ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଚଳିତ ବର୍ଷର ପ୍ରଥମ ଛଅମାସ ଭିତରେ ଯେଉଁସବୁ ଓଡ଼ିଆ ସିନେମା ରିଲିଜ୍ ହୋଇଛି, ସେଥିରେ  କିଛି ପରଦା ପଛର ବ୍ୟକ୍ତିମାନେ ଚର୍ଚ୍ଚାକୁ ଆସିଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା

ନୂଆ ପ୍ରଯୋଜକ

୨୦୧୮ର ପ୍ରଥମ ସିନେମା ‘ଓନଲି ପ୍ୟାର୍’ ଜରିଆରେ ଜଣେ ବନାଗତ ପ୍ରଯୋଜକଙ୍କର ଆବିର୍ଭାବ ଘଟିଥିଲା ଓଲିଉଡରେ। ତାଙ୍କର ନାଁ ହେଲା ସୁନୀଲ କୁମାର ଦାଶ।

‘ଦୀପୁ ଦ ଡ୍ୟାନ୍ସ ବୟ’ ଟାଇଟଲରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମାର ପ୍ରଯୋଜନା କରିଥିଲେ ନବାଗତ ମନୋଜ ରାଉତ। ଏହି ଫିଲ୍ମର ପ୍ରଯୋଜକ ଥିଲେ ନବାଗତ ଯୋଗେନ୍ଦ୍ର କୁମାର ସାହୁ।

ଏହାପରେ ‘ଅଜାତଶତ୍ରୁ’ ସିନେମା ଜରିଆରେ ଓଲିଉଡରେ ପ୍ରଯୋଜକ ଭାବେ ନୂଆ କରି ନାଁ ଲେଖାଇଥିଲେ ସୋନମ୍ ସିଂହ। ଠିକ୍ ସେହିପରି ‘ଦିୱାନା ହେଲି ତୋ ପାଇଁ’ ସିନେମା ଜରିଆରେ ପ୍ରଯୋଜକ ଭାବେ ଏଣ୍ଟ୍ରି କରିଥିଲେ ଅଶୋକ କୁମାର ଦାଶ।

‘ଓଲେ ଓଲେ ଦିଲ୍ ବୋଲେ’ର ପ୍ରଯୋଜନା କରିଥିବା ବିଭୂତି ଭୂଷଣ ଷଡଙ୍ଗୀ ମଧ୍ୟ ଓଲିଉଡର ଜଣେ ନବାଗତ। ‘ଶକ୍ତି’ ସିନେମାର ପ୍ରଯୋଜନା କରି ମୀନତି ସାହୁ ଓ ରୋନକ ସାହୁ ବି ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଜୟା ବିଶ୍ୱାସ ବି ‘ଲଭପ୍ରମିଜ୍’ର ନୂଆ ପ୍ରଯୋଜକ। ‘ହତ୍ୟା’ ଚଳଚ୍ଚିତ୍ରର ପ୍ରଯୋଜକ ଶରତ ଚନ୍ଦ୍ର ପଟ୍ଟନାୟକ ବି ନବାଗତ।

ନୂଆ ନିର୍ଦ୍ଦେଶକ

‘ମନର ମାନସୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ସାମଲ ଜଣେ ନବାଗତ। ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ। ସେହିପରି ବରିଷ୍ଠ ନିର୍ଦ୍ଦେଶକ ଅରୁଣ ଦାସ ‘ଦୀପୁ ଦ ଡ୍ୟାନ୍ସ ବୟ’ର ନିର୍ଦ୍ଦେଶନା ଦେଇ ବଡ଼ ପରଦାରେ ପ୍ରବେଶ କରିଥିଲେ।

ନବାଗତ ନିର୍ଦ୍ଦେଶକ କୈଳାସ ମହାପାତ୍ର ‘ଓଲେ ଓଲେ ଦିଲ୍ ବୋଲେ’ର ନିର୍ଦ୍ଦେଶନା ଦେଇଥିଲେ। ନିର୍ଦ୍ଦେଶକ ନିରଞ୍ଜନ ବେହେରାଙ୍କର ମଧ୍ୟ ଏ ବର୍ଷ ଓଲିଉଡରେ ଏଣ୍ଟ୍ରି ହୋଇଛି। ଆଗରୁ ସେ ‘ଆଣ୍ଟି ନମସ୍କାର’ ନାଁରେ ଏକ ସିନେମାର ନିର୍ଦ୍ଦେଶନା ଦେଇଥିଲେ ବି ତାହା ଏଯାଏଁ ରିଲିଜ୍ ହୋଇନାହିଁ। ତାଙ୍କ ନିର୍ଦ୍ଦେଶିତ ତଥା ମୁକ୍ତିପ୍ରାପ୍ତ ସିନେମା ହେଲା ‘ଯୋଗୀ’। ଅନ୍ୟପକ୍ଷରେ ‘ଲଭପ୍ରମିଜ୍’ ସିନେମା ମାଧ୍ୟମରେ ସନ୍ତୋଷ ବିଶ୍ୱାଳ ନାମକ ଜଣେ ନୂଆ ନିର୍ଦ୍ଦେଶକଙ୍କର ପ୍ରବେଶ ହୋ‍ଇଛି ଓଲିଉଡରେ।

ନୂତନ ସଙ୍ଗୀତ ନିର୍ଦ୍ଦେଶକ

ଏ ବର୍ଷ ଏଯାଏଁ କେତେଜଣ ନୂଆ ସଙ୍ଗୀତକାରଙ୍କ ସଙ୍ଗୀତ ବିଭିନ୍ନ ଓଡ଼ିଆ ସିନେମାରେ ଶୁଣିବାକୁ ମିଳିଛି। ‘ଗୁଡ଼ୁ ଆଣ୍ଡ୍ ଗୁଡ଼ି’ ସିନେମାରେ ନବାଗତ ସଙ୍ଗୀତକାର ଯୋଡ଼ି ସଞ୍ଜୟ-ଶୀତୁଙ୍କ ସଙ୍ଗୀତ ଶୁଣିବାକୁ ମିଳିଛି। ଠିକ୍ ସେହିପରି ‘ମନର ମାନସୀ’ର ସଙ୍ଗୀତ ନିର୍ଦ୍ଦେଶକ ବି ନୂଆ। ସେ ହେଲେ ସୁଶୀଲ ଦଳେଇ।

Comment