ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସଂସଦରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ।     

ଶାସନର ୪ ବର୍ଷ ପରେ ମୋଦି ସରକାର ଆଜି ପ୍ରଥମଥର ପାଇଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ସରକାର ସପକ୍ଷରେ ଆବଶ୍ୟକ ସଂଖ୍ୟା ଥିବାରୁ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ପରାସ୍ତ ହେବା ନିଶ୍ଚିତ।

କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ କେଉଁ ଦଳ କାହାପଟେ ରହିବେ ତାହାର ଚିତ୍ର ମିଳିଯିବ ବୋଲି ଅନୁମାନ କରାଯାଉଛି। ଏହାଛଡ଼ା ଉଭୟ ଶାସକ ଏବଂ ବିରୋଧୀ ଦଳ ପରସ୍ପରର ଦୋଷତ୍ରୁଟିକୁ ପଦାରେ ପକାଇବା ଲାଗି ଭରପୂର ଉଦ୍ୟମ କରିବେ।

ସଂସଦର ଲୋକସଭାରେ ଆଜି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଅଭିଯୋଗ ଓ ପ୍ରତିଅଭିଯୋଗର ଏକ ଲମ୍ବା ତାଲିକାକୁ ଶୁଣିବାକୁ ଦେଶବାସୀ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

ଆଜି ସଂସଦର ଲୋକସଭାରେ ଆଗତ ହେବାକୁ ଅନାସ୍ଥା ଉପରେ ଅଂଶଗ୍ରହଣ କରି ଏହାର ସପକ୍ଷରେ ବା ବିପକ୍ଷରେ ନିଜର ମତ ରଖିବା ପାଇଁ କେଉଁ ରାଜନୈତିକ ଦଳକୁ କେତେ ସମୟ ପ୍ରଦାନ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିବା ପାଇଁ ସବୁଠାରୁ ଅଧିକ ସମୟ ମିଳିଛି ।

ଜାଣନ୍ତୁ କେଉଁ ଦଳକୁ କେତେ ସମୟ ମିଳିବ?

ବିଜେପିକୁ ୩ ଘଣ୍ଟା ୩୩ ମିନିଟ

କଂଗ୍ରେସ-୩୮ ମିନିଟ

ଏଆଇଏଡିଏମ୍‌କେ-୨୯ ମିନିଟ

ଟିଏମ୍‌ସିକୁ ୨୭ ମିନିଟ

ବିଜେଡିକୁ ୧୫ ମିନିଟ

ଶିବସେନାକୁ ୧୪ ମିନିଟ

ଟିଡିପିକୁ ୧୩ ମିନିଟ

ଟିଆରଏସ୍‌- ୯ ମିନିଟ

ସିପିଆଏମ୍‌-୭ ମିନିଟ

ସମାଜବାଦୀ ପାର୍ଟି-୬ ମିନିଟ

ଏନ୍‌ସିପିକୁ-୬ ମିନିଟ

ଏଲଜେଏସ୍‌ପିକୁ-୫ ମିନଟ

ଲୋକସଭାରେ କ’ଣ ରହିଛି ସ୍ଥିତି

୫୪୫ ସଭ୍ୟ ବିଶିଷ୍ଟ ଲୋକସଭାରେ ୧୧ ଆସନ ଖାଲି ପଡ଼ିଥିବାରୁ ଏବେ ସଭ୍ୟସଂଖ୍ୟା ହେଉଛି ୫୩୪। ଅନାସ୍ଥା ପ୍ରସ୍ତାବକୁ ହରାଇବାକୁ ହେଲେ ସରକାରଙ୍କୁ ୨୬୮ ଜଣଙ୍କ ସମର୍ଥନ ଜରୁରୀ।

ଏକାକି ବିଜେପିର ୨୭୩ ସଭ୍ୟ ଥିବା ବେଳେ ସମସ୍ତ ସହଯୋଗୀଙ୍କୁ ମିଶାଇଲେ ଏହି ସଂଖ୍ୟା ୩୧୩। ତେବେ ବିରୋଧୀଙ୍କୁ ଚକମା ଦେବାଲାଗି ବିଜେପି ନିଜ ସପକ୍ଷରେ ଅଧିକ ସମର୍ଥନ ଯୋଗାଡ଼ କରିବାରେ ଲାଗିଛି।

