ଡକ୍ଟର ଭାଗ୍ୟଲିପି ମଲ୍ଲ
ଘୋଷଯାତ୍ରାରେ ଅବତୀର୍ଣ୍ଣ ବ୍ରହ୍ମାଣ୍ଡର ଈଶ୍ୱର। ଅପୂର୍ବ ତିନିରଥର ଶୋଭାରେ ଝଲସି ଉଠୁଛି ଶରଧାବାଲି ସିଂହଦ୍ୱାରଠୁ ଶରଧାବାଲିଯାଏ ପ୍ରତିଟି ରେଣୁକଣାରେ ସମ୍ମୋହନର ସ୍ପର୍ଶ। ପ୍ରତିଟି ପ୍ରାଣ ବିଭୁମୟ, ବୈଭବମୟ। ଶ୍ରୀକ୍ଷେତ୍ରର ଆକାଶରେ ଅଭୂତ ଉନ୍ମାଦନା। ଶୁଭଙ୍କର ଅନୁକୂଳ ପବନରେ ବଡ଼଼ଦାଣ୍ଡ ପୁଲକିତ ଲାଗୁଛି, ଯେମିତି ତିନୋଟି ପ୍ରାଣର ସ୍ପନ୍ଦନ ଏକତ୍ର ବିରାଜମାନ କରିଛନ୍ତି। ତ୍ରିବେଣୀ ସଂଗମର ସ୍ରୋତରେ ତିନୋଟି ସୁସଜ୍ଜିତ ବୋଇତ ସତେକି ଉଭା ହୋଇଛନ୍ତି। ବଡ଼଼ଦାଣ୍ଡ ଶତବର୍ଣ୍ଣର ସମ୍ଭାରରେ ଉଦ୍ଭାସିତ। ଅସଂଖ୍ୟ ବ୍ୟାକୁଳିତ ଆତ୍ମା ଚାହିଁ ରହିଛନ୍ତି ସେହି ପରମ ରହସ୍ୟକୁ। ତିନୋଟିଯାକ ରଥ ଏବେ ପରିପୂର୍ଣ୍ଣ ବାହାରି ଆସିଛନ୍ତି ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ।
ସବୁ ରହସ୍ୟର ରହସ୍ୟ, କୋଟିବ୍ରହ୍ମାଣ୍ଡର ପତି ଶ୍ରୀଜଗନ୍ନାଥ ବିଜେ କରିଛନ୍ତି ନନ୍ଦିଘୋଷ ଉପରେ।ପୀତ-ଲୋହିତ ବର୍ଣ୍ଣରେ ସୁସଜ୍ଜିତ ରଥ। ରଥ ଉପରେ ଗରୁଡ଼ଧ୍ୱଜ ପତାକା। ପଲକହୀନ ଚକ୍ଷୁର ବିସ୍ତାରରେ ନନ୍ଦିଘୋଷ ଉପରୁ ଚାହିଁ ରହିଛନ୍ତି ଅଗଣିତ ପ୍ରଣତ ଆତ୍ମାଙ୍କୁ।ପରିପୂର୍ଣ୍ଣ କରିଦେଉଛନ୍ତି ସକଳ ଶୂନ୍ୟ ହୃ଼ଦୟକୁ। ସେ ଆଖି ଅବିଚଳିତ, ଅପଲକ କିନ୍ତୁ ଆଶ୍ଚର୍ଯ୍ୟ! ଏପଲକହୀନ ଆଖି କେମିତି ନିୟନ୍ତ୍ରଣ କରୁଛି ଗତିଶୀଳତାକୁ? ନନ୍ଦିଘୋଷ ଉପରେ ବସି କହୁନାହାନ୍ତି ତ, ଏ ଅପଲକ ଆଖିରେ ଥରେ ଆଖି ମିଶିଗଲେ ପ୍ରପଞ୍ଚ ଭିତରେ ଥିବା ସକଳ ଭଙ୍ଗୁରତା, ସଂଶୟ, ଗ୍ଳାନି, ଦୁଃଖ ନିମିଷକେ ମିଳେଇଯାଏ ବୋଲି? କହୁନାହାନ୍ତି ତ, ଏ ଅପଲକ ଆଖିତଳେ ଜୀବନର ସ୍ରୋତ ନିରବରେ ବହିଚାଲିଛି ଆଗକୁ ବୋଲି? ସତର୍କ କରିଦେଉନାହାନ୍ତି ତ ମୃତ୍ୟୁର କରାଳସିନ୍ଧୁ ଆଡ଼କୁ ଆଉ କେତେବାଟ ମାତ୍ର ଯାତ୍ରା? କେଜାଣି! ତାଙ୍କ ରହସ୍ୟକୁ ବୁଝିବାକୁ କାହାର ବା ସାଧ୍ୟ ଅଛି? ସେଇଥିପାଇଁ ତ ତାଙ୍କୁ କୁହାଯାଏ ‘ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ ଦେବା ନ ଜାନନ୍ତି କୁତୋ ମନୁଷ୍ୟଃ’।
ନନ୍ଦିଘୋଷ ଉପରୁ ମୁରୁକି ହସୁଛନ୍ତି ଆଜି ବିଜେ କରିବେ ଆଡ଼ପମଣ୍ଡପରେ। ଗୁଣ୍ଡିଚା ରାଣୀଙ୍କର ପ୍ରତୀକ୍ଷା। ସକଳ ବ୍ୟଗ୍ରତା ଭିତରେ ବି ସେ ଚକାଚକା ଆଖି କିନ୍ତୁ ସେମିତି ଅବିଚଳିତ। ସେ ଆଖିର ଏକାଗ୍ରତା, ଗଭୀରତା, ବ୍ୟାକୁଳତା ଯେମିତି ଉଦ୍ଘୋଷଣା କରୁଛି- ଆସ! ଏ ମହାବିନ୍ଦୁରେ ସମାହିତ ହୋଇଯାଅ। ଏ ଦୁଇଟି ବିନ୍ଦୁ ନୁହେଁ ତ- ଗୋଟିଏ ଚନ୍ଦ୍ର, ଅନ୍ୟଟି ସୂର୍ଯ୍ୟ। ଗୋଟିଏ କ୍ଷମା, ଅନ୍ୟଟି ଆନନ୍ଦର ଉତ୍ସ। ଏ ଆଖିର ସମ୍ମୋହନ ଯେମିତି କହୁଛି ‘ଆଖିର ପଲକ ତୋର ଆକାଶ ପୃଥିବୀ ଯୋଡ଼େ/ଆଖିର ପଲକ ଆଣେ ସମୁଦ୍ରରେ ଢେଉ/ଆଖିର ଇଙ୍ଗିତେ ଖୋଲେ କଳାଧଳା ଦୁଇ ଡେଣା/ତୋ ଆଖିରେ କ୍ଷୟ ହୁଏ ସମୟର ଆୟୁ’’।
ଅଖିଳ ବ୍ରହ୍ମାଣ୍ଡରପତି ବାହାରି ଆସିଛନ୍ତି ଶ୍ରୀମନ୍ଦିରରୁ ଏକୁଟିଆ ଅଛନ୍ତି ବିରହୀବିଧୁରା ମା’ ଲକ୍ଷ୍ମୀ। ପ୍ରଭୁ ବିଜେ କରିବେ ନିଜ ଜନ୍ମସ୍ଥାନ ଯଜ୍ଞବେଦିରେ। ଏବେ ତିନି ରଥ ଭିତରେ ବିରାଜିତ ଭକ୍ତଙ୍କୁ ମନଭରି ଦେଖିସାରିବା ପରେ ଯିବେ ଭିତରକୁ। ବଡ଼଼ଦାଣ୍ଡର