ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନେ ସେତେ ତତ୍ପର ହୋଇ ଉଠିଛନ୍ତି। ୨୦୧୯ରେ ଓଡ଼ିଶାରେ ଆଶ୍ଚର୍ଯ୍ୟ କଲା ଭଳି ନିର୍ବାଚନ ଫଳାଳଫଳ ଆସିବ ବୋଲି ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶା ବିଜେପିର ପୋଷ୍ଟରବୟ ସାଜିଥିବା କେନ୍ଦ୍ର ତୈଳ ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୌଣସି ପ୍ରକାର ପ୍ରଚେଷ୍ଟାକୁ ହାତଛଡା କରିବାକୁ ଚାହୁଁନାହାନ୍ତି। ମୋଦି ସରକାର ଲଗାତାର ଭାବରେ ଓଡ଼ିଶା ଉପରେ କେବଳ ଫୋକସ କରୁଛନ୍ତି ତାହା ନୁହେଁ ଗତ କିଛି ଦିନ ଧରି ଅନେକ ଗୁଡ଼ିଏ ନୂଆ ନୂଆ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଧର୍ମେନ୍ଦ୍ରଙ୍କ ନିଜ ବିଭାଗ ପକ୍ଷରୁ ବେଶ୍ କିଛି ଆଖିଦୃଶିଆ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପୃଷ୍ଠଭୂମିରେ ଆସନ୍ତା ୨୦୧୯ ନିର୍ବାଚନରେ ଦଳର ଲକ୍ଷ୍ୟ ଓ ଆଭିମୁଖ୍ୟ କ’ଣ ହେବ ସେନେଇ ଧର୍ମେନ୍ଦ୍ର ଜାତୀୟ ସ୍ତରର ଖବରକାଗଜରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଫୋକସ୍‌ରେ ପୂର୍ବ ଭାରତ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ୨୦୧୪ରେ ଅମିତ ଶାହ ଦଳର ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଭାଷଣରେ ସେ ଏକଥା କହିଥିଲେ। ନିକଟରେ ଯେବେ ଆମେ ବିଭିନ୍ନ ରାଜ୍ୟରେ ନିର୍ବାଚନ ଜିତିଲୁ ସେ କହିଥିଲେ ଯେ ଆମର ବିଜୟ ପୂର୍ଣ୍ଣାଙ୍ଗ ହେବ ଯେଉଁଦିନ ଆମେ କରମଣ୍ଡଳ ଉପକୂଳରେ ସରକାର ଗଢ଼ିବୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ୨୦୧୩ ମସିହାରୁ ତାଙ୍କ ସଭାରେ କହି ଆସିଛନ୍ତି ଯେ ପୂର୍ବ ଭାରତ ବିକଶିତ ନ ହେବା ଯାଏଁ କୁହାଯାଇପାରିବନି ଭାରତର ପୂରା ବିକାଶ ହୋଇଛି। ଏହି ଉଦ୍ଦେଶ୍ୟ ନେଇ ଆମେ ଯୋଜନାବଦ୍ଧ ଭାବରେ କାମ କରୁଛୁ। ଆମ ଫୋକସରେ ଅଛି ବିହାର, ବଙ୍ଗଳା, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଉତ୍ତରପୂର୍ବ ରାଜ୍ୟ ସମୂହ।

ନବୀନ ସରକାର ପୂରା ଫେଲ୍

ଆମର ମିଶନ ହେଉଛି ବିଧାନସଭା ନିର୍ବାଚନରେ ୧୨୦ ଆସନ ହାସଲ କରିବା। ନବୀନ ବନାମ ମୋଦିଙ୍କ ଲୋକପ୍ରିୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବହୁ ଉଚ୍ଚରେ। ଏଠି ଯେଉଁ ସରକାର ଅଛି ପୂରା ଫେଲ। ଅଠର ଉଣେଇଶ ବର୍ଷ ଧରି ସରକାରରେ ରହିବା ପରେ ବି ଓଡ଼ିଶା ସରକାରଙ୍କ ସଫଳତା କ’ଣ ତାହା ଆକଳନ କରିହେବ। ୨୦୧୯ରେ ଯେଉଁ ଫଳାଫଳ ଆସିବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର

