ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସରକାର ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଆଗକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଳାପାଳମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।

ରାଜ୍ୟର ସମସ୍ତ ଆରଡିସି, ପୁଲିସ୍‌ ଆଇଜି, ଅଗ୍ନିଶମ ଆଇଜି ଓ ଏନ୍‌ଡିଆରଏଫ୍‌ ତୃତୀୟ ବାଟାଲିୟନର କମାଣ୍ଡାଣ୍ଟଙ୍କ ସମେତ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ଜରୁରୀ ସ୍ଥିତିର ମୁକାବିଲା ନିମନ୍ତେ କର୍ମଚାରୀମାନଙ୍କୁ ସେମାନଙ୍କର ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି।

ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ୍ ରୁମ୍‌କୁ କାର୍ଯ୍ୟକ୍ଷମ କରାଇବା ଓ କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ସଙ୍ଗେ ସଙ୍ଗେ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ଙ୍କ କାର୍ଯ୍ୟାଳୟକୁ ଅବଗତ କରିବାକୁ କୁହାଯାଇଛି।

Comment