ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଓଲିଉଡ ଚକୋଲେଟ ବୟ ସବ୍ୟସାଚୀ ମିଶ୍ର ଫସି ଯାଇଛନ୍ତି। ହେଲେ ତାଙ୍କୁ କିଏ ଫସାଇଲା ଏବଂ କେମିତି ଫସିଲେ ପଢ଼ନ୍ତୁ ପୂରା ରିପୋର୍ଟ।

ପରଦାକୁ ଆସୁଛି ସବ୍ୟସାଚୀ-ଏଲିନାଙ୍କ ନୂଆ ଓଡ଼ିଆ ସିନେମା ‘ଟୋକାଟା ଫସିଗଲା’। ସିଦ୍ଧାର୍ଥ ଟିଭି ନିବେଦିତ ତଥା ସାର୍ଥକ ମ୍ୟୁଜିକ୍ ଦ୍ଵାରା ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା  ‘ଟୋକାଟା ଫସିଗଲା’ର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରୱାଲ୍ ଓ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ଏହା ସାର୍ଥକ ମ୍ୟୁଜିକର ୨୩ତମ ଓଡ଼ିଆ ଚଳଚ୍ଚିତ୍ର।

ସବ୍ୟସାଚୀ-ଏଲିନା ଯୋଡ଼ିଙ୍କର ଦ୍ଵିତୀୟ ଓଡ଼ିଆ ସିନେମା ‘ଟୋକାଟା ଫସିଗଲା’ ରିଲିଜ୍ ହେଉଛି ଏଇ ୧୨ ତାରିଖରେ। ଏହାପୂର୍ବରୁ ଆସନ୍ତୁ ଜାଣିବା ଏହି  ଫିଲ୍ମ ସମ୍ପର୍କିତ କିଛି ମଜାଦାର କଥା…

ପ୍ରଯୋଜକ

‘ଟୋକାଟା ଫସିଗଲା’ ପୂର୍ବରୁ ଏହାର ପ୍ରଯୋଜକ ସୀତାରାମ ଅଗ୍ର ୱାଲ ୨୨ଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଏଥିମଧ୍ୟରେ ରହିଛି- ‘ଆକାଶେ କି ରଙ୍ଗ ଲାଗିଲା’, ‘ଅଭିମନ୍ୟୁ’, ‘ପାଗଳ କରିଛି ପାଉଁଜି ତୋର’, ‘ଆମ ଭିତରେ କିଛି ଅଛି କି’, ‘ଆଖିରେ ଆଖିରେ’, ‘ଗୋଲାପି ଗୋଲାପି’, ‘ଲେଖୁ ଲେଖୁ ଲେଖି ଦେଲି’, ‘ପାଗଳ କରିଛୁ ତୁ’, ‘ରଜା ଝିଅ ସଙ୍ଗେ ହୋଇଗଲା ଭାବ, ପର୍ଶୁରାମ, ମୁଁ ଏକା ତୁମର, ସୁପର ମିଛୁଆ’,  ‘ତୋର ଦିନେକୁ ମୋର ଦିନେ’, ‘ପ୍ରେମରେ ପ୍ରେମରେ’, ‘ପାରିବେନି କେହି ଅଲଗା କରି’, ‘ସପନର ପଥେ ପଥେ’ ଓ ‘ଲୈଲା ଓ ଲୈଲା’ ଆଦି ସିନେମା।

ନିର୍ଦ୍ଦେଶକ

‘ଟୋକାଟା ଫସିଗଲା’ ହେଉଛି ନିର୍ଦ୍ଦେଶକ ରମେଶ ରାଉତଙ୍କର ଚତୁର୍ଥ ସିନେମା। ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଓଡ଼ିଆ ସିନେମା ହେଲା ‘ଚାନ୍ଦ ନା ତୁମେ ତାରା’, ‘ଗଡଫାଦର’, ଓ ‘କାବୁଲା ବାରବୁଲା’।

ଷ୍ଟାରକାଷ୍ଟ୍

‘ଟୋକାଟା ଫସିଗଲା’ରେ ମୁଖ୍ୟ କଳାକାର ହେଲେ ସବ୍ୟସାଚୀ, ଏଲିନା, ପପୁ ପମ୍‌ପମ୍‌ ଓ ଲିପ୍‌ସା।

ସବ୍ୟସାଚୀ-ଏଲିନାଙ୍କ ଦ୍ଵିତୀୟ ସିନେମା?

ଅନେକ ସିନେପ୍ରେମୀ ମନେ କରୁଥାଇପାରନ୍ତି ଯେ ସବ୍ୟସାଚୀ ଓ ଏଲିନା ଯୋଡ଼ିଙ୍କର ‘ଟୋକାଟା ଫସିଗଲା’ ହେଉଛି ଦ୍ଵିତୀୟ ଓଡ଼ିଆ ସିନେମା। ସେମାନେ ଏଭଳି ଭାବିବା ପଛରେ ବି ଯଥାର୍ଥତା ରହିଛି। କାରଣ ଏହି ଯୋଡ଼ିର ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା- ‘ଫୋର୍ ଇଡିଅଟ୍ସ’ ଯାହା ଗତ ରଜ ଅବସରରେ ରିଲିଜ୍ ହୋଇଥିଲା। ହେଲେ ଆପଣ ଜାଣନ୍ତି କି? ଅଭିନେତା ସବ୍ୟସାଚୀ ଓ ଏଲିନା ସାମନ୍ତରାୟ ପ୍ରଥମେ ଏକାଠି ସାଇନ୍ କରିଥିଲେ ସାର୍ଥକ ମ୍ୟୁଜିକର ଏହି ସିନେମା ‘ଟୋକାଟା ଫସିଗଲା’।

