ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେଡି କକ୍ଷତ୍ୟାଗ କରିଛି। ଏହାକୁ ନେଇ ଓଡ଼ିଶା ରାଜନୀତି ମହଲରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।

ସଂସଦରେ ବିରୋଧୀଙ୍କ ପକ୍ଷରୁ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପୂର୍ବରୁ ବିଭିନ୍ନ ଦଳଙ୍କ ପକ୍ଷରୁ ପକ୍ଷ ରଖିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ସଂସଦରେ ଆଲୋଚନା ପୂର୍ବରୁ ବିଜେଡି କକ୍ଷତ୍ୟାଗ କରିଛି। ଏହାକୁ ନେଇ ଓଡ଼ିଶା ରାଜନୀତି ମହଲରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।

ରାଜ୍ୟ ସ୍ଵାର୍ଥ ପାଇଁ ବିଜେଡି କକ୍ଷତ୍ୟାଗ କରିଛି ବୋଲି କହିଥିବାବେଳେ କଂଗ୍ରେସ ଏକାକୁ ବିଜେଡିର ଭୟ ବୋଲି କହିଛି।

ଭର୍ତ୍ତୃହରି ମହତାବ(ସାଂସଦ, ବିଜେଡି)

“ଗତ ୧୪ବର୍ଷ ଭିତରେ ଉଭୟ ଉପା ଓ ଏନଡିଏ ସରକାର ଶାସନ କାଳରେ ଓଡ଼ିଶା ପ୍ରତି ଅନ୍ୟାୟ କରାଯାଇଛି। ତେଣୁ ଏହି ଆଲୋଚନାରୁ ରାଜ୍ୟକୁ କୌଣସି ଲାଭ ମିଳିବ ନାହିଁ। ଏଥିପାଇଁ ବିଜେଡି ଏହି ଅନାସ୍ଥା ଆଲୋଚନାରେ ଭାଗ ନେବ ନାହିଁ”, ସଂସଦରେ ଏହା କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ।

ନିରଞ୍ଜନ ପଟ୍ଟନାୟକ(କଂଗ୍ରେସ)

କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ବିଜେପି-ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ବିଜେଡି ସମଦୂରତ୍ଵ କଥା କହୁଛି କିନ୍ତୁ ଭିତରେ ବିଜେପିକୁ ସମର୍ଥନ କରୁଛି। ବିଜେଡି ଲୋକଙ୍କୁ ଠକିବା ପାଇଁ ସମଦୂରତ୍ଵ ନୀତି ଆପଣାଇଛି। କିନ୍ତୁ ବାସ୍ତବରେ ବିଜେଡି ଓ ବିଜେପି ଭିତିରିଆ ଏକାଠି କାମ କରୁଛନ୍ତି। ବିଜେଡିକୁ ସିବିଆଇ ଭୟ ଘାରିଥିବାବେଳେ, ବିଜେପିକୁ ସଂଖ୍ୟା ଭୟ ରହିଛି। ତେଣୁ ଉଭୟ ଏକାଠି ହୋଇଛନ୍ତି”।

କଳିକେଶ ସିଂହ ଦେଓ(ସାଂସଦ, ବିଜେଡି)

“କଂଗ୍ରେସର ୧୦ବର୍ଷ ଓ ବିଜେପିର ୪ବର୍ଷ ଶାସନକାଳରେ ସରକାରଙ୍କ ପାଖରେ ଆମେ ରାଜ୍ୟର ସ୍ଵାର୍ଥ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କଲୁ କିନ୍ତୁ କିଛି ଫଳ ମିଳିଲା ନାହିଁ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ପୋଲାଭରମ, ମହାନଦୀ ପ୍ରସଙ୍ଗକୁ ନେଇ ଆମେ ଅନେକଥର ଦାବି ଉପସ୍ଥାପନ କରିଛୁ କିନ୍ତୁ ଉଭୟ ସରକାର ଅମଳରେ ରାଜ୍ୟର ସ୍ଵାର୍ଥ ପୂରଣ ହୋଇପାରୁନାହିଁ। ତେଣୁ ଆଜିର ଡ୍ରାମାରେ ଭାଗ ନେଇ କୌଣସି ଲାଭ ନାହିଁ ତେଣୁ ରାଜ୍ୟର ସ୍ଵାର୍ଥ ଦୃଷ୍ଟିରୁ ଆମେ କକ୍ଷତ୍ୟାଗ କଲୁ”, କହିଛନ୍ତି ବିଜେଡି ସାଂସଦ କଳିକେଶ ସିଂହ ଦେଓ।

ସେ ଆହୁରି ମଧ୍ୟରେ କହିଛନ୍ତି, “ଟିଡିପି ସହ ପୋଲାଭରମ ବିବାଦ ଥିବାରୁ ଟିଡିପିକୁ ସମର୍ଥନ କରିବୁ ନାହିଁ”।

Comment