ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜଗତର ନାଥ ଜଗନ୍ନାଥଙ୍କ ପୌରାଣିକ ଉପାଖ୍ୟାନକୁ ନେଇ ତିଆରି ହୋଇଛି କିଛି ସିନେମା ଆସନ୍ତୁ ନଜର ପକାଇବା ସେହିସବୁ ଓଡ଼ିଆ ସିନେମା ଉପରେ…

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଓଡିଆ ଭାଷାରେ କିଛି ଚଳଚ୍ଚିତ୍ର ନିର୍ମିତ ହୋଇଛି। ସେହିସବୁ ସିନେମା ବିଷୟରେ ଆସନ୍ତୁ ଜାଣିବା…

ଭକ୍ତ ସାଲବେଗ

ଶ୍ରୀ ଜଗନ୍ନାଥଙ୍କ ମହିମା ଉପରେ ଆଧାରିତ ସିନେମା ‘ଭକ୍ତ ସାଲବେଗ’ ସିନେମା ୧୯୮୩ର ଏକ ବହୁଚର୍ଚ୍ଚିତ ସିନେମା। ଜୟ ଜଗନ୍ନାଥ ଫିଲ୍ମସ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରାଧା ପଣ୍ଡା। ଏହା ୧୯୮୩ରେ ରିଲିଜ୍ ହୋଇଥିଲା। ଏହି ସିନେମାର କାହାଣୀ ଓ ସଂଳାପ ରଚନା କରିଥିଲେ ବ୍ୟୋମକେଶ ତ୍ରିପାଠୀ। ଚିତ୍ରନାଟ୍ୟ ପ୍ରସ୍ତୁତି କରିଥିଲେ ପ୍ରୟାଗରାଜ। ଭୁବନେଶ୍ୱର ମିଶ୍ର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘ଭକ୍ତ ସାଲବେଗ’ ସିନେମାରେ ଉତ୍ତମ ମହାନ୍ତି, ଅପରାଜିତା, ଶରତ ପୂଜାରୀ, ଦୁଃଖିରାମ ସ୍ୱାଇଁ, ବୀରେନ୍ ରାଉତରାୟ, ଅନୀତା ଦାସ ଓ ବ୍ୟୋମକେଶ ତ୍ରିପାଠୀ ପ୍ରମୁଖ ଅଭିନୟ କରିଥିଲେ।

ଶ୍ରୀ ଜଗନ୍ନାଥ

କ୍ରାନ୍ତି ଏଣ୍ଟରପ୍ରାଇଜେସ୍ ଦ୍ୱାରା ନିର୍ଦ୍ଦେଶିତ ତଥା କ୍ରାନ୍ତି କୁମାରଙ୍କ ଦ୍ୱାରା ପ୍ରଯୋଜିତ ଓଡ଼ିଆ ସିନେମା ‘ଶ୍ରୀ ଜଗନ୍ନାଥ’ ୧୯୭୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ମୁକ୍ତିଲାଭ କରିଥିଲେ। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ବିଜୟ ଭାସ୍କର। ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଜଗନ୍ନାଥଙ୍କ ଆବିର୍ଭାବ ଓ ମହିମାକୁ ଏଥିରେ ଦର୍ଶାଯାଇଥିଲା। ଏହି ସିନେମାରେ ଧୀରେନ୍ ଦାସ, ଚକ୍ରପାଣି, ଝରଣା ଦାସ ଓ ଲୁନା ମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ।

ନୀଳମାଧବ

ଶ୍ରୀପତି ଫିଲ୍ମସ୍‍ ଦ୍ୱାରା ପ୍ରସ୍ତୁତ ‘ନୀଳମାଧବ’ ମଧ୍ୟ ଏହି ଶ୍ରେଣୀଭୁକ୍ତ ସିନେମା। ଏହାର ଚିତ୍ରନାଟ୍ୟ, ଚିତ୍ରଗ୍ରହଣ ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ଜେ ପି ଭଗତ। ଏହାର ସଂଳାପ ଲେଖିଥିଲେ ପୂର୍ଣ୍ଣ ମଲିକ। ଏନ୍ କୁମାର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ମମତା, ଜୟା, ରାମ ପ୍ରତିହାରୀ ଓ ଜୟୀ ପ୍ରମୁଖ ଅଭିନୟ କରିଥିଲେ।

