ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ଓ ୧୭ଜଣ ଗୁରୁତର ଆହତ ହୋଇଛନ୍ତି। 

ଉତ୍ତରାଖଣ୍ଡର ତେହେରି ଜିଲାର ଚମ୍ବା ସହରଠାରୁ ୧୫କିମି ଦୂରରେ କିରଗାନୀସ୍ଥିତ ରିଷିକେଶ-ଚମ୍ବା-ଗଙ୍ଗୋତ୍ରୀ ଜାତୀୟ ରାଜପଥ ଉପରେ ଏଭଳି ଦୁର୍ଘଟଣା ଘଟିଛି। ଘାଟି ରାସ୍ତାରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ୨୫୦ ମିଟର ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରୁ ଗୁରୁତର ୬ଜଣଙ୍କୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଇ ରିଷିକେଶସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଅବଶିଷ୍ଟ ଆହତଙ୍କୁ ତେହେରି ଜିଲା ଚିକିତ୍ସାଳୟ ଓ ଚମ୍ବାର ମସିହା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବସରେ ପାଖାପାଖି ୩୧ଜଣ ଯାତ୍ରୀ ଥିଲେ। ଯାତ୍ରୀମାନେ ଉତ୍ତରକାଶୀରୁ ହରିଦ୍ୱାର ଯାଉଥିଲେ।

ଉତ୍ତରାଖଣ୍ଡ ରାଜ୍ୟସରକାରଙ୍କ ପକ୍ଷରୁ ମୃତକଙ୍କୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ଘୋଷଣା କରାଯାଇଛି।

Comment