ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସିନେମାର ଲୋକପ୍ରିୟ ସିନେମାଟୋଗ୍ରାଫର୍ ଆଶୋକ ସ୍ୱାଇଁଙ୍କ ପରଲୋକ ଘଟିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ସମ୍ମାନୀତ ହୋଇଥିଲେ।

ଲୋକପ୍ରିୟ ସିନେମାଟୋଗ୍ରାଫର୍‌ ଅଶୋକ ସ୍ୱାଇଁ ଆଉ ନାହାନ୍ତି। ଶନିବାରଦିନ ସକାଳ ୯ଟା ସମୟରେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୭୨ବର୍ଷ ବୟସ ହୋଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ଲାଭ କରିଥିଲେ ସେ।

ଓଡ଼ିଆ ସିନେମାରେ ବାବୁଲି ଭାଇ ନାମରେ ପରିଚିତ ସିନେମାଟୋଗ୍ରାଫର୍‌ ଅଶୋକ ସ୍ୱାଇଁ ବେଙ୍ଗାଲୁରର ଏକ ନାମୀ ଶିକ୍ଷାନୁଷ୍ଠାନରୁ ସିନେମାଟୋଗ୍ରାଫିରେ ଡିପ୍ଲୋମା ଲାଭ କରିଥିଲେ।

‘ସମର ସଲିମ୍‌ ସାଇମନ୍‌’, ‘ସହରୀ ବାଘ’, ‘ମୁଁ ତୁମେ ଓ ସେ’, ‘ଶାସ୍ତି’, ‘ଛଅ ମାଣ ଆଠଗୁଣ୍ଠ’, ‘ଭୁଲି ହୁଏନା’ ଓ ‘ଶେଷ ପ୍ରତୀକ୍ଷା’ ସମେତ ୩୦ରୁ ଅଧିକ ଓଡ଼ିଆ ସିନେମାରେ ସିନେମାଟୋଗ୍ରାଫର୍‌ଭାବେ କାର୍ଯ୍ୟ କରିଥିଲେ। ଏହାଛଡ଼ା ସେ ଅନେକ ଟେଲିଫିଲ୍ମ ଓ ଧାରାବାହିକରେ ମଧ୍ୟ ସିନେମାଟୋଗ୍ରାଫର ଦାୟିତ୍ୱ ଗ୍ରହଣ କରିଥିଲେ।

ସେ ଦୂରଦର୍ଶନରେ ମୁଖ୍ୟ କ୍ୟାମେରାମ୍ୟାନ୍‌ ଭାବେ କାର୍ଯ୍ୟ କରି ଚାକିରିରୁ ଅବସର ଗ୍ରହଣ କରିଥିଲେ। ୧୯୪୮ମସିହା ଜାନୁଆରି ୧୦ରେ ଜନ୍ମଗ୍ରହଣ କରିଥିବା ଅଶୋକ  ସ୍ୱାଇଁ ଦୀର୍ଘ ୪୦ବର୍ଷ ଧରି ଓଡ଼ିଆ ସିନେମା ସହିତ ଜଡ଼ିତ ଥିଲେ।

ଅଶୋକ ସ୍ୱାଇଁଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି। ଅଶୋକ ସ୍ୱାଇଁଙ୍କର ପତ୍ନୀ, ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି।

Comment