ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶିଶୁ କଳାକାରରୁ ଲିଡ୍‌ ରୋଲ୍‌ରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ଭୂମିକା ଦାଶ। ‘ତୁ ମୋ ଲଭ୍‌ ଷ୍ଟୋରୀ’ ଓ ‘ହିରୋ ନଂ-୧’ରେ ଲିଡ୍‌ ଆକ୍ଟ୍ରେସ୍ ଭାବେ ଅଭିନୟର ଜଲୱା ଦେଖାଇଥିବା ଭୂମିକାଙ୍କ ବିଷୟରେ କିଛି ଜଣାଅଜଣା କଥା

‘ତୁ ମୋ ଲଭଷ୍ଟୋରି’ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ନାୟିକା ଭୂମିକା ଦାଶ। ଏହି ସିନେମାରେ ସ୍ୱରାଜଙ୍କ ସହ ପରଦାରେ ନଜର ଆସିଥିଲେ ଭୂମିକା। ଏହାପୂର୍ବରୁ ଶିଶୁ କଳାକାର ଭାବେ ସେ ‘ରୁମୁକୁ ଜୁମାନା’, ‘ପାରିବେନି କେହି ଅଲଗା କରି’, ‘ଗପ ହେଲେ ବି ସତ’ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପାଇଁ ସାଉଁଟି ଥିଲେ ଅନେକ ପ୍ରଶଂସା ଓ ପୁରସ୍କାର।

ଭୂମିକାଙ୍କର ଓଡ଼ିଶୀ ନୃତ୍ୟ ପ୍ରତି ବେଶ୍‌ ଦୁର୍ବଳତା ରହିଛି। ସେ ପ୍ରାୟ ସାଢ଼େ ତିନିବର୍ଷରୁ ନୃତ୍ୟ ଶିକ୍ଷା କରିଆସୁଛନ୍ତି। ସେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଗୁରୁ ପ୍ରଶାନ୍ତ ବେହେରାଙ୍କ ପାଖରୁ ନୃତ୍ୟ ଶିକ୍ଷା କରୁଛନ୍ତି।

“ଏହି ଓଡ଼ିଶୀ ନୃତ୍ୟ ହିଁ ମୋତେ ଅଭିନୟ ପ୍ରତି ଆକୃଷ୍ଟ କରିଛି। ଓଡ଼ିଶୀ ନୃତ୍ୟ ହିଁ ଆମ ରାଜ୍ୟର ଗର୍ବ ଓ ଗରିମାକୁ ବିଶ୍ୱ ଦରବାରରେ ପହଞ୍ଚାଇପାରିଛି। ଓଡ଼ିଶୀ ନୃତ୍ୟ ମୋ ପାଇଁ ସଦାସର୍ବଦା ସମ୍ମାନନୀୟ ହୋଇରହିଥିବ”, କହନ୍ତି ଭୂମିକା।

‘ତୁ ମୋ ଲଭଷ୍ଟୋରି’ ସିନେମାରେ ଭୂମିକା ଜଣେ କଲେଜ ପଢ଼ୁଆ ଝିଅ ରୂପରେ ନଜର ଆସିଥିଲେ। ସ୍ୱରାଜଙ୍କ ସହ ଭୂମିକାଙ୍କ କେମେଷ୍ଟ୍ରି ଦର୍ଶକମାନଙ୍କୁ ବେଶ୍‍ ପସନ୍ଦ ଆସିଥିଲା।

