ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକା ଡଙ୍ଗାବୁଡ଼ିର ସେହି କରୁଣ ସନ୍ଧ୍ୟାକୁ କାନ୍ଦି କାନ୍ଦି ମନେପକାଇଛନ୍ତି ଭୁବନେଶ୍ୱରର ସ୍ୱର୍ଣ୍ଣ ଦାସ। ଚିଲିକାରେ ତିନି ବର୍ଷର ପୁଅକୁ ହରାଇଥିବା ସ୍ୱର୍ଣ୍ଣ ଡଙ୍ଗାବୁଡ଼ିର ପ୍ରକୃତ ସତ୍ୟକୁ ‘ଓଡ଼ିଶାଲାଇଭ୍‌’ କ୍ୟାମେରା ଆଗରେ ବଖାଣିଛନ୍ତି। ଡଙ୍ଗାବୁଡ଼ି ସମ୍ପର୍କରେ ସ୍ୱର୍ଣ୍ଣ କ’ଣ କହିଛନ୍ତି ଦେଖନ୍ତୁ ଭିଡିଓ, ପଢ଼ନ୍ତୁ ରିପୋର୍ଟ। ଓଡ଼ିଶାଲାଇଭ୍‌ ଏକ୍ସକ୍ଲୁସିଭ୍।

କାଳବୈଶାଖୀ ଯୋଗୁଁ ଚିଲିକାରେ ବୁଡ଼ିଗଲା ଡଙ୍ଗା। ଯେଉଁଥିପାଇଁ ଚାଲିଗଲା ୬ ଜଣଙ୍କ ଜୀବନ – ଗତ ଜୁନ୍ ୧୬ ତାରିଖରେ ଚିଲିକାରେ ଡଙ୍ଗାବୁଡ଼ି ପରେ ଏହା ଥିଲା ପ୍ରଶାସନିକ ଅଧିକାରୀଙ୍କ ମନ୍ତବ୍ୟ। ହେଲେ ଡଙ୍ଗାବୁଡ଼ିର ମାସେ ପରେ ନୂଆ କଥା ସାମ୍ନାକୁ ଆସିଛି। ଡଙ୍ଗାବୁଡ଼ିରେ ନିଜ ପୁଅକୁ ହରାଇଥିବା ଭୁବନେଶ୍ୱରର ସ୍ୱର୍ଣ୍ଣ ଦାସ ‘ଓଡ଼ିଶାଲାଇଭ୍‌’ କ୍ୟାମେରା ଆଗରେ ଡଙ୍ଗାବୁଡ଼ିର ରହସ୍ୟ ଖୋଲିଛନ୍ତି। ସେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପ୍ରଶାସନିକ ଅଧିକାରୀଙ୍କ ମନ୍ତବ୍ୟ ଏବଂ ତଦନ୍ତ ଉପରେ ପ୍ରଶ୍ନବାଚୀ ଉଠିଛି। ଦଦରା ଡଙ୍ଗା ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଥିବା ସ୍ୱର୍ଣ୍ଣ କହିଛନ୍ତି।

