ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି କେରଳର ସାବରିମାଲା ମନ୍ଦିର ଭିତରକୁ ମହିଳାମାନେ ପ୍ରବେଶ କରିପାରିବେ ଏନେଇ ରହିଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି ସୁପ୍ରିମକୋର୍ଟ

ମନ୍ଦିର ଭଳି ଏକ ସାର୍ବଜନୀନ ଭକ୍ତିସ୍ଥଳରେ ଲିଙ୍ଗଭେଦ ଆଧାରିତ ପରମ୍ପରାକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ। ପାରମ୍ପରିକ ରୀତିନୀତି ପାଳନ ସକାଶେ ମାନବିକ ଏବଂ ସାମ୍ବିଧାନିକ ଅଧିକାରକୁ ପ୍ରତିହତ କରାଯାଇପାରିବ ନାହିଁ ବୋଲି ସାବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଅଧିକାର ସଂପର୍କିତ ସୁପ୍ରିମକୋର୍ଟଙ୍କ ରାୟରୁ ସାବ୍ୟସ୍ତ ହୋଇଛି।

ଯେଉଁ ସାର୍ବଜନୀନ ସ୍ଥାନକୁ ପୁରୁଷମାନେ ଯାଇପାରିବେ, ସେହି ସ୍ଥାନକୁ ମହିଳାମାନେ ମଧ୍ୟ ଯାଇପାରିବେ ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମତ ଦେଇଛନ୍ତି। କେରଳର ସାବରିମାଲା ମନ୍ଦିର ଭିତରକୁ ମହିଳାମାନଙ୍କ ପ୍ରବେଶ ଅଧିକାର ଉପରେ ରହିଥିବା କଟକଣା ପ୍ରତ୍ୟାହାର ଲାଗି ଆବେଦନର ଶୁଣାଣି କରି ଏହି ରାୟ ଦେବା ସହିତ ଏହି ମାମଲାରେ ୧୯୯୧ ମସିହାରେ କେରଳ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ଉତ୍ତର-କେରଳର ପତ୍ତନମତିତ୍ତା ଜିଲ୍ଲାରେ ରହିଛି ସାବରିମାଲା ଦେବସ୍ଥାନ। ୧୮ଟି ପାହାଡ଼ ଓ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଏହି ମନ୍ଦିରରେ ପୂଜା ପାଆନ୍ତି ଭଗବାନ ଆୟାପ୍ପା। ସମୁଦ୍ର ପତ୍ତନଠାରୁ ୧୨୬୦ ମିଟର ବା ୪୧୩୩ ଫୁଟ ଉଚ୍ଚରେ ଥିବା ସାବରିମାଲା ମନ୍ଦିର ଦକ୍ଷିଣ-ଭାରତର ଏକ ପ୍ରମୁଖ ତୀର୍ଥସ୍ଥାନ ରୂପେ ପରିଗଣିତ। ପ୍ରତିବର୍ଷ ୪ କୋଟିରୁ ୫ କୋଟି ଭକ୍ତ ଏହି ମନ୍ଦିରରେ ଦେବଦର୍ଶନ ସହିତ ପୂଜାପାଠ କରିଥା’ନ୍ତି।

ବର୍ଷ ବର୍ଷ ଧରି ପ୍ରଚଳିତ ପରମ୍ପରା ଅନୁସାରେ ମନ୍ଦିରକୁ ମହିଳାଙ୍କ ପ୍ରବେଶ ଅଧିକାର ଉପରେ କଟକଣା ଥିଲା। ୧୦ରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାମାନେ ମନ୍ଦିରର ଗର୍ଭଗୃହକୁ ଯାଇପାରିବେ ନାହିଁ ବୋଲି ନିୟମ ରହିଥିଲା। ଏହି ବୟସର ମହିଳାମାନଙ୍କର ଋତୁସ୍ରାବ ସମ୍ଭାବନା ଥିବାରୁ ସେମାନଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ବାରଣ କରାଯାଇଥିଲା। ଆରାଧ୍ୟ ଦେବତା ଆୟାପ୍ପା ‘ନୈଷ୍ଠିକ ବ୍ରହ୍ମଚାରୀ’ ହୋଇଥିବାରୁ ଏଭଳି ନିୟମ ରହିଥିବା କୁହାଯାଏ।

