ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଗଜପତି ରାଜନୀତିକୁ ଆସିବେ କି? ଏହି ପ୍ରଶ୍ନର ଉତ୍ତରରେ ଗଣମାଧ୍ୟମକୁ ଦିବ୍ୟସିଂହ ଦେବ କ’ଣ କହିଛନ୍ତି ପଢ଼ନ୍ତୁ।

ରାଜନୀତିକୁ ନା କହିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ରାଜନୀତିଠାରୁ ସେ ଉର୍ଦ୍ଧ୍ୱରେ ବୋଲି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଗଜପତି। ଫଳରେ ଗଜପତି ନିର୍ବାଚନ ରାଜନୀତିକୁ ଆସିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି।

ଓଡ଼ିଶା ତଥା ଜାତୀୟ ରାଜନୀତିର ଇତିହାସ ପୃଷ୍ଠାକୁ ଯଦି ଓଲଟାଇବା ତାହାଲେ ରାଜା ଏବଂ ରାଜପରିବାରର ସଦସ୍ୟମାନେ ସକ୍ରିୟ ରାଜନୀତିରେ ରହିଥିବା ଦେଖିବାକୁ ମିଳିବ। କିନ୍ତୁ ପୁରୀ ଗଜପତି ହେଉଛନ୍ତି ଏହାର ବ୍ୟତିକ୍ରମ। ଆଜିଯାଏଁ ଦିବ୍ୟସିଂହ ଦେବଙ୍କୁ କୌଣସି ରାଜନୀତିକ ଦଳରେ ଦେଖିବାକୁ ମିଳିନି।

୨୦୧୪ ନିର୍ବାଚନ ପରେ ରାଜନୀତିକ ମହଲରେ ଗୋଟିଏ ଚର୍ଚ୍ଚା ହେଲା ଯେ ପୁରୀ ଗଜପତି ବିଜେପିରେ ଯୋଗଦେବେ। ୨୦୧୯ରେ ସେ ପୁରୀରୁ ନିର୍ବାଚନ ଲଢ଼ିବେ। ଏହି ଚର୍ଚ୍ଚା ସେତେବେଳେ ହୋଇଥିଲା ଯେତେବେଳେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗଜପତି ଭେଟିଥିଲେ। ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଇଥିଲେ ହେଁ ରାଜନୀତି କରିଡ଼ରରେ ଭିନ୍ନ ଚର୍ଚ୍ଚା ହୋଇଥିଲା। ୨୦୧୫ ମାର୍ଚ୍ଚ ୧ରେ ଗଜପତି ମୋଦିଙ୍କୁ ଭେଟିଥିଲେ।

ଗଜପତି ନିର୍ବାଚନ ଲଢ଼ିବା ନେଇ ଏକ ବିତର୍କ ମଧ୍ୟ ସୃଷ୍ଟି ହୋଇଥିଲା। ହେଲେ ଗଜପତିଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ନମିଳିବାରୁ ସେତେବେଳେ ଏହି ଚର୍ଚ୍ଚା ଆଗକୁ ଯାଇ ନଥିଲା। କିନ୍ତୁ ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ପୁଣିଥରେ ଏହି ପ୍ରସଙ୍ଗ ଉଠିଛି। ହେଲେ ସାକ୍ଷାତକାରରେ ଗଜପତି ଏହାକୁ ଖଣ୍ଡନ କରିଛନ୍ତି।

ଗଜପତି କହିଛନ୍ତି, “ମହାପ୍ରଭୁଙ୍କ ସେବା କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ। ମହାପ୍ରଭୁଙ୍କ ସେବକ ଭାବେ ଆମର ପରିଚୟ ରହିବା ଦରକାର। ଅନ୍ୟ କୌଣସି ପରିଚୟ ନରଖିବା ପାଇଁ ଆମେ ବର୍ତ୍ତମାନ ସୁଦ୍ଧା ରାଜନୀତିରେ ଆଗ୍ରହ ରଖିନାହୁଁ।”

ଗଜପତି ଆହୁରି କହିଛନ୍ତି ଯେ ରାଜତନ୍ତ୍ର ଥିବା ବେଳେ ଗଜପତି ରାଜନୀତି କରୁଥିଲେ। ମହାପ୍ରଭୁଙ୍କ ସେବା କରିବା ସହ ରାଜଗାଦିରେ ବସି ରାଜ୍ୟବାସୀଙ୍କ କଥା ବୁଝୁଥିଲେ। ଏହା କେବଳ ରାଜତନ୍ତ୍ରରେ ହିଁ ସମ୍ଭବ ଥିଲା। କାରଣ ରାଜା କୌଣସି ପାର୍ଟିର ନଥିଲେ ସେ ଥିଲେ ସମସ୍ତଙ୍କର। ରାଜ୍ୟର ମୂରବୀ ହିସାବରେ ରାଜାମାନେ ଲୋକଙ୍କର ଭଲ ଚିନ୍ତା କରୁଥିଲେ। କିନ୍ତୁ ଗଣତନ୍ତ୍ରରେ ତାହା ସମ୍ଭବ ନୁହେଁ।