ଡଙ୍ଗାରେ ଥିଲା ୩ଟି କଣା

ପୁଅକୁ ହରାଇ ସ୍ୱର୍ଣ୍ଣ କାନ୍ଦି କାନ୍ଦି ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି ଯେ ଆମେ ଯେଉଁ ଡଙ୍ଗାରେ କାଳିଜାଈରୁ ଫେରୁଥିଲୁ ତାହା ଦଦରା ଥିଲା। ଡଙ୍ଗାରେ ତିନୋଟି କଣା ଥିଲା। ଏହି କଣା ଦେଇ ପାଣି ଡଙ୍ଗା ଭିତରେ ପଶିଥିଲା। ହେଲେ ପାଣି ବାହାର କରିବା ପାଇଁ କୌଣସି ବ୍ୟବସ୍ଥା ନଥିଲା। ଡଙ୍ଗାରେ ମଗଟିଏ ବି ନଥିଲା। ଡଙ୍ଗା କୂଳକୁ ବାହିନେବା ପାଇଁ ଆମେ ନାଉରିଆକୁ ଅନୁରୋଧ କରିଥିଲୁ। ହେଲେ ନାଉରିଆ ଆମ କଥା ଶୁଣି ନଥିଲେ। ଫଳରେ ଡଙ୍ଗାର ଗୋଟିଏ ପାର୍ଶ୍ୱ ଦବିଥିଲା। ଆଉ ଶେଷରେ ବୁଡ଼ି ଯାଇଥିଲା। କାଳବୈଶାଖୀ କଥା ଯାହା କୁହାଯାଉଛି ତାହା ମିଛ। ଆକାଶରେ ମେଘ ଢାଙ୍କିଥିଲା। କିନ୍ତୁ ପବନ ହୋଇ ନଥିଲା। ଡଙ୍ଗାରେ ପାଣି ପସିଯିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।

ଲାଇଫ୍‌ ଜ୍ୟାକେଟ୍ କ’ଣ ମ?

ଡଙ୍ଗାବୁଡ଼ିବା ପରେ ପରିବହନ ବିଭାଗ ସଚିବ କହିଥିଲେ ଯେ ଆମେ ପ୍ରତି ଡଙ୍ଗାକୁ ୨୦ଟି ଲେଖାଏଁ ଲାଇଫ୍ ଜ୍ୟାକେଟ୍ ଦେଇଥିଲୁ। ହେଲେ ଏହି ଲାଇଫ୍‌ ଜ୍ୟାକେଟ କ’ଣ ବୋଲି ପ୍ରଶ୍ନ କରିଛନ୍ତି ସ୍ୱର୍ଣ୍ଣ। ଡଙ୍ଗାରେ ଆଦୌ ଲାଇଫ୍ ଜ୍ୟାକେଟ୍ ନଥିଲା। ଲାଇଫ୍‌ ଜ୍ୟାକେଟ୍ କ’ଣ ତାହା ମୁଁ ଜାଣିନାହିଁ। ନାଉରିଆ ବି ଲାଇଫ୍‌ ଜ୍ୟାକେଟ୍ ବିଷୟରେ ଆମକୁ କିଛି କହି ନାହାନ୍ତି। ଏବେ ପ୍ରଶ୍ନ ଉଠୁଛି ପ୍ରଶାସନ ଲାଇଫ୍‌ ଜ୍ୟାକେଟ୍ କାହାକୁ ଦେଇଥିଲା? ଯଦି ଲାଇଫ୍‌ ଜ୍ୟାକେଟ ଥିଲା ତାହାଲେ ଯାତ୍ରୀମାନଙ୍କୁ କାହିଁକି ପିନ୍ଧିବାକୁ କୁହାଯାଇ ନଥିଲା? ପ୍ରକୃତରେ ଲାଇଫ୍‌ ଜ୍ୟାକେଟ ଥିଲା ନା ଘଟଣା ଉପରେ ପରଦା ଢାଙ୍କିବାକୁ ପ୍ରଶାସନିକ ଅଧିକାରୀ ଏହି ବୟାନ ଦେଇଥିଲେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତଦନ୍ତ ଅଧିକାରୀ ଆମକୁ ଭେଟି ନାହାନ୍ତି

