ଭାସ୍କର ପରିଛା

ରାଜକିଶୋର ନାୟକ ଥିଲେ ଜଣେ ସମାଜସେବୀ, ଦରଦୀ ମଣିଷ ଓ ମୁଲ୍ୟବୋଧର ପୂଜାରୀ। ରାଜକିଶୋର ବାବୁ ନିଜେ ନିଜ ଜୀବନୀ ଲେଖିନଥିଲେ। ସେହି ଦାୟିତ୍ୱଟିକୁ ତାଙ୍କ ପତ୍ନୀ ନିର୍ମଳପ୍ରଭା ନାୟକ ତୁଲାଇଛନ୍ତି।

‘ପାଟକୁରା ଗାନ୍ଧୀ’ ନାମରେ ଅତି ପରିଚିତ ପ୍ରାକ୍ତନ ବିଧାୟକ ରାଜକିଶୋର ନାୟକଙ୍କ ଉପରେ ଇଂରାଜୀରେ ଏକ ଜୀବନୀ ଲେଖିବା ପାଇଁ ଯେତେବେଳେ କଥା ଉଠିଥିଲା, ସହାୟକ ଉପାଦାନ କ୍ରମରେ ଏହି ପୁସ୍ତକର ପାଣ୍ଡୁଲିପିକୁ ପଢ଼ିବାର ସୁଯୋଗ ଏହି ସମୀକ୍ଷକକୁ ମିଳିଥିଲା। ଆନନ୍ଦର କଥା ଯେ ସେଇଟି ପୁସ୍ତକ ଆକାରରେ ଏବେ ପ୍ରକାଶ ପାଇଛି।

‘ସାୟାହ୍ନର ସ୍ମୃତି’ ଏକ ଚମତ୍କାର ଶୀର୍ଷକ ନିଶ୍ଚିତରେ। ତେବେ ଅଧିକାଂଶତଃ ଯାହାଙ୍କ ଜୀବନକୁ ନେଇ ପୁସ୍ତକଟି ଲେଖାଯାଇଛି ସେ ବି କିଛି କମ୍ ଚମତ୍କାର ବ୍ୟକ୍ତି ନଥିଲେ। ଜଣେ ନିଚ୍ଛକ ଗାନ୍ଧିବାଦୀ ଓ ରାଜନୈତିକ ମୁଲ୍ୟବୋଧରେ ଅଗାଧ ବିଶ୍ୱାସ ରଖି ଆସିଥିବା ରାଜକିଶୋର ନାୟକଙ୍କ ବହୁବିଧ ବ୍ୟକ୍ତିତ୍ୱ ଭିତରେ ରାଜନୀତି ଥିଲା କେବଳ ଗୋଟିଏ ଦିଗ, ସବୁକିଛି ନୁହେଁ। ସେ ଥିଲେ ଜଣେ ସମାଜସେବୀ ଓ ଦରଦୀ ମଣିଷ। ରାଜକିଶୋର ବାବୁ ନିଜେ ନିଜ ଜୀବନୀ ଲେଖିନଥିଲେ। ସେହି ଦାୟିତ୍ୱଟିକୁ ତାଙ୍କ ପତ୍ନୀ ନିର୍ମଳପ୍ରଭା ନାୟକ ତୁଲାଇଛନ୍ତି।

‘ସାୟାହ୍ନର ସ୍ମୃତି’ ଏଥିପାଇଁ ଏକ ବିରଳ ଉଦ୍ୟମ ଯେ ଓଡ଼ିଆରେ ସ୍ୱାମୀମାନଙ୍କ ଜୀବନକୁ ସଂସ୍ମରଣ ଆକାରରେ ଗଢ଼ି ତୋଳିବାର ପ୍ରୟାସ ଆଗରୁ ପ୍ରାୟତଃ କେହି କରିନାହାନ୍ତି। ଏପରିକି ଅନ୍ୟ ଭାଷାରେ ବି ସ୍ୱାମୀମାନଙ୍କ ଉପରେ ଲିଖିତ ସ୍ମରଣିକା ବହୁ ସଂଖ୍ୟାରେ ମହଜୁଦ ଅଛି ତାହା କହିବା କଷ୍ଟ। ଏହି ପୁସ୍ତକଟି ଦୁଇଟି କାର୍ଯ୍ୟ ସମ୍ପାଦନ କରିପାରିଛି- ଜୀବନୀ ଓ ଆତ୍ମଜୀବନୀ।

