ଓଡ଼ିଶାଲାଇଭ୍‍ ବ୍ୟୁରୋ

ଟେଲିକମ୍‌ ଉପଭୋକ୍ତା ହିଁ ସେ ବ୍ୟବହାର କରୁଥିବା ଡାଟାର ପ୍ରକୃତ ମାଲିକଇଣ୍ଟରନେଟ୍‌ ସଂସ୍ଥା ବା ମୋବାଇଲ କମ୍ପାନି କେବଳ ସଂରକ୍ଷକ ଭାବେ ରହିବା ଉଚିତଏହି ସୁପାରିସ କରିଛନ୍ତି ଟେଲିକମ୍‌ ରେଗୁଲେଟରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ)

ମୋବାଇଲ କିଣନ୍ତୁ ବା ସିମ୍‌, ଇଣ୍ଟରନେଟ୍‌ ସଂଯୋଗ ନିଅନ୍ତୁ କିମ୍ବା ‘ଆପ୍‌’ ଡାଉନ୍‌ଲୋଡ କରନ୍ତୁ ଏସବୁ କ୍ଷେତ୍ରରେ ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡ଼ିଥାଏ। ସେତିକି ନୁହେଁ, ପରବର୍ତ୍ତୀ ସମୟରେ ବି ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ ଲାଗି ରହିଥିବା ସର୍ତ୍ତାବଳୀରେ ସମ୍ମତି ଦେବାକୁ ହୁଏ।

ବ୍ୟକ୍ତିଗତ ଜୀବନ ସଂପର୍କିତ ତଥ୍ୟର ଅପବ୍ୟବହାର ଆଶଙ୍କା ସତ୍ତ୍ୱେ ଡିଜିଟାଲ ଦୁନିଆର ସୁବିଧାକୁ ଆଖିରେ ରଖି ଗ୍ରାହକମାନେ ଆଖି ବୁଝି ଏଥିରେ ରାଜି ହୋଇଥାଆନ୍ତି। ବ୍ୟକ୍ତିଗତ ତଥ୍ୟ ଉପରେ ମୋବାଇଲ କମ୍ପାନି, ଇଣ୍ଟରନେଟ୍‌ ସଂସ୍ଥା ଏବଂ ‘ଆପ୍‌’ ପ୍ରସ୍ତୁତକାରୀଙ୍କ ଅଧିକାରର ସୀମା ନିର୍ଦ୍ଧାରଣ ଏବଂ ଏହାର ଅପବ୍ୟବହାର ରୋକିବା ଲାଗି ଆଇନଗତ ବ୍ୟବସ୍ଥା ସପକ୍ଷରେ ମତ ଦେଇଛନ୍ତି ଭାରତୀୟ ଟେଲିକମ୍‌ ନିୟାମକ ଆୟୋଗ ବା ‘ଟ୍ରାଇ’ର ଅଧ୍ୟକ୍ଷ।

ଟେଲିକମ୍‌ ଉପଭୋକ୍ତା ହିଁ ସେ ବ୍ୟବହାର କରୁଥିବା ଡାଟାର ପ୍ରକୃତ ମାଲିକ। ଇଣ୍ଟରନେଟ୍‌ ସଂସ୍ଥା ବା ମୋବାଇଲ କମ୍ପାନି କେବଳ ସଂରକ୍ଷକ ଭାବେ ରହିବା ଉଚିତ। ଡାଟା ସୁରକ୍ଷା ବା ଇଣ୍ଟରନେଟ୍‌ ଏବଂ ମୋବାଇଲ ଆପ୍ଲିକେସନରେ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ସଂପର୍କରେ ଏହି ସୁପାରିସ କରିଛନ୍ତି ଭାରତୀୟ ଦୂରସଂଚାର ନିୟାମକ ଆୟୋଗ ବା ଟେଲିକମ୍‌ ରେଗୁଲେଟରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ)। ଏ ସଂପର୍କିତ ବିଭିନ୍ନ ପ୍ରସ୍ତାବ ଓ ସୁପାରିସ ସମ୍ବଳିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି ‘ଟ୍ରାଇ’ର ଅଧ୍ୟକ୍ଷ ରାମ ସେବକ ଶର୍ମା।