ଏ ମୁଣ୍ଡରୁ ସେ ମୁଣ୍ଡ ସବୁଠି ମାଧୁରିମାଭରା ଉଚ୍ଛ୍ୱାସ। ଭାବତରଙ୍ଗର ତନ୍ମୟରେ ସକଳପ୍ରାଣ ରୋମାଞ୍ଚିତ। ଶରଧାବାଲିର ବାଲିକଣାରେ ଅଖଣ୍ଡ ଆଶିଷର ସମ୍ମୋହିତ ସ୍ପର୍ଶ ମୃ଼ଦୁପବନର ହିଲ୍ଲୋଳରେ ପାବକତାର ଅମୃତ ଅନୁଭବ। ଆକାଶରେ ପରିପୂର୍ଣ୍ଣ ସମର୍ପଣର ଭାବ ବେଳାଭୂମିରେ ଅତିନ୍ଦ୍ରିୟତାର ମାଦକତା। ସବୁଠି ମଙ୍ଗଳମୟପୃଥିବୀର ଉଦ୍ଘୋଷଣା। କାରଣ ସେ ବିଜେ କରିଛନ୍ତି ମର୍ତ୍ତ୍ୟରେ- ଅମର୍ତ୍ତ୍ୟର ଲାବଣ୍ୟ ସଞ୍ଚରିଦେବା ଲାଗି।
ବ୍ୟାକୁଳିତ ଭକ୍ତଙ୍କପାଇଁ ଏହା ସବୁଠୁ ମହାର୍ଘ ସମୟ ନୁହେଁ କି? ପ୍ରଭୁ ଶ୍ରୀମନ୍ଦିରରେ ନାହାନ୍ତି, କି ନାହାନ୍ତି ଏବେ ଗୁଣ୍ଡିଚା ମନ୍ଦିରରେ। କେଉଁଠି ତାହାହେଲେ ସେ ଏବେ? ସେ ତ ବେଦରେ ବର୍ଣ୍ଣିତ ପ୍ରଣବ, ଉପନିଷ଼ଦର ବ୍ରହ୍ମ, ପୁରାଣର ଈଶ୍ୱର ବା ବିଷ୍ଣୁ। ସେ ପୁଣି ମର୍ତ୍ତ୍ୟ ବୈକୁଣ୍ଠର ଦାରୁବ୍ରହ୍ମ ଜଗନ୍ନାଥ। ସେହି ଜଗନ୍ନାଥ ଏବେ ଭକ୍ତର ହୃଦୟରେ। ସେଇଥିପାଇଁ ତ ତାଙ୍କୁ କୁହାଯାଇଛି ‘ଆତ୍ମାନଂ ରଥିନଂ ବିଧି ଶରୀରଂ ରଥମେବ ତୁ, ବୁଦ୍ଧିଂ ତୁ ସାରଥିଂ ବିଧି ମନଃ ପ୍ରଗ୍ରହମେବ ଚ’’ । ମଣିଷର ଶରୀର ରଥ, ବୁଦ୍ଧି ସେ ରଥର ସାରଥୀ। ମନ ପ୍ରଗ୍ରହ ଏବଂ ଆତ୍ମା ତା’ର ଅଧିଷ୍ଠିତ ଦେବତା। ସେହି ଆତ୍ମାର ଦେବତା ଆଜି ନନ୍ଦିଘୋଷ ଉପରେ ରଥ ଉପରେ ବିଶ୍ୱବ୍ରହ୍ମାଣ୍ଡର ଅଧିପତିଙ୍କୁ ଦର୍ଶନ କରି ଉଲ୍ଲସିତ ସକଳ ଜଡ଼ଚେତନ ସକଳ ଅହଂ, ଅଭିମାନ, ଗ୍ଳାନି, ଦୁଃଖ ଯେମିତି ଧୋଇ ହୋଇଯାଉଛି ନିମିଷକେ ଦୟା ଓ କରୁଣାର ମଧୁର ଆବେଗ ଯେମିତି ସିକ୍ତ କରିଦେଉଛି