ଲଳିତା

୧୯୪୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ହେଲା ‘ଲଳିତା’। ଏହାର ପ୍ରଯୋଜନା କରିଥିଲେ ଗୌରେନ୍ଦ୍ର ପ୍ରତାପ ସିଂହ ଦେଓ। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ କଲ୍ୟାଣ ଗୁପ୍ତ। ଏହି ଓଡ଼ିଆ ସିନେମାର କାହାଣୀ, ସଂଳାପ ଓ ଗୀତ ରଚନା କରିଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଗୌର ଗୋସ୍ୱାମୀ। ସୁରେନ୍ ପାଲ୍ ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଲୋକନାଥ ମିଶ୍ର ଓ ଉମା ଗୋଏଙ୍କା ଥିଲେ ଏଥିରେ ମୁଖ୍ୟ ଭୂମିକାରେ ଥିଲେ।

ମହାଲକ୍ଷ୍ମୀ ପୂଜା

ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ ପକ୍ଷରୁ କୃଷ୍ଣଚନ୍ଦ୍ର ତ୍ରିପାଠୀ ତିଆରି କରିଥିଲେ ‘ମହାଲକ୍ଷ୍ମୀ ପୂଜା’ ଶୀର୍ଷକ ଓଡ଼ିଆ ଚଳଚ୍ଚିତ୍ର, ଯେଉଁଥିରେ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗ ଥିଲା ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱନାଥ ନାୟକ ଥିଲେ ଏହାର ନିର୍ଦ୍ଦେଶକ। ସଂଳାପ, କାହାଣୀ ଓ ଚିତ୍ରନାଟ୍ୟ ଲେଖିଥିଲେ ସତ୍ୟ ନାରାୟଣ ପଣ୍ଡା। ଏଥିରେ ଶରତ ପୂଜାରୀ, ଧୀର ବିଶ୍ୱାଳ, ଅନୁଭା ଓ ସେଫାଳି ପ୍ରମୁଖ ଅଭିନୟ କରିଥିଲେ।

ଶ୍ରୀ ଶ୍ରୀ ପତିତପାବନ

ସୁକୁମାର ଗାଙ୍ଗୁଲିଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ‘ଶ୍ରୀ ଶ୍ରୀ ପତିତପାବନ’ରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗ ପ୍ରଦର୍ଶିତ ହୋଇଥିଲା। ଏହାର ସଂଳାପ ଲେଖିଥିଲେ ହରିହର ମିଶ୍ର। ରଘୁନାଥ ପାଣିଗ୍ରାହୀ, ଚନ୍ଦନ ଓ ରାଧାମଣି ମହାପାତ୍ର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହି ସିନେମାରେ ଶ୍ୟାମସୁନ୍ଦର, ଚିନ୍ତାମଣି ଓ ଲକ୍ଷ୍ମୀପ୍ରିୟା ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ।

ଜୟ ଜଗନ୍ନାଥ

ଓଡ଼ିଶାର ଖ୍ୟାତନାମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଏକ ଚର୍ଚ୍ଚିତ ସିନେମା ହେଲା ‘ଜୟ ଜଗନ୍ନାଥ’। ଏଥିରେ ଶ୍ରୀତମ୍ ଦାସ, ପିଣ୍ଟୁ ନନ୍ଦ, ଜ୍ୟୋତି ମିଶ୍ର, ହର ପଟ୍ଟନାୟକ ଓ ଶରତ ପୂଜାରୀ ପ୍ରମୁଖ ଅଭିନୟ କରିଥିଲେ। ଏହା ଓଡ଼ିଆ ବ୍ୟତୀତ ଅନ୍ୟାନ୍ୟ ଭାଷାରେ ବି ରିଲିଜ୍ ହୋଇଥିଲା। ଏହି ସିନେମାର ସଂଳାପକାର ଥିଲେ ଡକ୍ଟର ରଜନୀ ରଞ୍ଜନ ଓ ସଙ୍ଗୀତକାର ଥିଲେ ଅକ୍ଷୟ ମହାନ୍ତି।

Comment