ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇସ୍ତଫାପତ୍ର ଗ୍ରହଣ କରିବାକୁ ଲୋକସଭା ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ। ଏବେ ନଜର କେବେ ବାଚସ୍ପତି ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରୁଛନ୍ତି।

ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ନୂଆ ଟୁଇଷ୍ଟ। ସାଂସଦ ପଦରୁ ଦେଇଥିବା ଇସ୍ତଫାପତ୍ର ଗ୍ରହଣ କରିବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପୁଣିଥରେ ଅନୁରୋଧ କରିଛନ୍ତି ବୈଜୟନ୍ତ। ଏ ସମ୍ପର୍କରେ ଟୁଇଟ୍ କରିବା ପରେ ବୈଜୟନ୍ତଙ୍କ ଇସ୍ତଫାପତ୍ରକୁ ନେଇ ଚର୍ଚ୍ଚା ବଢ଼ିଛି। ବାଚସ୍ପତି କେବେ ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଲୋକସଭା ସାଂସଦ ପଦରୁ ବୈଜୟନ୍ତଙ୍କ ଇସ୍ତଫାପତ୍ରକୁ ନେଇ କିଛିଦିନ ହେଲା ରାଜନୀତି ସର୍‌ଗରମ୍‌ ରହିଛି। ବୈଜୟନ୍ତଙ୍କ ବଚସ୍ପତି ସୁମିତ୍ରା ମହାଜନଙ୍କୁ ଭେଟିବା, ବାଚସ୍ପତି ସାନି ବିଚାର ପାଇଁ ସମୟ ଦେବା ଏବଂ ବୈଜୟନ୍ତଙ୍କ ଇସ୍ତଫପତ୍ର ଗ୍ରହଣ କରିବା ପାଇଁ ବିଜେଡି ବାଚସ୍ପତିଙ୍କ ଅଫିସକୁ ଚିଠି ଲେଖିବା ପ୍ରସଙ୍ଗକୁ ନେଇ ରାଜନୀତି ପାଣିପାଗ ପୂରା ଗରମ୍ ରହିଛି।

ଇସ୍ତଫାପତ୍ରକୁ ନେଇ ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ଘମାସନ ଚାଲିଥିବା ବେଳେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ପୁଣିଥରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଉଠିଛି।

ବୈଜୟନ୍ତ ଟୁଇଟ୍ କରିଛନ୍ତି, “ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ୧୮ ବର୍ଷ ୩ ମାସ ୨ ସପ୍ତାହ ୧ ଦିନ ପରେ ମୁଁ ଲୋକସଭାରୁ ବିଦାୟ ନେଉଛି। ଗତକାଲି ମୁଁ ଲୋକସଭା ବାଚସ୍ପତିଙ୍କୁ ଭେଟିଥିଲି। ପୂର୍ବରୁ ଦଳରୁ ମୁଁ ପ୍ରତିନିଧିତ୍ବ କରିବାକୁ ଚାହୁଁ ନଥିବା ଜଣାଇଲି। ମୂଳ ଲକ୍ଷ୍ୟଠାରୁ ଏହି ଦଳ ବର୍ତ୍ତମାନ ଦୂରେଇ ଯାଇଛି। ଏଣୁ ଇସ୍ତଫାପତ୍ର ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛି।”

ବୈଜୟନ୍ତ ଲୋକସଭା ବାଚସ୍ପତିଙ୍କୁ ଭେଟି ତାଙ୍କ ସଇସ୍ତଫପାତ୍ର ଗ୍ରହଣ କରିବାକୁ ଟୁଇଟ୍ କରି ସୂଚନା ଦେଇଛନ୍ତି। ହେଲେ ବାଚସ୍ପତି ତାଙ୍କୁ କ’ଣ କହିଲେ ସେ ବିଷୟରେ କିଛି କହି ନାହାନ୍ତି ବୈଜୟନ୍ତ। ଇସ୍ତଫାପତ୍ର ଗ୍ରହଣ କରିବାକୁ ବୈଜୟନ୍ତ ଅନୁରୋଧ କରିବା ପରେ ବାଚସ୍ପତି କେବେ ଏହା ଗ୍ରହଣ କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