ବର୍ତ୍ତମାନ ପ୍ରଚଳିତ ଡାଟା ସୁରକ୍ଷା ଆଇନରେ ଗ୍ରାହକଙ୍କ ସୁରକ୍ଷା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ ବୋଲି ଶର୍ମା ଦର୍ଶାଇଛନ୍ତି। ଡାଟା ସୁରକ୍ଷା ବା ବ୍ୟକ୍ତିଗତ ତଥ୍ୟ ସଂପର୍କରେ ବିଭିନ୍ନ ମୋବାଇଲ କମ୍ପାନି ଏବଂ ‘ଆପ୍’ ପ୍ରସ୍ତୁତକାରୀ ଗ୍ରାହକଙ୍କ ସହ ଏକପାଖିଆ ରାଜିନାମା କରୁଛନ୍ତି। ଏହି ରାଜିନାମାରେ ଥିବା ସର୍ତ୍ତାବଳୀର ଭାଷା ଖୁବ ଜଟିଳ। ସାଧାରଣ ଗ୍ରାହକ ଏହାକୁ ବୁଝିବା ସହଜ ନୁହେଁ। ଗ୍ରାହକମାନେ ବାଧ୍ୟବାଧ୍ୟକତାରେ ଏହି ସବୁ ସର୍ତ୍ତରେ ସମ୍ମତ ହୋଇଯାଆନ୍ତି, ଯାହା କି ଗ୍ରହଣୀୟ ନୁହେଁ।

ପ୍ରତ୍ୟେକ ଗ୍ରାହକଙ୍କର ନିଜ ବ୍ୟକ୍ତିଗତ ତଥ୍ୟ ଉପରେ ଅଧିକାର ରହିଛି। ଏହାକୁ କିଭଳି ଏବଂ କେଉଁଠି ବ୍ୟବହାର କରାଯିବ ତାହା ଗ୍ରାହକଙ୍କ ଇଚ୍ଛା ଉପରେ ନିର୍ଭର କରେ। ତେଣୁ ସରକାର ଡାଟା ବା ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଦିଗରେ ପର୍ଯ୍ୟାପ୍ତ ଏବଂ ଉପଯୁକ୍ତ ବ୍ୟବସ୍ଥା ଥିବା ଆଇନ ପ୍ରଣୟନ କରିବା ଉଚିତ ବୋଲି ସେ ସୁପାରିସ କରିଛନ୍ତି। ମୋବାଇଲ କମ୍ପାନି, ଇଣ୍ଟରନେଟ୍‌ ସେବା ଯୋଗାଉଥିବା ସଂସ୍ଥା ଓ ‘ଆପ୍‌’ ପ୍ରସ୍ତୁତକାରୀଙ୍କ ପାଇଁ ଏହା ଲାଗୁ ହେବା ଦରକାର ବୋଲି ସେ ମତ ଦେଇଛନ୍ତି।

‘ଟ୍ରାଇ’ର ସୁପାରିସ ଅନୁସାରେ କୌଣସି ଗ୍ରାହକଙ୍କର ବ୍ୟକ୍ତିଗତ ତଥ୍ୟ ହାସଲ କରିବା ଏବଂ ଏହାକୁ ବ୍ୟବହାର କରିବା ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କର ପ୍ରକାଶ୍ୟ ସମ୍ମତି ନିଆଯିବା ଉଚିତ୍‌। ଏକପାଖିଆ ସର୍ତ୍ତାବଳି ସମ୍ବଳିତ ରାଜିନାମାରେ ସମ୍ମତି ନୁହେଁ। କମ୍ପାନି ଓ ‘ଆପ୍‌’ ପ୍ରସ୍ତୁତକାରୀଙ୍କ ଦ୍ୱାରା ଅସଂଲଗ୍ନ ଏବଂ ଅଦରକାରୀ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ଉପରେ କଟକଣା ରହିବା ନିହାତି ଜରୁରୀ। ଦୁର୍ବୋଧ୍ୟ ଓ ଜଟିଳ ଭାଷାରେ ପ୍ରସ୍ତୁତ ରାଜିନାମାକୁ ଆଇନ ପ୍ରଣୟନ କରି ବାଦ ଦେବା ଦରକାର। ମୋବାଇଲ ଏବଂ ‘ଆପ୍‌’ ପ୍ରସ୍ତୁତକାରୀ ସଂସ୍ଥା ଡାଟାର ଗୋପନୀୟତା ସଂପର୍କିତ ଆଇନ ପରିସରଭୁକ୍ତ ହେବା ଉଚିତ।

