ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ର ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଆଜି ରାୟ ଶୁଣାଇଛନ୍ତି ଫୁଲବାଣୀ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ। ଦୁଷ୍କର୍ମ ଅଭିଯୁକ୍ତ ନାବାଳକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ଦଣ୍ଡାଦେଶ ସ୍ୱରୂପ ନାବାଳକ ସ୍କୁଲ ଛୁଟି ଦିନରେ ୬ ମାସ କାଳ ରାଇକିଆ ମେଡିକାଲରେ ଗୋଷ୍ଠୀ ସେବା କାର୍ଯ୍ୟରେ ନିୟୋଜିତ ହେବ।
ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସେ ମେଡିକାଲରେ କାମ କରିବ ବୋଲି ବୋର୍ଡ ଆଦେଶ ଦେଇଛନ୍ତି।
୨୦୧୭ ଏପ୍ରିଲ ମାସରେ ଜଣେ ୭ ବର୍ଷର ନାବାଳିକା ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ନାବାଳକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ନାବାଳିକା ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରା ଉଚରା କରିଥିଲା। ହେଲେ ଅଭିଯୁକ୍ତ ନାବାଳକ ଥିବାରୁ ଏବଂ ପାଠ ପଢ଼ୁଥିବାରୁ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା। ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମାମଲା ଚାଲିଥିଲା। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ନାବାଳକକୁ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ବୋର୍ଡ।


