ବିଜେଡି ସହ ସବୁ ସମ୍ପର୍କ ତୁଟାଇବା ପରେ ଗତ ଜୁନ୍ ୧୩ ତାରିଖରେ ବୈଜୟନ୍ତ ପଣ୍ଡା ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ବାଚସ୍ପତି ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିନଥିଲେ।

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ବିଦେଶ ଗସ୍ତରୁ ଫେରିବା ପରେ ଜୁଲାଇ ୫ରେ ବୈଜୟନ୍ତ ତାଙ୍କୁ ଭେଟିଥିଲେ। ଇସ୍ତଫାର କାରଣ ସମ୍ପର୍କରେ ବାଚସ୍ପତି ବୈଜୟନ୍ତଙ୍କଠାରୁ ପଚାରି ବୁଝିଥିଲେ। ଏ ସମ୍ପର୍କରେ ଆଉ ଥରେ ବିଚାର କରିବାକୁ ବାଚସ୍ପତି କହିଥିବା ବୈଜୟନ୍ତ ଟୁଇଟ କରି ସୂଚନା ଦେଇଥିଲେ।

ଇତିମଧ୍ୟରେ ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ବିଜେଡି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲା। ଜୁଲାଇ ୧୦ ତାରିଖରେ  ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଚିଠି ଲେଖି ବାଚସ୍ପତି ସମ୍ବିଧାନର ୧୦ମ ପରିଛେଦର ପାଠ ପଢ଼ାଇଥିଲେ।

ଭର୍ତ୍ତୃହରି ଚିଠିରେ ଉଲ୍ଲେଖ କରିଥିଲେ ଯେ ବୈଜୟନ୍ତ ନିଜ ଆଡ଼ୁ ଦଳରୁ ଏବଂ ସାଂସଦ ପଦବୀରୁ ଇସ୍ତଫା ଦେଇ ସାରିଛନ୍ତି। ଏଣୁ ସମ୍ବିଧାନର ୧୦ମ ପରିଛେଦ (ଦଳ ବିରୋଧୀ ଆଇନ) ଅନୁଯାୟୀ ସେ ସାଂସଦ ଭାବେ ଯୋଗ୍ୟତା ହରାଇଛନ୍ତି। ନିଜ ଆଡ଼ୁ ବୈଜୟନ୍ତ ଇସ୍ତଫା ଦେଇଥିବାରୁ ତାଙ୍କ ସଦସ୍ୟ ପଦ ରବ୍ଦ କରିବା ପାଇଁ ଆମ ଦଳ ପକ୍ଷରୁ କୌଣସି ପଦକ୍ଷେପ ନିଆଯିବନି। ଏଣୁ ସମ୍ବିଧାନ ଏବଂ ଆଇନକୁ ସମ୍ମାନ ଜଣାଇ ବୈଜୟନ୍ତଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେବା ଉଚିତ୍।

ଏହାର ଜବାବରେ ବୈଜୟନ୍ତ କହିଥିଲେ ଯେ ନିଜ ଇଚ୍ଛାରେ ଇସ୍ତଫା ଦେଇଛି। ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ସଦସ୍ୟତା ପଦକୁ ରବ୍ଦ କରିବା ପାଇଁ ଦଳ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯିବାର କୌଣସି ଆବଶ୍ୟକତା ନାହିଁ। ‘ମୁଁ ଯେମିତି ନିଜ ସ୍ୱାଭିମାନ ବଜାୟ ରଖିଛି ସେମାନେ ବି ସାମାନ୍ୟ ଆତ୍ମସମ୍ମାନ ରକ୍ଷା କରନ୍ତୁ’।

Comment