ଚିଲିକା ଡଙ୍ଗାବୁଡ଼ିର ତଦନ୍ତ ସମ୍ପର୍କରେ ସ୍ୱର୍ଣ୍ଣ ଦାସ ‘ଓଡ଼ିଶାଲାଇଭ୍‌’କୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଡଙ୍ଗାବୁଡ଼ି ଘଟଣା ପାଇଁ ଗଠନ ହୋଇଥିବା ତଦନ୍ତକାରୀ ଟିମ୍ ଆମକୁ ଭେଟି ନଥିବା କହିଛନ୍ତି ସ୍ୱର୍ଣ୍ଣ। ଆମ ପଡ଼ୋଶୀଙ୍କର ସ୍ତ୍ରୀ ଏବଂ ଝିଅ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ମଧ୍ୟ ତାଙ୍କୁ ବି କୌଣସି ତଦନ୍ତକାରୀ ଅଧିକାରୀ ଡଙ୍ଗାବୁଡ଼ି ସମ୍ପର୍କରେ ପଚାରି ନାହାନ୍ତି। ତେବେ ତଦନ୍ତକାରୀ ଅଧିକାରୀ କାହାକୁ ନେଇ ତଦନ୍ତ କରୁଛନ୍ତି ? ଡଙ୍ଗାବୁଡ଼ି ସମ୍ପର୍କରେ ଜାଣି ନଥିବା ଲୋକଙ୍କୁ ପଚରାଉଚରା କରି ତଦନ୍ତକାରୀ ଅଧିକାରୀ ଏଭଳି ଏକ ବଡ଼ ଦୁର୍ଘଟଣାକୁ ଲୁଚାଇ ଦେବାକୁ ଚାହୁଁ ନାହାନ୍ତି ତ?

ତଦନ୍ତର ଦିଗକୁ ନେଇ ଉଠିଲା ପ୍ରଶ୍ନ

ଡଙ୍ଗାବୁଡ଼ି ଘଟଣାର ୬ ଦିନ ପରେ ରାଜ୍ୟ ସରକାରଙ୍କୁ ଅନ୍ତର୍ଦ୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟ ତଦନ୍ତ ରିପୋର୍ଟ ଦେଇଥିଲା। ଏହି ରିପୋର୍ଟରେ ତଦନ୍ତକାରୀ ଟିମ୍ କାଳବୈଶାଖୀ ଉପରେ ସବୁ ଦୋଷ ଲଦି ଦେଇ ଡଙ୍ଗାକୁ କ୍ଲିନ୍ ଚିଟ୍ ଦେଇଥିଲେ। ରିପୋର୍ଟରେ ଦର୍ଶାଯାଇଥିଲା ଯେ ଡଙ୍ଗାରେ ୧୫ ଜଣ ବସିବାକୁ ଜାଗା ଥିବାବେଳେ ୨୦ଟି ଜ୍ୟାକେଟ ମହଜୁଦ ଥିଲା। ଡଙ୍ଗାରେ କୌଣସି ତ୍ରୁଟି ନଥିଲା। କାଳବୈଶାଖୀ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି। ବର୍ଷାପବନରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ିଯାଇଥିଲା ଏବଂ ଲୋକଙ୍କର ଜୀବନ ଚାଲିଗଲା।

ହେଲେ ଡଙ୍ଗାବୁଡ଼ିରେ ନିଜ ପୁଅକୁ ହରାଇ ଅଳ୍ପକେ ବର୍ତ୍ତିଥିବା ସ୍ୱର୍ଣ୍ଣ ଦାସ ‘ଓଡ଼ିଶାଲାଇଭ୍‌’କୁ ଯେଉଁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ତାହା ତଦନ୍ତ ରିପୋର୍ଟର ନିରପେକ୍ଷତା ଉପରେ ଆଙ୍ଗୁଳି ଉଠାଇଛି। କେଉଁ ଆଧାରରେ ଏବଂ କାହାର ବୟାନକୁ ଭିତ୍ତିକରି ବନ୍ଦର ଏବଂ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ ବିଭାଗର ୭ ଜଣିଆ ଟିମ୍ ‘ପବନ’କୁ ଦୋଷ ଦେଲେ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି। କେବଳ ଡଙ୍ଗା ଚାଳକ ଏବଂ ସହଯୋଗୀ ଚାଳକଙ୍କୁ ଗିରଫ କରି ପ୍ରଶାସନ ତାର କର୍ତ୍ତବ୍ୟ ଶେଷ କରିଦେଇଛି।

ଡଙ୍ଗାର ଫିଟ୍‌ନେସ୍‌ ଯାଞ୍ଚ ହୋଇଥିଲା କି?