ଶିକ୍ଷା, ସ୍ୱାସ୍ଥ୍ୟ, ଚାକିରୀ, ଜଳସେଚନ ଓ ପାନୀୟ ଜଳ ଯୋଗାଣ ଇତ୍ୟାଦି କ୍ଷେତ୍ରରେ କିଛି ଉନ୍ନତି ଆଖିରେ ପଡ଼ୁନାହିଁ। ଓଡ଼ିଶାରେ କେବଳ ୨% ପ୍ରତିଶତ ଲୋକ ପାଇପ ପାନୀୟ ଜଳ ପାଉଛନ୍ତି। ଏହାକୁ ସଫଳତା କୁହାଯିବ? ଆବଶ୍ୟକ ମୁତାବକ ଡାକ୍ତର ନହାନ୍ତି। ଏହାକୁ ସଫଳତା କହିବେ? ଯଦି ଅପପୁଷ୍ଟି ଯୋଗୁଁ ଛୁଆ ମରୁଛନ୍ତି ତାକୁ କଣ କୁହାଯିବ? ନବୀନ ବାବୁ ୪ ଥର ଭୋଟ ପାଇ କ୍ଷମତାକୁ ଆସିଛନ୍ତି। ଏଣୁ ସେ ଲୋକପ୍ରିୟ ହୋଇପାରନ୍ତି। କିନ୍ତୁ ସରକାରଙ୍କ ପ୍ରଦର୍ଶନ ଉପରେ ସଫଳତା ନିର୍ଭର କରିଥାଏ।

ଏଠାକାର ସରକାର ସବୁଥିରେ ଅସଫଳ, ଏହା ଏକ ସ୍ଥାଣୁ ସରକାର। ବିଜେପି ଆଜି ଏକ ବିକଳ୍ପ ଭାବେ ଠିଆ ହୋଇପାରିଛି। ଆମେ କେବେ ବି ଅଲ-ଓଡ଼ିଶା ପାର୍ଟି ନଥିଲୁ। ପ୍ରଥମ ଥର ପାଇଁ ଆମ ଦଳର ସଂଗଠନ ଗାଁ ଭିତରକୁ ପଶିପାରିଛି। ଅମିତ ଶାହଙ୍କ ନେତୃତ୍ୱ ଓ ରଣନୀତି ଯୋଗୁଁ ଆମେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିପାରିଛୁ। ଆମେ ୩୬,୦୦୦ ବୁଥକୁ ମଜବୁତ କରିଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ କାର୍ଯ୍ୟକ୍ରମକୁ ବୁଥ ସ୍ତର ପର୍ଯ୍ୟନ୍ତ ନେଇଛୁ।

ନବୀନ ସୁବିଧାବାଦୀ ନେତା

କେନ୍ଦ୍ର ସରକାରଙ୍କ ଆଧାର କାର୍ଯ୍ୟକ୍ରମକୁ ନବୀନ ବାବୁ ସମର୍ଥନ କରିଛନ୍ତି? ସେ ସଂସଦରେ ଆମକୁ ବିରୋଧ କରିଥିଲେ। ଆୟୂଷ୍ମାନ ଭାରତକୁ ସେ କ’ଣ ସମର୍ଥନ କଲେ? ସେ ଏହାକୁ ବିରୋଧ କରିଥିଲେ। ଆମର ଆସ୍ପିରାସ୍ନେଲ ଡିଷ୍ଟ୍ରିକ୍ଟ କାର୍ଯ୍ୟକ୍ରମକୁ ବି ସମର୍ଥନ କଲେ ନାହିଁ। ସେ ଏହାକୁ ବିରୋଧ କରିଥିଲେ ଓ ଏବେ ଏବେ ଏଥିରେ ଯୋଗଦାନ ଦେଇଛନ୍ତି। ସେ ଜଣେ ସୁବିଧାବାଦୀ ରାଜନେତା। ସୁଯୋଗ ଅନୁସାରେ ସେ ରାଜନୀତି କରୁଛନ୍ତି, ତାଙ୍କର କୌଣସି ଆଦର୍ଶ ନାହିଁ। ନବୀନ ବାବୁଙ୍କ ସରଳ ଜୀବନ ଯାପନକୁ ସେ ପସନ୍ଦ କରୁଥିବା ଧର୍ମେନ୍ଦ୍ର କହିଛନ୍ତି।

