ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଥାମ୍ ଲୁଆଙ୍ଗ ଗୁମ୍ଫା ବୁଲିବା କାଳ ହେଲା
  • ଗୁମ୍ଫାରେ ଫଶି ରହିଛନ୍ତି ଥାଇଲାଣ୍ଡର ୱାଇଲ୍ଡ ବୋର୍‌ ଫୁଟବଲ୍ ଟିମ୍‌ର ଖେଳାଳି
  • ଗୁମ୍ଫାରେ ପଶିଗଲା ବନ୍ୟା ପାଣି
  • ଉଦ୍ଧାର କାର୍ଯ୍ୟ ଜୋରଦାର
  • ଖେଳାଳିମାନଙ୍କୁ ଅକ୍ସିଜେନ ଯୋଗାଉଛନ୍ତି ସ୍କୁବା ଡାଇଭର

୧୪ ଦିନ ହେଲା ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ଗୁମ୍ଫାରେ ଫଶି ରହିଛନ୍ତି ୧୬ ବର୍ଷରୁ କମ୍ ଫୁଟବଲ ଟିମ୍‌ର ୧୨ ଜଣ ଖେଳାଳି ଓ ସେମାନଙ୍କର କୋଚ୍। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଥାଇଲାଣ୍ଡ ପ୍ରଶାସନ ଅଣ୍ଟା ଭିଡ଼ିଛି। ଥାଇଲାଣ୍ଡର ନାଭି ସିଲ, ୟୁରୋପ ଓ ଏସିଆର ବିଶେଷଜ୍ଞ ଡାଇଭରମାନେ ଏହି ଅପରେସନରେ ସାମିଲ ହୋଇଛନ୍ତି। ହେଲେ ଗୁମ୍ଫାରେ ପାଣି ଅଧିକ ଥିବାରୁ ଏପର୍ଯ୍ୟନ୍ତ ଜଣେ ବି ଖେଳାଳି ଉଦ୍ଧାର ହୋଇପାରି ନାହାନ୍ତି।

ଥାଇଲାଣ୍ଡର ୱାଇଲ୍ଡ ବୋର୍‌ ଫୁଟବଲ୍ ଟିମ୍‌ର ଖେଳାଳିମାନେ ମ୍ୟାଚ ଖେଳି ସାରିବା ପରେ ଜୁନ୍‌ ୨୩ ତାରିଖରେ ଉତ୍ତର ଚିଆଙ୍ଗ ଅଞ୍ଚଳର ଥାମ୍ ଲୁଆଙ୍ଗ ଗୁମ୍ଫା ବୁଲିବାକୁ ଯାଇଥିଲେ। ହେଲେ ଗୁମ୍ଫା ବୁଲିବା ସେମାନଙ୍କ ପାଇଁ କାଳ ହୋଇଛି। ଗୁମ୍ଫାରେ ବନ୍ୟାପାଣି ପଶିଯିବାରୁ ୧୪ ଦିନ ହେଲା ଯନ୍ତ୍ରଣା ଭୋଗୁଛନ୍ତି ଫୁଟବଲ ଟିମ୍‌ର ଖେଳାଳି ଏବଂ କୋଚ୍।

ଥାଇଲାଣ୍ଡ ପ୍ରଶାସନ ପକ୍ଷରୁ ଖେଳାଳିମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ପାଣି ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ପ୍ରତିଦିନ ପାଇପ୍ ସହାୟତାରେ ପ୍ରଚୁର ପରିମାଣର ପାଣି କଢ଼ାଯାଉଛି। ଅଭିଜ୍ଞ ସ୍କୁବା ଡାଇଭରମାନେ ପାଣିରେ ପହଁରି ସେମାନଙ୍କୁ ଖାଦ୍ୟ ଓ ଅକ୍ସିଜେନ୍ ସିଲିଣ୍ଡର ଯୋଗାଉଛନ୍ତି। ତେବେ ସେମାନଙ୍କୁ ଉଦ୍ଧାର କରିବା ଏବେ ଚାଲେଞ୍ଜ ପାଲଟିଛି । କାରଣ ଗୁମ୍ଫା ମଧ୍ୟରେ ଅମ୍ଳଜାନର ପରିମାଣ ୧୫ ପ୍ରତିଶତ କମିଯାଇଛି। ଏହାଦ୍ୱାରା ହାଇପୋକ୍ସିଆ ସୃଷ୍ଟି ହେବାର ଆଶଙ୍କା ରହିଛି।