ତଦନ୍ତକାରୀ ଟିମ୍‌ ଡଙ୍ଗାକୁ କ୍ଲିନ୍‌ଚିଟ୍ ଦେଇଥିଲେ। ଡଙ୍ଗାରେ କୌଣସି ତ୍ରୁଟି ନଥିବା କହିଥିଲେ। ହେଲେ ଡଙ୍ଗାବୁଡ଼ିର ପ୍ରତ୍ୟକ୍ଷଦର୍ଶୀ ସ୍ୱର୍ଣ୍ଣ ଦାସ ଡଙ୍ଗା ଏବଂ ନାଉରିଆକୁ ସବୁ ଦୋଷ ଦେଇଛନ୍ତି। ତେବେ ତଦନ୍ତକାରୀ ଟିମ୍ କେଉଁ ଆଧାରରେ ଡଙ୍ଗାକୁ କ୍ଲିନ୍ ଚିଟ୍ ଦେଇଥିଲେ? ନିଜ ଦୋଷ ଢାଙ୍କିବା ପାଇଁ ଉପର ଠାଉରିଆ ଭାବେ ଡଙ୍ଗାର ଫିଟ୍‌ନେସ୍ ଯାଞ୍ଚ ହୋଇଥିବା ସ୍ୱର୍ଣ୍ଣ ଦାସଙ୍କ ବୟାନ ପରେ ସ୍ପଷ୍ଟ ହେଉଛି। ଚିଲିକାରେ ଆଉ କେତେ ଜୀବନ ଯିବା ପରେ ପ୍ରଶାସନ ଚେତିବେ ତାହା ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି।

ଏମିତି ଘଟଣା କାହା ଜୀବନରେ ନଘଟୁ!

ଶେଷ ରଜ ଦିନ ଘଟିଥିଲା ଏହି ଦୁଃଖଦ ଘଟଣା। ଉଗ୍ରତାରାରେ ଭୋଜି ସାରିବା ପରେ ୧୬ ଜଣ ଯାତ୍ରୀ ଦେଶୀ ଡଙ୍ଗାରେ ଯାଇଥିଲେ କାଳିଜାଈ ବୁଲିବା ପାଇଁ। ହେଲେ କାଳିଜାଈରୁ ଫେରିବା ବାଟରେ ହିଁ ବୁଡ଼ିଗଲା ଡଙ୍ଗା। ଆଉ ଅକାଳରେ ଚାଲିଗଲା ୬ ଜଣଙ୍କର ନିରୀହ ଜୀବନ। ୬ ଜଣ ମୃତକଙ୍କ ମଧ୍ୟରେ ଥିଲେ ଦୁଇ ଜଣ ଶିଶୁ। ଦୁଇ ଜଣ ଶିଶୁଙ୍କ ଭିତରେ ଜଣେ ଥିଲେ ଭୁବନେଶ୍ୱରର ସ୍ୱର୍ଣ୍ଣଙ୍କ ତିନି ବର୍ଷର ପୁଅ ସୁଧାଂଶୁ। ନିଜ ଆଖିରେ ପୁଅର ମରଣକୁ ଦେଖିଥିବା ମା’ ର ଆଖିରୁ ଲୁହ ଶୁଖୁନି। ଏବେ ବି ପୁଅ ସୁଧାଂଶୁକୁ ଝୁରୁଛନ୍ତି ମା’।

“ମୁଁ ମୋ ପୁଅକୁ ପଚାରେ ବଡ଼ ହେଲେ ମୋ’ ପାଇଁ କ’ଣ କରିବୁ? ସେ କହୁଥିଲା ବଡ଼ ହେଲେ ତୋ ପାଇଁ କାନ ଫୁଲ, ମୁଦି ଓ ହାର କରିଦେବି। ହେଲେ ଏସବୁ କରିବା ଆଗରୁ ଭଗବାନ ମୋ କୋଳରୁ ତାକୁ ଛଡ଼ାଇ ନେଇଛନ୍ତି’, କୋହଭରା କଣ୍ଠରେ କହିଛନ୍ତି ସ୍ୱର୍ଣ୍ଣ। ମୋ’ ଜୀବନରେ ଯାହା ଘଟିଛି ତାହା ଆଉ କାହା ଜୀବନରେ ନଘଟୁ ବୋଲି ସେ କହିଛନ୍ତି।

ଆଉ କେତେ ଜୀବନ ଗଲେ ଚେତିବେ ସରକାର?