ଭାରତରେ ମୋବାଇଲ ଡାଟା ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଇଛି। ଗତ ତିନିବର୍ଷ ମଧ୍ୟରେ ଡାଟା ଗ୍ରାହକଙ୍କ ସଂଖ୍ୟା ପନ୍ଦର ଗୁଣ ବଢ଼ିଛି।  ମୋବାଇଲ କମ୍ପାନି, ଇଣ୍ଟରନେଟ୍‌ ସଂସ୍ଥା ଓ ‘ଆପ୍‌’ ପ୍ରସ୍ତୁତକାରୀମାନେ ଏହି ଗ୍ରାହକମାନଙ୍କର ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି। ଏଥିରେ ଗ୍ରାହକଙ୍କ ନାମ, ବାସସ୍ଥାନ, ଜନ୍ମ ତାରିଖ ଭଳି ତଥ୍ୟ ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନ ଶୈଳୀର ବିବରଣୀ ବି ରହୁଛି। ସେମାନଙ୍କ ପେସା, ସ୍ୱାସ୍ଥ୍ୟ ସଂପର୍କିତ ତଥ୍ୟ,ଆର୍ଥିକ କାରବାର ସହିତ ସେମାନେ କେଉଁ ସ୍ଥାନକୁ ଗଲେ, କ’ଣ କିଣିଲେ ପ୍ରଭୃତି ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି।

ଅନେକ ସମୟରେ ଗ୍ରାହକଙ୍କୁ ଏସବୁ ତଥ୍ୟ ଦେବାକୁ ଏକପ୍ରକାର ବାଧ୍ୟ କରାଯାଉଛି। ଏପରିକି ସେମାନେ ଚାହିଁଲେ ବି ଏହି ତଥ୍ୟକୁ ଦେଖିବା, ସଂଶୋଧନ ବା ସଂପାଦନ କରିବା କିମ୍ବା ହଟାଇବା ସମ୍ଭବ ନୁହେଁ। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ‘ଟ୍ରାଇ’ ମତପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ବଜାୟ ରଖିବାକୁ ଆଇନ ପ୍ରଣୟନ ଲାଗି ‘ଟ୍ରାଇ’ ସୁପାରିସ କରିଛନ୍ତି।

ଅପରପକ୍ଷରେ ବର୍ତ୍ତମାନ ‘ଟ୍ରାଇ’ ଅଧ୍ୟକ୍ଷଙ୍କ ସୁପାରିସକୁ ବ୍ୟାବହାରିକ ଭାବେ ଲାଗୁ କରିବା ପାଇଁ ଟେଲିକମ୍‌ ବିଭାଗ ରାଜି ନୁହେଁ। ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ‘ଟ୍ରାଇ’ ନିଜ ଆଡୁ ଏହି ସୁପାରିସ କରିଛନ୍ତି। ସରକାର ଏହା ଚାହିଁ ନ ଥିଲେ। ଡାଟା ସୁରକ୍ଷା ଆଇନର ଚିଠା ପ୍ରସ୍ତୁତି ନିମନ୍ତେ ଜଷ୍ଟିସ୍‌ ବି ଏନ୍‌ ଶ୍ରୀକ୍ରିଷ୍ଣା କମିଟି ଗଠିତ ହୋଇଛି।

ବ୍ୟକ୍ତିଗତ ତଥ୍ୟର ସୁରକ୍ଷା, ଏହାର ଗୋପନୀୟତା ବଜାୟ ରଖିବା ଏବଂ ଅପବ୍ୟବହାର ରୋକିବା ଦିଗରେ ଆଇନ ଗଢ଼ିବାକୁ କମିଟି କାର୍ଯ୍ୟ କରୁଛନ୍ତି। ଏଭଳି ସମୟରେ ‘ଟ୍ରାଇ’ ଅଧ୍ୟକ୍ଷଙ୍କ ସୁପାରିସକୁ ଅନୁଧ୍ୟାନ କରି ଚୂଡ଼ାନ୍ତ ଆଇନରେ ସ୍ଥାନ ଦେବା ଲାଗି ଏହାକୁ କମିଟିଙ୍କ ନିକଟକୁ ପଠାଇ ଦିଆଯିବ। ‘ଟ୍ରାଇ’ ଅଧ୍ୟକ୍ଷ ଶର୍ମାଙ୍କ କହିବା କଥା ଯେ ଏହାକୁ ଶ୍ରୀକ୍ରିଷ୍ଣା କମିଟିଙ୍କ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କହିବା ଠିକ୍‌ ନୁହେଁ।

ଦେଶରେ ଇଣ୍ଟରନେଟ୍‌ ଓ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବେ ବଡ଼ ପ୍ରଶ୍ନ।

LEAVE A REPLY

Please enter your comment!
Please enter your name here