ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋଲିବ ସନ୍ନି ଲିଓନିଙ୍କ ଜୀବନର ରହସ୍ୟ। କରନଜିତରୁ କେମିତି ହେଲେ ପର୍ଣ୍ଣ ଷ୍ଟାର୍ ଜାଣିବେ ଦର୍ଶକ। ଏହା ସହ ଜାଣିବାକୁ ପାଇବେ ସନ୍ନି ଲିଓନିଙ୍କ ଜୀବନକୁ ନେଇ କିଛି ଅଜଣା କଥା। କାରଣ ଖୁବ୍ ଶୀଘ୍ର ଆସୁଛି ସନ୍ନିଙ୍କ ଜୀବନକୁ ନେଇ ସିନେମା ‘କରନଜିତ୍ କୌର– ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ସନ୍ନି ଲିଓନି’। ସିନେମାର ଟିଜର ମଧ୍ୟ ରିଲିଜ୍ ହୋଇସାରିଛି।

ହେଲେ ୟୁଟ୍ୟୁବରେ ଏହି ଫିଲ୍ମର ଟ୍ରେଲର୍‌ ଧୁମ୍‌ ମଚେଇଛି। ଟ୍ରେଲରକୁ ୧କୋଟି ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ଦେଖି ସାରିଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ଏହି ଟ୍ରେଲରକୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି।

ଏହି ବାୟୋପିକ୍‌ରେ ସନ୍ନିଙ୍କ ଭୂମିକାରେ ସେ ନିଜେ ଅଭିନୟ କରିଛନ୍ତି। ପ୍ରଥମ ଥର ପାଇଁ କୌଣସି କଳାକାର ନିଜ ବାୟୋପିକରେ ନିଜେ ଅଭିନୟ କରିଛନ୍ତି। ପର୍ଣ୍ଣ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ହୋଇଥିବା ସନ୍ନି ଲିଓନୀଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଛି ଏହି ବାୟୋପିକ୍‌।

ସନ୍ନି ଲିଓନିଙ୍କ ବାୟୋପିକ୍‌ର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଏବେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସ୍‌ଜିପିସି)ର ପ୍ରବକ୍ତା ଦଲଜିତ୍‌ ସିଂହ ବେଦୀ ସନ୍ନିଙ୍କ ବାୟୋପିକ୍‌ର ନାମ ଓ ଫିଲ୍ମରେ ସନ୍ନି ବ୍ୟବହାର କରିଥିବା ନାମକୁ ନେଇ ଆପତ୍ତି କରିଛନ୍ତି।

ଫିଲ୍ମର ନାମ ‘କରନଜିତ୍‌ କୌର’ ରଖାଯାଇଥିବାରୁ ଏହା ଶିଖ୍‌ମାନଙ୍କ ଭାବନା ସହ ଖେଳା ଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଧର୍ମ ପରିବର୍ତ୍ତନ କରିଥିବା ସନ୍ନି ‘କୌର’ ଶବ୍ଦ ବ୍ୟବହାର କରିବା ଉଚିତ୍‌ ନୁହେଁ। ତେବେ ଏହାକୁ ନେଇ ସନ୍ନି ଲିଓନି ବା ଫିଲ୍ମ ନିର୍ମାତା କୌଣସି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ଦଲ୍‌ଜିତ ପ୍ରଶାସନ ନିକଟରେ ଏହି ଅଭିଯୋଗ ଆଣିବାକୁ ସ୍ଥିର କରିଛନ୍ତି।

ତାଙ୍କ ଜୀବନ କାହାଣୀକୁ ନେଇ ଅନେକ ଜଟିଳ ପ୍ରଶ୍ନର ଉତ୍ତର ସେ ଏହି ବାୟୋପିକ୍‌ ମାଧ୍ୟମରେ ଦେବେ ବୋଲି କହିଛନ୍ତି ସନ୍ନି।

Comment