ବିରୋଧୀ ଦଳମାନଙ୍କ ମଧ୍ୟରେ ଯେ ଏକତା ନାହିଁ ତାହାକୁ ପଦାରେ ପକାଇବା ହେଉଛି ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ବିଜେପି ନେତାମାନେ ବିରୋଧୀ ଦଳଙ୍କ ଉପରେ ନଜର ପକାଇଛନ୍ତି।

ଆଗରୁ ବିରୋଧୀ ଦଳର ଶିବିରରେ ଥିବା ଆନ୍ନାଡିଏମକେ ଆଜି ଘୋଷଣା କରିଛି ଯେ ଏହା ସରକାରଙ୍କୁ ସମର୍ଥନ ଦେବ। ଏହି ପାର୍ଟିର ୩୭ ଜଣ ସଭ୍ୟ ଅଛନ୍ତି। ସେହିଭଳି ବିଜେଡି(୧୯)ର ସମର୍ଥନ ହାସଲ କରିବା ଲାଗି ମଧ୍ୟ ବିଜେପି ନେତାମାନେ ଉଦ୍ୟମ ଚଳାଇଛନ୍ତି। ତେବେ ବିଜେଡି ଆଜି ଏହାର ଆଭିମୁଖ୍ୟ ସ୍ପଷ୍ଟ କରିବ।

ଅନ୍ୟପକ୍ଷରେ ମୁଖ୍ୟ ସହଯୋଗୀ ଶିବ ସେନା(୧୮)କୁ ନେଇ ବିଜେପିକୁ ଭୋଟ ଦେବ ବୋଲି ଆଗରୁ ଘୋଷଣା କରିସାରିଛି। ବିଜେପିର ଅନ୍ୟ ପ୍ରମୁଖ ସହଯୋଗୀ ମଧ୍ୟରେ ଅଛନ୍ତି ପାଶୱାନ ଏଲଜେପି (୬) ଏବଂ ଅକାଳୀ ଦଳ (୪)।

କିନ୍ତୁ ବିରୋଧୀ ତେଲୁଗୁ ଦେଶମ୍‌ ପାର୍ଟି, କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି ଭଳି ଦଳ ଏବଂ ଅନ୍ୟ ସହଯୋଗୀ ଦଳର ସାଂସଦଙ୍କୁ ମିଶାଇଲେ ଏହା ପ୍ରାୟ ୧୬୭ ହେଉଛି।

କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସଭ୍ୟ ସଂଖ୍ୟା ୬୩ ଥିବା ବେଳେ ତୃଣମୂଳ କଂଗ୍ରେସର ୩୪, ଟିଡିପିର ୧୪ ଏବଂ ଟିଆରଏସ୍‌ର ୧୧ ଜଣ ସାଂସଦ ଅଛନ୍ତି।

ଏହାଛଡ଼ା ଆପ୍‌, ସିପିଏମ୍‌ ଏବଂ ଅନ୍ୟକିଛି ଦଳ ଏହାକୁ ସମର୍ଥନ ଦେବେ ବୋଲି କୁହାଯାଉଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ ଅନାସ୍ଥାରେ ସେମାନେ ବିଜୟୀ ହେବେ ନାହିଁ ବୋଲି ଜାଣିଛନ୍ତି। କିନ୍ତୁ ସରକାରଙ୍କୁ ଦୋଷକୁ ପଦାରେ ପକାଇବା ହେଉଛି ସେମାନଙ୍କର ଉଦ୍ଦେଶ୍ୟ।

ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ପକ୍ଷରୁ ଏନ୍‌ଡିଏ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଜି ଜୋର୍‌ଦାର ଆଲୋଚନା ହେବ। ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିରୋଧୀ ଦଳ ଓ ଏନ୍‌ଡିଏ ମଧ୍ୟରେ ମାରାଥନ୍‌ ବିତର୍କ ହେବ। ଏହାପରେ ଭୋଟିଂ ପ୍ରକ୍ରିୟା ଆରମ୍ଭ କରାଯିବ।

Comment