ସକଳ ପ୍ରାଣକୁ। ପ୍ରେମରେ ଢଳଢଳ ଲାବଣ୍ୟନିଧି ଚାହିଁ ରହିଛନ୍ତି ନନ୍ଦିଘୋଷ ଉପରୁ। ଅପୂର୍ବ ଠାଣିରେ ସକଳ ପ୍ରଣତଆତ୍ମାକୁ ଅନୁଭବ କରୁଛନ୍ତି ନିଜ ଭିତରେ। ଭକ୍ତର ଭାବ ଆକାଶରେ ଆଜି କାଳିଆ ଚାନ୍ଦଟେ ଉଇଁଛି କି? ଉଲ୍ଲସିତ ପଦ୍ମବନରେ ସୂର୍ଯ୍ୟେ଼ବତା ମୁରୁକି ହସୁଛନ୍ତି କି? ଆଗରେ ତାଳଧ୍ୱଜ ଉପରେ ଧବଳ ସାଆନ୍ତ ବଳଭଦ୍ର, ପଛରେ ଅଛନ୍ତି ନନ୍ଦିଘୋଷରେ ଶ୍ରୀଜଗନ୍ନାଥ, ମଝିରେ ଦେବ଼ଦଳନରେ ଦେବୀ ସୁଭଦ୍ରା। ସତେକିପାରିଜାତର ପାଖୁଡ଼ାମାନେ ଅଜାଡ଼ି ହୋଇ ପଡ଼ିଛନ୍ତି ବଡ଼଼ଦାଣ୍ଡର ସିକତାରେ। ବସୁଧାର ତପୋମଗ୍ନ ଚେତନା ରଥ ଉପରୁ ଯେମିତି କହୁଛନ୍ତି ‘‘ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟେନା ଚ, ମଦ୍ ଭକ୍ତା ଯତ୍ର ଗାୟନ୍ତେ ତତ୍ର ତିଷ୍ଠାମି ନାରଦ’’। ସେ କେବଳ ରୁହନ୍ତି ଭକ୍ତର ହୃଦୟରେ।
ଭକ୍ତମାନଙ୍କର ପ୍ରେମ, ଭକ୍ତି, ଆନନ୍ଦ, ଉଲ୍ଲାସ, ଦୁଃଖ, ଗ୍ଳାନି, ଅବସୋସ, ସଂକୋଚ ସବୁ ମିଶି ଆଜି ଏକାକାର ହୋଇଯାଉଛି। ପ୍ରଭୁ ବି କେମିତି ଏତେ ବ୍ୟାକୁଳିତ ଆତ୍ମାକୁ ଏଡ଼େଇ ପାରିବେ? ତେଣୁ ତ ସେ କୁହନ୍ତି ‘‘ମୋର ହୃଦୟ ଭକ୍ତଜନ- ମୁହିଁ ଯେ ତାହାଙ୍କ ଜୀବନ’’। ଖାଲି କଥାରେ ନୁହେଁ, କାର୍ଯ୍ୟରେ କରି ଦେଖାନ୍ତି ସେ ସେଇଥିପାଇଁ ତ ସେ ଭାବବିନୋଦିଆ, ଭାବର ଠାକୁର, ଅନୁଭବର ଠାକୁର ଉପରୁ ସେହି ପ୍ରଣତ ଆତ୍ମାମାନଙ୍କୁ ଯେପରି କହୁଛନ୍ତି ‘ହେ ମୋର ଜୀବନ! ଯେହେତୁ ତୁମେ ସକଳ ମୋର ପ୍ରାଣର ପ୍ରାଣ, ତେଣୁ ସବୁକିଛି ଭୁଲିଯାଇ କେବଳ ମୋରି ଶରଣାପନ୍ନ ହୁଅ। ମୁଁ ହିଁ ତୁମର ଅଭୟ ଆଶ୍ରୟସ୍ଥଳ’’। ‘‘ସର୍ବ ଧର୍ମାନ୍ପରିତେଜ୍ୟ ମାମେକଂ ଶରଣଂ ବ୍ରଜ’’।
