ଓଡ଼ିଶାଲାଇଭ୍‍ ବ୍ୟୁରୋ

ଥାଇଲାଣ୍ଡ ଗୁମ୍ଫାରେ ଫସିଥିବା ୧୨ ଜଣ ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି ଏଯାବତ୍‌ ୪ ଜଣଙ୍କୁ ଉଦ୍ୟମ କରାଯାଇଥିବା ବେଳେ ବାକି ୮ ଜଣଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ

  • ଥାଇଲାଣ୍ଡ ଗୁମ୍ଫାରେ ଫସିଥିଲେ ୧୨ ଫୁଟବଲ ଖେଳାଳି କୋଚ୍
  • ଜଣ ଉଦ୍ଧାର ହୋଇଛନ୍ତି
  • ବନ୍ୟାପାଣି ଭରିଯିବାରୁ ବାହାରିପାରିନଥିଲେ
  • ଉଦ୍ଧାରକାର୍ଯ୍ୟରେ ୬ଟି ଦେଶର୧୨୦୦ କର୍ମଚାରୀ

୧୨ ଖେଳାଳି, ଜଣେ କୋଚ୍,୧୬ ଦିନର ସଂଘର୍ଷ। ଥାଇଲାଣ୍ଡ ଚିଆଙ୍ଗ ରାଇ ପ୍ରଦେଶରେ ଥିବା ଥାମ ଲୁଆଙ୍ଗ ଗୁମ୍ଫାରେ ଫସିଥିବା ୧୬ ବର୍ଷରୁ କମ୍ ଥାଇ ଫୁଟବଲ ଦଳର ଖେଳାଳି ଓ ସେମାନଙ୍କ କୋଚଙ୍କୁ ଉଦ୍ଧାର ପାଇଁ ଚାଲିଥିବା ଅପରେସନ୍ ପହଞ୍ଚିଛି ଶେଷ ପର୍ଯ୍ୟାୟରେ। ରବିବାର ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିବାବେଳେ ଖୁବ୍ ଶୀଘ୍ର ବାକି ୮ ଜଣ ଖେଳାଳି ଓ କୋଚଙ୍କୁ ଉଦ୍ଧାର ପାଇଁ ଚାଲିଛି ଅଭିଯାନ। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୬ଟି ଦେଶର ପ୍ରାୟ ୧୨୦୦ କର୍ମଚାରୀ। ଏମାନଙ୍କ ମଧ୍ୟରେ ଅଛନ୍ତି ସ୍ପେଶାଲିଷ୍ଟ ଡାଇଭର ବା ବୁଡାଳି। ଗୁମ୍ଫା ଭିତରେ ବନ୍ୟା ପାଣି ଭରି ରହିଥିବାବେଳେ ଅମ୍ଳଜାନ କମୁଥିବାରୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ଲାଗି ସରକାରଙ୍କ ଉପରେ ଚାପ ଥିଲା।

ଅପରେସନ୍ କେଭ୍ ମେଜ୍ ବଟଲ୍ ନେକ୍

ଗୁମ୍ଫାରେ ଫସିରହିଥିବା ୧୨ ଜଣ ଖେଳାଳି ଓ କୋଚଙ୍କ ମଧ୍ୟରୁ ରବିବାର ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଫସିଥିବା ଖେଳାଳିଙ୍କୁ ଉଦ୍ଧାର ପାଇଁ ଗତକାଲି ସକାଳ ୧୦ଟାରେ ଆରମ୍ଭ ହୋଇଥିଲା ଅପରେସନ୍ ‘କେଭ୍ ମେଜ୍ ବଟନ୍ ନେକ୍’। ପିଲାମାନେ ଫସିଥିବା ସ୍ଥାନକୁ ଥରେ ଯାଇ ଫେରିବାକୁ ପ୍ରାୟ ୧୧ ଘଣ୍ଟା ସମୟ ଲାଗିଯାଉଥିଲା। ପୁଣି ପିଲାମାନେ ପହଁରିବା ଶିଖିନଥିଲେ। ତେଣୁ ପ୍ରତି ଖେଳାଳିଙ୍କୁ ଉଦ୍ଧାର ପାଇଁ ଦୁଇ ଜଣ ଡାଇଭର ନିୟୋଜିତ ହୋଇଥିଲେ।

