ଓଡ଼ିଶାଲାଇଭ୍‌ ବ୍ୟୁରୋ

ଥାଇଲାଣ୍ଡର ଥାମଲୁଆଙ୍ଗ ଗୁମ୍ଫାରେ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଫସିରହିଥିବା ପିଲାମାନେ ଧେର୍ଯ୍ୟର ସହ ରହିବା ପଛରେ ରହିଛି ସେମାନଙ୍କର ୨୫ ବର୍ଷୀୟ କୋଚଙ୍କର ପ୍ରେରଣା। 

ଥାଇଲାଣ୍ଡର ଥାମଲୁଆଙ୍ଗ ଗୁମ୍ଫା ଭିତରେ ଫସିଥିବା ୧୩ ଜଣଙ୍କୁ ଉଦ୍ଧାର କରିବାକୁ ରବିବାର ଦିନ ଆରମ୍ଭ ହୋଇଥିଲା ଅପରେସନ୍ ‘କେଭ୍ ମେଜ୍ ବଟଲ୍ ନେକ୍’। ପ୍ରଥମ ଦିନରେ ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିବାବେଳେ ସୋମବାର ପୂର୍ବାହ୍ନ ୧୧ଟାରେ ପୁଣି ଆରମ୍ଭ ହୋଇଥିଲା ଅଭିଯାନ। ଅପରେସନରେ ସାମିଲ୍ ହୋଇଥିଲେ ୧୮ ଜଣ ଅଭିଜ୍ଞ ଡାଇଭର ବା ବୁଡାଳି। ସେମାନଙ୍କ ମଧ୍ୟରୁ ୫ ଜଣ ଥାଇ ନାଭି ସିଲର କମାଣ୍ଡୋ ହୋଇଥିବାବେଳେ ଅନ୍ୟ ୧୫ ଜଣ ବିଦେଶୀ ଡାଇଭର।

ବହୁ ଉଦ୍ୟମ ପରେ ସ୍ଥାନୀୟ ସମୟ ଅପରାହ୍ନ ୫ଟା ପୂର୍ବରୁ ପ୍ରଥମ ପିଲାକୁ ବାହାରକୁ ଅଣାଯାଇଥିଲା। ତା’ର ପ୍ରାୟ ଘଣ୍ଟାଏ ପରେ ଆଉ ଦୁଇ ଜଣ ପିଲା ସୁରକ୍ଷିତ ଭାବେ ଗୁମ୍ପାରୁ ବାହାରିଥିଲେ। ଶେଷରେ ରାତି ୭.୪୦ରେ ଆଉ ଜଣେ ପିଲାକୁ ନେଇ ବାହାରକୁ ଆସିଥିଲେ ଡାଇଭର। ଉଦ୍ଧାର ହୋଇଥିବା ପିଲାମାନଙ୍କୁ ସିଧା ହେଲିକେପ୍ଟର ମାଧ୍ୟମରେ ଚିଆଙ୍ଗରାଇର ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ପୂର୍ବଦିନ ଉଦ୍ଧାର ହୋଇଥିବା ୪ ଜଣ ପିଲା ଚିକିତ୍ସାଧୀନ ଅଛନ୍ତି।

ସୁସ୍ଥ ଅଛନ୍ତି ଖେଳାଳି

ରବିବାର ଗୁମ୍ଫାରୁ ଉଦ୍ଧାର ପରେ ଚିଆଙ୍ଗରାଇର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୪ ଜଣ ପିଲାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି କହିଛନ୍ତି ଚିଆଙ୍ଗରାଇ ପ୍ରଦେଶର ଗଭର୍ଣ୍ଣର। ସେମାନଙ୍କର ଜ୍ୱର କମିଯାଇଛି। ଜଣେ ପିଲାର ହୃତସ୍ପନ୍ଦନ କମ୍ ଥିବାବେଳେ ତାହା ମଧ୍ୟ ଆଜି ସ୍ୱାଭାବିକ ହୋଇଛି। ସମସ୍ତ ପିଲା ଉଦ୍ଧାର ସମୟରେ ହାଇପୋଥର୍ମିଆ (ଅଧିକ ସମୟ ଧରି ଡାଇଭ କରିବା ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଥାଏ)ରେ ପୀଡ଼ିତ ଥିଲେ। ଦୁଇଜଣଙ୍କର ଫୁସଫୁସ୍ ସଂକ୍ରମିତ ହୋଇଥିଲା। ତେଣୁ ଆଣ୍ଟିବାଇଓଟିକ୍ସ ସାହାଯ୍ୟରେ ସେମାନଙ୍କର ଚିକିତ୍ସା କରାଯାଉଛି।