ବ୍ରହ୍ମାଣ୍ଡର ଈଶ୍ୱର ଶ୍ରୀଜଗନ୍ନାଥଙ୍କ ପରି ଦେବୀ ସୁଭଦ୍ରା ଉଭା ହୋଇଛନ୍ତି ଦେବ଼ଦଳନ ରଥରେ। କୃଷ୍ଣ-ଲୋହିତ ବର୍ଣ୍ଣର ଅପୂର୍ବ ରଥରେ ପଦ୍ମଧ୍ୱଜ ପତାକା ଫରଫର ଉଡ଼ୁଛି। ସ୍ନିଗ୍ଧ ମଧୁର ମୁଖମଣ୍ଡଳ। ସେ ମୁଖମଣ୍ଡଳରେ ଭରି ରହିଛି ଅଭୟ ପ୍ରଦାନର ଭାବ। ଦେବୀ ସୁଭଦ୍ରା ମହାମାୟା, ଯୋଗମାୟା, କାତ୍ୟାୟନୀ, ଭୁବନେଶ୍ୱରୀ ସକଳ ଶକ୍ତିର ସାରସ୍ବତ ରୂପ।ଜଗତ୍ଜନନୀ ଯେପରି ଅଙ୍ଗୀକାର କରିଛନ୍ତି ଭକ୍ତର ଆବେଗକୁ। ରଥ ଉପରେ ତ୍ରିପୁରାସୁନ୍ଦରୀ ନେତ। ଦେବ଼ଦଳନ ଉପରୁ ମୃଦୁ ମୃଦୁ ହସୁଛନ୍ତି ଦେବୀ ସୁଭଦ୍ରା। ବିଚିତ୍ର ବର୍ଣ୍ଣର ପୁଷ୍ପସମ୍ଭାରରେ ଅପୂର୍ବ ଦିଶୁଛନ୍ତି। ବ୍ୟାକୁଳିତ ଭକ୍ତମାନଙ୍କର ଭାବସ୍ପନ୍ଦନରେ ଉଲ୍ଲସିତ ହେଉଛନ୍ତି। ସ୍ୱୀକାର କରୁଛନ୍ତି ଏ ଦିବ୍ୟଲୀଳାକୁ। ଯୋଗ ଏବଂ ମାୟାର ମହାରୂପା। ମହାଶୂନ୍ୟରେ ଆଦ୍ୟାଶକ୍ତିର ସଂଚାର ହେବା ତ ସୃଷ୍ଟିର ଆଦିମ ସଂକେତ। ତେଣୁ ଇଚ୍ଛାରେ ତରଙ୍ଗ ସୃଷ୍ଟିହେବା ଭଳି ସୁଭଦ୍ରାଙ୍କର ଆବିର୍ଭାବ। ସେ ସକଳ ଜୀବନର ଜୀବନ।
ସକଳ ଜୀବଜଗତର ଅଭୟ ପ୍ରଦାୟିନୀ। ସମସ୍ତ ଦେବ, ସମସ୍ତ ବେଦ ଏବଂ ସକଳ ଲୋକର ଜନନୀ ପିଣ୍ଡ ଓ ବ୍ରହ୍ମାଣ୍ଡର ଅଧିଶ୍ୱରୀ ଦେବୀ। ପଦ୍ମନାଡ ଓ ପଦ୍ମବୃକ୍ଷକୁ ସଂଯୋଗ କରୁଥିବା ସୃଷ୍ଟି ପ୍ରକ୍ରିୟା। ତେଣୁ ସବୁକାଳରେ ସେ ଏକ ରହସ୍ୟ। କେତେ ତତ୍ତ୍ୱ, କେତେ କାହାଣୀ, କେତେକେତେ କିମ୍ବଦନ୍ତୀକୁ ନେଇ ତାଙ୍କର ସୃଷ୍ଟି। ସେହି ଅଭୟପ୍ରଦାୟିନୀ ସୁଭଦ୍ରା ଦର୍ଶନ ଦେଉଛନ୍ତି ଶରଧାବାଲି ଉପରୁ, ଦେବ଼ଦଳନ ରଥରେ ବସି। ସାଥିରେ ଅଛନ୍ତି ସୁ଼ଦର୍ଶନ ତାଙ୍କ ଆବିର୍ଭାବରେ ଧରା ଯେମିତି ପଦ୍ମବିମଣ୍ଡିତ ହୋଇଛି, ଜଡ଼ରୁ ଜାଡ୍ୟ ଅପସରି ଯାଇଛି। ପୃଥିବୀରେ ଶାନ୍ତି ବିରାଜିତ କରିବାପାଇଁ ଦେବୀ ବାହାରିଆସିଛନ୍ତି ଶ୍ରୀମନ୍ଦିରରୁ। କେହି କେହି ତାଙ୍କର ଏ ରଥକୁ ଦେବ଼ଦଳନ କୁହନ୍ତି ତ, କେହି ଦର୍ପଦଳନ, ପଦ୍ମଧ୍ୱଜ, କମଳଧ୍ୱଜ ବି କୁହନ୍ତି। ଏ ରଥ ପବିତ୍ରତାର ପ୍ରତୀକ, ଶ୍ରୀ’ର ପ୍ରତୀକ, କଲ୍ୟାଣରପ୍ରତୀକ। କ୍ଷମା, କୃପା, ସମତାର ରଜ୍ଜୁରେ ଅନୁବନ୍ଧିତ ସେହି ରଥ ଉପରୁ ଦେବୀ ସୁଭ଼ଦ୍ରାଙ୍କୁ ଅସଂଖ୍ୟ ଭକ୍ତ ଯୋଡ଼ହସ୍ତରେ ପ୍ରଣିପାତ କରୁଛନ୍ତି, କୃପାଭିକ୍ଷା କରୁଛନ୍ତି, ଅସାର ସଂସାରରୁ ମୁକ୍ତିର ମାର୍ଗ ଖୋଜୁଛନ୍ତି। ଯୋଡ଼ହସ୍ତରେ ନିବେଦନ କରୁଛନ୍ତି ‘‘ଯୋଗମାୟା ମହାଦେବୀ ମହାମାୟା ନମସ୍ତୁତେ ଈଶ୍ୱରୀ ଅଙ୍ଗ ଭଜନମ୍ ବ୍ରହ୍ମସ୍ଥାନେ ସ୍ମିତେ ସଦା’’। ଦେବୀଙ୍କ ରଥ ପରି ତାଙ୍କର ନାଁ ମଧ୍ୟ କେତେପ୍ରକାର । କେବେ ସେ ସ୍ତମ୍ଭେଶ୍ୱରୀ, କେବେ ଯୋଗମାୟା, ଲକ୍ଷ୍ମୀ, ରାଧା, ବ୍ରହ୍ମା, ବ୍ରହ୍ମସ୍ୱରୂପିଣୀ, ଆ଼ଦ୍ୟା, କାମ୍ପିଲ୍ୟବାସିନୀ ତ ପୁଣି କେବେ ଦୁର୍ଗା। ସେ ସବୁରି ଊର୍ଦ୍ଧ୍ୱରେ ସୁଭଦ୍ରା। ଅର୍ଥାତ୍, ସୁଭଦ୍ରା ତାଙ୍କର ଆଉ ଏକ ଊହ୍ୟ ନାମ ବି ରହିଛି। ସୋମେନ୍ଦ୍ର। ଅର୍ଥାତ୍, ଛୋଟ ସମୁ଼ଦ୍ର। ଏହି ନାମରେ ସେ ଅନନ୍ତପୁରୁଷଙ୍କ ସାନ୍ନିଧ୍ୟ ଲାଭକରି ଅସୀମ ଶକ୍ତିରେ କ୍ରିୟାଶୀଳ ହୋଇ ବ୍ରହ୍ମମୟୀ ରୂପରେ ରତ୍ନସିଂହାସନର କେନ୍ଦ୍ରବିନ୍ଦୁରେ ଅବସ୍ଥାନ କରିଥାନ୍ତି। ସେହି ଜୀବଜଗତର ଅଭୟପ୍ରଦାୟିନୀଙ୍କୁ ଆଡ଼ପମଣ୍ଡପରେ ବିଜେପୂର୍ବରୁ ଦେବଦଳନରେ ଦର୍ଶନ କରୁଛନ୍ତି ଅଗଣିତ ଭକ୍ତ।
