ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ବିଗତ ଦିନର ନାୟିକା ନୀତୁ ସିଂହ ଓ ଅଭିନେତା ଋଷି କପୁରଙ୍କ ପ୍ରେମ ସମ୍ପର୍କର ଆଉ ଏକ ରୋଚକ କାହାଣୀ

ସତୁରି ଦଶକର ଚୁଲ୍‌ବୁଲି ନାୟିକା ଥିଲେ ନୀତୁ ସିଂହ। ନୀତୁ ସିଂହ ଏଭଳି ଅନେକ ଚରିତ୍ର ପରଦା ଉପରେ ନିଭାଇଛନ୍ତି, ଯାହାକୁ ଦର୍ଶକ ଭୁଲିପାରିବେ ନାହିଁ।

ନୀତୁ ସିଂହଙ୍କର ପ୍ରକୃତ ନାମ ହେଲା ହରନୀତ କୌର ସିଂହ। କିନ୍ତୁ ଏବେ ସେ ନୀତୁ କପୁର ନାଆଁରେ ପରିଚିତ। ସେ ୧୯୫୮ ମସିହା ଜୁଲାଇ ୮ ତାରିଖରେ ଜନ୍ମ ହୋଇଥିଲେ। ମାତ୍ର ଆଠ ବର୍ଷ ବୟସରେ ନୀତୁ ‘ବେବି ସୋନିଆ’ ନାଁରେ ସିନେଜଗତରେ ପାଦ ଥାପିଥିଲେ। ୧୯୬୬ରେ ରିଲିଜ୍ ହୋଇଥିବା ସିନେମା ‘ସୂରଜ’ରେ ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କରିଥିଲେ ସେ। ଏହାପରେ ତାଙ୍କୁ ‘ୱାରିସ୍’, ‘ପବିତ୍ର ପାପୀ’, ‘ଦଶ ଲାଖ୍’ ଓ ‘ଘର୍‌ ଘର୍ କୀ କାହାନୀ’ ଆଦି ସିନେମାରେ ଶିଶୁ କଳାକାର ଭାବେ ତାଙ୍କୁ ଦେଖିବାକୁ ମିଳିଥିଲା।

ମାତ୍ର ପନ୍ଦର ବର୍ଷ ବୟସରେ ନୀତୁ ସିଂହ ‘ରିକ୍ସାବାଲା’ ଟାଇଟଲରେ ନିର୍ମିତ ଏକ ସିନେମାରେ ପ୍ରଥମେ ନାୟିକା ଭୂମିକା ନିଭାଇଥିଲେ। ଏଥିରେ ନୀତୁଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ଋଷି କପୁରଙ୍କ ବଡଭାଇ ରଣଧୀର କପୁର। ଏହି ସିନେମା ସୁପରଫ୍ଲପ୍ ହୋଇଥିଲା।

ଲଗାତାର ଫ୍ଲପ୍ ସିନେମା ଦେବାପରେ ନୀତୁ ସିଂହ ସୁପରହିଟ୍ ଫିଲ୍ମ ‘ୟାଦୋଁ କି ବାରାତ୍‌’ରେ ଡ୍ୟାନସରର ଭୂମିକା ନିଭାଇଥିଲେ। ଏଥିରେ ଥିବା ‘ଲେକର ହମ୍ ଦିୱାନା ଦିଲ୍’ ଗୀତ ସୁପରଡୁପର ହିଟ୍ ହେଲା। ତା’ ପରେ ନୀତୁ ବନିଗଲେ ବଲିଉଡର ହଟ୍ ହିରୋଇନ୍।

