ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ। କେଉଁ ଦଳ କାହାକୁ ସମର୍ଥନ କରିବ ତାକୁ ନେଇ ଉଠୁଛି ପଡ଼ୁଛି ଜାତୀୟ ରାଜନୀତି।

ନରେନ୍ଦ୍ର ମୋଦି ସରକାର ବିରୋଧରେ କଂଗ୍ରେସ ଓ ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ଯେଉଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି ତାହାକୁ ନେଇ ବିରୋଧୀ ଦଳଙ୍କ ଭିତରେ ଏବେଠାରୁ ହିଁ ଫାଟ ସୃଷ୍ଟି ହୋଇଯାଇଛି। ଶୁକ୍ରବାର ଏହି ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରିବାକୁ ବାଚସ୍ପତି ସୁମିତ୍ରା ମହାଜନ ନିଷ୍ପତ୍ତି ନେଇଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ କହିଛନ୍ତି ଯେ ଅନାସ୍ଥା ପ୍ରସ୍ତାବକୁ ଏଆଇଏଡିଏମକେ ସମର୍ଥନ କରିବ ନାହିଁ। ଦଳର କହିବା କଥା ଯେ କାବେରୀ ଜଳ ବିବାଦରେ କୌଣସି ବିରୋଧୀ ଦଳ ତାଙ୍କ ଦଳକୁ ସାହାଯ୍ୟ କରିନଥିବା କାରଣରୁ ଏହି ଫଇସଲା ଗ୍ରହଣ କରାଯାଇଛି। ଏଣେ ଡିଏମକେ ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ବିଜୁ ଜନତା ଦଳ କ’ଣ କରିବ ସେନେଇ କୌଣସି ନିଷ୍ପତ୍ତି ନେଇନାହିଁ।ବିଜେଡି ପକ୍ଷରୁ ହୁଇପ୍ ଜାରି କରି ସବୁ ସାଂସଦଙ୍କୁ ଆସନ୍ତା କାଲି ଉପସ୍ଥିତ ରହିବା ପାଇଁ କହିଛି।

ଏନଡିଏର ସହଯୋଗୀ ଦଳ ଶିବସେନା ମଧ୍ୟ ସରକାରଙ୍କୁ ସମର୍ଥନ କରିବ ବୋଲି ସ୍ପଷ୍ଟ କରିଛି।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଏନଡିଏ ସରକାର ବିରୋଧରେ ଯେଉଁ ଅବିଶ୍ୱାସ ପ୍ରସ୍ତାବ ଆସିଛି ତାହା କାଟ ଖାଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ମୋଦି ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ଥିବାରୁ ପ୍ରସ୍ତାବ ଖାରଜ ହେବା ସ୍ପଷ୍ଟ ଦେଖାଯାଉଛି।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି କିନ୍ତୁ ଏହି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଅଧିକ ଜୋରଦାର କରିଦେଇଛନ୍ତି। ସେ ପଚାରିଛନ୍ତି ‘କିଏ କହିଲା ଆମ ପାଖରେ ସଂଖ୍ୟା ନାହିଁ’? ଏହିଭଳି ବାହାସ୍ଫୋଟ ସତ୍ତ୍ୱେ ମୋଦି ସରକାର ଏହି ସଂକଟରୁ ମୁକୁଳିଯିବେ ବୋଲି ଅନୁମାନ କରାଯାଉଛି।

ଅନାସ୍ଥା ପ୍ରସ୍ତାବକୁ ନେଇ କେଉଁ ଦଳ କେଉଁଠି?

ଶିବସେନା: ଏମିତି ତ ଶିବସେନା ଏନଡିଏ ସରକାରର ଅଂଶୀଦାର ଦଳ। କିନ୍ତୁ କିଛି ପ୍ରସଙ୍ଗକୁ ନେଇ ଶିବସେନା ଏବଂ ବିଜେପି ଭିତରେ ମତଭେଦ ରହିଥିଲା। ହେଲେ ଅନାସ୍ଥା ପ୍ରସ୍ତାବ ବେଳେ ସରକାରଙ୍କୁ ଦଳ ସମର୍ଥନ କରିବ ବୋଲି ସ୍ପଷ୍ଟ କରିଛି।

ଟିଡିପି: ଟିଡିପି ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବାରୁ ସମସ୍ତ ସଦସ୍ୟ ଆସନ୍ତା କାଲି ଉପସ୍ଥିତ ରହିବେ ବୋଲି ହୁଇପ ଜାରି ହୋଇଛି। ଏଥି ସହିତ ଟିଡିପି ଅନ୍ୟ ଦଳର ସାଂସଦଙ୍କୁ ମଧ୍ୟ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଅପିଲ କରିଛି।