”ମୁଁ ଏହି ସିନେମା ପାଇଁ ବହୁତ ହୋମ୍‌ୱାର୍କ କରିଛି। କେଉଁ ପ୍ରକାର ଭାବଭଙ୍ଗୀ ଦେଲେ ଦର୍ଶକଙ୍କୁ ଭଲ ଲାଗିବ, ସେଥିପାଇଁ ମୁଁ ଚେଷ୍ଟା କରିଛି। ସ୍ୱରାଜଙ୍କ ସହ ଏହା ଥିଲା ମୋର ପ୍ରଥମ ଅଭିନୟ। ଆମକୁ ଦିଆଯାଇଥିବା ସ୍କ୍ରିପ୍ଟ ବିଷୟରେ ପ୍ରଥମେ ଆମେ ଦୁହେଁ ନିଜ ଭିତରେ କଥାବାର୍ତ୍ତା କରୁଥିଲୁ ଏବଂ ତାପସ ସାର୍‌ଙ୍କ ନିର୍ଦ୍ଦେଶ ଅନୁସାରେ ଅଭିନୟ କରୁଥିଲୁ”, ନିଜର ପ୍ରଥମ ସିନେମାର ଅଭିଜ୍ଞତା ବିଷୟରେ କହିଛନ୍ତି ଭୂମିକା।

ଏହାପରେ ଭୂମିକା ‘ହିରୋ ନମ୍ବର ୱାନ’ ସିନେମାରେ ବାବୁସାନଙ୍କ ସହିତ ନଜର ଆସିଥିଲେ। ଏଥିରେ ସେ ଜଣେ ରିପୋର୍ଟରଙ୍କ ଚରିତ୍ର ନିଭାଇଥିଲେ। ସେହି ସିନେମାରେ ଥିବା ‘ଗୋରୀ ଟିକେ ହେଇଯାଉ ହେଇଯାଉ ଡିଜେୱାଲା ଡାନ୍‌ସ’ ଡିଜିଟାଲ୍ ମିଡିଆରେ ଖୁବ୍‍ ଚହଳ ପକାଇଥିଲା।

“ବାବୁସାନ୍‌ଙ୍କ ସହ ମ୍ୟାଚ୍ କରିବା ପାଇଁ ମୋ ଡାଏଟିସିଆନଙ୍କ ପରାମର୍ଶ ଅନୁଯାୟୀ ଓଜନ ବଢ଼େଇଥିଲି। ଗୀତରେ କେଉଁଠି ସଫ୍ଟ ଲୁକ୍‌ସ ତ କେଉଁଠି ହଟ୍ ଓ ବୋଲ୍‌ଡ ଲୁକ୍‌ସ ଦେବାର ଥିଲା। ଏସବୁ ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା”, ଏହି ପପୁଲାର ଗୀତ ବିଷୟରେ ନିଜ ଅଭିଜ୍ଞତା ବିଷୟରେ କହିଛନ୍ତି ଭୂମିକା।

”ମୁଁ ମୋ ଜୀବନକୁ ଅତି ସରଳ ଭାବରେ ବଞ୍ଚିବାକୁ ଭଲପାଏ। ମୁଁ ପରିଶ୍ରମ କରିବାକୁ ପଛାଏ ନାହିଁ। ବାପା ଓ ମା’ ସବୁ କ୍ଷେତ୍ରରେ ମୋତେ ସହଯୋଗ କରନ୍ତି। ଦୃଢ଼ ବିଶ୍ୱାସ ହିଁ ମୋର ଶକ୍ତି” କହନ୍ତି ଭୂମିକା।

ପ୍ରଖ୍ୟାତ ବଙ୍ଗଳା ଔପନ୍ୟାସିକ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଉପନ୍ୟାସ ‘ଦେବଦାସ’ର କାହାଣୀ ଆଧାରରେ ନିର୍ମିତ ଓଡ଼ିଆ ଫିଲ୍ମ ‘ନାୟକର ନାଁ ଦେବଦାସ’ରେ ନଜର ଆସିବେ ଭୂମିକା। ଏଥିରେ ସେ ’ପାରୋ’ ଚରିତ୍ର ନିଭାଇଛନ୍ତି। ଏହା ତାଙ୍କ ପାଇଁ ଏକ ଚାଲେଜିଂ ରୋଲ୍ ବୋଲି କହିଛନ୍ତି ଭୂମିକା।

Comment