ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସଂସଦରେ ବିରୋଧୀଙ୍କ ପକ୍ଷରୁ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାର ଅଛି। ଏହା ପୂର୍ବରୁ ବିଭିନ୍ନ ଦଳଙ୍କ ପକ୍ଷରୁ ପକ୍ଷ ରଖିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ସଂସଦରେ ଆଲୋଚନା ପୂର୍ବରୁ ବିଜେଡି କକ୍ଷତ୍ୟାଗ କରିଛି।

“ଗତ ୧୪ବର୍ଷ ଭିତରେ ଉଭୟ ଉପା ଓ ଏନଡିଏ ସରକାର ଶାସନ କାଳରେ ଓଡ଼ିଶାକୁ ଅଣଦେଖା କରାଯାଇଛି। ତେଣୁ ଏହି ଆଲୋଚନାରୁ ରାଜ୍ୟକୁ କୌଣସି ଲାଭ ମିଳିବ ନାହିଁ। ଏଥିପାଇଁ ବିଜେଡି ଏହି ଅନାସ୍ଥା ଆଲୋଚନାରେ ଭାଗ ନେବ ନାହିଁ”, ସଂସଦରେ ରୋକଠୋକ ଏହା କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ।

ଏତିକି କହି ସେ ସଂସଦ କକ୍ଷରୁ ପଳାଇ ଥିଲେ। ବିଜେଡିର ଅନ୍ୟ ସାଂସଦମାନେ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ।

ଏଥିରୁ ଜଣାପଡ଼ୁଛି ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ଵ ରକ୍ଷା କରିବାକୁ ଚାହୁଁଛନ୍ତି। ଯଦି ଅନାସ୍ଥା ପ୍ରସ୍ତାବରେ ଦଳ ବିଜେପି ସପକ୍ଷରେ ଭୋଟ ଦେଇଥାନ୍ତା ତେବେ ବିରୋଧୀ ବିଜେଡିକୁ ଘେରିଥାନ୍ତା। ସେପଟେ ବିରୋଧୀଙ୍କ ସପକ୍ଷରେ ଯାଇଥିଲେ ବିଜେପି ମଧ୍ୟ ବିଜେଡିକୁ ସମାଲୋଚନା କରିଥାନ୍ତା। ତେଣୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଯାହା କହିଆସୁଥିଲେ (ଉଭୟ ଦଳଙ୍କଠାରୁ ସମଦୂରତ୍ଵ ରକ୍ଷା କରିବା) ତାହା ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି ବୋଲି କୁହାଯିବ।

Comment