ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରେନ୍‌ ଭିତରେ ମୂଷା ଡେଉଁଥିବାର ଦେଖି ଅଭିଯୋଗ କରିଥିଲେ ମୁମ୍ବାଇର ଓକିଲମିଳିଲା ୧୯ ହଜାର ଟଙ୍କା କ୍ଷତିପୂରଣ

ଯାତ୍ରୀ ସୁରକ୍ଷା ଏବଂ ସମୟାନୁବର୍ତ୍ତିତା କ୍ଷେତ୍ରରେ ରେଳବିଭାଗର ପ୍ରଦର୍ଶନ କଥା ଊଣାଅଧିକେ ସମସ୍ତେ ଜାଣନ୍ତି। ସବୁପ୍ରକାର ସମାଲୋଚନାକୁ ହଜମ କରିଦେବାର କ୍ଷମତା ରଖେ ରେଳ ବିଭାଗ। ଯେଉଁ ସରକାର ହେଉ, ଯିଏ ବି ରେଳମନ୍ତ୍ରୀ ହୁଅନ୍ତୁ, ବିଭାଗର ଅବସ୍ଥା ଯେ ସୁଧୁରିବନି ଏହା ସ୍ୱତଃସିଦ୍ଧ। ଏଭଳି ସ୍ଥିତିରେ ରେଳଡବା ଭିତରର ଅପରିଚ୍ଛନ୍ନତା ଅଭିଯୋଗ ନେଇ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା ଜଣେ ଯାତ୍ରୀଙ୍କୁ ରେଳ ବିଭାଗ କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେବା ଆଶ୍ୱାସନାର କଥା।

ମୁମ୍ବାଇର ଆଇନଜୀବୀ ଶୀତଲ କନକିଆ। ୨୦୧୫ ମସିହା ନଭେମ୍ବର ୭ ତାରିଖ ଦିନ ମୁମ୍ବାଇ-ଏର୍ଣ୍ଣାକୁଲମ୍‌ ଦୂରନ୍ତ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ତାଙ୍କ ସାଙ୍ଗରେ ଜଣେ ସଂପର୍କୀୟା ହେମା କନକିଆ ବି ଥିଲେ। ଲୋକମାନ୍ୟ ତିଲକ ଟର୍ମିନସ୍‌ରୁ ଦୁହେଁ ଟ୍ରେନ୍‌ରେ ଚଢ଼ିଥିଲେ। କିଛି ବାଟ ଯିବା ପରେ ଟ୍ରେନ୍‌ ଡବା ଭିତରର ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶ ତାଙ୍କୁ ବିଚଳିତ କରିଥିଲା।

ଡବା ଭିତର ଆବର୍ଜନାରେ ମୂଷାମାନେ ରହିଥିବା ଦେଖି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜଣାଇଥିଲେ। ହେଲେ ଉତ୍ତର ମିଳିଥିଲା ଯେ, ଏହା ତ ସବୁଦିନିଆ କଥା। ଏତେ ବଡ଼ ଟ୍ରେନ୍‌କୁ ସଫା କରିବାକୁ ମାତ୍ର ତିନିଘଣ୍ଟା ସମୟ ମିଳୁଥିବାରୁ ସବୁ ଡବା ଭିତର ସଫା ହୋଇପାରୁନାହିଁ ବୋଲି କର୍ମଚାରୀମାନେ ଶୀତଲଙ୍କୁ ବୁଝାଇ ଦେଇଥିଲେ। ଶୀତଲ ଓ ହେମା କିନ୍ତୁ ଛାଡ଼ି ନଥିଲେ।

ଟ୍ରେନ୍‌ ଡବା ଭିତରେ ମୂଷା ଡେଉଁଥିବା କଥା ସହିତ ଅପରିଚ୍ଛନ୍ନ ପରିବେଶ, ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଦୂଷିତ ପାଣି ସଂପର୍କରେ ଅଭିଯୋଗ ଲେଖି ଟିକେଟ ପରୀକ୍ଷକଙ୍କୁ ଦେଇଥିଲେ। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରି କହିଥିଲେ। କିନ୍ତୁ କେହି ଉତ୍ତର ଦେଇ ନଥିଲେ। ସେହି ମାସ ୧୫ ତାରିଖ ଦିନ ସେମାନେ ମୁମ୍ବାଇ ଫେରିଥିଲେ।

ରେଳ ଡବା ଭିତରେ ମୂଷା ରହିବା ଏବଂ ଅନ୍ୟାନ୍ୟ ଅବ୍ୟବସ୍ଥା ସଂପର୍କିତ ଅଭିଯୋଗ ନେଇ ୨୦୧୫ ଡିସେମ୍ବର ୨ ତାରିଖ ଦିନ ଦକ୍ଷିଣ ମୁମ୍ବାଇ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମଙ୍କ ଦ୍ୱାରସ୍ଥ ହୋଇଥିଲେ ଶୀତଲ ଓ ହେମା।

ହେମା ଓ ଶୀତଲଙ୍କ ଅଭିଯୋଗରେ ଦର୍ଶାଯାଇଥିଲା ଯେ, ମୂଷା ରହିବା ଭଳି ଅପରିଚ୍ଛନ୍ନ ପରିବେଶ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟହାନି ଘଟିଥିଲା ଏବଂ ମାନସିକ ଅଶାନ୍ତି ଯୋଗୁଁ ସେମାନେ ସେମାନଙ୍କ ଛୁଟି ଉପଭୋଗ କରିପାରିନଥିଲେ। ରେଳଟିକେଟ ଓ ସେମାନେ ଦେଇଥିବା ଅଭିଯୋଗପତ୍ରର ନକଲ ସହିତ ଡାକ୍ତରୀ ପ୍ରମାଣପତ୍ର ଦାଖଲ କରିବା ସହିତ ରେଳ ବିଭାଗ ସେମାନଙ୍କ ଟିକେଟ ବାବଦ ୬,୬୦୦ ଟଙ୍କା ଏବଂ ମାନସିକ ଅଶାନ୍ତି ପାଇଁ କ୍ଷତିପୂରଣ ଦେବାକୁ ସେମାନେ ଖାଉଟି ଅଦାଲତରେ ଆବେଦନ କରିଥିଲେ।

ରେଳବାଇ ପକ୍ଷରୁ ଏହିସବୁ ଅଭିଯୋଗକୁ ଅସ୍ୱୀକାର କରାଯାଇଥିଲା ଏବଂ ନିୟମିତ ଟ୍ରେନ୍‌ ସଫା ହେଉଛି, ଡବା ଭିତରେ ଧୂଆଁ ଦିଆଯାଉଛି ଏବଂ ଖାଦ୍ୟ ପ୍ରସ୍ତୁତି ଉପକରଣ ଏବଂ ବାସନକୁସନ ପରିଷ୍କାର ରଖାଯାଉଛି ବୋଲି ଯୁକ୍ତି କରାଯାଇଥିଲା। କିନ୍ତୁ ଅଦାଲତରେ ଏ ସଂପର୍କିତ ରେକର୍ଡ ଦାଖଲ କରିପାରି ନଥିଲା ରେଳ ବିଭାଗ।

ପ୍ରାୟ ତିନିବର୍ଷ ପରେ ଏହି ମାମଲାର ରାୟ ଦେଇଛନ୍ତି ଖାଉଟି ଅଦାଲତ। ଶୀତଲ ଓ ହେମାଙ୍କୁ ୧୯ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କେନ୍ଦ୍ର ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି।

Comment