ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ଟିଟୋକୁ ପାରାଦୀପରେ ପେଟ୍ରୋଲ ପମ୍ପ୍ ଚଳାଇବା ପାଇଁ କିଏ ଅନୁମତି ଦେଲା? ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି।

ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ସାମ୍ରାଜ୍ୟ ଉପରୁ ପରଦା ହଟୁଛି। ଏକାଧିକ ଅପରାଧିକ ମାମଲାରେ ଛନ୍ଦି ହୋଇ ଟିଟୋ କେନ୍ଦ୍ରାପଡ଼ାର ବାରିମୂଳ ଜେଲ୍‌ରେ ଥିବା ବେଳେ ଏହାକୁ ନେଇ ରାଜନୀତି ଥମୁନି। ପାରାଦୀପ ପୋର୍ଟରେ ଗ୍ୟାଙ୍ଗଷ୍ଟର ଟିଟୋକୁ କିଏ ପେଟ୍ରୋଲ ପମ୍ପ ଆବଣ୍ଟନ କଲା ତାକୁ ନେଇ ଧର୍ମେନ୍ଦ୍ରଙ୍କୁ ନିଶାନା କରିଛି ବିଜେଡି।

ପାରାଦୀପ ପୋର୍ଟ ଭିତରେ ଥିବା ପେଟ୍ରୋଲ ପମ୍ପ୍ ଟିଟୋ ନାଁରେ ରହିଥିବା କ୍ରାଇମବ୍ରାଞ୍ଚ ସାମ୍ନାକୁ ଆଣିଥିବା ବେଳେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା କେତେ ଯୁକ୍ତିଯୁକ୍ତ ବୋଲି ବିଜେଡି ମୁଖପାତ୍ର ପ୍ରଶ୍ନ ଉଠାଇଛନ୍ତି।

ପ୍ରତାପ ଦେବ କହିଛନ୍ତି, “ସରକାରୀ ନିୟମ ଅନୁସାରେ ପାରାଦୀପରେ ପେଟ୍ରୋଲ୍ ପମ୍ପ୍ ଖୋଲାଯାଇଥିଲା। ତେବେ ଏହାକୁ ଟିଟୋ କେମିତି ନେଲା? ଏଥିରେ ଆଇଓସିଏଲ୍‌ କର୍ମକର୍ତ୍ତାଙ୍କ ହାତ ରହିଥିବା ଜଣାପଡ଼ୁଛି। ଟିଟୋ ବ୍ୟବସାୟ ସାମ୍ରାଜ୍ୟର ଖୋଳତାଡ଼ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଆଇଓସିଏଲ୍ କର୍ତ୍ତୃପକ୍ଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ସିବିଆଇକୁ ତଦନ୍ତଭାର କାହିଁକି ଦେଲେ?”

ଟିଟୋକୁ ପେଟ୍ରୋଲ ଟାଙ୍କି ଆବଣ୍ଟନରେ ତ୍ରୁଟି ରହିଥିବା ଆଇଓସିଏଲ୍ ସିଜିଏମ୍ ପ୍ରୀତିଶ ଭରତ କହିଛନ୍ତି। ଏହା ଜଣାପଡ଼ିବା ପରେ ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ଅବଗତ କରାଯାଇଥିଲା। ମନ୍ତ୍ରାଳୟ ନିର୍ଦ୍ଦେଶ ଆଧାରରେ ସିବିଆଇ ତଦନ୍ତ ସୁପାରିସ୍ କରାଯାଇଛି।

ଆଇଓସିଏଲ୍ ଅଧିକାରୀଙ୍କ ବୟାନକୁ ଆଧାର କରି ପ୍ରତାପ ଦେବ ଧର୍ମେନ୍ଦ୍ରଙ୍କୁ ବାଣ ମାରିଛନ୍ତି। ସେ କହିଛନ୍ତି ଯେ ଟିଟୋକୁ ଆବଣ୍ଟନ ହୋଇଥିବା ପେଟ୍ରୋଲ୍ ପମ୍ପ୍‌ରେ ତ୍ରୁଟି ରହିଛି ବୋଲି ଆଇସିଓଏଲ୍ ଅଧିକାରୀ କେବେ ଜାଣିଲେ? ଏନେଇ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ଯେଉଁ ଅଧିକାରୀ ପେଟ୍ରୋଲ୍ ପମ୍ପ୍ ଅନୁମତି ଦେଇଥିଲେ ତାଙ୍କ ବିରୋଧରେ ଆଇଓସିଏଲ୍ କି ପଦକ୍ଷେପ ନେଇଛି? ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଅବଗତ ଥିଲେ କି ନାହିଁ?

ପେଟ୍ରୋଲିୟମ୍ ମନ୍ତ୍ରାଳୟ ଅଧିନରେ ଥିବା ଆଇଓସିଏଲ୍ ଅଧିକାରୀଙ୍କ ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ୍ ଚଳାଇବା ପାଇଁ ଅନୁମତି ଦେଇଥିବାରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।

Comment