ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଷ ମାଛକୁ ନେଇ ତନାଘନା। କଟକ ପରେ ସମ୍ବଲପୁର ଓ ବଲାଙ୍ଗିର ମାଛ ମାର୍କେରୁ ସଂଗ୍ରହ ହେଲା ନମୁନା।

ଆନ୍ଧ୍ରରୁ ଆସୁଥିବା ମାଛରେ ମିଶୁଛି ବିଷ! ଭୁବନେଶ୍ୱରରେ ପାମ୍ପ୍ରେଟ ମାଛରୁ ଏହା ଜଣାପଡ଼ିବା ପରେ ସାରା ରାଜ୍ୟରେ ତନାଘନା ଆରମ୍ଭ ହୋଇଛି। ଆଜି ସକାଳେ କଟକର ବିଭିନ୍ନ ମାଛ ମାର୍କେଟରେ ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗର ଏକ ସ୍କ୍ୱାଡ୍ ଚଢ଼ାଉ କରିଥିବା ବେଳେ ସମ୍ବଲପୁର ଏବଂ ବଲାଙ୍ଗିର ମାଛ ମାର୍କେଟରେ ମଧ୍ୟ ଚଢ଼ାଉ ହୋଇଛି। ତେବେ କଟକରେ ମିଳୁଥିବା ଆନ୍ଧ୍ର ମାଛରେ ବିଷ ନଥିବା ସିଏମ୍‌ସି ଆଜି ସନ୍ଧ୍ୟାରେ କ୍ଲିନ୍‌ଚିଟ୍ ଦେଇଛି।

କଟକର ବିଭିନ୍ନ ମାଛ ବଜାରରୁ ସିଏମ୍‌ସି ଅଧିକାରୀ ୮ଟି ମାଛର ନମୁନା ସଂଗ୍ରହ କରି ଲାବରେଟୋରୀକୁ ପଠାଇଥିଲେ। ରିପୋର୍ଟ ଆସିବା ପରେ ଏଥିରେ ଫର୍ମାଲିନ୍ କେମିକାଲ ମିଶୁ ନଥିବା ସିଏମ୍‌ସି ସ୍ପଷ୍ଟ କରିଛି।

ସମ୍ବଲପୁର ମ୍ୟୁନିସିପାଲିଟିର ଏକ ଟିମ୍ ଏବଂ ମତ୍ସ୍ୟ ବିଭାଗର ଏକ ଟିମ୍ ମଧ୍ୟ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାଛ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଇଛନ୍ତି। ସେହିପରି ବଲାଙ୍ଗିରର ରୁଗୁଡ଼ିପଡ଼ା ମାଛ ମାର୍କେଟରେ ମଧ୍ୟ ଚଢ଼ାଉ କରାଯାଇ ନମୁନା ସଂଗ୍ରହ ହୋଇଛି।

“ଫର୍ମାଲିନ୍ କେମିକାଲ ମାଛରେ ମିଶାଯାଉଥିବା ଅଭିଯୋଗ ଆସିବା ପରେ ବଲାଙ୍ଗିରର ବିଭିନ୍ନ ମାଛ ମାର୍କେଟ ଚଢ଼ାଉ କରାଯାଇଛି। ମାଛ ନମୁନା ସଂଗ୍ରହ କରି ଲାବରେଟୋରୀକୁ ପଠାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି ବଲାଙ୍ଗିର ଫୁଡ୍ ଇନ୍ସିପେକ୍ଟର ଅରୁଣ କୁମାର ଚାଟାର୍ଜୀ।

ଖାଦ୍ୟ ନିରାପତ୍ତା କମିଶନର ସୋମବାର ଦିନ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ମ୍ୟୁନିସିପାଲିଟିର ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ମାଛ ନମୁନା ସଂଗ୍ରହ କରି ଲାବୋରେଟୋରୀକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆସାମରେ ଆନ୍ଧ୍ର ମାଛରେ ଫର୍ମାଲିନ୍ ମିଶୁଥିବା ଜଣାପଡ଼ିବା ପରେ ଓଡ଼ିଶା ସରକାର ତତ୍ପର ହୋଇ ଉଠିଛନ୍ତି। ଆନ୍ଧ୍ର ମାଛକୁ ଆସାମ ୧୦ ଦିନ ପାଇଁ ବ୍ୟାନ୍ କରିଥିଲେ। ଯେଉଁମାନେ ନିୟମ ଉଲ୍ଲଂଘନ କରି ଆନ୍ଧ୍ର ମାଛ ବିକ୍ରି କରିବେ ସେମାନଙ୍କୁ ଜେଲ ଦଣ୍ଡାଦେଶ ମିଳିବ ବୋଲି ସରକାର କହିଥିଲେ।

Comment