ନୀତୁ ସିଂହ ତାଙ୍କର କ୍ୟାରିଅରରେ ସବୁଠାରୁ ଅଧିକ ସିନେମା କରିଛନ୍ତି ଋଷି କପୁରଙ୍କ ସହ। ଋଷି-ନୀତୁଙ୍କ ଯୋଡ଼ିକୁ ଦର୍ଶକମାନେ ଏଗାରଟି ହିନ୍ଦୀ ସିନେମାରେ ଦେଖିବାକୁ ପାଇଛନ୍ତି। ଏହି ଫିଲ୍ମଗୁଡ଼ିକ ହେଲା ‘ଜହରୀଲା ଇନସାନ୍’, ‘ଜିନ୍ଦା ଦିଲ୍’, ‘ଖେଲ୍ ଖେଲ ମେଁ’, ‘ରଫୁ ଚକ୍‌କର’, ‘କଭି କଭି’, ‘ଦୁସରା ଆଦ୍‌ମୀ’, ‘ଅମର, ଆକବର ଆନ୍ଥୋନୀ’, ‘ପତି ପତ୍ନୀ ଔର ୱୋ’, ‘ଅଞ୍ଜାନେ ମେଁ’, ‘ଝୁଠା କହିଁକା’, ‘ଦୁନିୟାଁ ମେରି ଜେବ୍ ମେଁ’ ଓ ‘ଧନ ଦୌଲତ୍’।

ଋଷି କପୁର ଓ ନୀତୁ ସିଂହଙ୍କ ପ୍ରେମ କାହାଣୀ କୌଣସି ସିନେମାର କଥାବସ୍ତୁ ଭଳି ମନେ ହୁଏ। ଏ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋ‍ଇଥିଲା ସୋ’ମ୍ୟାନ୍ ରାଜକପୁରଙ୍କ ‘ବବି’ ଫିଲ୍ମର ସୁଟିଂ ସେଟ୍‌ରେ।

ପ୍ରଥମ ଦେଖାରେ ଋଷି କପୁର ନୀତୁଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ବିଶେଷକରି ନୀତୁ ସିଂହଙ୍କର ସରଳତାରେ ପ୍ରଭାବିତ ହୋଇଥିଲେ ଋଷି। ତା’ପରେ ଋଷି ଓ ନୀତୁଙ୍କୁ ଏକାଠି କାମ କରିବାର ସୁଯୋଗ ମିଳିଥିଲା ‘ଜହରୀଲା ଇନସାନ୍’ ଫିଲ୍ମରେ। ଏହି ଫିଲ୍ମର ସୁଟିଂ ସେଟ୍‌ରେ ଋଷି କପୁର ନୀତୁ ସିଂହଙ୍କୁ ଖୁବ୍ ହଇରାଣ କରୁଥିଲେ। ହେଲେ ଏହାକୁ କେହି ବି ପ୍ରେମ ବୋଲି ଧରିପାରିନଥିଲେ।

‘ଜହରୀଲା ଇନ୍‌ସାନ୍’ର ସୁଟିଂ ଶେଷ କରି ଋଷି କପୁର ବିଦେଶ ଚାଲି ଯାଇଥିଲେ। ସେଠାରୁ ସେ ନୀତୁ ସିଂହଙ୍କୁ ଟେଲିଗ୍ରାମ୍ ଜରିଆରେ ପ୍ରେମ ନିବେଦନ କରିଥିଲେ। ସେ ସେଥିରେ ଲେଖିଥିଲେ ‘ୟେ ଶିଖଣି ବଡି ୟାଦ୍ ଆତି ହେ’।

ଏହି ଟେଲିଗ୍ରାମ୍ ପାଇବା ପରେ ନୀତୁ ବି ଋଷିଙ୍କୁ ଭଲ ପାଇବସିଥିଲେ। ବିଦେଶରୁ ଫେରିବା ପରେ ଋଷି କପୁର ନୀତୁ ସିଂହଙ୍କୁ ପ୍ରପୋଜ୍ କରିଥିଲେ ଓ ନୀତୁ ବି ତତକ୍ଷଣାତ୍ ରାଜି ହୋଇଥିଲେ।

କପୁର ଖାନଦାନର ନିୟମ ଅନୁଯାୟୀ ବିବାହ ପରେ ବୋହୂକୁ ଅଭିନୟ ଛାଡ଼ିବାକୁ ପଡ଼ିବ। ଏକଥା ଜାଣିଥିଲେ ନୀତୁ ସିଂହ। ସେ ଏହି ନିୟମକୁ ପାଳନ କରିଥିଲେ। ଏଥିପାଇଁ ସେ ବିବାହ ଆଗରୁ ଯେଉଁସବୁ ଫିଲ୍ମର ସାଇନିଂ ଆମାଉଣ୍ଟ ନେଇଥିଲେ, ତାହା ନିର୍ମାତାମାନଙ୍କୁ ଫେରାଇ ଦେଇଥିଲେ।

Comment