ପ୍ରାକ-ବିବାହ ଓ ବିବାହ ପରବର୍ତ୍ତୀ ଜୀବନର ପ୍ରତିଟି ଛୋଟବଡ଼ ଘଟଣାକୁ ମନେରଖି ସେଗୁଡ଼ିକୁ ପଠନଯୋଗ୍ୟ କରିବା ନିଶ୍ଚିତ ଭାବରେ ଏକ କଠିନ କାର୍ଯ୍ୟ। ଲେଖିକା କିନ୍ତୁ ତାହାକୁ ଅନାୟାସରେ ସମ୍ପନ୍ନ କରିପାରିଛନ୍ତି। ଗୋଟିଏ ରାଜନୀତି ପରିବାରର ମୁଖ୍ୟ ଚରିତ୍ରଙ୍କୁ ନେଇ ଲିଖିତ ଆତ୍ମଜୀବନୀରେ ରାଜନୀତିର କଥା – କାହାଣୀ ରହିବାକୁ ବାଧ୍ୟ। କିନ୍ତୁ ପୁସ୍ତକଟି ପୂରା ରାଜନୀତିକ ନୁହେଁ। ବରଂ ଏହାକୁ ଏକ ପାରିବାରିକ ସ୍ମୃତି କହିଲେ ଅଧିକ ଠିକ୍ ହେବ।

ରାଜକିଶୋର ନାୟକଙ୍କ ରାଜନୈତିକ ଜୀବନ ଏତେ ପ୍ରଶସ୍ତ ନହେଲେ ମଧ୍ୟ ଅବିଭକ୍ତ ପାଟକୁରା ଭଳି ଏକ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀରୁ ସେ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରାଜ୍ୟ ଖଦି ବୋର୍ଡର ଅଧ୍ୟକ୍ଷ ଓ କେନ୍ଦ୍ରୀୟ ଖଦି ସାର୍ଟିଫିକେସନ କମିଟିର ଅଧ୍ୟକ୍ଷ ମଧ୍ୟ ସେ ଥିଲେ। ଯେଉଁ ସମୟରେ ସେ ରାଜନୀତିରେ ପଶିଲେ ସେଇ ସମୟଟି କିନ୍ତୁ ଥିଲା ଅଣ-କଂଗ୍ରେସ ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ହିଁ ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ା ରାଜନୀତିରେ ଧସେଇ ପଶିଥିଲେ, ଯେଉଁ ରାଜନୈତିକ ପ୍ରଭାବ କି ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି।

ବିଜୁ ପଟ୍ଟନାୟକଙ୍କ ଜଣେ ଅନୁଗାମୀ ଭାବରେ ରାଜକିଶୋର ତାଙ୍କ ରାଜନୀତି ଆରମ୍ଭ କରିଥିଲେ। କିନ୍ତୁ ଏହା କେବଳ ଟିକେଟ ଦିଆନିଆରେ ସୀମିତ ନ ଥିଲା। ବିଜୁ ବାବୁ ଓ ରାଜକିଶୋର ବାବୁଙ୍କ ପରିବାର ଭିତରେ ଏକ ଅନନ୍ୟ ସାଧାରଣ ସମ୍ପର୍କ ଥିଲା। ସେହି ସମ୍ପର୍କର ଅନେକ ସ୍ମୃତି ବହନ କରୁଛି ଏହି ଆତ୍ମଜୀବନୀ। ୧୯୭୬ ମସିହାରେ ଜରୁରୀ ପରିସ୍ଥିତି ସମୟରେ ରାଜକିଶୋରଙ୍କ ଶରୀର ଗୁରୁତର ଭାବେ ଖରାପ ହେବା, ଚିକିତ୍ସା ପାଇଁ ପ୍ରଥମେ କଲିକତା ଓ ପରେ ଦିଲ୍ଲୀ ଯିବା, ବିଜୁବାବୁ ଚିକିତ୍ସାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା, ଚିକିତ୍ସିତ ହେଉଥିବା ବେଳେ ଜ୍ଞାନ ପଟ୍ଟନାୟକ କିଭଳି ସେବା ଶୁଶ୍ରୁଷାର ଦାୟିତ୍ୱ ନେଇଥିଲେ ଏଭଳି ଅନେକ ଟିକିନିଖି ବିବରଣୀରୁ ଜାଣିହେବ ସେ ସମୟର ମୂଲ୍ୟବୋଧ, ପାରସ୍ପରିକ ଅନୁଭବ ଓ ଅନାବିଳ ସମ୍ପର୍କର ସେତୁ।