ରବିବାର ସଂଧ୍ୟା ୫.୪୦ ସମୟରେ ଦୀର୍ଘ ୯ ଘଣ୍ଟା ୫୦ ମିନିଟ୍ ପରେ ପ୍ରଥମେ ଜଣେ ଖେଳାଳିଙ୍କୁ ନେଇ ବାହାରକୁ ଆସିଥିଲେ ଦୁଇଜଣ ଡାଇଭର। ତା’ର ୨୦ ମିନିଟ୍ ପରେ ଆଉ ଜଣେ ପିଲାକୁ ନେଇ ବାହାରକୁ ଆସିଥିଲେ ଆଉ ଦୁଇଜଣ ଡାଇଭର। ତା’ ପରେ ଆଉ ଦୁଇଜଣ ପିଲା ମଧ୍ୟ ସମାନ ଭାବେ ଉଦ୍ଧାର ହୋଇଥିଲେ। ସେମାନଙ୍କୁ ତୁରନ୍ତ ହେଲିକାପ୍ଟର ଯୋଗେ ଚିରାଙ୍ଗରାଇ ହସ୍ପିଟାଲକୁ ନିଆଯାଇଥିଲା। ସ୍ଥାନୀୟ ସମୟ ରାତି ୯ଟାରେ ରବିବାରର ଉଦ୍ଧାର ଅଭିଯାନ ବନ୍ଦ କରାଯାଇଥିଲା।

୧୦-୨୦ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇପାରେ ଦ୍ୱିତୀୟ ଅପରେସନ୍

ରବିବାରର ଉଦ୍ଧାର ଅଭିଯାନ ପରେ ବର୍ଷା ହେବାରୁ ଗୁମ୍ଫାରେ ପୁଣି ପାଣି ଭରିଯାଇଛି। ତେଣୁ ପାଗ ଅନୁକୂଳ ହେଲେ ୧୦-୨୦ ଘଣ୍ଟା ମଧ୍ୟରେ ଅପରେସନ୍ ଆରମ୍ଭ ହେବ ବୋଲି ଥାଇ ନାଭି ସିଲର ଫେସବୁକ ପୃଷ୍ଠାରେ ସୂଚନା ଦିଆଯାଇଛି ।

କେମିତି ଫସିଲେ ଗୁମ୍ଫାରେ…

ଥାଇଲାଣ୍ଡର ଫୁଟବଲ୍ ଟିମ୍ ‘ୱାଇଲ୍ଡ ବୋରସ’ ପାଇଁ ଜୁନ୍ ୨୩ ତାରିଖ ଥିଲା କଳା ଦିବସ। ଟିମର ଜଣେ ଖେଳାଳିଙ୍କର ଥିଲା ଜନ୍ମଦିନ। ତେଣୁ ଅଭ୍ୟାସ ମ୍ୟାଚ୍ ଖେଳିସାରିବା ପରେ ଜନ୍ମଦିନ ପାଳନ କରିବାକୁ ଥାମଲୁଆଙ୍ଗ ଗୁମ୍ଫା ବୁଲିବାକୁ ଯାଇଥିଲେ ୧୬ ବର୍ଷରୁ କମ୍ ଫୁଟବଲ୍ ଟିମର ୧୨ ଜଣ ଖେଳାଳି ଓ ସେମାନଙ୍କ ୨୫ ବର୍ଷୀୟ କୋଚ୍। ସବୁ ଖେଳାଳିମାନଙ୍କର ବୟସ ଥିଲା ୧୧ରୁ ୧୬ ବର୍ଷ ମଧ୍ୟରେ।

