ମୃଣାଳିନୀ ପାଢ଼ୀ ଅତି ଉଚ୍ଚଶିକ୍ଷିତ ପରିବାରରୁ ଆସିଛନ୍ତି। ସେ ହେଉଛନ୍ତି ‘ଅମାବାସ୍ୟାର ଚନ୍ଦ୍ର’ ଉପନ୍ୟାସର ବିଶିଷ୍ଟ ଲେଖକ ବାରିଷ୍ଟର ଗୋବିନ୍ଦ ଦାସଙ୍କ କନ୍ୟା ଓ ପୂର୍ବତନ ପୋଲିସ ଡିଜି ଶ୍ୟାମସୁନ୍ଦର ପାଢ଼ୀ ତଥା ଓଡ଼ିଶାର ପ୍ରଥମ ମହିଳା ବିଚାରପତି ଅମୀୟ ପାଢ଼ୀଙ୍କ ପୁତ୍ରବଧୂ।

Comment