ନବୀନ ବାବୁ ଚାରି ଥର ନିର୍ବାଚିତ ହୋଇ ଆସିଲେଣି। ଓଡ଼ିଶାରେ ସବୁ କିଛି ଅଛି – ଲୋକସମ୍ବଳ, ପ୍ରାକୃତିକ ସମ୍ବଳ, ବୌଦ୍ଧିକ ସମ୍ବଳ ଓ ପରିଶ୍ରମୀ ଲୋକ। କିନ୍ତୁ ସେ ଓଡ଼ିଶାକୁ ଉଠାଇବାରେ ବିଫଳ ହୋଇଛନ୍ତି। ଏବେ ବି ଗାଁ ଗହଳିରୁ ଲୋକେ କାମ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ଓଡ଼ିଶା କାହିଁକି ଏକ ମ୍ୟାନୁଫାକଚରିଙ୍ଗ ହବ୍ ନ ହୋଇପାରିବ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ଏନଡିଏ ସରକାର ଅମଳରେ ଓଡ଼ିଶା ଲାଭବାନ୍ ହୋଇଛି

ଧର୍ମେନ୍ଦ୍ର କହିଛନ୍ତି ଯେ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରେ ଭରସା ରଖିଛନ୍ତି। ତାଙ୍କର ନୀତି ଗୁଡ଼ିକ କିଭଳି ଓଡ଼ିଶା ପାଇଁ ଫାଇଦା ଆଣିପାରିଛି ତାହା ଯେ କୌଣସି ବ୍ୟକ୍ତି ଦେଖିପାରିବେ। ଚତୁର୍ଦ୍ଦଶ ଅର୍ଥ କମିଶନ ଦ୍ୱାରା ଓଡ଼ିଶା ଲାଭବାନ ହୋଇଛି। ଓଡ଼ିଶାକୁ ତିନି ଗୁଣ ଅର୍ଥ ମିଳିଛି। ଖଣି ଆଇନ ବଦଳିବା ପରେ ଓଡ଼ିଶାକୁ ଫାଇଦା ହୋଇଛି। ଏମଡ଼ିଏଫ ହେବା ଫଳରେ ଜିଲ୍ଲାଗୁଡ଼ିକ ଅଧିକ ଅର୍ଥ ପାଇଛନ୍ତି। ବିଦ୍ୟୁତ, ଗ୍ୟାସ, ଇସ୍ପାତ କାରଖାନା, ଧାନର ସର୍ବନିମ୍ନ ମୂଲ୍ୟ ସବୁଥିରେ ଓଡ଼ିଶାର ଲାଭ ହୋଇଛି। କାଣ୍ଡଲା ପରେ ଏବେ ପାରାଦୀପ ହେଉଛି ଦେଶର ଦ୍ୱିତୀୟ ବଡ଼ ବନ୍ଦର।

ବିଜେଡି-କଂଗ୍ରେସ ଭିତରେ ବୁଝାମଣା

ଆଗାମୀ ଦିନରେ ଓଡ଼ିଶାରେ ଦ୍ଵିମୁଖୀ ପ୍ରତିଯୋଗିତା ହେବ। ଓଡ଼ିଶାରେ ପ୍ରତିଦିନ କଂଗ୍ରେସ ଅପ୍ରାସଙ୍ଗିକ ହୋଇ ପଡ଼ୁଛି। ୨୦୧୪ରେ କଂଗ୍ରେସର ପ୍ରଦର୍ଶନ ସବୁଠୁ ଖରାପ ଥିଲା। ବିଜେଡି -କଂଗ୍ରେସ ମେଣ୍ଟ ସେମାନଙ୍କ ଭିତରେ ଅଦ୍ୟାବଧି ବୁଝାମଣା ଅଛି। ସେମାନଙ୍କ ଉଦ୍ଦେଶ୍ୟ ହେଉଛି ମୋଦିଙ୍କ ବିକାଶ କାର୍ଯ୍ୟକ୍ରମକୁ ଯେ କୌଣସି ପ୍ରକାରେ ଅଟକାଇବା। ଆମେ ନିଶ୍ଚିତରେ ଏହି ଅସାଧୁ ମେଣ୍ଟକୁ ହଟାଇବୁ। ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଆମେ କଡ଼ା ଟକ୍କର ଦେବୁ।

Comment