ପୂର୍ବରୁ ଥରେ ସେମାନେ ଗୁମ୍ଫାର ଅଧା ବାଟ ଯାଇ ଫେରିଆସିଥିଲେ। ତେଣୁ ଏଥର ଭଲଭାବେ ଗୁମ୍ଫା ଦେଖିବାକୁ କରିଥିଲେ ଯୋଜନା। ଗୁମ୍ଫାର ପ୍ରବେଶ ପଥରେ ନିଜର ସାଇକେଲ, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ରଖି ଭିତରକୁ ଯାଇଥିଲେ। ଏମିତି ପିଲାମାନେ ଗୁମ୍ଫାର ୪ କିମି ଭିତରକୁ ଚାଲିଯାଇଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ହୋଇ ବାହାରେ ସୃଷ୍ଟି ହୋଇଥିଲା ବନ୍ୟା ସ୍ଥିତି। ଗୁମ୍ଫା ଭିତରେ ବନ୍ୟା ଜଳ ପଶି ସମ୍ପୂର୍ଣ୍ଣ ଭାବେ ଗୁମ୍ଫାଦ୍ୱାର ଅବରୋଧ ହୋଇଯାଇଥିଲା। ପିଲାମାନେ କେହି ସେଭଳି ପହଁରା ଶିଖି ନ ଥିବାରୁ ସେମାନେ ଗୁମ୍ଫା ଭିତରେ ଫସିଯାଇଥିଲେ।

ବିପଜ୍ଜନକ ଥାମଲୁଆଙ୍ଗ ଗୁମ୍ଫା

ଗୁମ୍ଫା ଭିତରକୁ ୪ କିମି ଚାଲିଯାଇଥିଲେ ପିଲାମାନେ। କିନ୍ତୁ ବନ୍ୟା ପାଣି ଭରିଯିବାରୁ ଆଉ ଫେରିପାରିଲେ ନାହିଁ। ପିଲାମାନେ ଫସିଯିବା ପଛରେ ବନ୍ୟା ପାଣି ଯେତିକି ଦାୟୀ ସେତିକି ଦାୟୀ ଥାମଲୁଆଙ୍ଗ ଗୁମ୍ଫାର ଅଜବ ଆକୃତି ଗୁମ୍ଫା। ଭିତରକୁ ଥିବା ରାସ୍ତା ସିଧା ନୁହେଁ, ବରଂ ସର୍ପିଳ। ଗୁମ୍ଫାରେ ଅଛି ୪ଟି ଚାମ୍ବର। ସେଥିରୁ ଦୁଇଟି ଚାମ୍ବର ଶୁଷ୍କ ହୋଇଥିବାବେଳେ ଆଉ ଦୁଇଟିରେ ପାଣି ଭରି ରହିଛି। ଏହି ଗୁମ୍ଫା ଭିତରକୁ ଯିବା କୌଣସି ଚ୍ୟାଲେଞ୍ଜଠାରୁ କମ୍ ନୁହେଁ। ତଥାପି ରୋମାଞ୍ଚ ପାଇଁ କେତେକ ଏହି ଗୁମ୍ଫା ଭିତରକୁ ଯାଆନ୍ତି। କିନ୍ତୁ ପିଲାମାନେ ପଶିବା ପରେ ବନ୍ୟା ପାଣି ଯୋଗୁଁ ଗୁମ୍ପାରେ ଫସିଗଲେ।

ବାହାରକୁ କାହାରି ସହ ଯୋଗାଯୋଗ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନ ଥିଲା। ତେବେ ଗୁମ୍ଫା ମୁହଁରେ ସେମାନଙ୍କର ବ୍ୟବହାର୍ଯ୍ୟ ସାମଗ୍ରୀ ଦେଖିବା ପରେ ଗୁମ୍ଫାର ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ରେଞ୍ଜର କର୍ତ୍ତୁପକ୍ଷଙ୍କୁ ଏ ସଂପର୍କରେ ଅବଗତ କରିଥିଲେ।

୧୦ଦିନ ପରେ ମିଳିଲା ସନ୍ଧାନ

ଖେଳାଳିମାନଙ୍କର ନିଖୋଜ ହେବା ନେଇ ଅନେକ ଆଶଙ୍କା ହେଉଥିବାବେଳେ ଘଟଣାର ୪ ଦିନ ପରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା ଥାଇଲାଣ୍ଡ ସେନା। କିନ୍ତୁ ବନ୍ୟାଜଳ ଯୋଗୁଁ ଗୁମ୍ଫାରେ ପ୍ରବେଶ କରି ଖୋଜିବା ଥିଲା ଅତ୍ୟନ୍ତ ଦୁରୂହ ବ୍ୟାପାର।