୨୦୧୬ ମସିହାରେ ଚିଲିକାରେ ବୁଡ଼ିଥିଲା ଡଙ୍ଗା। ୩ ଜଣଙ୍କର ପ୍ରାଣହାନି ଘଟିଥିଲା। ସେତେବେଳେ ବି ଡଙ୍ଗାବୁଡ଼ି ଘଟଣାର ଖୋଳତାଡ଼ ହୋଇଥିଲା। ହେଲେ ଧର୍ମକୁ ଆଖିଠାର ଭଳି ତଦନ୍ତ ରିପୋର୍ଟ କୁଆଡ଼େ ଗଲା ତାହା କେବଳ ପ୍ରଶାସନକୁ ହିଁ ଜଣା। ୨୦୧୬ରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଏବଂ ଠିକ୍ ଭାବେ ତଦନ୍ତ ହୋଇ ନଥିବାରୁ ଦେଢ଼ ବର୍ଷ ପରେ ପୁଣିଥରେ ଡଙ୍ଗା ବୁଡ଼ିଲା। ୬ ଜଣଙ୍କର ଜୀବନ ଚାଲିଗଲା। ଦେଢ଼ ବର୍ଷ ତଳେ ଲୋକଙ୍କ ଆଇ ୱାସ୍ ପାଇଁ ଯେଉଁଭଳି ତଦନ୍ତ ହୋଇଥିଲା ତାହା ବର୍ତ୍ତମାନ ବି ଦେଖିବାକୁ ମିଳିଛି। ପ୍ରଶାସନ ଆଉ କେତେ ଡଙ୍ଗାବୁଡ଼ି ଘଟଣା ଘଟିଲେ ଚେତିବେ?

ବନ୍ଦର ଏବଂ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ ଗତ ଜୁନ୍‌ ୨୨ ତାରିଖରୁ ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ଦେଇ ସାରିଛନ୍ତି। ହେଲେ ଏହି ରିପୋର୍ଟକୁ ସରକାର ତର୍ଜମା କରିଛନ୍ତି ତ? ତଦନ୍ତ ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଇଛି କି ନାହିଁ ତାହା ସରକାର ଜାଣିଛନ୍ତି ତ? ଡଙ୍ଗାବୁଡ଼ିବା ପରେ ସରକାର ଚିଲିକାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ କ’ଣ ବ୍ୟବସ୍ଥା କରିଛନ୍ତି?

ଗିରଫ ହୋଇଥିବା ଡଙ୍ଗା ଚାଳକ ଏବଂ ସହଯୋଗୀ ଡଙ୍ଗା ଚାଳକ ହୁଏତ ଜାମିନରେ ଆସି ସାରିବେଣି। ହେଲେ ପର୍ଯ୍ୟଟକଙ୍କ ସୁରକ୍ଷିତ ଯାତ୍ରା ପାଇଁ ସରକାର କି ପଦକ୍ଷେପ ନେଲେ ତାହା ସ୍ପଷ୍ଟ କରିବା ଦରକାର। ଡଙ୍ଗାର ଫିଟ୍‌ନେସ୍ ଏବଂ ଚାଳକଙ୍କ ଲାଇସେନ୍ସକୁ ଯାଞ୍ଚ କରାଯାଉଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରିବା ଦରକାର।

ରିପୋର୍ଟ: ସତ୍ୟବ୍ରତ ପାଢ଼ୀ

Comment