ପିଲାମାନେ ଏବେ ସ୍ୱାଭାବିକ ଭାବେ ଖାଇବା ପିଇବା କରୁଛନ୍ତି। ଆଜି ସେମାନେ ଖାଇବା ପାଇଁ ଥାଇଲାଣ୍ଡର ଗୋଟିଏ ଲୋକପ୍ରିୟ ଖାଦ୍ୟ (ମାଂସର ଆଇଟମ) ମାଗିଥିଲେ। ସେମାନେ ଚକୋଲେଟ୍ ଓ ବ୍ରେଡ୍ ଖାଉଛନ୍ତି। ତଥାପି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ଅନୁଧ୍ୟାନ ପାଇଁ ସେମାନଙ୍କୁ ହସ୍ପିଟାଲରେ ଆହୁରି ୭ ଦିନ ରଖାଯିବ। ଶରୀରରେ ଆବଶ୍ୟକୀୟ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବା ପରେ ଯାଇ ସେମାନଙ୍କୁ ଡିସଚାର୍ଜ କରାଯିବ ବୋଲି ଗଭର୍ଣ୍ଣର କହିଛନ୍ତି।

ଲୁଚାଯାଉଛି ପିଲାଙ୍କ ପରିଚୟ

ଗୁମ୍ଫାରୁ ଏ ଯାଏଁ ବାହାରିଛନ୍ତି ୮ ଜଣ ପିଲା। ଅଛନ୍ତି ଆହୁରି ୪ ଜଣ। ତେବେ ଦୁଇଦିନ ଭିତରେ କେଉଁମାନେ ବାହରକୁ ଆସିଛନ୍ତି ଏବଂ ରହିଯାଇଥିବା ସେ ୪ ଜଣଙ୍କ ପରିଚୟ, ଏ ସବୁକୁ ଗୁପ୍ତ ରଖାଯାଇଛି। ଏମିତିକି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପିଲାମାନଙ୍କର ବାପା-ମା’ ତଥା ସମ୍ପର୍କୀୟମାନଙ୍କୁ ମଧ୍ୟ ସେମାନଙ୍କୁ ଭେଟିବାକୁ ଦିଆଯାଉନାହିଁ। ଏପରି କରିବା ପଛରେ ଅନ୍ୟତମ କାରଣ ହେଲା ପିଲାମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା। ସେମାନଙ୍କର ରକ୍ତ ନମୂନାକୁ ବ୍ୟାଙ୍କକ୍ର ଏକ ହସ୍ପିଟାଲକୁ ପଠାଯାଇଛି।

ବେବି ସବମରିନ୍’ ସହ ପହଞ୍ଚିଲେ ଏଲନ ମସ୍କ

ଥାମ୍ ଲୁଆଙ୍ଗ ଗୁମ୍ଫାରେ ଫସିଥିବା ଅନ୍ୟ ପିଲା ଓ ସେମାନଙ୍କର କୋଚଙ୍କୁ ଉଦ୍ଧାର କରିବା ଲାଗି ଆଜି ପୁଣି ଅପରେସନ୍ ଆରମ୍ଭ ହେବ। ତେବେ ଯଦି ଏହି ସମୟରେ କିଛି ଅସୁବିଧା ହୁଏ ସେଥିପାଇଁ ବିକଳ୍ପ ବ୍ୟବସ୍ଥା ବି କରାଯାଉଛି। ଆମେରିକାର ସ୍ପେସ ଏଣ୍ଟରପ୍ରିନର ଏଲନ ମସ୍କ ସେଠାରେ ଏକ ‘ବେବି ସବମରିନ୍’ ସହ ପହଞ୍ଚିଛନ୍ତି। ରକେଟର ଯନ୍ତ୍ରାଂଶରୁ ତିଆରି ହୋଇଥିବା ସେହି କୁନି ବୁଡ଼ାଜାହାଜ ଖୁବ୍ ହାଲ୍‌କା। ଦୁଇଜଣ ଡାଇଭର ତାକୁ ନେଇ ପାଣି ଭିତରକୁ ଯାଇପାରିବେ। ଗୁମ୍ଫାର ସର୍ପିଳ ରାସ୍ତାରେ ଏହାକୁ ଖୁବ୍ ସହଜରେ ବାହାର କରାଯାଇପାରିବ। ଗୁମ୍ଫାରେ ଫଶିଥିବା ଥାଇ ଫୁଟବଲ ଟିମ୍‌ର ନାଁ ଅନୁସାରେ ତାର ନାମ ମଧ୍ୟ ‘ୱାଇଲ୍ଡ ବୋରସ’ ରଖାଯାଇଛି ।