ସାନଭାଇ, ଭଉଣୀଙ୍କୁ ବାଟ କଢ଼େଇ ଆଣିଛନ୍ତି ବଡ଼ଭାଇ ବଳଭଦ୍ର। ଆମ ସଂସ୍କୃତିରେ ବଡ଼ଭାଇ ତ ସବୁବେଳେ ମଙ୍ଗୁଆଳ ତାଳଧ୍ୱଜ ରଥରେ ସେ ଚତୁର୍ଦ୍ଦିଗ ବ୍ରହ୍ମାଣ୍ଡର ଭାର ବହନ କରି ଉଭା ହୋଇଛନ୍ତି ତାଳଧ୍ୱଜ ଉପରେ। ମତ୍ତ-ମାତ୍ତଙ୍ଗ ଠାଣିରେ ଦରଭାସିତ ବଳଭଦ୍ର ଲୀଳା-ଚଞ୍ଚଳ ହସ୍ତୀଟିଏ ଭଳି ମୃଦୁ ମୃଦୁ ହସୁଛନ୍ତି। ତାଙ୍କ ବିପୁଳ ବକ୍ଷ ଉପରେ ବିଚିତ୍ର ବର୍ଣ୍ଣର ପୁଷ୍ପସମ୍ଭାର। ବଳିଆର ଭୁଜ ଉପରେ ରାଶି ରାଶି ଫୁଲର ସମାହାର ସେ ହଳାୟୁଧ, ସେ ପୁଣି ଶଙ୍କର୍ଷଣ, ଲଙ୍ଗଳାଧୀଶ। ଉଦ୍ୟତ ଲାଙ୍ଗଳ ସଂଗ୍ରାମୀ ରୂପରେ ଯୁଦ୍ଧଭୂମିକୁ କର୍ଷଣ କରିବା କଥା ସମସ୍ତେ ଜାଣନ୍ତି ଯମୁନାକୁ କର୍ଷଣ କରି କାଳିନ୍ଦୀ ହ୍ରଦ ସୃଷ୍ଟି କରିବା କଥା କିଏ ବା ନଜାଣେ? ଦେବକୀଙ୍କ ଗର୍ଭ କର୍ଷଣ କରି ରୋହିଣୀଙ୍କ ଗର୍ଭକୁ ଆକର୍ଷିତ ହେବା କଥା ସମସ୍ତଙ୍କୁ ଗୋଚର। ଆଜି ବି ଭକ୍ତର ଲୀଳାମଧୁର ପ୍ରେମରେ ଆକର୍ଷିତ ହୋଇ ଘୋଷଯାତ୍ରାକୁ ସ୍ୱୀକାର କରିଛନ୍ତି। କନ୍ଦରାକୁ ବଧ କରି ସେ କନ୍ଦରାଅଇରୀ, ସକଳଙ୍କର କାମନା ପୂର୍ଣ୍ଣ କରୁଥିବାରୁ ସେ କାମପାଳ। ସେ ପୁଣି ଶ୍ରୀଜଗନ୍ନାଥଙ୍କର କାଳେ ଶ୍ରବଣେନ୍ଦ୍ରିୟ। ତାଙ୍କ ପାଖରେ ଗୁହାରି କଲେ ଜଗନ୍ନାଥ ସବୁ ଶୁଣିପାରନ୍ତି। ତେଣୁ ଆଜି ବଡ଼଼ଦାଣ୍ଡରେ ତାଙ୍କରି ପାଖରେ ସବୁ ଭକ୍ତଙ୍କର ଗୁହାରି। କାଳେ କାଳିଆ କାନରେ ବାଜିଯିବ!
