ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏକ ସଫଳ ଦ୍ୱିଭାଷୀ ଚଳଚ୍ଚିତ୍ର ଥିଲାଟୋପାଏ ସିନ୍ଦୂର ଦିପଟ ଶଙ୍ଖା ଏହି ଓଡ଼ିଆ ସିନେମା ତିଆରି କରିବାକୁ ବଲିଉଡର ପ୍ରଖ୍ୟାତ ନିର୍ମାତା ସୁଜିତ କୁମାର କାହିଁକି ଆଗ୍ରହୀ ହୋଇଥିଲେ ଏହାର ଟାଇଟଲ୍ ଏମିତି ରଖାଯାଇଥିଲା, ଆସନ୍ତୁ ଜାଣିବା ଏହାର ଫ୍ଲାସବ୍ୟାକ୍କାହାଣୀ ମାଧ୍ୟମରେ

ଓଡ଼ିଶା ବାହାରର କେତେଜଣ ବ୍ୟକ୍ତି ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ବହୁ ଦକ୍ଷିଣ ଭାରତୀୟ ନିର୍ମାତା ଓଡ଼ିଆ ସିନେମା ପ୍ରଯୋଜନାରେ ମନୋନିବେଶ କରିଥିଲେ। ଜଣେ ବଲିଉଡ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ବି ଓଡ଼ିଆ ସିନେମା ନିର୍ମାଣ କରିଥିଲେ, ଏ କଥା ଭୁଲିହେବ ନାହିଁ। ସେ ହେଉଛନ୍ତି ସୁଜିତ୍ କୁମାର।

ବଲିଉଡର ଖ୍ୟାତନାମା ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍ ଏବଂ ସୁଜିତ କୁମାର ଘନିଷ୍ଠ ବନ୍ଧୁ। ଓଲିଉଡର ଜଣାଶୁଣା ପ୍ରଯୋଜକ ତଥା ବିତରକ ବସନ୍ତ ନାୟକ ମଧ୍ୟ ରାକେଶ ରୋଶନ୍ ଓ ସୁଜିତ କୁମାରଙ୍କ ପ୍ରଯୋଜିତ ଅଧିକାଂଶ ହିନ୍ଦୀ ସିନେମାର ଓଡ଼ିଶା ପାଇଁ ବିତରଣ ଦାୟିତ୍ୱ ନେଇଥିଲେ। ଏ ଦୃଷ୍ଟିରୁ ବସନ୍ତ ନାୟକଙ୍କ ସହିତ ଉଭୟଙ୍କର ମଧ୍ୟ ସୁସଂପର୍କ ଥିଲା।

ଖାଲି ସେତିକି ନୁହେଁ, ଖୁବ୍ କମ୍‌ ଲୋକ ଜାଣନ୍ତି ଯେ ରାକେଶ ରୋଶନ ବସନ୍ତ ନାୟକଙ୍କୁ ‘ଡାଡି’ ବୋଲି ସମ୍ବୋଧନ କରୁଥିଲେ। ଥରେ ବସନ୍ତ ନାୟକ ରାକେଶ ରୋଶନଙ୍କ ଅଫିସରେ ବସି କଥାବାର୍ତ୍ତା ହେଉଥିବା ବେଳେ ସେଠାରେ ସୁଜିତ୍ କୁମାର ପହଞ୍ଚିଲେ। ସେଇଠି ସୁଜିତ୍ କହିଲେ ଯେ ସେ ଏକ ବଙ୍ଗଳା ସିନେମାର ପ୍ରଯୋଜନା କରୁଛନ୍ତି। ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେବେ।

ବଙ୍ଗଳା ଫିଲ୍ମ ପ୍ରଯୋଜନା ସମ୍ପର୍କରେ କଥା ପଡ଼ିଲା ମାତ୍ରେ ନିର୍ମାତା ବସନ୍ତ ନାୟକ ସୁଜିତଙ୍କୁ ତା’ର କାହାଣୀ କ’ଣ ବୋଲି ଜାଣିବାକୁ ଚାହିଁଲେ। ସୁଜିତ୍‌ କୁମାର ମଧ୍ୟ ତାଙ୍କ ଫିଲ୍ମର କାହାଣୀଟି ସଂକ୍ଷେପରେ ବର୍ଣ୍ଣନା କରିଥିଲେ। ଏହାର ଟାଇଟଲ୍ ବି ଫାଇନାଲ୍ ହୋଇସାରିଥିଲା। ତାହା ହେଲା ‘ଭାଗ୍ୟଲିପି’। କାହାଣୀଟି ଶୁଣିବା ପରେ ପ୍ରଯୋଜକ ବସନ୍ତ ନାୟକ କହିଲେ ଏଇଟାକୁ ଖାଲି ବଙ୍ଗଳାରେ ତିଆରି ନ କରି ଓଡ଼ିଆ ଭାଷାରେ ମଧ୍ୟ ପ୍ରସ୍ତୁତ କରନ୍ତୁ। ଅର୍ଥାତ୍‌ ଦ୍ୱିଭାଷୀ ସିନେମାଟିଏ ନିର୍ମାଣ କରନ୍ତୁ। ସେତେବେଳକୁ ସୋମ୍ୟାନ୍‌ ‘ମା’ ଟାଇଟଲ୍‌ରେ ଏକ ଦ୍ୱିଭାଷୀ ସିନେମାର ପ୍ରଯୋଜନା କ ରି ସଫଳତା ହାସଲ କରିସାରିଥା’ନ୍ତି।