ବର୍ଷା ସାଜିଛି ବାଧକ

ଚିଆଙ୍ଗରାଇ ପ୍ରଦେଶର ଗଭର୍ଣ୍ଣରଙ୍କ ଅନୁସାରେ ମଙ୍ଗଳବାର ସକାଳ ୧୦ଟାରୁ ତୃତୀୟ ଅପରେସନ୍ ଆରମ୍ଭ ହେବା କଥା। କିନ୍ତୁ ପ୍ରବଳ ବର୍ଷା ଏଥିରେ ବାଧକ ସାଜିଛି। ତେଣୁ ବର୍ଷା କମ୍ ହେଲେ ପୁଣିଥରେ ଅପରେସନ୍ ଆରମ୍ଭ କରାଯିବ ବୋଲି କୁହାଯାଉଛି ।

ଗୁମ୍ଫାରେ ଏକାକୀ ରହିବେ କୋଚ୍

ଯଦି ଆଜି ଗୁମ୍ଫାରେ ଫଶିଥିବା ୪ ଜଣ ଖେଳାଳିଙ୍କୁ ଉଦ୍ଧାର କରିବା ସମ୍ଭବପର ହୁଏ ତା’ ହେଲେ ୨୫ ବର୍ଷୟ କୋଚ୍ ଏକାପୋଲଙ୍କୁ ଆଜି ରାତିଟି ଗୁମ୍ଫା ମଧ୍ୟରେ କଟାଇବାକୁ ପଡ଼ିବ। କାରଣ ଥରକେ ୪ ଜଣ ପିଲାଙ୍କୁ ଉଦ୍ଧାର କରିବାର ଫର୍ମୁଲା ଠିକ୍ ଭାବେ କାମ କରୁଛି ।

ବୌଦ୍ଧଭିକ୍ଷୁ କୋଚ୍

ଗୁମ୍ଫା ମଧ୍ୟରେ ଏତେ ଦିନ ପିଲାମାନେ ଧେର୍ଯ୍ୟର ସହ ରହିବା ପଛରେ ରହିଛି ସେମାନଙ୍କର ୨୫ ବର୍ଷୀୟ କୋଚଙ୍କର ପ୍ରେରଣା। କୋଚ୍ ଏକାପୋଲ ନିଜେ ନଖାଇ ତାଙ୍କ ପାଖରେ ଥିବା ଖାଦ୍ୟକୁ ପିଲାମାନଙ୍କୁ ଖାଇବାକୁ ଦେଇଥିଲେ। ଗୁମ୍ଫା ମଧ୍ୟରେ ବଞ୍ଚିରହିବା ପାଇଁ ସେମାନଙ୍କର ମନୋବଳକୁ ବୃଦ୍ଧି କରିଥିଲେ। କାରଣ ପୂର୍ବରୁ ବି ସେ ଏପରି ଦୁଃଖଦ ପରିସ୍ଥିତି ଦେଇ ଗତି କରିସାରିଛନ୍ତି। ଏକ ମହାମାରୀରେ ନିଜର ବାପା, ମା’ ଓ ପରିବାରକୁ ହରାଇଥିଲେ ସେ। ତା’ ପରେ ଏକ ବୌଦ୍ଧମଠର ଶରଣାପନ୍ନ ହୋଇଥିଲେ। ସେଠାରେ ରହିବା ଅବସ୍ଥାରେ ସେ ମାନସିକ ଶାନ୍ତି ପାଇଁ ଫୁଟବଲ ଖେଳୁଥିବା କଥା କହିଥିଲେ ।

Comment