ଶରଧାବାଲିରେ ସବୁଜ-ଲୋହିତ ତାଳଧ୍ୱଜ ଝଲମଲ କରୁଛି। ସବୁଜ ତ ଶ୍ୟାମଳିମାର ପ୍ରତୀକ। ଧ୍ୱଜରେ ଲଙ୍ଗଳ ରଖି ଯେମିତି ବିଶ୍ୱରେ କୃଷି ଓ ଶସ୍ୟର ଶୁଭ ମନାସୁଛି। ସ୍ଥାଣୁ ଦେବତାଙ୍କ ଗତିରେ ଆଜି ଛନ୍ଦ। ସେହି ଛନ୍ଦରେ ବିଭୋର ଜୀବଜଗତ।
ତିନି ରଥରେ ବିଜେ ଦିଅଁମାନଙ୍କୁପାଛୋଟି ନେବାପାଇଁ ଗୁଣ୍ଡିଚା ପ୍ରାଙ୍ଗଣ ଏବେ ଚଳଚଞ୍ଚଳ ଆଡ଼ପମଣ୍ଡପ ସଜବାଜ। ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳିର ଉଚ୍ଛ୍ୱାସରେ ଚତୁର୍ଦ୍ଦିଗ ବିଭୁମୟ। କୀଟପତଙ୍ଗ, ଜଡଚେତନ, ଜୀବଜଗତ-ସକଳଙ୍କ ଭିତରେ ଅପୂର୍ବ ଉନ୍ମାଦନା। ସେଇଥିପାଇଁ ତ ଏ ପୀଠ, ମହାମିଳନର ପୀଠ। ସମନ୍ୱୟ ଚେତନାର ପୀଠ। ଏ ଚେତନାରେ ହିଁ ରହିଛି କେବଳ ନିଜକୁ ଅନ୍ୟଠାରେ ଏବଂ ଅନ୍ୟକୁ ନିଜଠାରେ ଅନୁଭବ କରିବାର ପ୍ରଶାନ୍ତ ବିଶାଳତା। ରତ୍ନସିଂହାସନ ଉପରେ ସେ ବ୍ରହ୍ମାଣ୍ଡର ଠାକୁର, ବଡଦାଣ୍ଡକୁ ବାହାରି ଆସିଲେ ସେ ସବୁରି ହୃଦୟର ମଣି, ଅସନ୍ତୋଷର ସନ୍ତୋଷ, ଅନ୍ଧକାରର ଆଲୋକ ଏବଂ ସବୁ ଅପ୍ରାପ୍ତିର ପ୍ରାପ୍ତି। ତେଣୁ କୃତାଞ୍ଜଳିପୁଟରେ ଭକ୍ତଟିଏ ଆଜି ଶରଧାବାଲିରୁ ଆତୁର କଣ୍ଠରେ ଗାଉଛି-ତୁମେ ଅଖିଳର, ତୁମେ ନିଖିଳର-ତୁମେ ଅମୃତଆଶା ସକଳର।