ଆତ୍ମଜୀବନୀରେ ‘ତୁମ ରାଜନୀତି’ ଶୀର୍ଷକ ଅଧ୍ୟାୟରେ ସେତେବେଳର ପାଟକୁରା ରାଜନୀତିର ଏକ ସ୍ଥୂଳ ପରିଚୟ ମିଳେ। ୧୯୭୭ ବିଧାନସଭା ନିର୍ବାଚନରେ ଚକ୍ରାନ୍ତ କରି ରାଜକିଶୋରଙ୍କୁ ପ୍ରାର୍ଥୀ କରାଇନଦେବା ଓ ଏଥିରେ ବିଜୟ ମହାପାତ୍ର, ପ୍ରହ୍ଲାଦ ମଲ୍ଲିକ ଓ ଶ୍ରୀକାନ୍ତ ଜେନାଙ୍କ ଭୂମିକା କ’ଣ ଥିଲା ସେଥିରୁ ଅନୁମାନ କରିହେବ କାହିଁକି ପାଟକୁରା ରାଜନୀତି ସବୁବେଳେ ଗୋଳମାଳିଆ ରହି ଆସିଛି। ୧୯୭୭ରୁ ରାଜକିଶୋର ସକ୍ରିୟ ରାଜନୀତିରୁ ଦୂରେଇ ରହିବା ଓ ୨୦୦୦ ମସିହାରେ ସେହି ଆସନରେ ଅତନୁ ସବ୍ୟସାଚୀ ଅବତୀର୍ଣ୍ଣ ହେବା ଘଟଣାକୁ ରାଜନୀତିର ୟୁ-ଟର୍ଣ୍ଣ କୁହାଯାଇପାରେ। ପିତା-ପୁତ୍ରଙ୍କ ରାଜନୀତିର ବହୁ ରୋଚକ ତଥ୍ୟରେ ଭରା ‘ସାୟାହ୍ନର ସ୍ମୃତି’ ସମସାମୟିକ ରାଜନୀତିର ଏକ ହାଲ୍‌କା ଦସ୍ତାବେଜ ମଧ୍ୟ। ରାଜନୀତି ହେଲେ ବି ଜଣେ ଗୃହିଣୀଙ୍କ ଆଖିଦେଖା କଥା ଓ ମାର୍ମିକ ଅନୁଭବରେ ପରତେ ନ ଯିବାର କୌଣସି କାରଣ ନାହିଁ।

ଆଜି ହୁଏତ ଆତ୍ମଜୀବନୀରେ ଲିପିବଦ୍ଧ ରାଜନୀତି ଘଟଣାର ତର୍ଜମା କରିବାର ଆବଶ୍ୟକତା ଥାଇନପାରେ। କିନ୍ତୁ ଏହା ଏକ ଉଲ୍ଲେଖଯୋଗ୍ୟ ଇତିହାସ ନିଶ୍ଚିତ ଭାବରେ। ରାଜକିଶୋରଙ୍କ କୈଶୋର ବିଷୟରେ ସେ ଯାହା ଶୁଣିଥିଲେ ସେଠୁ ଆରମ୍ଭ କରି ନିର୍ମଳପ୍ରଭାଙ୍କ ନିଜ ପିଲାବେଳର କଥା, ବୈବାହିକ ଓ ପାରିବାରିକ ଜୀବନର ଘନଘଟା, ଧାର୍ମିକ ବିଶ୍ୱାସ, ସନ୍ତାନସନ୍ତତିଙ୍କୁ ମଣିଷ କରିବା, ଜଳଧର ଦାଦା ଓ ପିତ୍ରାଳୟ, ଗୋରକ୍ଷା କ୍ଷେତ୍ରରେ ରାଜକିଶୋରଙ୍କ ଅବଦାନ,ସ୍ୱାମୀଙ୍କ ମୃତ୍ୟୁ ପରବର୍ତ୍ତୀ ଜୀବନ ଏଭଳି ଶତାଧିକ ଛୋଟବଡ଼ ଘଟଣାର ଜୀବନ୍ତ ଆଲେଖ୍ୟ ଏହି ଜୀବନୀ।