‘ଟୋକାଟା ଫସିଗଲା’ର ସୁଟିଂ ଶେଷ ହେବା ପରେ ସବ୍ୟସାଚୀ-ଏଲିନା ‘ଫୋର୍ ଇଡିଅଟ୍ସ’ରେ କାମ କରିଥିଲେ। ତେବେ ଏ ଦୁହେଁ ପ୍ରଥମେ ଏକ ବିଜ୍ଞାପନ ପାଇଁ ଏକାଠି କାମ କରିଥିଲେ ପ୍ରଥମେ। ଏ ଦୃଷ୍ଟିରୁ ସବ୍ୟସାଚୀ-ଏଲିନାଙ୍କ ଚୁକ୍ତିବଦ୍ଧ ପ୍ରଥମ ସିନେମା ହେଲା ‘ଟୋକାଟା ଫସିଗଲା’।

କେମିତି ଏକାଠି ଆସିଥିଲେ ସବ୍ୟସାଚୀ-ଏଲିନା?

‘ଟୋକାଟା ଫସିଗଲା’ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ବେଳେ ହିଁ ଏଥିରେ ଥିବା ନାୟକ ଭୂମିକା ସବ୍ୟସାଚୀ ଓ ନାୟିକା ଭୂମିକାରେ ଏଲିନା ସାମନ୍ତରାୟଙ୍କୁ ଦେବାଲାଗି ସ୍ଥିର କରିଥିଲେ ନିର୍ଦ୍ଦେଶକ ରମେଶ ରାଉତ। ସେ ଏ ବିଷୟରେ ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କୁ କହିଥିଲେ।

ପ୍ରଯୋଜକଙ୍କଠାରୁ ସବୁଜ ସଙ୍କେତ ପାଇବା ପରେ ନିର୍ଦ୍ଦେଶକ ରମେଶ ରାଉତ ପ୍ରଥମେ ଏଲିନା ସାମନ୍ତରାୟଙ୍କୁ କାହାଣୀ ଶୁଣାଇଥିଲେ। ଆଗରୁ ରମେଶ ଏଲିନାଙ୍କୁ ନେଇ ‘କାବୁଲା ବାରବୁଲା’- ସର୍ଚ୍ଚିଂ ଫର୍ ଲୈଲା’ ତିଆରି କରିଥିଲେ। ଏ ଦୃଷ୍ଟିରୁ ଭଲ ପରିଚୟ ଥିଲା। ଏଲିନା ତତକ୍ଷଣାତ୍ ରାଜି ହୋଇଥିଲେ। ତା’ପରେ ସବ୍ୟସାଚୀଙ୍କୁ ଅଫର୍ ଦେଲେ ଓ ସେ ବି ରାଜି ହୋଇଥଇଷଲ। ଏମିତି ଭାବେ ସବ୍ୟସାଚୀ- ଏଲିନାଙ୍କ ଯୋଡ଼ି ବନାଇଥିଲେ ନିର୍ଦ୍ଦେଶକ।

ଭିଣୋଇ-ଶାଳୀ- ସାଙ୍ଗଙ୍କ କାହାଣୀ

ଭିଣୋଇ ଚାହାଁନ୍ତି ନି ଶାଳୀର ବାହାଘର ହେଉ। ସେ ଶାଳୀର ବାହାଘର ଭାଙ୍ଗିବାର ଯୋଜନା କରନ୍ତି। ଏହି କାମରେ ସେ ନିୟୋଜିତ କରନ୍ତି ଜଣେ ସାଙ୍ଗଙ୍କୁ। ହେଲେ ସେହି ସାଙ୍ଗ ଶାଳୀ ପ୍ରେମରେ ପଡ଼ିଯାଉଛି। ଏଭଳି ମଜାଦାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ରୋମାଣ୍ଟିକ୍ କମେଡି ‘ଟୋକାଟା ଫସିଗଲା’। ଏଥିରେ ଭିଣୋଇ ବନିଛନ୍ତି ପପୁ ପମ୍‌ପମ୍‌, ତାଙ୍କ ସ୍ତ୍ରୀ ଭୂମିକାରେ ଅଛନ୍ତି ଲିପ୍‌ସା। ଶାଳୀ ଭୂମିକାରେ ଏଲିନା ଓ ସାଙ୍ଗ ଭୂମିକାରେ ଅଛନ୍ତି ସବ୍ୟସାଚୀ।

ସଙ୍ଗୀତ

‘ଟୋକାଟା ଫସିଗଲା’ର ଗୀତ ବେଶ୍ ଲୋକପ୍ରିୟ ହୋଇଗଲାଣି। ଏଥିରେ ଥିବା ‘ଏ ଦିଲ ତତେ ଦେଲି…’ ସବୁଠାରୁ ଆଗରେ ଅଛି। ବୈଦ୍ୟନାଥ ଦାସ ଏହାର ସଙ୍ଗୀତକାର।

Comment