ଟିଏମସି: ମମତା ବନାର୍ଜୀଙ୍କ ନେତୃତ୍ୱରେ ଚାଲିଥିବା ତୃଣମୂଳ କଂଗ୍ରେସ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ। ଉପସ୍ଥିତ ରହିବା ପାଇଁ ଟିଏମସି ମଧ୍ୟ ତାର ଏମ୍‌ପିମାନଙ୍କୁ ହୁଇପ୍ ଜାରି କରିଛି।

ବିଜେଡି: ଶୁଣାଯାଉଛି ବିଜେଡି ମଧ୍ୟ ଏହି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଯିବ। ଦଳର ସାଂସଦମାନେ ଯେମିତି ଗୃହରେ ଉପସ୍ଥିତ ରହିବେ ସେ ନେଇ ନୋଟିସ ଦିଆଯାଇଛି। ତେବେ ଶେଷ ମୁହୂର୍ତ୍ତରେ କିଛି ବି ଘଟିଯାଇପାରେ।

ଟିଆର୍‌ଏସ୍‌: ତେଲେଙ୍ଗାନା ରାଷ୍ଟ୍ର ସମିତି ୨୦୧୯ ପୂର୍ବରୁ ଏକ ଅଣକଂଗ୍ରେସ ଓ ଅଣବିଜେପି ମେଣ୍ଟ ତିଆରି କରିବା ପାଇଁ ଉଦ୍ୟମ ଜାରି ରଖିଛି। ଅନାସ୍ଥା ପ୍ରସ୍ତାବ ଉପରେ ଦଳ ପକ୍ଷରୁ କିଛି ସ୍ପଷ୍ଟ ସଂକେତ ମିଳିନାହିଁ। କିନ୍ତୁ ଯାହା ଖବର ଆସୁଛି ଟିଆରଏସ୍ ପ୍ରସ୍ତାବକୁ ସମର୍ଥନ କରିବ ନାହିଁ।  ତେଣେ କେନ୍ଦ୍ର ସରକାର ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ କୌଣସି ସୁଯୋଗକୁ ହାତଛଡ଼ା ନ କରିବା ପାଇଁ ଉଦ୍ୟମ ଚାଲିଛି।

ଅନାସ୍ଥା ପ୍ରସ୍ତାବର ସାମ୍ନା କରିବା ପାଇଁ ଓ ରଣନୀତି ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କ ସହ ଆଜି ଏକ ବୈଠକ କରିଥିଲେ। ସେହିଭଳି ସୋନିଆ ଗାନ୍ଧି କଂଗ୍ରେସ ସଂସଦୀୟ ଦଳର ବୈଠକ ଡାକିଥିଲେ।

ମଜା କଥା ହେଉଛି ମୋଦିଙ୍କୁ ଲଗାତାର ବିରୋଧ କରି ଆସିଥିବା ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବେ ବୋଲି କହିଛନ୍ତି। ଲୋକସଭାରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବା ପାଇଁ ବିଜେପି ଚାହୁଁଛି ଓ ଯଦି ତାହା ହୁଏ ଲୋକସଭା ନିର୍ବାଚନ ପୂର୍ବରୁ ଏହା ଦଳ ପାଇଁ ଏକ ବଡ଼ ନୈତିକ ବିଜୟ ହେବ।

ବିରୋଧୀ ଦଳଙ୍କ ପକ୍ଷରୁ କିନ୍ତୁ ଏହି ମଉକାରେ ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ  ଯୋଜନା କରାଯାଇଛି। ବିଜେପିର ମ୍ୟାନେଜରମାନେ ଖୋଲାଖୋଲି କହୁଛନ୍ତି ଯେ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସହଜରେ କାଟ୍ ଖାଇଯିବ।

ଏନଡିଏ ପାଖରେ ୩୧୫ ଜଣ (ବାଚସ୍ପତିଙ୍କ ସମେତ) ସାଂସଦଙ୍କ ସମର୍ଥନ ରହିଛି। ଲୋକସଭାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୫୩୫ ଓ ବହୁମତ ପାଇଁ ଦରକାର ୨୬୮ ସଦସ୍ୟଙ୍କ ସମର୍ଥନ। କେବଳ ବିଜେପି ନିକଟରେ ଦୁଇ ଜଣ ମନୋନୀତ ସଦସ୍ୟଙ୍କ ସମେତ ୨୭୩ ଜଣ ସାଂସଦ ଅଛନ୍ତି।

Comment