ଜୁଲାଇ ୧ରେ ଉଦ୍ଧାର ଅଭିଯାନରେ ସାମିଲ ହେଲେ ଥାଇଲାଣ୍ଡର ନାଭି ସିଲ୍ କମାଣ୍ଡୋ। ସେମାନଙ୍କ ସହ ଆମେରିକା ଓ ବ୍ରିଟେନର ଅଭିଜ୍ଞ ଡାଇଭର ବି ମିଶିଲେ। ଶେଷରେ ୧୦ ଦିନ ପରେ ଦୁଇଜଣ ବ୍ରିଟିଶ ଡାଇଭର ଗୁମ୍ପା ଭିତରେ ଫସିଥିବା ପିଲାମାନଙ୍କୁ ଠାବ କଲେ।

ଗୁମ୍ଫାର ପ୍ରବେଶ ପଥରୁ ୪ କିମି ଭିତରେ ତଥା ୧ କିମି ଗଭୀରରେ ସେମାନେ ରହିଥିବା ଦେଖିଲେ। ସେତେବେଳକୁ ଦୁଇଜଣ ପିଲା ଅସୁସ୍ଥ ହୋଇପଡ଼ିଥିଲେ। ଭୋକରେ ଥିବାରୁ ଖାଦ୍ୟ ମାଗିଥିଲେ। ପରେ ସେମାନଙ୍କୁ ସହଜରେ ହଜମ ହେଉଥିବା ଖାଦ୍ୟ, ଔଷଧ ଦିଆଯାଇଥିଲା। ସେମାନଙ୍କୁ ମାନସିକ ଭାବେ ଦୃଢ ରଖିବାକୁ ସେମାନେ ଯେପରି ଘର ଲୋକଙ୍କ ସହିତ କଥା ହୋଇପାରିବେ ସେଥିଲାଗି ଗୁମ୍ଫା ଭିତରକୁ ଟେଲିଫୋନ କେବୁଲ ବିଛାଇବାକୁ ଚେଷ୍ଟା କରାଯାଇଥିଲା। ଭିତରେ ଜମି ରହିଥିବା ବନ୍ୟାଜଳକୁ ପମ୍ପ ମାଧ୍ୟମରେ କଢ଼ାଗଲା। ଅଭିଜ୍ଞ ସ୍କୁବା ଡାଇଭରମାନେ ଥରକେ ୧୧ ଘଣ୍ଟା ଧରି ପଙ୍କିଳ ପାଣିରେ ପହଁରି ସେମାନଙ୍କୁ ଖାଦ୍ୟ ଓ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇଲେ।

ଅପରେସନରେ ଗଲା ପୂର୍ବତନ ନାଭି ସିଲ୍ କମାଣ୍ଡୋଙ୍କ ଜୀବନ

ଉଦ୍ଧାର ଅଭିଯାନରେ ସାମିଲ ଥାଇଲାଣ୍ଡ ନାଭି ସିଲର ଜଣେ ପୂର୍ବତନ କମାଣ୍ଡୋ ସମାନ କୁନାନ୍ ଶୁକ୍ରବାର ପ୍ରାଣ ହରାଇଲେ। ଗୁମ୍ଫା ଭିତରେ ଫଶିଥିବା ଖେଳାଳିଙ୍କୁ ଅମ୍ଳଜାନ ଯୋଗାଇ ଫେରୁଥିବାବେଳେ ନିଜେ ଅମ୍ଳଜାନ ଅଭାବର ଶିକାର ହେଲେ।

ପାହାଡ଼ରେ ଖୋଳାଯାଇଛି ୧୦୦ଟି ଚିମନି ଆକାରର ଗାତ

ଗୁମ୍ଫାରେ ଅମ୍ଳଜାନର ଅଭାବକୁ ଦୂର କରିବା ଲାଗି ପାହାଡ଼ରେ ୧୦୦ରୁ ଉର୍ଦ୍ଧ୍ୱ ଚିମିନି ଆକାରର ଗାତ ଖୋଳାଯାଇଛି। ଆବଶ୍ୟକ ପଡ଼ିଲେ ବାକି ପିଲାଙ୍କୁ ସେହି ଗାତ ଦେଇ ମଧ୍ୟ ଉଦ୍ଧାର କରାଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିପରି ବିକଳ୍ପ ପ୍ରବେଶ ପଥର ମଧ୍ୟ ସନ୍ଧାନ ଚାଲିଛି।

Comment