ଉଦ୍ଧାର ଅଭିଯାନରେ ସାମିଲ ହୋଇଥିବା ନାଭି ସିଲର ଜଣେ କମାଣ୍ଡୋ ସମାନ କୁନାନଙ୍କର ଶୁକ୍ରବାର ପ୍ରାଣହାନି ଘଟିଛି। ଗୁମ୍ଫା ଭିତରେ ଫଶିଥିବା ଖେଳାଳିଙ୍କୁ ଅମ୍ଳଜାନ ଯୋଗାଇ ଫେରୁଥିବାବେଳେ ପାଣି ଭିତରେ ଅମ୍ଳଜାନର ଅଭାବ ଯୋଗୁ ତାଙ୍କର ପ୍ରାଣହାନି ଘଟିଥିଲା।

ଇତିମଧ୍ୟରେ ଫସିଥିବା ୨ ଜଣ ଖେଳାଳି ଓ କୋଚଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବା ନେଇ ରିପୋର୍ଟ ମିଳିଛି। ଆଗକୁ ଆହୁରି ବର୍ଷା ହେବାର ଆଶଙ୍କା ଥିବାରୁ ଉଦ୍ଧାର କରିବା ପ୍ରଶାସନ ପାଇଁ ଚାଲେଞ୍ଜ ପାଲଟିଛି।

ଥାଇ ନାଭି ସିଲର ମୁଖ୍ୟ କହିଛନ୍ତି, “ପିଲାମାନେ ଗୁମ୍ଫାରେ ଅଧିକ ଦିନ ଧରି ରହିପାରିବେ ବୋଲି ସେମାନେ ଆଶା କରୁଥିଲେ। କିନ୍ତୁ ବର୍ତ୍ତମାନ ଅମ୍ଳଜାନର ସ୍ତର କମିବା ନେଇ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ଯଦିଓ ନାଭି ସିଲର କମାଣ୍ଡୋମାନେ ପିଲାମାନଙ୍କୁ ସ୍କୁବା ଡାଇଭିଂ ଶିଖାଇଛନ୍ତି, ତେବେ ଅଭିଜ୍ଞ ଡାଇଭରଙ୍କ ଭଳି ମାସ୍କ ବ୍ୟବହାର କରିବା, ପହଁରିବାର କୌଶଳ ସେମାନଙ୍କୁ ଜଣାନାହିଁ। ପୁଣି ସେମାନଙ୍କ ମଧ୍ୟରୁ ସମସ୍ତେ ସୁସ୍ଥ ମଧ୍ୟ ନାହାନ୍ତି। ତେଣୁ ଡାଇଭିଂ କରାଇ ସେମାନଙ୍କୁ ବାହାରକୁ ଆଣିବା କଷ୍ଟକର ବ୍ୟାପାର।”

ଖେଳାଳିମାନଙ୍କୁ ଉଦ୍ଧାର କରିବା ପାଇଁ ‘ବଡି ଡାଇଭ’ ସଂପର୍କରେ ଚିନ୍ତା କରାଯାଉଛି। ‘ବଡି ଡାଇଭ’ଅନୁସାରେ ଜଣେ ଅଭିଜ୍ଞ ଡାଇଭର ପ୍ରତି ପିଲାଙ୍କ ସହିତ ଡାଇଭିଂ କରିବେ। ଆବଶ୍ୟକ ସ୍ଥଳରେ ସେମାନେ ପିଲାମାନଙ୍କୁ ସହାୟତା କରିବେ। ଏହି ମିସନ୍ ଦ୍ୱାରା ପିଲାଙ୍କୁ ବାହାରକୁ ଆଣିବାରେ ସଫଳତା ମିଳିପାରିବ ବୋଲି ସେ ଆଶା କରୁଛନ୍ତି।

ଗୁମ୍ଫା ଭିତରେ ଫଶି ଯାଇଥିବା ଖେଳାଳିଙ୍କ ବୟସ ୧୧ରୁ ୧୬ ବର୍ଷ। କୋଚଙ୍କ ବୟସ ୨୩ ବର୍ଷ ବୋଲି ଥାଇଲାଣ୍ଡ ପ୍ରଶାସନ ପକ୍ଷରୁ କୁହାଯାଇଛି।

Comment