୧୯୯୧ ମସିହାରେ ଏହି କଟକଣାକୁ ଉଠାଇ ନେବା ପାଇଁ ଆବେଦନର ବିଚାର କରି କେରଳ ହାଇକୋର୍ଟ ଏହାକୁ ବଳବତ୍ତର ରଖିଥିଲେ। ହଜାର ହଜାର ବର୍ଷ ଧରି ରହିଥିବା ପରମ୍ପରାକୁ କାଏମ ରଖିବା ସପକ୍ଷରେ ମତ ଦେଇଥିଲେ ହାଇକୋର୍ଟ। ସେବେଠାରୁ ଏହି କଟକଣା ପ୍ରତ୍ୟାହାର ପାଇଁ ବିଭିନ୍ନ ମହିଳା ସଂଗଠନ ଏବଂ ବ୍ୟକ୍ତିବିଶେଷ ଉଦ୍ୟମ ଚଳାଇଥିଲେ। ଏହି ମାମଲାର ଶୁଣାଣି ପାଇଁ ଗତ ବର୍ଷ ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ଗଠିତ ହୋଇଥିଲା।

ଦୀର୍ଘଦିନର ଶୁଣାଣି ପରେ ଗତ ବୁଧବାର ଦିନ ଏହି ମାମଲାରେ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଆର୍‌ ଏଫ୍‌ ନରିମାନ, ଏ ଏମ୍‌ ଖାନୱିଲକର, ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦୁ ମାଲହୋତ୍ରାଙ୍କ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ ପାରମ୍ପରିକ ରୀତିନୀତି ଉପରେ ସାମ୍ବିଧାନିକ ଅଧିକାରର ପ୍ରାଧାନ୍ୟ ସାବ୍ୟସ୍ତ କରିଛନ୍ତି।

ସୁପ୍ରିମକୋର୍ଟ ମତ ଦେଇଛନ୍ତି ଯେ, କୌଣସି ଆଇନ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ କରିପାରିବ ନାହିଁ। ସମସ୍ତଙ୍କର ପ୍ରାର୍ଥନା କରିବାର ଅଧିକାର ରହିଛି। ମନ୍ଦିରରେ ଲିଙ୍ଗଭେଦ ସୃଷ୍ଟି କରୁଥିବା ପରମ୍ପରା ଗ୍ରହଣୀୟ ନୁହେଁ। କୌଣସି ପରିସ୍ଥିତିରେ ମନ୍ଦିରକୁ ବ୍ୟକ୍ତିଗତ ସମ୍ପତ୍ତି କୁହାଯାଇପାରିବ ନାହିଁ। ଏହା ସାର୍ବଜନୀନ ଏବଂ ଏଠାରେ ମହିଳା ଓ ପୁରୁଷଙ୍କ ଅଧିକାର ସମାନ ରହିଛି। ମନ୍ଦିର ଭିତରକୁ ପ୍ରବେଶ ଅଧିକାର ଉପରେ କୌଣସି ନିୟମ ପ୍ରଣୟନର ଆବଶ୍ୟକତା ନାହିଁ। ଏହା ସମ୍ବିଧାନ ପ୍ରଦତ୍ତ ଅଧିକାର ପରିସରଭୁକ୍ତ। ସମ୍ବିଧାନର ଧାରା ୨୫ ଓ ୨୬ରେ ସମସ୍ତଙ୍କୁ ଏହି ଅଧିକାର ଦିଆଯାଇଛି।

ସାବରିମାଲା ମନ୍ଦିରକୁ ନିର୍ଦ୍ଦିଷ୍ଟ ବୟସ ବର୍ଗର ମହିଳାଙ୍କ ପ୍ରବେଶ ଅଧିକାର ଉପରେ କଟକଣାକୁ ନାପସନ୍ଦ କରି ସୁପ୍ରିମକୋର୍ଟ ଏହାକୁ ମନମୁଖୀ ନିୟମ ବୋଲି କହିଥିଲେ। ୧୦ରୁ ୫୦ ବର୍ଷର ମହିଳାଙ୍କୁ ମନ୍ଦିର ପ୍ରବେଶ ମନା କରିବା କେବଳ ଯେ ମହିଳାଙ୍କ ସାମ୍ବିଧାନିକ ଅଧିକାରର ପରିପନ୍ଥୀ ତାହା ନୁହେଁ, ବରଂ ଏହା ଲିଙ୍ଗଗତ ଭେଦଭାବ ଏବଂ ଅସ୍ପୃଶ୍ୟତାକୁ ସୂଚାଇଥାଏ ବୋଲି କୋର୍ଟ କହିଥିଲେ।

ସୁପ୍ରିମକୋର୍ଟଙ୍କ ଏହି ରାୟ ମହିଳା ଅଧିକାର ଉପରେ କାର୍ଯ୍ୟରତ ବିଭିନ୍ନ ସଂଗଠନ ସ୍ୱାଗତ କରିଛନ୍ତି। ପରମ୍ପରା ନାଁରେ ଯେ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳି ଦିଆଯାଇପାରିବ ନାହିଁ ତାହା ଏଥିରୁ ସ୍ପଷ୍ଟ ହୋଇଛି।

Comment