ସୁଜିତଙ୍କ ମନକୁ କଥାଟା ପାଇଲା। ସେ ରାଜି ହେଲେ। ତା’ପରେ ବଜେଟ୍ କଥା ଉଠିଲା। ବସନ୍ତ ନାୟକ କହିଲେ ମାତ୍ର ଦଶ ଲକ୍ଷ ବଜେଟରେ ଏହା ନିର୍ମିତ ହେବ ଏବଂ ସବୁ ସୁଟିଂ ଓଡ଼ିଶାରେ କରାଯିବ। ସେ ସମସ୍ତ ପ୍ରକାରର ସହାୟତା କରିବେ ଓ ନିଜେ ବିତରଣ ଦାୟିତ୍ୱ ବହନ କରିବାକୁ ମଧ୍ୟ ବୋଲି ପ୍ରତିଶ୍ରୁତି ହେଲେ। ସୁଜିତ କୁମାର ଓ ବସନ୍ତ ନାୟକଙ୍କ ମଧ୍ୟରେ ସେହି ସାକ୍ଷାତରେ ସବୁ ଡିଲ୍ ଫାଇନାଲ୍ ହୋଇଗଲା।

ସେତେବେଳକୁ ପ୍ରଖ୍ୟାତ ଲେଖକ ମୁକୁଲ ଦତ୍ତଙ୍କ ଘରେ ‘ଭାଗ୍ୟଲିପି’ର ସ୍କ୍ରିପ୍ଟ କାମ ଚାଲିଥାଏ। ତେଣେ ସଙ୍ଗୀତକାର ସୁମିତ୍ରା ଲାହିରୀଙ୍କୁ ସଙ୍ଗୀତ ନିର୍ଦ୍ଦେଶନା ଦେବା ଲାଗି ସ୍ଥିରୀକୃତ ହୋଇ ସାରିଥାଏ। ବସନ୍ତ ନାୟକ କଟକ ଫେରି ତାଙ୍କ ଟିମର ଦୁଇ ମୁଖ୍ୟ ବ୍ୟକ୍ତି ସଂଳାପକାର ବିଜୟ ମିଶ୍ର ଓ ଗୀତିକାର ସ୍ୱରୂପ ନାୟକଙ୍କୁ ଡକାଇଲେ। ଦୁହେଁ ଯଥାସମୟରେ ଉପସ୍ଥିତ ହେଲେ। ବସନ୍ତ ବାବୁ ସେ ଦୁହିଁଙ୍କୁ ଏହି ଦ୍ୱିଭାଷୀ ସିନେମା ସମ୍ପର୍କରେ ସୂଚନା ଦେଲେ ଓ କହିଲେ ବିଜୟବାବୁ ସଂଳାପ ଲେଖିବେ ଆଉ ସ୍ୱରୂପବାବୁ ଗୀତ ଲେଖିବେ। ସେଥିପାଇଁ ସେ ଦୁହିଁଙ୍କୁ ମନପସନ୍ଦ ପାରିଶ୍ରମିକ ମଧ୍ୟ ମିଳିବାର ପ୍ରତିଶ୍ରୁତି ଦେଲେ ସୋମ୍ୟାନ୍।

ତା’ପରେ ବସନ୍ତ ନାୟକ ବିଜୟ ମିଶ୍ର ଓ ସ୍ୱରୂପ ନାୟକଙ୍କୁ ସାଙ୍ଗରେ ଧରି ବମ୍ବେ ଗଲେ। ସେଠି ସୁଜିତ କୁମାରଙ୍କ ସହିତ ଉଭୟଙ୍କର ଭେଟ କରାଇଲେ ଓ ତା’ପରେ ଉଭୟେ ନିଜ ନିଜ କାମରେ ଲାଗିଗଲେ। ବଙ୍ଗଳା ଲେଖକ ମୁକୁଲ ଦତ୍ତଙ୍କ ସହିତ ମିଶି ବିଜୟ ମିଶ୍ର ଫିଲ୍ମର ଓଡ଼ିଆ ସଂଳାପ ଲେଖିଲେ।

ଏଣେ ସୁମିତ୍ରା ଲାହିର କରିଥିବା ଟିଉନ୍ ମାପରେ ଗୀତ ଲେଖା କାମରେ ଲାଗିପଡ଼ିଲେ। ତେବେ ଓଡ଼ିଆରେ ସିନେମାର ଶୀର୍ଷକ କ’ଣ ହେବ, ତାହା ସ୍ଥିରୀକୃତ ହୋଇପାରୁନଥାଏ। ସ୍ୱରୂପ ଗୋଟିଏ ଗୀତର ମୁଖୁଡ଼ା ଲେଖିଲେ – ‘ଟୋପାଏ ସିନ୍ଦୂର ଆଉ ଦି’ପଟ ଶଙ୍ଖା, ସବୁଝିଅଙ୍କ ଭାଗ୍ୟରେ ଏକଥା ଲେଖା…’।

ପ୍ରଯୋଜକ-ବିତରକ ବସନ୍ତ ନାୟକଙ୍କୁ ସ୍ୱରୂପ ନାୟକ ଏହି ଫିଲ୍ମର ଟାଇଟଲ୍ ‘ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା’ ରଖାଗଲେ ବଢ଼ିଆ ହେବ ବୋଲି କହିଲେ। ବସନ୍ତ ବାବୁ ବି ଏହି ଟାଇଟଲ୍‌କୁ ସ୍ୱୀକୃତି ଦେଲେ। ବାସ୍ ତା’ ପରେ ସୁଜିତ କୁମାରଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ଦ୍ୱିଭାଷୀ ସିନେମାର ଓଡ଼ିଆ ଶୀର୍ଷକ ହେଲା ‘ଟୋପାଏ ସିନ୍ଦୂର ଦିପଟ ଶଙ୍ଖା’।

Comment