ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ଷ୍ଟାର ବାବୁସାନ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି କେତେବେଳେ ନିଜ ଫିଲ୍ମ ପାଇଁ ତ କେତେବେଳେ ନିଜ ଡିଜେୱାଲା ଡ୍ୟାନ୍ସ ପାଇଁ ଆସନ୍ତୁ ଜାଣିବା ବାବୁସାନଙ୍କ ବିଷୟରେ ଆଉ କିଛି କଥା, ଯାହା ଉପରେ ଚର୍ଚ୍ଚା ବେଶ୍‌ ଜୋର ଧରିଥିଲା…

ଗେଷ୍ଟ ରୋଲ୍ ପାଇଁ ନେଇଥିଲେ ପାଞ୍ଚ ଲକ୍ଷ ଟଙ୍କା

‘ଝିଅଟା ବିଗିଡ଼ି ଗଲା’ ଚଳଚ୍ଚିତ୍ରରେ ଗେଷ୍ଟ ଆପିଅରାନ୍‌ସ୍‌ରେ ଦେଖାଦେଇଥିଲେ ସୁପରଷ୍ଟାର ବାବୁସାନ। ଏହି ସିନେମାର ପ୍ରଯୋଜକ ଥିଲେ ଶଚିକାନ୍ତ ଜେନା ଓ ନିର୍ଦ୍ଦେଶକ ଥିଲେ ବିନି ପଟ୍ଟନାୟକ।

‘ଝିଅଟା ବିଗିଡିଗଲା’ରେ ରୁଦ୍ର, ଜୀନା ଓ ଏଲିନା ସାମନ୍ତରାୟ ଲିଡ୍ ରୋଲ୍‌ରେ ନଜର ଆସିଥିଲେ। ଆଉ ଏଥିରେ ବାବୁସାନଙ୍କୁ ଦେଖିବାକୁ ମିଳିଥିଲା ସ୍ପେସିଆଲ୍ ଆପିଅରାନ୍ସରେ। ଏହି ଚଳଚ୍ଚିତ୍ରର ସୁଟିଂ ସମୟରେ ଓଲିଉଡରେ ଜୋରସୋରରେ ଚର୍ଚ୍ଚା ହେଲା ଯେ ଏହି ଫିଲ୍ମ ପାଇଁ ବାବୁସାନ୍ କୁଆଡେ ପାଞ୍ଚ ଲକ୍ଷ ଟଙ୍କା ନେଇଛନ୍ତି।

ଗୁଣ୍ଡାହେବାକୁ ମନା କରିଦେଇଥିଲେ ବାବୁସାନ୍

ଓଲିଉଡ ସୁପରଷ୍ଟାର ବାବୁସାନ୍ ବେଶ୍ କେତୋଟି ଓଡ଼ିଆ ସିନେମାରେ ଟାଇଟଲ୍ ରୋଲ୍ କରିଛନ୍ତି। ତାଙ୍କୁ ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସୁଭାଶିଷ ପତି ନିଜର ଓଡ଼ିଆ ସିନେମା ‘ଗୁଣ୍ଡା’ରେ ଟାଇଟଲ୍ ରୋଲ୍ ପାଇଁ ଆପ୍ରୋଚ୍ କରିଥିଲେ। ବାବୁସାନ୍ କାହାଣୀ ମଧ୍ୟ ଶୁଣିଥିଲେ, ହେଲେ ସେ ରାଜି ହୋଇନଥିଲେ।

ବାବୁସାନ୍ କେବଳ ରୋମାଣ୍ଟିକ୍ କମେଡି ଫିଲ୍ମରେ କାମ କରି ପସନ୍ଦ କରୁଥିବାରୁ ‘ଗୁଣ୍ଡା’ରେ କାମ କରିବାକୁ ଉଚିତ ମନେ କରିନଥିଲେ। ‘ଗୁଣ୍ଡା’ ଏକ ଆକ୍‌ସନ୍‌ ଧର୍ମୀ ସିନେମା ଥିଲା। ସିଦ୍ଧାନ୍ତଙ୍କୁ ଟାଇଟଲ ରୋଲ୍‌ରେ ନେଇ ଫିଲ୍ମଟି ନିର୍ମାଣ କରିଥିଲେ ନିର୍ଦ୍ଦେଶକ ସୁଭାଶିଷ ପତି।

ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ନଜର ଆସିଥା’ନ୍ତେ ବାବୁସାନ

ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଏକ ଓଡ଼ିଆ ସିନେମାରେ ବାବୁସାନଙ୍କ ନାୟିକା ବନିବେ ବୋଲି ଚର୍ଚ୍ଚା ଲାଗି ରହିଥିଲା। ହେଲେ ଶେଷ ମୁହୂର୍ତ୍ତରେ ତାଙ୍କୁ ସେଥିରୁ ବାଦ୍‌ ଦିଆଯାଇଥିଲା ଓ ଜଣେ ନବାଗତା ନାୟିକାଙ୍କୁ ନିଆଯାଇଥିଲା ବାବୁସାନ୍‌ଙ୍କ ବିପକ୍ଷରେ। ଏଠାରେ ଯେଉଁ ଓଡ଼ିଆ ସିନେମା କଥା କୁହାଯାଉଛି, ତାହା ହେଲା ‘ସିଷ୍ଟର ଶ୍ରୀଦେବୀ’।

୨୦୧୭ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ କାମ ଚାଲିଥିବା ବେଳେ ଚର୍ଚ୍ଚା ଜୋର ଧରିଥିଲା ଯେ ଏଥିରେ ବର୍ଷା ପ୍ରିୟଦର୍ଶିନୀ ବାବୁସାନଙ୍କ ନାୟିକା ବନିବେ। ଏହି ଚର୍ଚ୍ଚା ଉଭୟ ବାବୁସାନ୍ ଓ ବର୍ଷାଙ୍କ ଫ୍ୟାନମାନଙ୍କ ପାଇଁ ରୋମାଞ୍ଚକର ଖବର ମଧ୍ୟ ଥିଲା।

ହେଲେ ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’ରେ ଶେଷ ମୁହୂର୍ତ୍ତରେ ବର୍ଷାଙ୍କ ସ୍ଥାନରେ ନବାଗତା ନିକି ଓରଫ୍ ଶିବାନୀଙ୍କୁ ନିଆଯାଇଥିଲା। ଯଦି ସେପରି ହୋଇନଥାନ୍ତା, ତେବେ ଦର୍ଶକ ପରଦାରେ ବାବୁସାନ-ବର୍ଷାଙ୍କ ଯୋଡ଼ିକୁ ଦେଖିଥାନ୍ତେ।

Comment