ଆତ୍ମଜୀବନୀଟିରେ ଅଯଥା ଆତ୍ମପ୍ରଶଂସା ନାହିଁ, ନାହିଁ ମଧ୍ୟ ଅତିରଞ୍ଜନ। ଲେଖିକା ନିଜର ଘଟଣାବହୁଳ ଜୀବନକୁ ଯେମିତି ବିତାଇ ଆସିଛନ୍ତି ତାକୁ ହିଁ ସାଧାରଣ ମଣିଷର ଭାଷାରେ ସଜେଇଛନ୍ତି। ‘ସାୟାହ୍ନର ସ୍ମୃତି’ର ଗୋଟିଏ ଉଲ୍ଲେଖନୀୟ ଦିଗ ହେଉଛି ଅଧ୍ୟାୟ ଗୁଡିକର ନାମକରଣ। ଏହା ପାଠକକୁ ବିଷୟ ସହିତ ଯୋଡ଼ିବାରେ ନିଶ୍ଚିତରେ ସାହାଯ୍ୟ କରିବ।

ଏକ ସମର୍ପିତ ଜୀବନର ଉତ୍ସର୍ଗିକୃତ ଆତ୍ମକାହାଣୀ ହେଉଛି ‘ସାୟାହ୍ନର ସ୍ମୃତି। ‘ ଏଥିରେ ଜଣେ ମଧ୍ୟବିତ୍ତ ପରିବାରର ଗୃହିଣୀଙ୍କ ଅନ୍ତରର କଥା ରହିଛି, ଗୋଟିଏ ସାଧାରଣ ମା’ର ଜୀବନାନୁଭୁତି ରହିଛି ଓ ସନ୍ତାନ ସ୍ନେହର କଥା ରହିଛି। ଏଥିରେ ରହିଛି ସ୍ଥାନୀୟ ଇତିହାସ, ଭୂଗୋଳ, ଜୀବନଚର୍ଯ୍ୟା ଓ ଲୋକଚରିତ୍ରର କଥା।

ରାଜକିଶୋର ନାୟକଙ୍କ ଭଳି ଜଣେ ନିଚ୍ଛକ ଓ ଦୃଢ଼ମନା ମଣିଷ ଏବଂ ସ୍ଥାନୀୟ ଜନସାଧାରଣଙ୍କର ତାଙ୍କ ପ୍ରତି ଥିବା ଅତୁଟ ଶ୍ରଦ୍ଧା ଓ ସମ୍ମାନର ପରିଚାୟକ ଏହି ଆତ୍ମଜୀବନୀ। କଥା କହିବା ଢଙ୍ଗରେ ଲିଖିତ ଏହି ଆତ୍ମଜୀବନୀକୁ ପଢ଼ିବାବେଳେ ଲାଗିବ ଆପଣ ଏଭଳି ଏକ ରାଜ୍ୟରେ ବିଚରଣ କରୁଛନ୍ତି ଯେଉଁଠି ସ୍ନେହଶ୍ରଦ୍ଧା ଅଛି,ମମତ୍ୱବୋଧ ଅଛି, ଦୁଃଖ ଓ ଦରଦର ଭାଷା ଅଛି। ସବୁ ଦୃଷ୍ଟିରୁ ଏଇଟି ଏକ ଚମତ୍କାର ଆତ୍ମଜୀବନୀ।

ଗୌରହରି ଦାସଙ୍କ ମୁଖବନ୍ଧ ସହ ୪୭ଟି ଅଧ୍ୟାୟରେ ବିଭକ୍ତ ‘ସାୟାହ୍ନର ସ୍ମୃତି’କୁ ଛାପିଛନ୍ତି ପଶ୍ଚିମା ପବ୍ଲିକେସନ୍ସ। ପୁସ୍ତକର ଶେଷ ଭାଗରେ ରାଜକିଶୋର ନାୟକଙ୍କ ଜୀବନର କିଛି ଫଟୋଚିତ୍ର ମଧ୍ୟ ରହିଛି। ପ୍ରାୟ ୩୦୦ ପୃଷ୍ଠାର ଏହି ପୁସ୍ତକ ଓଡ଼ିଆ ଆତ୍ମଜୀବନୀ କ୍ଷେତ୍ରରେ ଏକ ମହତ ସଂଯୋଜନା କହିଲେ ଭୁଲ ହେବ ନାହିଁ।

ସାୟାହ୍ନର ସ୍ମୃତି

ନିର୍ମଳପ୍ରଭା ନାୟକ

ପଶ୍ଚିମା ପବ୍ଲିକେସନ୍ସ ୧୮୮୨, ନୟାପଲ୍ଲୀ, ଭୁବନେଶ୍ୱର

ମୂଲ୍ୟ ୨୫୦ ଟଙ୍କା

Comment