ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଲୋକସଭାରେ ଗୃହୀତ। ଏନେଇ ସୂଚନା ଦେଲେ ବାଚସ୍ପତି ସୁମିତ୍ରା ମହାଜନ। ଜୁଲାଇ ୧୮ତାରିଖରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ ହୋଇଥିବା କଥା ଲୋକସଭାରେ କହିଛନ୍ତି ବାଚସ୍ପତି।

ସାଂସଦ ପଦରୁ ଇସ୍ତଫା ଦେଇଥିବା ବୈଜୟନ୍ତ ଗତକାଲି ଇସ୍ତଫାପତ୍ର ଗ୍ରହଣ କରିବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପୁଣିଥରେ ଅନୁରୋଧ କରିଥିଲେ। ଫଳରେ ବାଚସ୍ପତି ଗୁରୁବାରଦିନ ଇସ୍ତଫା ଗ୍ରହଣ କରିଥିବା କଥା ଲୋକସଭାରେ ଘୋଷଣା କରିଛନ୍ତି।

ବିଜେଡି ସହ ସବୁ ସମ୍ପର୍କ ତୁଟାଇବା ପରେ ଗତ ଜୁନ୍ ୧୩ ତାରିଖରେ ବୈଜୟନ୍ତ ପଣ୍ଡା ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ବାଚସ୍ପତି ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିନଥିଲେ।

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ବିଦେଶ ଗସ୍ତରୁ ଫେରିବା ପରେ ଜୁଲାଇ ୫ରେ ବୈଜୟନ୍ତ ତାଙ୍କୁ ଭେଟିଥିଲେ। ଇସ୍ତଫାର କାରଣ ସମ୍ପର୍କରେ ବାଚସ୍ପତି ବୈଜୟନ୍ତଙ୍କଠାରୁ ପଚାରି ବୁଝିଥିଲେ। ଏ ସମ୍ପର୍କରେ ଆଉ ଥରେ ବିଚାର କରିବାକୁ ବାଚସ୍ପତି କହିଥିବା ବୈଜୟନ୍ତ ଟୁଇଟ କରି ସୂଚନା ଦେଇଥିଲେ।

ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ବିଜେଡି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲା। ଜୁଲାଇ ୧୦ ତାରିଖରେ  ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଚିଠି ଲେଖିଥିଲେ। ଜୁଲାଇ ୧୮ତାରିଖରେ ଇସ୍ତଫାପତ୍ର ଗ୍ରହଣ କରିବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପୁଣିଥରେ ଅନୁରୋଧ କରିଥିଲେ ବୈଜୟନ୍ତ।

Comment