“ଗଜପତି ସବୁବେଳେ ଧର୍ମର କଥା କୁହନ୍ତି। ଯିଏ ଧର୍ମରେ ବିଶ୍ୱାସ କରନ୍ତି ତାଙ୍କୁ ଏହି କଥା ସୁହାଇବ। ଯିଏ ଧର୍ମରେ ବିଶ୍ୱାସ କରନ୍ତି ନାହିଁ ତାଙ୍କୁ ସୁହାଇବ ନାହିଁ। ଗଜପତି କେବେ ବି ବିଜେପି, କଂଗ୍ରେସ କିମ୍ବା ବିଜେଡି କଥା କୁହନ୍ତି ନାହିଁ। ମହାପ୍ରଭୁଙ୍କ ସେବକ ହିସାବରେ ସେ କେବଳ ମହାପ୍ରଭୁଙ୍କ କଥା କହିଥାନ୍ତି”, କହିଛନ୍ତି ଗଜପତି।

ଜାତୀୟ ରାଜନୀତିକୁ ଯଦି ଦେଖିବା ତାହାଲେ ଅନେକ ରାଜ ପରିବାରର ସଦସ୍ୟ ବିଭିନ୍ନ ରାଜନୀତିକ ଦଳରେ ଅଛନ୍ତି। କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟପ୍ରଦେଶ ରାଜପରିବାରରରୁ ଆସିଥିବା ବେଳେ ଗ୍ୱାଲିୟର ଯୁବରାଜ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ମଧ୍ୟ କଂଗ୍ରେସରେ ଅଛନ୍ତି। ସେହିପରି ଇଜ୍ୟାରାଜ ସିଂହ ଏବଂ ଦୁସ୍ୟନ୍ତ ସିଂହ ମଧ୍ୟ ରାଜନୀତିକୁ ଆସି ଅନ୍ୟ ରାଜ ପରିବାର ପାଇଁ ଉଦାହରଣ ପାଲଟିଛନ୍ତି।

ଓଡ଼ିଶାରେ ମଧ୍ୟ ଏହି ଘଟଣା କିଛି କମ୍ ନୁହେଁ। ବଲାଙ୍ଗିର ରାଜ ପରିବାର, ପାଟଣାଗଡ଼ ରାଜ ପରିବାର, ନୟାଗଡ଼ ଓ ଖଣ୍ଡପଡ଼ା ରାଜ ପରିବାରର ସଦସ୍ୟମାନେ ରାଜନୀତିକୁ ଆସିଛନ୍ତି। ବିଭିନ୍ନ ରାଜନୀତିକ ଦଳରୁ ଟିକେଟ ନେଇ ନିର୍ବାଚନ ଲଢ଼ି ସଫଳ ହୋଇଛନ୍ତି। ହେଲେ ପୁରୀ ଗଜପତି ନିର୍ବାଚନ ମଇଦାନକୁ ଓହ୍ଲାଇ ନାହାନ୍ତି।

ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବଙ୍କ ବାପା ବୀର କିଶୋର ଦେବ ଏବଂ ତାଙ୍କ ଭାଇ ରାଜରାଜ ଦେବ ରାଜନୀତିକୁ ଆସିଥିବା ନଜିର ରହିଛି।

କିଏ ହେବେ ପରବର୍ତ୍ତୀ ଗଜପତି?

ଗଜପତିଙ୍କ ଉତ୍ତରାଧିକାରୀ କିଏ ହେବେ ସେ ପ୍ରଶ୍ନର ଉତ୍ତର ଦେଇ ଦିବ୍ୟସିଂହ ଦେବ କହିଛନ୍ତି ଯେ ମହାପ୍ରଭୁ ଏ ବିଷୟରେ ନିଷ୍ପତ୍ତି ନେବେ। ଉତ୍ତରାଧିକାରୀ ସମ୍ପର୍କରେ ଏଯାଏଁ କୌଣସି ଚିନ୍ତା କରାଯାଇନି।

ଆମ ପରମ୍ପରାରେ ରହିଛି ଗଜପତି ମହାରାଜଙ୍କ ଜ୍ୟେଷ୍ଠପୂତ୍ର ପ୍ରଥମେ ଜେନମଣୀ ପଦବୀରେ ରହିବେ ଏବଂ ପରେ ଗଜପତି ଗାଦିକୁ ଆସିବେ। ଯଦି ଜ୍ୟେଷ୍ଠପୂତ୍ର ନାହାନ୍ତି ତାହାଲେ ପୋଷ୍ୟ ପୂତ୍ର ଗ୍ରହଣ କରିବାର ବିଧାନ ରହିଛି।

ଯଦି ପୋଷ୍ୟପୂତ୍ର ଗ୍ରହଣ କରାଯାଇନି ତାହାଲେ ଗଜପତିଙ୍କ ଭାଇଙ୍କ ପାଖକୁ ଯିବ ଏହି ପଦବୀ। ଯଦି ସେ ବି ନାହାନ୍ତି ତାହାଲେ ତାଙ୍କ ଜ୍ୟେଷ୍ଠପୂତ୍ରଙ୍କୁ ଅଗ୍ରାଧିକାର ଦିଆଯିବ। ଯଦି ସେ ବି ନାହାନ୍ତି ତାହାଲେ ଗଜପତିଙ୍କର ଆଉ ଜଣେ ଭାଇଙ୍କୁ ପରମ୍ପରା ଅନୁସାରେ ଗଜପତି କରାଯିବାର ବିଧାନ ରହିଛି। ଯଦି ସେ ବି ନାହାନ୍ତି ତାହାଲେ ତାଙ୍କ ପୁଅଙ୍କୁ ସୁଯୋଗ ଦିଆଯିବ। ହେଲେ ଆମେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହୁଁ।

Comment